ଇସ୍ରାଏଲରେ ଯୁଦ୍ଧ, ରାଜନୀତି ଭାରତରେ ?
ପ୍ରସାଦ ରାଓ
ଅକ୍ଟୋବର ୧୨
ଶନିବାର ଦିନ ପାଲେସ୍ତିନୀୟ ଚରମପନ୍ଥୀ ଗୋଷ୍ଠୀ ‘ହାମାସ’ର ଆତଙ୍କୀମାନେ ଇସ୍ରାଏଲରେ ପ୍ରବେଶ କରି ବର୍ବର କାଣ୍ଡ ଘଟାଇବା ପରେ ଛଅ ଦିନ ହେଲା ଇସ୍ରାଏଲୀ ସେନା ଓ ହାମାସ ଚରମପନ୍ଥୀଙ୍କ ମଧ୍ୟରେ ଘମାଘୋଟ ସଂଘର୍ଷ ଚାଲିଛି । ସଂଘର୍ଷରେ ଉଭୟ ପକ୍ଷର ହଜାର ହଜାର ସଂଖ୍ୟାରେ ପ୍ରାଣହାନୀ ଘଟିଥିବା ଓ ଅନେକ ପଣବନ୍ଦୀ ରହି ଆତଙ୍କ ଭିତରେ ଦିନ କାଟୁଥିବା ଖବର ଆସୁଛି । ଗତକାଲି ସୁଦ୍ଧା ଇସ୍ରାଏଲୀରେ ୧୨ ଶହରୁ ଅଧିକ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପାଲେସ୍ତିନୀୟ ଗାଜା ଷ୍ଟ୍ରାପ୍ ଅଂଚଳରେ ନଅ ଶହ ମୃତ୍ୟୁ ଘଟି ଥିବା ସେଠାକାର ଅଧିକାରୀମାନେ ଦାବି କରିଛନ୍ତି । ଇସ୍ରାଏଲରେ ପାଖାପାଖି ୧୫୦୦ ହାମାସ ଚରମନ୍ଥୀଙ୍କ ମୃତଦେହ ମିଳି ଥିବା ଇସ୍ରାଏଲୀ ପକ୍ଷରୁ କୁହାଯାଇଛି । ଇସ୍ରାଏଲ ସେନା ହାମାସ ଚରମପନ୍ଥୀଙ୍କ ଯୁଦ୍ଧ ବିମାନ ଟ୍ରାକ୍ କରୁଥିବା ‘ଆଡଭାନ୍ସ ଡ଼ିଟେକ୍ସନ୍ ସିଷ୍ଟମ’କୁ ଧ୍ୱଂସ କରିଦେଇଥିବା ବେଳେ ଇସ୍ରାଏଲ୍ ସେନା ପକ୍ଷରୁ ଆଗୁଆ ଚେତାବନୀ ଦିଆନଯାଇ ଗାଜା ଅଂଚଳରେ ବୋମା ବର୍ଷଣ କରାଯାଏ ତେବେ ଗୋଟିଏ ବୋମା ପାଇଁ ଜଣେ ପଣବନ୍ଦୀଙ୍କ ଜୀବନ ଯିବ ବୋଲି ହାମାସ ଚରମପନ୍ଥୀ ଗୋଷ୍ଠୀ ଚେତାଇ ଦେଇଥିବା ବେଳେ ହାମାସ ଚରମପନ୍ଥୀ ଗୋଷ୍ଠୀ ଶିଶୁଙ୍କ ସମେତ ଅନ୍ୟୁନ ୧୫୦ ଜଣ ଇସ୍ରାଏଲୀଙ୍କୁ ପଣବନ୍ଦୀ ରଖିଥିବା ସୂଚନା ମିଳିଛି । ହାମାସ ଚରମପନ୍ଥୀଙ୍କ ଉଚିତ ଶିକ୍ଷା ଦେବା ସକାଶେ ଇସ୍ରାଏଲ ତାହାର ସାମରିକ ଆକମ୍ରଣକୁ ଜୋରଦାର କରିବା ସହ ପଲେସ୍ତିନୀୟ ଅଧ୍ୟଷିତ ଗାଜା ଅଂଚଳକୁ ଗତକାଲିଠାରୁ ଜଳ, ବିଦ୍ୟୁତ ଓ ଖାଦ୍ୟ ଯୋଗାଣକୁ ରୋକି ଦେଇଛି । ଫଳରେ, ଗାଜା ଅଂଚଳରେ ବସବାସ କରୁଥିବା ପାଲେସ୍ତନୀୟ ପରିବାରଙ୍କ ପ୍ରତି ଏକ ବଡ ଧରଣର ମାନବୀକ ସଂକଟ ସୃଷ୍ଟି ହୋଇଛି । ଇସ୍ରାଏଲ ଉପରେ ଲେବାବନ ଆଡୁ ମଧ୍ୟ ରକେଟ ମାଡ ଚାଲିଛି । ହାମାସ ଚରମପନ୍ଥୀଙ୍କ ଆକ୍ରମଣର ଉଚିତ ଜବାବ ଦିଆଯାଉଥିବା ଇସ୍ରାଏଲ ସେନା କହୁଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଜାମିନ ନେତନ୍ୟାହୁ କହିଛନ୍ତି, ହାମାସ ଚରମପନ୍ଥୀଙ୍କ ବିରୋଧରେ ଏହା ଯୁଦ୍ଧର ଆରମ୍ଭ ମାତ୍ର । ଏହା ଏକ ନିର୍ଣ୍ଣାୟକ ଯୁଦ୍ଧ ହେବାକୁ ଯାଉଛି । ଏହି ଯୁଦ୍ଧ ହାମାସ ଚରମପନ୍ଥୀଙ୍କୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରି ଦେବା ସହ ମଧ୍ୟପ୍ରାଚ୍ୟରେ ଏକ ପରିବର୍ତ୍ତନ ଆଣିବ । ହାମାସ ଚରମପନ୍ଥୀମାନେ ଗତ ଶନିବାର ଦିନ ଜାତୀୟ ଛୁଟି ଅବସରରେ ଇସ୍ରାଏଲ ସୀମାନ୍ତରେ ଥିବା ଏକ ମରୁ ଅଂଚଳରେ ସଂଗୀତ ଉତ୍ସବ ଚାଲିଥିବା ସମୟରେ ଯେଭଳି ବର୍ବରତା ଦେଖାଇଲେ ତାହାକୁ ବିଶ୍ୱର ପ୍ରାୟ ଅଧିକାଂଶ ରାଷ୍ଟ୍ର ନିନ୍ଦା କରିଛନ୍ତି । ଭାରତ, ଆମେରିକା, ୟୁକେ, ଫ୍ରାନ୍ସ, ଜର୍ମାନୀ ପ୍ରଭୃତି ରାଷ୍ଟ୍ର ଇସ୍ରାଏଲ ପ୍ରତି ପୂର୍ଣ୍ଣ ସହାନୁଭୂତି ଓ ସମର୍ଥନ ଜଣାଇଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଂଗଳବାର ଇସ୍ରାଏଲରେ ପଶି ହାମାସ ଚରମପନ୍ଥୀ ସାଧାରଣ ନାଗରିକଙ୍କ ପ୍ରତି ବର୍ବର ଆଚରଣ ପ୍ରଦର୍ଶନ କରିଥିବା କଥାକୁ ନିନ୍ଦା କରିବା ସହ ଇସ୍ରାଏଲକୁ ସାମରିକ ସମେତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଛନ୍ତି । ଶନିବାର ଦକ୍ଷିଣ ଇସ୍ରାଏଲ ସୀମାନ୍ତରେ ଥିବା ମରୁ ଅଂଚଳରେ ସଂଗୀତ ଉତ୍ସବ ବା ମ୍ୟୁଜିକ ଫେଷ୍ଟିବଲ୍ ଚାଲି ଥିବା ସମୟରେ ହାମାସ ଚରମପନ୍ଥୀ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଏହି ଉତ୍ସବରେ ଯୋଗ ଦେଇଥବା ବେସାମରିକ ନାଗରିକଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ନିର୍ବିଚାରରେ ସେମାନେ ହତ୍ୟା, ଅପହରଣ, ଗଣଦୁଷ୍କର୍ମ ଓ ଅନେକ ଇୟାଏଲୀଙ୍କୁ ପଣବନ୍ଦୀ କରିଥିବା ସାମ୍ନାକୁ ଆସିଛି । ହାମାସ ଚରମପନ୍ଥୀଙ୍କ ଏହି ଆକ୍ରମଣରେ ଆମେରିକୀୟ ନାଗରିକଙ୍କ ସମତେ ବ୍ରାଜିଲ, କାମ୍ବୋଡିଆ, କାନାଡା, ଆୟାରଲ୍ୟାଣ୍ଡ, ମେକ୍ସିକୋ, ନେପାଳ, ପାନାମା, ପାରୁଗୁୟେ, ରଷିଆ, ଥାଇଲାଣ୍ଡ, ୟୁକ୍ରେନ, ଶ୍ରୀଲଙ୍କା ପ୍ରଭୃତ ଦେଶର ନାଗରିକ ମୃତ୍ୟୁବରଣ କରିଛନ୍ତି ଅଥବା ନିଖୋଜ ହୋଇଛନ୍ତି । ହାମାସ ଚରମପନ୍ଥୀଙ୍କ ଏହି ଅମାନୁଷିକ ଆକ୍ରମଣକୁ ଭାରତ ଦୃଢ ଭାବେ ନିନ୍ଦା କରିବା ସହ ଭାରତ ସରକାର ଇସ୍ରାଏଲ ପଛରେ ରହି ଥିବାର ବାର୍ତ୍ତା ଦେଇଛନ୍ତି । ତେବେ, ଦେଶର ପ୍ରମୁଖ ବିରୋଧୀ ଦଳ କଂଗ୍ରେସର ଦୋଗଲା ନୀତି ଏବେ ରାଜନୈତିକ ବାତାବରଣକୁ ସରଗରମ କରିଛି । କଂଗ୍ରେସ ପକ୍ଷରୁ ପ୍ରଥମେ ଇସ୍ରାଏଲ ପ୍ରତି ସମର୍ଥନ ଜ୍ଞାପନ କରାଯାଇ ହାମାସ ଚରମପନ୍ଥୀଙ୍କ ଆକ୍ରମଣକୁ ନିନ୍ଦା କରାଯାଇଥିଲା । ତେବେ, ପରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀଣୀ (ସିଡବ୍ଲୁସି) ବୈଠକରେ ପାଲେସ୍ତନୀୟଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରାଯାଇ ପ୍ରସ୍ତାବ ଗୃହୀତ କରାଯିବା ସମସ୍ତଙ୍କୁ ଆଚମ୍ବିତ କରିଛି । ମଂଗଳବାର ନୂଆଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସ ଜାତୀୟ କାର୍ଯ୍ୟକାରୀଣୀ (ସିଡବ୍ଲୁସି) ବୈଠକରେ ଇସ୍ରାଏଲ ଓ ହାମାସ ଚରମନ୍ଥୀଙ୍କ ମଧ୍ୟରେ ଚାଲି ଥିବା ଘମାଘୋଟ ଯୁଦ୍ଧକୁ ନେଇ କଂଗ୍ରେସ ନେତୃତ୍ୱ ଗଭୀର ଉଦ୍ବେଗ ପ୍ରକାଶ କରିଥିବା ବେଳେ ପାଲେସ୍ତିନୀୟ ଅଧିବାସୀଙ୍କ ଜମି, ସ୍ୱୟଂଶାସନ ଅଧିକାର ଏବଂ ମର୍ଯ୍ୟାଦାର ସହ ବଂଚିବାର ଅଧିକାର ପ୍ରତି ସମର୍ଥନ ଜଣାଇ ପ୍ରସ୍ତାବ ଗୃହୀତ କରିବା ସଂଖ୍ୟାଲଘୁ ତୁଷ୍ଟିକରଣ ରାଜନୀତି ବୋଲି ବିଜେପି ଅଭିଯୋଗ କରିବାର ସୁଯୋଗ ପାଇଛି । ସିଡବ୍ଲୁସିରେ ଗୃହୀତ ପ୍ରସ୍ତାବ ଉପରେ ବିଜେପି ନେତାମାନେ ପ୍ରତିକ୍ରିୟା ରଖି କଂଗ୍ରେସ ଆତଙ୍କବାଦ ସମର୍ଥନ କରୁଥିବାଏଥିରୁ ସ୍ପଷ୍ଟ ପ୍ରତିଫଳିତ ହେଉଛି ଆକ୍ଷେପ କରିଛନ୍ତି । ସଂଖ୍ୟାଲଘୁ ଭୋଟ ବ୍ୟାଙ୍କ ନିକଟରେ କଂଗ୍ରେସ ବନ୍ଧା ପଡି ଯାଇଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ବିଜେପି ଏଭଳି ଆକ୍ଷେପ କରିବା କାରଣ ହେଉଛି, ଇସ୍ରାଏଲ ଅଧିବାସୀ ଇହୁଦୀ ସଂପ୍ରଦାୟର ହୋଇଥିବା ବେଳେ ପାଲେସ୍ତନୀୟମାନେ ହେଉଛନ୍ତି ମୁସଲମାନ ସଂପ୍ରଦାୟର । କଂଗ୍ରେସ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣକୁ ନିନ୍ଦା କରିବା ପରେ ଦଳର ଜାତୀୟ କାର୍ଯ୍ୟକାରୀଣୀ ବୈଠକରେ ପାଲେସ୍ତିନୀୟଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ପ୍ରସ୍ତାବ ଗୃହୀତ କରାଇବା ଦେଶରେ ଥିବା ସଂଖ୍ୟାଲଘୁ ସଂପ୍ରଦାୟକୁ ସନ୍ତୁଷ୍ଟି କରିବାକୁ ଉଦ୍ୟମ ବୋଲି ଶାସକ ବିଜେପି ଆକ୍ଷେପ କରିବା ପଛରେ ରହିଛି ଆଗକୁ ଥିବା ରାଜସ୍ଥାନ, ମଧ୍ୟ ପ୍ରଦେଶ, ଛତିଶଗଡ ଓ ତେଲେଂଗାନା ବିଧାନସଭା ନିର୍ବାଚନ ଏବଂ ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ । କଂଗ୍ରେସର ଏଭଳି ନୀତିହୀନ ରାଜନୀତି ବିଜେପିକୁ ସାଂପ୍ରଦାୟିକ ଧ୍ରୁବୀକରଣ ପାଇଁ ସୁଯୋଗ ଦେଇଛି ବୋଲି ଏବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କଂଗ୍ରେସ ନେତା ଶଶି ଥରୁର ଆଜି ଗତକାଲି ଗଣମାଧ୍ୟମକୁ ବିବୃତି ଦେଇ, ଚରମପନ୍ଥୀ ଗୋଷ୍ଠୀ ‘ହାମାସ’ ପାଲେସ୍ତନୀୟ ଜନତାର ପ୍ରତିନିଧିତ୍ୱ କରୁ ନାହିଁ, ତେଣୁ ଭାରତ ଆତଙ୍କବାଦ ବିରୋଧରେ ଇସ୍ରାଏଲକୁ ସମର୍ଥନ ଦେଉଥିଲେ ମଧ୍ୟ ପାଲେଷ୍ଟାଇନ ଗଠନର ଉଦ୍ଦେଶ୍ୟକୁ ମହତ୍ୱ ଦେଇ ପାଲେସ୍ତନୀୟଙ୍କ ପଛରେ ଠିଆ ହେବା ଉଚିତ ବୋଲି କହିଥିଲେ । ଥରୁରଙ୍କ ବିବୃତିକୁ ନେଇ ଇସ୍ରାଏଲର ପୂର୍ବତନ ରାଷ୍ଟ୍ରଦୂତ ଦାନିଏଲ କାରମନ୍ ତୀବ୍ର ପ୍ରତିକ୍ରିୟା ରଖିବା ଓ ଥରୁର ସାମାଜିକ ଗଣମାଧ୍ୟମରେ ଥରୁର ଆଜି ବ୍ୟାପକ ଭାବେ ସମାଲୋଚନାର ଶିକାର ହେବା ପରେ ନିଜ ବୟାନରେ ପରିବର୍ତ୍ତନ କରିଛନ୍ତି । ସେ କହିଛନ୍ତି, ‘ହାମାସ’କୁ ଅନ୍ୟ ସବୁ ରାଷ୍ଟ୍ର ‘ଆତଙ୍କବାଦୀ’ ବୋଲି କହୁଥିବା ବେଳେ ଭାରତ ଏପର୍ଯ୍ୟନ୍ତ ଏହି ଚରମପନ୍ଥୀ ସଂଗଠନକୁ ‘ଆତଙ୍କବାଦୀ’ ଘୋଷଣା କରିନଥିବାରୁ ଗତକାଲି ସେ ଦେଇଥିବା ବିବୃତି ତାହା ଉପରେ ପର୍ଯ୍ୟବସିତ ଥିଲା । ଇସ୍ରାଏଲରେ ହାମାସ ଚରମପନ୍ଥୀଙ୍କ ଆକ୍ରମଣକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବିବୃତି ରଖିଥିଲେ ତାହା ମଧ୍ୟ ପୂର୍ଣ୍ଣାଂଗ ନୁହେଁ । ତେବେ, ଇସ୍ରାଏଲରେ ହାମାସ ଯେଉଁ ଉଗ୍ରବାଦୀ କାର୍ଯ୍ୟ କରିଛି ତାହା ସେ ନିନ୍ଦା କରୁଛନ୍ତି । ଥରୁରଙ୍କ ବିବୃତିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ଇସ୍ରାଏଲରେ ପାଲେସ୍ତିନୀୟ ଚରମପନ୍ଥୀ ହାମାସର ବର୍ବରକାଣ୍ଡକୁ କଂଗ୍ରେସ ନିନ୍ଦା କରୁଥିଲେ ମଧ୍ୟ ‘ହାମାସ’କୁ ‘ଆତଙ୍କବାଦୀ’ କହିବାକୁ ସାହାସ କରୁନାହିଁ । ଏହାକୁ ନେଇ କଂଗ୍ରେସ ନେତାମାନେ ଗୋଟିଏ ସ୍ୱରରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିପାରୁନଥିବାରୁ ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗକୁ ନେଇ ଦଳରେ ମତପାର୍ଥକ ଥିବା ଆଲୋଚନା ହେଉଛି । ପାଲେସ୍ତିନୀୟଙ୍କ ମୌଳିକ ଦାବିଗୁଡିକୁ ନେଇ ଭାରତ ଦୀର୍ଘ ବର୍ଷ ଧରି ସହାନୁଭୂତିଶୀଳ ରହି ଆସିଛି । ତେବେ, ଆଜିର ପରିସ୍ଥିତି ଭିନ୍ନ । ହାମାସ ଚରମପନ୍ଥୀ ଇସ୍ରାଏଲର ବେସାମରିକ ନାଗରିକଙ୍କ ଉପରେ ଗତ ଶନିବାର ଦିନ ଯେଭଳି ନୃଶଂସ ଆକ୍ରମଣ କଲେ ତାହା ସମଗ୍ର ବିଶ୍ୱ ଦେଖୁଛି ଏବଂ ତାହାର ନିନ୍ଦା କରୁଛି । ଭାରତରେ କଂଗ୍ରେସ ଦଳ ପାଲେସ୍ତିନୀୟଙ୍କ ମୌଳିକ ଦାବିକୁ ସମର୍ଥନ କରୁଥିବା ଦର୍ଶାଇ ଯଦି ‘ହାମାସ’ର ନିଷ୍ଠୁରତାକୁ ନିନ୍ଦା ନକରିବ ତେବେ ଦେଶର ରାଜନୀତିରେ ବିଜେପି ହିଁ ଫାଇଦାରେ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS