ଆଇସିସି ପୁରୁଷ ବିଶ୍ୱକପ୍ କ୍ରିକେଟ୍ : ୧୯ରେ ପୁନେରେ ଭାରତ-ବାଲାଂଦେଶ ମୁହାଁମୁହିଁ


ପ୍ରସାଦ ରାଓ
ଅକ୍ଟୋବର ୧୮
ଭାରତ ମାଟିରେ ଚାଲିଥିବା ଆଇସିସି ଦିନିକିଆ ପୁରୁଷ ବିଶ୍ୱକପ୍ କ୍ରିକେଟରେ ଭାରତୀୟ ଦଳ ଆସନ୍ତା କାଲି (୧୯ ତାରିଖ) ବାଂଲାଦେଶର ସାମ୍ନା କରିବାକୁ ଯାଉଛି । ପୁନେଠାରେ ଖେଳ ହେବ । ଅକ୍ଟୋବର ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ପୁରୁଷ ବିଶ୍ୱକପ୍ ପ୍ର୍ରତିଯୋଗିତାରେ ଭାରତ ଇତିମଧ୍ୟରେ ତିନିଟି ମ୍ୟାଚ ଖେଳିଛି ଓ ତିନିଟି ଯାକ ମ୍ୟାଚରେ ବିଜୟୀ ହୋଇ ପଏଂଟ୍ ଟେବୁଲରେ ସର୍ବୋଚ୍ଚରେ ରହିଛି । ଅକ୍ଟୋବର ୮ ତାରିଖ ଦିନ ଭାରତୀୟ ଦଳ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ୦୬ ୱିକେଟରେ ପରାଜିତ କରି ଜୟଯାତ୍ରା ଆରମ୍ଭ କରିଥିଲେ । ଅକ୍ଟୋବର ୧୧ ତାରିଖ ଦିନ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଭାରତୀୟ ଦଳ ଆଫଗାନିସ୍ତାନକୁ ୦୮ ୱିକେଟରେ ଓ ୧୪ ତାରିଖ ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପାକିସ୍ତାନକୁ ୦୭ ୱିକେଟରେ ପରାଜିତ କରି ସଂପୂର୍ଣ୍ଣ ଆତ୍ମବିଶ୍ୱାସର ସହ ୧୯ ତାରିଖ ଦିନ ବାଂଲାଦେଶ ବିପକ୍ଷରେ ଖେଳିବାକୁ ଯାଉଥିବା ବେଳେ ବାଂଲାଦେଶ ଇତିମଧ୍ୟରୁ ଖେଳିଥିବା ତିନିଟି ମ୍ୟାଚରୁ ଦୁଇଟିରେ ପରାଜିତ ହୋଇ କାଲି ପୁନେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଭାରତ ସହ ମୁକାବିଲା କରିବାକୁ ଯାଉଛି । ବାଂଲାଦେଶ କ୍ରିକେଟ ଟିମ୍ ଅକ୍ଟୋବର ୭ ତାରିଖ ଦିନ ଧର୍ମଶାଳା ସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷରେ ଖେଳି ଆଫଗାନିସ୍ତାନକୁ ୦୬ ୱିକେଟରେ ପରାଜିତ କରିଥିଲେ ମଧ୍ୟ ୧୦ ତାରିଖ ସେହି ଷ୍ଟାଡିୟମରେ ଆୟୋଜିତ ଇଂଲଣ୍ଡ ବିପକ୍ଷ ଖେଳରେ ଇଂଲଣ୍ଡ ନିକଟରୁ ୧୩୭ ରନ୍ ରେ ବ୍ୟବଧାନରେ ପରାଜିତ ହୋଇଥିଲେ । ଅକ୍ଟୋବର ୧୩ ତାରିଖ ଦିନ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଆୟୋଜିତ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚରେ ମଧ୍ୟ ବାଂଲାଦେଶ ନ୍ୟୁଜିଲାଣ୍ଡଠାରୁ ୦୮ ୱିକେଟରେ ପରାଜିତ ହୋଇଛି । ଆଜି ସୁଦ୍ଧା ହୋଇଥିବା ପ୍ରଦର୍ଶନରେ ଭାରତ ବାଂଲାଦେଶଠାରୁ ଢେର ଆଗୁଆ ଥିଲେ ମଧ୍ୟ କ୍ରିକେଟ୍ ଭଳି ଖେଳରେ ଅନିଶ୍ଚିତତାକୁ କେବେ ହେଲେ ନକାରି ହେବ ନାହିଁ । ତେଣୁ, ଭାରତର ଲଗାତର ଚତୁର୍ଥ ବିଜୟ ନେଇ ଆସନ୍ତା କାଲି ୧୪୦ କୋଟି କ୍ରିକେଟ ପ୍ରେମୀ ଭାରତୀୟଙ୍କ ନଜର ଖେଳ ଉପରେ ରହିବ । ଭାରତୀୟ ଦଳ ମଧ୍ୟ ଘରୋଇ ଦର୍ଶକଙ୍କ ଆଡୁ ବେଶ୍ ଚାପରେ ରହିବେ । ତେବେ, ଭାରତୀୟ ଟିମ୍ ଅଧିନାୟକ ରୋହିତ ଶର୍ମା ପଡିଆ ଭିତରେ ଓ ବାହାରେ ମୁଣ୍ଡକୁ ଥଣ୍ଡା ରଖି ସନ୍ତୁଳିତ ଭାବେ ଦଳକୁ ଦିଗଦର୍ଶନ ଦେବା ଓ ଚାପକୁ ସାମ୍ନା କରିବାରେ ଅଭ୍ୟସ୍ତ ରହିଥିବାରୁ ଭାରତୀୟ ଦଳର ପ୍ରଦର୍ଶନରେ ସ୍ଥିରତା ବଜାର ରହିବ ବୋଲି ଦୁଇ ଥର କ୍ରିକେଟ୍ ବିଶକପ୍ ବିଜେୟୀ ହୋଇଥିବା ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଂଟିଂ ମଂଗଳବାର ଆଶାବ୍ୟକ୍ତ କରିଛନ୍ତି । ଚାପ ଭିତରେ କାମ କରିବାରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ତୁଳନାରେ ବର୍ତ୍ତମାନର ଅଧିନାୟକ ରୋହିତ ଶର୍ମା ଅଧିକ ଫଳପ୍ରଦ ବୋଲି ପଂଟିଂ ମନ୍ତବ୍ୟ ଦେଇ ରୋହିତଙ୍କୁ ପ୍ରଶଂସା କରିଛନ୍ତି । ପଂଟିଂ ଆଇସିସିର ଏକ ଆଲୋଚନାରେ ଭାଗ ନେଇ ଏଭଳି ମନ୍ତବ୍ୟ ଦେଇଥିବା ଜଣାପଡିଛି । ପଂଟିଂ କହିଛନ୍ତି, ଭାରତ ମାଟିରେ ଆଇସିସିର ଦିନିକିଆ ପୁରୁଷ ବିଶ୍ୱକପ୍ ପ୍ରତିଯୋଗିତା ଚାଲି ଥିବାରୁ ଘରୋଇ ଦଳ ଖେଳିବା ସମୟରେ ଦର୍ଶକଙ୍କ ପ୍ରବଳ ଭିଡ ହେଉଛି ଓ ଦେଶର କ୍ରିକେଟ୍ ଦର୍ଶକମାନେ ଭାରତୀୟ ଦଳକୁ ଉତ୍ସାହିତ କରିବା ସକାଶେ ଦର୍ଶକ ଗ୍ୟାଲେରିରୁ ଚିଅରଅପ୍ କରୁଛନ୍ତି । ଭାରତୀୟ ଦର୍ଶକଙ୍କ ଉତ୍ସାହ ଏବଂ ଏଥର ବିଶ୍ୱକପ୍ ଜିତିବାର ଆକାଂକ୍ଷା ଘରୋଇ ଦଳକୁ ଚାପରେ ରଖିବାକୁ ଯଥେଷ୍ଟ । ସାମାନ୍ୟ ତୃଟି ହେଲେ ଭାରତୀୟ ଦଳ ବିପର୍ଯ୍ୟୟର ସାମ୍ନା କରିବ ବୋଲି ସେ ଚେତାଇ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ଭାରତ ପୂର୍ବରୁ ଅଧିନାୟକ କପିଳ ଦେବ ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଦୁଇ ଥର ଆଇସିସି ବିଶ୍ୱକପ୍ ବିଜୟୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୦୧୧ରେ ଭାରତ ମାଟିରେ ଅଧିନାୟକ ଧୋନିଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତି ଥିା ଭାରତୀୟ ଦଳ ପାଇଁ ୨୦୨୩ରେ ଘରୋଇ ମାଟିରେ ବିଶ୍ୱକପ୍ ଜିତିବାର ସମ୍ଭାବନା ସୃଷ୍ଟି କରିଛି । ତେବେ, ଏଥି ପାଇଁ ଲମ୍ବା ଦୌଡ ବାକି ରହିଛି । ଭାରତୀୟ ଦଳ କାଲି (୧୯ ତାରିଖ) ବାଂଲାଦେଶ ବିପକ୍ଷରେ ପୁନେରେ ଖେଳିବା ପରେ ୨୨ ତାରିଖ ନ୍ୟୁଜିଲାଣ୍ଡ ବିପକ୍ଷରେ ଧର୍ମଶାଳାରେ, ୨୯ ତାରିଖ ଇଂଲଣ୍ଡ ବିପକ୍ଷରେ ଲକ୍ଷ୍ନୌରେ, ନଭେମ୍ବର ୨ ତାରିଖରେ ଶ୍ରୀଲଙ୍କା ବିପକ୍ଷରେ ମୁମ୍ବାଇରେ, ନଭେମ୍ବର ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋଲକାତାରେ ଏବଂ ନଭେମ୍ବର ୧୨ ତାରିଖରେ ନେଦରଲାଣ୍ଡ ବିପକ୍ଷରେ ବେଂଗାଲୁରୁରେ ଖେଳିବେ । ନଭେମ୍ବର ୧୫ ଓ ୧୬ ତାରିଖରେ ଯଥାକ୍ରମେ ମୁମ୍ବାଇ ଓ କୋଲକାତାରେ ଦୁଇଟି ସେମି ଫାଇନାଲ ମ୍ୟାଚରେ ବିଜେତା ଦଳଙ୍କ ମଧ୍ୟରେ ନଭେମ୍ବର ୧୯ ତାରିଖ ଦିନ ଅହମଦାବାଦରେ ଫାଇନାଲ ଖେଳ ହେବ । ଆଗକୁ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ଭଳି ଡିଫେଣ୍ଡଂ ଚଂପିଅନଙ୍କ ସହ ମୁକାବିଲା ଥିବାରୁ ଭାରତୀୟ ଟିମ୍ ଚାପ-ରହିତ ରହି ଖେଳିବାକୁ ପଡିବ ବୋଲି ପଂଟିଂଙ୍କ ଭଳି ବରିଷ୍ଠ ଓ ଅଭିଜ୍ଞ କ୍ରିକେଟରମାନେ ରୋହିତ ଶର୍ମାଙ୍କ ଟିମ୍ କୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS