୨୦୩୬ ଅଲିଂପିକ୍ସ ଭାରତରେ !
ପ୍ରସାଦ ରାଓ
ମୁମ୍ବାଇ/ଅକ୍ଟୋବର ୧୬
୨୦୩୬ ଅଲିଂପିକ୍ସ କ୍ରୀଡା ଭାରତ ଆୟୋଜନ କରିବାକୁ ଆଗ୍ରହୀ ଥିବା ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁମ୍ବାଇରେ ଆୟୋଜିତ ଆନ୍ତର୍ଜାତିକ ଅଲିଂପିକ୍ କମିଟି (ଆଇଓସି) ଅଧିବେଶନର ଉଦ୍ଘାଟନ ଅବସରରେ କହିଛନ୍ତି । ଅଧିବେଶନରେ ଉଦ୍ଘାଟନୀ ଭାଷଣ ଦେଇ ୨୦୩୬ ଅଲିଂପିକ୍ସ କ୍ରୀଡାକୁ ଭାରତକୁ ଆଣିବା ପାଇଁ ସବୁମନ୍ତେ ଉଦ୍ୟମ ହେବ ବୋଲି ସେ ସୂଚନା ଦେଇଛନ୍ତି । ଦୀର୍ଘ ୪୦ ବର୍ଷ ବ୍ୟବଧାନରେ ଆଇଓସି ଅଧିବେଶନ ଭାରତରେ (ମୁମ୍ବାଇରେ) ହେଉଛି । ୧୯୮୩ରେ ନୂଆଦିଲ୍ଲୀରେ ଆଇଓସି ଅଧିବେଶନ ହୋଇଥିଲା । ତିନି ଦିନିଆ ଆଇଓସି ଅଧିବେଶନର ଉଦ୍ଘାଟନୀ ଭାଷଣରେ ମୋଦୀ କହିଛନ୍ତି, ଦେଶରେ ସମସ୍ତ ପ୍ରକାର ବିଶ୍ୱସ୍ତରୀୟ ଇଭେଂଟ୍ ଆୟୋଜନ କରିବାକୁ ଭାରତ ସକ୍ଷମ । ନିକଟରେ ଚୀନରେ ଅନୁଷ୍ଠିତ ଏସୀୟ କ୍ରୀଡାରେ ଭାରତୀୟ ଖେଳାଳୀମାନେ ବିଭିନ୍ନ କ୍ରୀଡାରେ ଭାଗ ନେଇ ୧୦୭ଟି ପଦକ ଅର୍ଜନ କରିଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବେଶ୍ ଉତ୍ସାହିତ କରିଛି । ତେଣୁ, ଆଇଓସି ଅଧିବଶେନରେ ଭାଷଣ ପ୍ରସଙ୍ଗରେ ସେ ଜି-୨୦ ସମ୍ମିଳନୀର ସଫଳ ଆୟୋଜନର ଉଦାହରଣ ଦେଇ ବିଭିନ୍ନ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଭାରତର ଦକ୍ଷତା ଓ ଆବଶ୍ୟକ ଭିତ୍ତିଭୂମି ରହିଛି ବୋଲି କହିଥିଲେ । ଜି-୨୦ ଅଧ୍ୟକ୍ଷ ଭାବେ ଭାରତ ରାଷ୍ଟ୍ରମୁଖ୍ୟଙ୍କ ସମ୍ମିଳନୀର ଆୟୋଜନ କରିଥିଲା । ଦେଶର ୬୦ରୁ ଅଧିକ ସହରରେ ଏହି ସମ୍ମିଳନୀର ବିଭିନ୍ନ ଇଭେଂଟ ହୋଇଥିଲା । ଅଲିଂପିକ୍ସ ଭଳି ଏକ ବିଶ୍ୱସ୍ତରୀୟ କ୍ରୀଡା ଭାରତରେ ଆୟୋଜନ ହେଉ ବୋଲି ଦେଶର ୧୪୦ କୋଟି ଜନତାଙ୍କ ଆକାଂକ୍ଷା ରହି ଥିବାରୁ ୨୦୩୬ ଅଲିଂପିକ୍ସ କ୍ରୀଡା ଭାରତକୁ ଆଣିବା ସକାଶେ ତାଙ୍କ ସରକାର କୌଣସି ସୁଯୋଗ ହାତଛଡା କରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଆଇଓସିର ଏହି ୧୪୧ତମ ଅଧିବେଶନକ ଉଦ୍ଘାଟନ ଉତ୍ସବରେ କହିଥିଲେ । ଆନ୍ତର୍ଜାତିକ ଇଭେଂଟ ଆୟୋଜନ ପାଇଁ ଭାରତରେ ଭିତ୍ତିଭୂମି ଓ ଦକ୍ଷତା ରହି ଥିବା ପ୍ରମାଣ ଦେବାକୁ ଯାଇ ନିକଟ ଅତୀତରେ ଭାରତରେ ଆୟୋଜିତ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଂଟଗୁଡିକ ସଂପର୍କରେ ସୂଚନା ଦେଇଥିଲେ । ଭାରତରେ ଆୟୋଜିତ ଚେସ୍ ଅଲିଂପିଆଡରେ ୧୮୬ଟି ଦେଶ ଅଂଶ ଗ୍ରହଣ କରିଥିଲେ । ସେହିପରି, ୧୭ ବର୍ଷରୁ କମ୍ ବୟସ ମହିଳା ଫୁଟବଲ ବିଶ୍ୱକପ୍, ହକି ବିଶ୍ୱକପ୍, ମହିଳା ବିଶ୍ୱ ବକ୍ସିଂ ଚାଂପିଅନସିପ୍, ସୁଟିଂ ବିଶ୍ୱକପ୍ ପ୍ରଭୃତି ଭାରତରେ ଆୟୋଜନ ହୋଇ ସଫଳତା ପାଇଥିବା ସେ ବଖାଣି ଥିଲେ । ଗତ ୫ ତାରିଖରୁ ଭାରତରେ ଚାଲିଥିବା ଆଇସିସିର ପୁରୁଷ କ୍ରିକେଟ୍ ବିଶ୍ୱକପ୍ ଏବଂ ପ୍ରତି ବର୍ଷ ଭାରତ ଅୟୋଜନ କରୁଥିବା ବିଶ୍ୱସ୍ତରୀୟ ଆଇପିଏଲ କ୍ରିକେଟ୍ ଲିଗ୍ ର ମଧ୍ୟ ସେ ଉଦାହରଣ ଦେଇଥିଲେ । ୨୦୨୮ରେ ଲସ୍ ଆଂଜେଲେସ୍ ରେ ଆୟୋଜନ ହେବାକୁ ଥିବା ଅଲିଂପିକ୍ସ କ୍ରୀଡାରେ ଟି-୨୦ କ୍ରିକେଟକୁ ଅନ୍ତର୍ଭୁକ୍ତ କରିବାକୁ ଆନ୍ତର୍ଜାତିକ ଅଲିଂପିକ୍ କମିଟି ଏକଜିକ୍ୟୁଟିଭ ବୋର୍ଡ ଅନୁମୋଦନ ଦେଇଛନ୍ତି । ଏହି ଅନୁମୋଦନର ଦିନକ ପରେ ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଭାରତ ୨୦୩୬ ଅଲିଂପିକ୍ସ ଆୟୋଜନ ପାଇଁ ଆଗ୍ରହୀ ଥିବା ଘୋଷଣା କରିଥିଲେ । ଏାଂରେ ସୂଚନାଯୋଗ୍ୟ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଗତ ଡିସେମ୍ବର ମାସରେ ଏକ ଜାତୀୟ ଗଣମାଧ୍ୟମକୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଭାରତୀୟ ଅଲିଂପକ୍ ସଂଘ (ଆଇଓଏ) ୨୦୩୬ ଅଲିଂପିକ୍ସ ଭାରତରେ ଆୟୋଜନ ପାଇଁ ଉଦ୍ୟମ କଲେ ସରକାର ସଂପୂର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ । ୨୦୩୬ରେ କେଉଁ ସହରରେ ଅଲିଂପିକ୍ସ କ୍ରୀଡା ଆୟୋଜନ କରିବାକୁ ଭାରତ ଚାହୁଁଛି ସେନେଇ ପ୍ରଧାନମନ୍ତ୍ରୀ କିଛି ସୂଚନା ଦେଇ ନାହାନ୍ତି । ତେବେ, କେନ୍ଦ୍ର କ୍ରୀଡା ମନ୍ତ୍ରୀ ଠାକୁର ଅହମଦାବାଦ ଆଡକୁ ଇଂଗିତ କରିଥିବାରୁ ଆଇଓସି ଅଧିବେଶନରେ ଏନେଇ ରୋଡମ୍ୟାପ୍ ଉପସ୍ଥାପନ କରାଯାଇଥିବା ଅନୁମାନ କରାଯାଉଛି । ତିନି ଦିନିଆ ଆଇଓସି ଅଧିବେଶନକୁ ଶନିବାର ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବା ସହ ଭାଷଣ ଦେଇଥିବା ଆଇଓସି ସଭାପତି ଥୋମାସ ବଚ୍ ଙ୍କୁ ଉତ୍ସାହିତ କରିଛି । ସେ ଭାରତକୁ ପ୍ରଶଂସା କରିବା ସହ ଅଲିଂପିକ୍ କ୍ରୀଡା ପ୍ରତି ଭାରତରେ ବୃଦ୍ଧି ପାଉଥିବା ଆଗ୍ରହ ଏଥିରୁ ପ୍ରତିଫଳିତ ହେଉଛି ବୋଲି ମତ ଦେଇଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS