ସତସ୍ତରୀରେ ମୁଖ୍ୟମନ୍ତ୍ରୀ
ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର ୧୬
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୭ ବର୍ଷରେ ପଦାର୍ପଣ କରିଛନ୍ତି । କିମ୍ବଦନ୍ତୀ ରାଜନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପୁଅ ନବୀନ ପଟ୍ଟନାୟକ ୧୯୯୭ରେ ଓଡ଼ିଶା ରାଜନୀତିରେ ପ୍ରବେଶ କରି ବାପାଙ୍କ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ (ଗଂଜାମ ଜିଲ୍ଲା)ରୁ ଉପ ନିର୍ବାଚନ ଲଢି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଦ୍ୱିତୀୟ ଥର ପାଇଁ ମଧ୍ୟ ଆସିକାରୁ ଲୋକସଭାକୁ ନିର୍ବାଚିତ ହୋଇ କେନ୍ଦ୍ର ମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । ତାଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜୁ ଜନତା ଦଳ ଗଠନ ହୋଇଥିଲା ଏବଂ ୨୦୦୦ ମସିହାରେ ବିଜୁ ଜନତା ଦଳ (ବିଜେଡି) ବିଜେପି ସହ ମେଂଟରେ ବିଧାନସଭା ନିର୍ବାଚନ ଲଢି ବିଜୟୀ ହେବା ପରେ ନବୀନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଗଲା ୨୩ ବର୍ଷ ମଧ୍ୟରେ ନବୀନ ଓ ତାଙ୍କ ବିଜୁ ଜନତା ଦଳ ଲଗାତର ପାଂଚଟି ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ନବୀନ ମୁଖ୍ୟମନ୍ତ୍ରୀ ରହିଛନ୍ତି । ଯାହାକି ଓଡ଼ିଶା ରାଜନୀତିରେ ଏକ ବିରଳ ରେକର୍ଡ । ୨୦୨୪ ନିର୍ବାଚନରେ ନବୀନ ଓ ତାଙ୍କ ବିଜୁ ଜନତା ଦଳ କ୍ଷମତାକୁ ଆସିଲେ ସର୍ବାଧିିକ ସମୟ ମୁଖ୍ୟମନ୍ତ୍ରୀ ରହିବାରେ ସର୍ବଭାରତୀୟସ୍ତରରେ ସେ ନୂଆ ରେକର୍ଡର ଅଧିକାରୀ ହେବେ ।
ନବୀନଙ୍କ ପୂର୍ବରୁ ଓଡ଼ିଶାରେ ଯେଉଁମାନେ ମୁଖ୍ୟମନ୍ତ୍ରୀ ଥିଲେ ସେମାନେ ଲୋକପ୍ରିୟ ଥିଲେ ମଧ୍ୟ ନବୀନଙ୍କ ଲୋକପ୍ରିୟତା ନିକଟରେ ସେମାନେ ସଂପୂର୍ଣ୍ଣ ଭାବେ ନିଷ୍ପ୍ରଭ ଥିବା ତାଙ୍କ ବିରୋଧୀମାନେ ମଧ୍ୟ ସ୍ୱୀକାର କରିବେ । ବିଜୁ ଜନତା ଦଳ ନାମରେ ନବୀନ ନୁହଁନ୍ତି, ନବୀନଙ୍କ ନାମରେ ବିଜୁ ଜନତା ଦଳ ନିର୍ବାଚନ ଜିତୁଛି ଏବଂ ୨୦୦୯ରେ ବିଜେପିର ହାତ ଛାଡିବା ପରେ ମଧ୍ୟ ବିଜେଡ଼ି ଲଗାତର ଲୋକସଭା ଓ ବିଧାନସଭା ନିର୍ବାଚନରେ ଆଶାତୀତ ପ୍ରଦର୍ଶନ କରି ଜାତୀୟ ରାଜନୀତିକୁ ପ୍ରଭାବିତ କରି ଆସୁଛି । ଓଡ଼ିଶାରେ ନବୀନଙ୍କ ବିକଳ୍ପ ଭାବେ ବିଜୁ ଜନତା ଦଳ ବା ବିରୋଧୀ ଦଳରେ ଏଯାବତ୍ କେହି ନେତା ଉଭା ହୋଇନଥିବା ନବୀନଙ୍କ ପାଇଁ ବଡ ଆଶୀର୍ବାଦ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ନିଜକୁ ଓଡ଼ିଶାର ଏକଛତ୍ର ନେତା ଭାବେ ପ୍ରତିଷ୍ଠିତ କରିଥିବା ନବୀନ ଗଲା ଏକ ବର୍ଷ ହେଲା ସାମାନ୍ୟ ବିବଦୀୟ ହୋଇଛନ୍ତି । କାରଣ ହେଉଛି – ତାଙ୍କ ଅସୁସ୍ଥତା । ୨୦୨୪ରେ ଷଷ୍ଠ ଥର ପାଇଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବା ରାଜ୍ୟବାସୀ ଚାହୁଁଥିଲେ ମଧ୍ୟ ଅସୁସ୍ଥତା ଯୋଗୁଁ ନବୀନ ପୂର୍ବ ଭଳି ରାଜ୍ୟର ବିଭିନ୍ନ ଅଂଚଳ ଗସ୍ତ କରିନପାରି ଅଳ୍ପ କିଛି ପ୍ରଶାସକଙ୍କ ଉପରେ ନିର୍ଭରଶୀଳ ହୋଇପଡିଥିବା ଦେଖିବାକୁ ମିଳୁଛି । ଯାହାକି ୨୦୨୪ରେ ବିଜେଡ଼ି କ୍ଷମତାକୁ ଆସିଲେ ମଧ୍ୟ ନବୀନ କେତେଦିନ ମୁଖ୍ୟମନ୍ତ୍ରୀ ରହିବେ ଓ ତାଙ୍କ ଉତ୍ତରାଧିକାରୀ କିଏ ହେବ, ସେ ନେଇ ଚର୍ଚ୍ଚାର ଅବକାଶ ସୃଷ୍ଟି କରିଛି ।
ନବୀନଙ୍କ ସଫଳତାର ରହସ୍ୟ ହେଉଛି – ଲଗାତର ୨୩ ବର୍ଷ ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀ ଥାଇ ମଧ୍ୟ ସେ ସରଳ, ନିରାଡମ୍ବର ଜୀବନଯାପନ କରୁଛନ୍ତି ଏବଂ ୧୯୯୯ ମହାବାତ୍ୟାରେ ଧ୍ୱସ୍ତ ବିଧ୍ୱସ୍ତ ଓଡ଼ିଶାକୁ ପୁଣି ଥରେ ବିକାଶର ପଟରିକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି । ନବୀନଙ୍କ ପୂର୍ବ ସରକାରଗୁଡିକ ଅମଳରେ ଓଡ଼ିଶା ଏକ ଦରିଦ୍ର ଓ ଭୋକିଲା ରାଜ୍ୟ ଭାବେ ପରିଚିତ ଥିଲା । ଆଜି ଦିନରେ ରାଜ୍ୟ ଏକ ଅଗ୍ରଣୀ ରାଜ୍ୟ ହୋଇ ଅନ୍ୟ ରାଜ୍ୟଙ୍କ ପାଇଁ ଉଦାହରଣ ସାଜିଛି । ବିଶେଷକରି, ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାର ଅନ୍ୟ ରାଜ୍ୟଙ୍କ ପାଇଁ ଉଦାହରଣ ହୋଇଛନ୍ତି । ଆର୍ଥିକ ଦୃଷ୍ଟିରୁ ଓଡ଼ିଶା ସଶକ୍ତ ହୋଇଛି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ରହିଥିବା ବେଳେ ନବୀନଙ୍କ ନେତୃତ୍ୱରେ ଓଡ଼ିଶା ବିଶ୍ୱ କ୍ରୀଡାର ହବ୍ ରେ ପରିଣତ ହୋଇଛି । ‘ମିଶନ ଶକ୍ତି’ ମାଧ୍ୟମରେ ସେ ରାଜ୍ୟର ୭୦ ଲକ୍ଷ ମହିଳାଙ୍କୁ ରୋଜଗାରର ପନ୍ଥା ଦେଇଥିବା ବେଳେ ‘କାଳିଆ’ ସମେତ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ସମାଜର ସମସ୍ତ ବର୍ଗଙ୍କ ପାଇଁ ଆର୍ଥିକ ବିକାଶର ରାସ୍ତା ଖୋଲି ଦେଇଛନ୍ତି । ନବୀନଙ୍କ ୨୩ ବର୍ଷର ଶାସନରେ ସଫଳତା ଅନେକ ଥିବା ବେଳେ ବିଫଳତା କହିଲେ ବୁଝାଉଛି ଅସୁସ୍ଥତା କାରଣରୁ ସେ ପୂର୍ବ ଭଳି ସବୁ ଅଂଚଳରେ ଓ ସମସ୍ତଙ୍କ ପାଖରେ ପହଂଚିବାରେ ଆଉ ସକ୍ଷମ ନଥିବା ।
ଗଲା ପ୍ରାୟ ଏକ ବର୍ଷ ହେଲା ସେ ନିଜର ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବଙ୍କ ଉପରେ ନିର୍ଭରଶୀଳ ରହି ବିରୋଧୀଙ୍କ ସମାଲୋଚନାର ଶରବ୍ୟ ରହିଥିବା ବେଳେ ଓଡ଼ିଶାବାସୀ ମଧ୍ୟ ୨୦୨୪ ନିର୍ବାଚନ ପରବର୍ତ୍ତୀ ନେତୃତ୍ୱକୁ ନେଇ ଚିନ୍ତାରେ ଥିବା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନିଜେ ଅସୁସ୍ଥ ରହି ପ୍ରଶାସନ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଥିବାରୁ ୨୦୨୪ରେ ବିଜେଡ଼ି ଲଗାତର ଷଷ୍ଠ ଥର ପାଇଁ କ୍ଷମତାକୁ ଫେରିଲେ ମଧ୍ୟ ନବୀନ ମୁଖ୍ୟମନ୍ତ୍ରୀ ରହିବେ ତ (?) ବୋଲି ଜନସାଧାରଣରେ ପ୍ରଶ୍ନ ହେବା ଆରମ୍ଭ ହେଲାଣି । ନବୀନଙ୍କ ପରେ ବିଜେଡ଼ିର ଅବସ୍ଥା କଣ ହେବ (?)- ସେନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି । ତେବେ, ଏହି ଆଲୋଚନା ସହରାଂଚଳ ଓ ବୁଦ୍ଧିଜୀବୀ ମହଲରେ ସୀମିତ ରହିଛି । ଗ୍ରାମାଂଚଳରେ ଆଜି ମଧ୍ୟ ନବୀନ ସମସ୍ତଙ୍କ ପାଇଁ ଭଗବାନ ରହିଛନ୍ତି । ଏହା ହେଉଛି ବିଜୁ ଜନତା ଦଳର ସୌଭାଗ୍ୟ । ୨୦୨୪ ନିର୍ବାଚନ ପୂର୍ବରୁ ନବୀନଙ୍କୁ ନେଇ ଆଉ ଏକ ଆଲୋଚନା ଆରମ୍ଭ ହୋଇଯାଇଛି । ତାହା ହେଉଛି, ନବୀନ ଗଲା ୨୩ ବର୍ଷ ହେଲା ବିଧାୟକ ରହିଥିବା ଗଂଜାମ ଜିଲ୍ଲାର ହିଂଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ରହିବେ ନା ପୁରୀରୁ ପ୍ରାର୍ଥୀ ହେବେ ? ଏନେଇ ମୁଖ୍ୟମନ୍ତ୍ରୀ ବା ତାଙ୍କ କାର୍ଯ୍ୟାଳୟ ଆଡୁ କୌଣସି ପ୍ରକାର ସୂଚନା ନଥିଲେ ମଧ୍ୟ ପୁରୀ ଶ୍ରୀମନ୍ଦିରର ଜଣେ ବରିଷ୍ଟ ସେବାୟତ ତଥା ବିଜେଡ଼ି ନେତାଙ୍କ ବୟାନ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ପୁରୀ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଜଣକ ହେଉଛନ୍ତି ରାମକୃଷ୍ଣ ଦାସ ମହାପାତ୍ର ।
ଦାସ ମହାପାତ୍ରଙ୍କ ଯୁକ୍ତି ହେଉଛି, ଆଜି ଦିନରେ ପୁରୀ ସହର ତଥା ପୁରୀ ଶ୍ରୀମନ୍ଦିର କାୟାକଳ୍ପରେ ଯେଉଁ ବିରାଟ ପରିବର୍ତ୍ତନ ହୋଇପାରିଛି ତାହାର ସମସ୍ତ ଶ୍ରେୟ ଯାଉଛି ମୁଖ୍ୟମନ୍ତ୍ରୀଙ୍କୁ । ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଶତାଧିକ କୋଟି ଟଙ୍କା ବ୍ୟୟରେ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ନିର୍ମାଣ କାମ ଚାଲିଛି । ପ୍ରକଳ୍ପ କାର୍ଯ୍ୟ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇ ନାହିଁ । ତେବେ, ପୁରୀ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନେ ଶ୍ରୀମନ୍ଦିର ଚାରିପାଖର ସୌନ୍ଧ୍ୟର୍ଯ୍ୟକରଣକୁ ଦେଖି ଆଗାମୀ ଦିନର ପୁରୀ ସହରର ପରିକଳ୍ପନା କରୁଛନ୍ତି । ପୁରୀ ସହର ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଯେଉଁ ଅଂଗୀକାରବଦ୍ଧତା ରହିଛି ତାହା ପୁରୀବାସୀଙ୍କ ଆଶା ଓ ବିଶ୍ୱାସ ବଢାଇ ଦେଇଛି । ତେଣୁ, ସେମାନେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ୨୦୨୪ ନିର୍ବାଚନ ପୁରୀରୁ ଲଢନ୍ତିୁ । ଅଂଚଳର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଓ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପୁରୀକୁ ସ୍ୱତନ୍ତ୍ର ସ୍ଥାନ ଦେବାରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ହିଁ ସହାୟକ ହୋଇପାରିବେ । ମୁଖ୍ୟମନ୍ତ୍ରୀ ପୁରୀରୁ ପ୍ରାର୍ଥୀ ହେଲେ ତାଙ୍କୁ ଦଳମତ ନିର୍ବିଶେଷରେ ସମସ୍ତେ ସହଯୋଗ କରିବେ । ତେବେ, ଦାସ ମହାପାତ୍ରଙ୍କ ଏହି ମତ ସହ ମୁଖ୍ୟମନ୍ତ୍ରୀଙ୍କ କେତେଦୂର ସହମତି ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଲା ୨୩ ବର୍ଷ ହେଲା ଗଂଜାମ ଜିଲ୍ଲା ହିଂଜିଳି ଆସନରୁ ବିଧାନସଭାକୁ ପ୍ରତିନିଧିତ୍ୱ କରି ଆସୁଥିଲେ ମଧ୍ୟ ୨୦୧୯ ନିର୍ବାଚନରେ ହଂଜିଳି ଆସନ ସହ ପଶ୍ଚମ ଓଡ଼ିଶା ବରଗଡ଼ ଜିଲ୍ଳା ବିଜେପୁର ଆସନରୁ ମଧ୍ୟ ପ୍ରାର୍ଥୀ ଥିଲେ । ଦୁଇଟି ଯାକ ଆସନରେ ବିଜୟୀ ହେବା ପରେ ସେ ବିଜେପୁର ଆସନରୁ ଇସ୍ତଫା ଦେଇ ହିଂଜିଳିରୁ ବିଧାୟକ ରହିଥିଲେ । ୨୦୨୪ରେ ପୁରୀରୁ ପ୍ରାର୍ଥୀ ହେବାକୁ ମୁଖ୍ୟମନ୍ତ୍ରୀ ମନ ବଳାଇଲେ ମଧ୍ୟ ହିଂଜିଳି ତାଙ୍କ ପରିଚୟ ହୋଇ ରହିବ, ଏଥିରେ କିଛି ସନ୍ଦେହ ନାହିଁ । କିନ୍ତୁ, ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଦାସ ମହାପାତ୍ରଙ୍କ ବୟାନକୁ ଆଧାର କରି ଗଣମାଧ୍ୟମ ଚର୍ଚ୍ଚା ଜୋରଧରିଥିବା ବେଳେ ବିରୋଧୀ ଏଥିରେ କୁଦିପଡି ଯେଉଁ ବୟାନବାଜୀ କରୁଛନ୍ତି ତାହା ରାଜନୀତିର ଅନ୍ୟ ଏକ ଦିଗକୁ ମଧ୍ୟ ଇଂଗିତ କରୁଛି । କିଛି ରାଜନୈତିକ ବିଶ୍ଲେଷକଙ୍କ ମତରେ, ୨୦୧୯ ସାଧାରଣ ନିର୍ବାଚନରେ ମର୍ଯ୍ୟାଦାଜନକ ଭୁବନେଶ୍ୱର ଲୋକସଭା ଆସନ ବିଜେଡ଼ିର ହାତଛଡା ହେଲା । ପୁରୀ ଜିଲ୍ଲାରେ ବିଜେଡ଼ିର ଦୁର୍ଗ ରହିଥିବା ପୁରୀ ଓ ବ୍ରହ୍ମଗିରି ବିଧାନସଭା ଆସନକୁ ମଧ୍ୟ ବିଜେଡି ହରାଇଛି । ୨୦୧୯ରେ ପୁରୀରେ ବିଜେପିର ହାଇଭୋଲଟେଜ୍ ପ୍ରଚାରରୁ ଏହା ସମ୍ଭବ ହୋଇଥିଲା ।
ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇ ହାଇଭୋଲଟେଜ୍ ପ୍ରଚାର କରିଥିଲେ ମଧ୍ୟ ନିଜେ ଲୋକସଭାକୁ ନିର୍ବାଚିତ ହୋଇପାରିନଥିଲେ । ତେବେ, ପୁରୀ ଓ ବ୍ରହ୍ମଗିରି ବିଧାସଭା ଆସନରେ ଦଳର ଦୁଇ ଜଣ ନେତାଙ୍କୁ ଜିତାଇବାରେ ସଫଳ ହୋଇଥିଲେ । ସମ୍ବିତ ପାତ୍ର ଏବେ ମଧ୍ୟ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିଛନ୍ତି ଏବଂ ମଝିରେ ମଝିରେ ପୁରୀ ଆସି ନିର୍ବାଚନ ମଣ୍ଡଳୀ ବୁଲିବା ସହ ଜନସାଧାରଣଙ୍କ ସହ ସଂପର୍କ ରଖୁଛନ୍ତି । ଯାହାକି ବିଜେଡ଼ିରେ ଅଭାବ ରହିଛି । ପୁରୀ ସାଂସଦ ପିନାକୀ ମିଶ୍ର ନିର୍ବାଚନ ସମୟରେ ହିଁ ନିର୍ବାଚନ ମଣ୍ଡଳୀକୁ ଆସି ଥାଆନ୍ତି । ଅନ୍ୟ ସମୟରେ ତାଙ୍କ ଦେଖା ମିଳେ ନାହିଁ । ଏହା ହେଉଛି ପୁରୀ ଜିଲ୍ଲାବାସୀଙ୍କ ଅଭିଯୋଗ । ପିନାକୀଙ୍କ ପ୍ରତି ଜିଲ୍ଲାବାସୀଙ୍କ ମନରେ ଯେଉଁ କ୍ଷୋଭ ରହିଛି ତାହା ଦୂର କରିବାକୁ ହେଲେ ମୁଖ୍ୟମନ୍ତ୍ରୀଙ୍କୁ ପୁରୀରୁ ପ୍ରାର୍ଥୀ କରିବାକୁ ପଡିବ ବୋଲି ବିଜେଡ଼ିର ଅନେକ ନେତା ଅନୁଭବ କରୁଛନ୍ତି । ତାହାର ପ୍ରଭାବ ଭୁବନେଶ୍ୱର ଲୋକସଭା ଆସନ ଉପରେ ମଧ୍ୟ ପଡିବ ବୋଲି ସେମାନେ କହୁଛନ୍ତି । ସେଇଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ଆଣିବାକୁ ଏକ ଭିତିରେ ଯୋଜନା ଚାଲିଛି ବୋଲି କିଛି ରାଜନୈତିକ ବିଶ୍ଲେଷକ ଅନୁମାନ କରୁଛନ୍ତି ।
କିନ୍ତୁ, ଦାସ ମହାପାତ୍ରଙ୍କ ଏଭଳି ପ୍ରସ୍ତାବକୁ ନେଇ ବିଜେପି ବିଚଳିତ ଥିବା କିଛି ନେତାଙ୍କ ବୟାନରୁ ସ୍ପଷ୍ଟ ହେଉଛି । ହିଂଜିଳିରେ ଏମିତି କଣ ଅସୁବିଧା ହେଲା ଯେ ମୁଖ୍ୟମନ୍ତ୍ରୀ ନିର୍ବାଚନମଣ୍ଡଳୀ ଛାଡି ପୁରୀ ଆସିବାକୁ ଚିନ୍ତା କରୁଛନ୍ତି (!) ବୋଲି ନିକଟରେ ବିଜେପି ନେତ୍ରୀ ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଥିବା ବେଳେ ପୁରୀ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, ନବୀନ ବାବୁ ୨୦୨୪ରେ ପୁରୀରୁ ପ୍ରାର୍ଥୀ ହେଲେ ମଧ୍ୟ ବିଜେପି ପାଇଁ କିଛି ଫରକ ପଡିବ ନାହିଁ । ପୁରୀବାସୀ ଅତି ଚତୁର ଓ ସଂବେଦନଶୀଳ । ସେମାନେ ନିଜ ଆତ୍ମସମ୍ମାନକୁ ସର୍ବଦା ପ୍ରାଧାନ୍ୟ ଦେଇଥା’ନ୍ତି । ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆମେ ଶୁଣୁଛୁ କହି ବିଧାୟକ ଷଡଙ୍ଗୀ ବିତର୍କର ମୋଡ ବଦଳାଇବାର ପ୍ରୟାସ କରିଛନ୍ତି । ବିଜେପିର ଦାବି ହେଉଛି, ମୋଦୀ ପୁରୀରୁ ଲୋକସଭା ସଦସ୍ୟ ହେଲେ କାଶୀ ବିଶ୍ୱନାଥ ମନ୍ଦିର ଭଳି ପୁରୀ ଶ୍ରୀମନ୍ଦିରର ଭାଗ୍ୟ ବଦଳି ଯିବ । ପୁରୀର ବିକାଶ ମଧ୍ୟ ବିଶ୍ୱସ୍ତରୀୟ ହୋଇଯିବ । ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ପୁରୀରୁ ପ୍ରାର୍ଥୀ ହେବେ ବୋଲି ପ୍ରଚାର ହୋଇଥିଲା । ତେବେ, ତାହା ଫୁସୁକି ଯାଇ ମୋଦୀ ବାରାଣାସୀରୁ ପ୍ରାର୍ଥୀ ହେଲେ ଏବଂ ଦଳର ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନିର୍ବାଚନ ଲଢିବାକୁ ପୁରୀ ପଠାଇ ଦେଲେ ।
ନିକଟରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା, ପୁରୀରେ ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଦାବି କରିବା ପ୍ରଭୃତି ସେ ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ସମ୍ଭାବନା ସୃଷ୍ଟି କରିଛି । ତେବେ, ତାଙ୍କରି ଦଳର ନେତାମାନେ ଏନେଇ ଅଜ୍ଞ ଥିବା ସେମାନଙ୍କ ବୟାନବାଜୀରୁ ସ୍ପଷ୍ଟ ହେଉଛି । ଜଣେ ବିଜେଡ଼ି ନେତା ତଥା ପୂର୍ବତନ ମନ୍ତ୍ରୀ ଗଣମାଧ୍ୟମରେ କହିଛନ୍ତି, ନବୀନ ବାବୁ ଯେକୌଣସି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେଲେ ମଧ୍ୟ ଜିତିବେ । ନବୀନଙ୍କୁ ନେଇ ବିଜେପି ନେତାମାନେ ଚିନ୍ତା ପ୍ରକଟ କରିବାର କୌଣସି ଆବଶ୍ୟକତା ନାହିଁ । ପୁରୀରୁ ମୁଖ୍ୟମନ୍ତ୍ରୀଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱକୁ ନେଇ ବିଜେଡ଼ି-ବିଜେପି ମଧ୍ୟରେ ଏଭଳି କଥା ଫିଙ୍ଗାଫିଙ୍ଗି ଚାଲିଥିବା ବେଳେ କଂଗ୍ରେସ କହିଛି କେନ୍ଦ୍ରରେ ଦୁଇ ଦଳ ଭାଇ ଭାଇ, ଓଡିଶାବାସୀଙ୍କୁ ଭ୍ରମିତ କରିବା ପାଇଁ ସେମାନେ କେବଳ ନାଟକ କରୁଛନ୍ତି । ପୁରୀ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଦାସ ମହାପାତ୍ରଙ୍କ ବୟାନ ଆଂଚଳିକ ଗଣମାଧ୍ୟମରେ ବିତର୍କର ବାତାବରଣ ସୃଷ୍ଟି କରିଛି ସତ, କିନ୍ତୁ ଏଥିରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ନଥିବାରୁ କିଛି ଲୋକ ଏହାକୁ ‘ଚା’ କପରେ ଝଡ’ କହି ଏଡାଇ ଦେଉଛନ୍ତି । ନବୀନ ତାଙ୍କ ୭୭ତମ ଜନ୍ମଦିନ ‘ନବୀନ ନିବାସ’ରେ ଏକୁଟିଆ ପାଳୁ ଥିବାରୁ ତାଙ୍କ ମନ କଥା ବ୍ୟକ୍ତିଗତ ସଚିବଙ୍କ ବ୍ୟତୀତ ଅନ୍ୟ କେହି ଜାଣିବା ସମ୍ଭାବନା ମଧ୍ୟ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS