ମହୁଆଙ୍କୁ ନେଇ ରାଜନୀତି ସରଗରମ, କିନ୍ତୁ ମମତା ନିରବ !
ପ୍ରସାଦ ରାଓ
ନୂଆଦିଲ୍ଲୀ/ ଅକ୍ଟୋବର ୨୦
ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ଦର୍ଶନ ହିରାନନ୍ଦାନି ନାମକ ଜଣେ ଶିଳ୍ପପତିଙ୍କ ନିକଟରୁ ଲାଂଚ ନେଇଥିବା ଅଭିଯୋଗରେ ଫସିଛନ୍ତି ଟିଏମସି (ତୃଣମୂଳ କଂଗ୍ରେସ) ସାଂସଦ ମହୁଆ ମୈତ୍ର । ବରିଷ୍ଠ ବିଜେପି ସାଂସଦ ନିଶିକାନ୍ତ ଦୁବେ ଏନେଇ ଲୋକସଭା ବାଚସ୍ପତିଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଲୋକସଭା ଏଥିକ୍ସ କମିଟି ଅଭିଯୋଗ ନେଇ ତଦନ୍ତ ଆରମ୍ଭ କରିଛି । ବିଜେପି ସାଂସଦ ଦୁବେଙ୍କୁ ଆସନ୍ତା ୨୬ ତାରିଖ ଦିନ ପ୍ରମାଣ ସହ ଏଥିକ୍ସ କମିଟି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି । ସେଦିନ ଦୁବେଙ୍କ ଅଭିଯୋଗର ଶୁଣାଣୀ ହେବ ବୋଲି ଲୋକସଭା ଏଥିକ୍ସ କମିଟି ମୁଖ୍ୟ ଥିବା ବିଜେପି ସାଂସଦ ବିନୋଦ ସୋନକାର ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି । ମାମଲା ଅତ୍ୟନ୍ତ ଗମ୍ଭୀର ହୋଇଥିବାରୁ ପ୍ରଥମେ ଦୁବେଙ୍କ ଚିଠିରେ ଥିବା ଅଭିଯୋଗ ଓ ଏନେଇ ଶିଳ୍ପପତି ହିରାନନ୍ଦାନି ଦାଖଲ କରିଥିବା ସତ୍ୟପାଠକୁ ଯାଂଚ କରାଯିବ । ତାହା ପରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ପକ୍ଷ ଶୁଣାଯିବ ବୋଲି ଏଥିକ୍ସ କମିଟି ମୁଖ୍ୟ ସୋନକାର ଗଣମାଧ୍ୟମକୁ କହିଥିବା ବେଳେ ସାଂସଦ ମୈତ୍ର ଅଭିଯୋଗକୁ ସଂପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରି ସେ ଯେକୌଣସି ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।
ଶିଳ୍ପପତି ହିରାନନ୍ଦାନି ତାଙ୍କ ସତ୍ୟପାଠରେ ଅଭିଯୋଗ କରିଛନ୍ତି, ଟିଏମସି ସାଂସଦ ମହୁଆ ମୈତ୍ର ଲୋକସଭାରେ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗୃପ୍ ବିରୋଧରେ ପ୍ରଶ୍ନ ପଚାରିବା ପାଇଁ ତାଙ୍କଠାରୁ ବାରମ୍ବାର ମୂଲ୍ୟବାନ ଉପହାର ସମେତ ଅନ୍ୟାନ୍ୟ ଅନୁଗ୍ରହ ଦାବି କରୁଥିଲେ । ଆଦାନୀ ଗୃପ୍ ବିରୋଧରେ ପାର୍ଲିଆମେଂଟ ୱେବ୍ ସାଇଟରେ ପ୍ରଶ୍ନ ଅପଲୋଡ୍ କରିବା ସକାଶେ ମହୁଆ ତାଙ୍କ ଲଗଇନ୍ ଆଇଡି ଓ ପାସୱାର୍ଡ ବେଆଇନ ଭାବେ ତାଙ୍କୁ (ହିରାନନ୍ଦାନିଙ୍କୁ) ସମର୍ପି ଦେଇଥିଲେ । ମହୁଆ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶିଳ୍ପପତି ଆଦାନୀଙ୍କ ସଂପର୍କକୁ ନେଇ ଲଗାତର ପ୍ରଶ୍ନ କରିବା ମାଧ୍ୟମରେ ନିଜର ଲୋକପ୍ରିୟତା ବଢାଇବା ଅଭିଯାନ ଚଳାଇ ଥିଲେ ବୋଲି ହିରାନନ୍ଦାନି ସତ୍ୟପାଠରେ ଅଭିଯୋଗ କରିଥିବା ସୂଚନା ମିଳିଛି । ବିଜେପି ସାଂସଦ ଦୁବେ ଲୋକସଭାରେ ଟିଏମସି ସାଂସଦ ମୈତ୍ରଙ୍କ ବିରୋଧରେ ଲାଂଚ ଅଭିଯୋଗ ଉଠାଇବା ସହ ଲୋକସଭା ବାଚସ୍ପତି ଓମ୍ ବିରଳାଙ୍କୁ ଲିଖିତ ଭାବେ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ମାମଲା ଲୋକସଭା ଏଥିକ୍ସ କମିଟିକୁ ଯାଇଛି । ମହୁଆଙ୍କ ଏଭଳି କାର୍ଯ୍ୟ କରି ସଂସଦର ମର୍ଯ୍ୟାଦାହାନୀ କରିବା ସହ ସ୍ୱାଧୀକାରକୁ ହନନ କରିଛନ୍ତି । ସଂସଦ ୱେବ୍ ସାଇଟ୍ ର ଲଗଇନ୍ ପାସୱାର୍ଡ ବାହାର ଲୋକଙ୍କୁ ହସ୍ତାନ୍ତର କରି ସେ ଆପରାଧୀକ ଷଡଯନ୍ତ୍ର କରିଛନ୍ତି ବୋଲି ବିଜେପି ସାଂସଦ ଦୁବେ ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇ ଥିବା ତାଙ୍କ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି ।
ମହୁଆ ପଶ୍ଚିମ ବଂଗର କ୍ରିଷ୍ଣାନଗରରୁ ସାଂସଦ ଅଛନ୍ତି । ଶିଳ୍ପଦ୍ୟୋଗୀ ହିରାନନ୍ଦାନିଙ୍କ ଦ୍ୱାରା ଦାଖଲ ସତ୍ୟପାଠ ଆଜି ଗଣମାଧ୍ୟରେ ଚର୍ଚ୍ଚାକୁ ଆସିବା ପରେ ମହୁଆ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଲୋକସଭା ଏଥିକ୍ସ କମିଟି ମୁଖ୍ୟ ବିନୋଦ ସୋନକାର ‘ପ୍ରଶ୍ନ ପାଇଁ ଲାଂଚ’ର ଶୁଣାଣୀ କରିବାକୁ ଥିବା ଥିବା ବେଳେ କମିଟିର ତଦନ୍ତ ପୂର୍ବରୁ ହିରାନନ୍ଦାନିଙ୍କ ସତ୍ୟପାଠ କେମିତି ମିଡ଼ିଆକୁ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଲୋକସଭାର ‘ରୁଲ୍ସ ଅଫ୍ ପ୍ରୋସିଜିଅର ଓ କଣ୍ଡକ୍ଟ ଅଫ୍ ବିଜିନେସ୍’ ଅନୁଯାୟୀ ଏଥିକ୍ସ କମିଟି ନିକଟରେ ଦାଖଲ ହୋଇଥିବା କୌଣସି ପ୍ରମାଣ ବା ସତ୍ୟପାଠ କମିଟିରେ ଉପସ୍ଥାପନ ପୂର୍ବରୁ କୌଣସି ସଦସ୍ୟ ବା ଅନ୍ୟ କାହା ଦ୍ୱାରା ବାହାରକୁ ଆସିବା ଉଚିତ ନୁହେଁ ବୋଲି ନିୟମ କହୁଥିବା ବେଳେ ଏଥିକ୍ସ କମିଟିରେ ଦାଖଲ ହିରାନନ୍ଦାନିଙ୍କ ସତ୍ୟପାଠ କେମିତି ଗଣମାଧ୍ୟମ ହାତରେ ଲାଗିଲା ତାହା ଏଥିକ୍ସ କମିଟି ମୁଖ୍ୟ ସୋନକାର ତଦନ୍ତ କରିବା ଆବଶ୍ୟକ ବୋଲି ମହୁଆ କହିଛନ୍ତି । ଏକଦା ମହୁଆଙ୍କ ଅତି ଘନିଷ୍ଟ ସଂପର୍କରେ ଥିବା କୁହାଯାଉଥିବା ସୁପ୍ରିମ କୋର୍ଟ ଆଇନଜୀବୀ ଜୟ ଆନନ୍ଦ ଦେହାଦ୍ରୀ ମହୁଆଙ୍କ ବିରୋଧରେ ହୋଇଥିବା ‘ପ୍ରଶ୍ନ ପାଇଁ ଲାଂଚ’ ଅଭିଯୋଗର ମୁଖ୍ୟ ସୂତ୍ରଧର କୁହାଯାଉଛି । ଦେହାଦ୍ରୀ ମହୁଆଙ୍କ ବିରୋଧରେ ସିବିଆଇରେ ଅଭିଯୋଗ କରିବା ସହ ବିଜେପି ସାଂସଦ ଦୁବେଙ୍କୁ ସମସ୍ତ ତଥ୍ୟ ଯୋଗାଇ ଥିବା କୁହାଯାଉଥିବା ବେଳେ ସେ ସିବିଆଇରେ ଦାଖଲ କରିଥିବା ଅଭିଯୋଗପତ୍ର ଓ ଦୁବେଙ୍କୁ ଦେଇଥିବା ଚିଠି ପ୍ରତ୍ୟାହାର କରି ନେବାକୁ ମହୁଆଙ୍କ ଆଡୁ ଚାପ ପଡୁଛି ବୋଲି ଆଜି ଦେହାଦ୍ରୀ ଅଭିଯୋଗ କରିଛନ୍ତି ।
ଅପରପକ୍ଷରେ, ମହୁଆ ଓ ଦେହାଦ୍ରୀଙ୍କ ମଧ୍ୟରେ ପୋଷା କୁକୁର ‘ରୋଟୱେଲର ହେନେରୀ’କୁ ନେଇ ଗତ ଛଅ ମାସ ହେଲା ବିବାଦ ଚାଲିଛି ଏବଂ ମହୁଆ ଦେହାଦ୍ରୀଙ୍କ ବିରୋଧରେ ଗତ ଛଅ ମାସ ମଧ୍ୟରେ ପୁଲିସ ନିକଟରେ ଏକାଧିକ ଏତଲା ଦେଇଛନ୍ତି ବୋଲି ତୃଣମୂଳ କଂଗ୍ରେସ ସୂତ୍ରରୁ ସୂଚନା ମିଳିଛି । ମହୁଆ-ଦେହାଦ୍ରୀ ବିବାଦ ବିଜେପି ସାଂସଦ ଦୁବେଙ୍କ ଅଭିଯୋଗପତ୍ରରୁ ମଧ୍ୟ ସ୍ପଷ୍ଟ ହେଉଛି । ସାଂସଦ ଦୁବେ ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇଥିବା ଅଭିଯୋଗପତ୍ର, ଯାହାକୁ ଆଧାର କରି ଲୋକସଭା ଏଥିକ୍ସ କମିଟି ମହୁଆଙ୍କ ବିରୋଧରେ ତଦନ୍ତ କରିବାକୁ ଯାଉଛି, ସେଥିରେ ସୂଚିତ ରହିଛି ଯେ, ଲୋକସଭାରେ ପ୍ରଶ୍ନ ପଚାରିବା ମହୁଆ ଶିଳ୍ପପତି ହିରାନନ୍ଦାନିଙ୍କଠାରୁ ଅନୈତିକ ଉପାୟରେ ଅନୁଗ୍ରହ ଓ ଉପାହାର ନେଇଥିବାର ପର୍ଯ୍ୟାପ୍ତ ତଥ୍ୟ ଆଇନଜୀବୀ ଦେହାଦ୍ରୀଙ୍କ ନିକଟରେ ରହିଛି । ଆଦାନୀ ଗୃପ୍ ବିରୋଧରେ ଆମେରିକୀୟ ସର୍ଟ-ସେଲର କଂପାନୀ ହିଣ୍ଡେନବର୍ଗର ନକାରାତ୍ମକ ରିପୋର୍ଟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଟିଏମସି ସାଂସଦ ଲୋକସଭାରେ ଯେଉଁ ୬୧ଟି ପ୍ରଶ୍ନ କରିଛନ୍ତି ସେଥିରୁ ୫୦ଟି ପ୍ରଶ୍ନ ଆଦାନୀ ଗୃପ୍ ବିରୋଧରେ । ଦୁବେଙ୍କ ଅଭିଯୋଗ ପରେ ମହୁଆ ତାଙ୍କୁ ‘ଜାଲ ଡିଗ୍ରୀ ସାଂସଦ’ ବୋଲି ଆକ୍ଷେପ କରି ମନ୍ତବ୍ୟ ଦେବାରୁ ଦୁହିଁଙ୍କ ମଧ୍ୟରେ ବାକ୍ ବିନିମୟ ତୀବ୍ର ହୋଇଛି ।
ଟିଏମସି ସାଂସଦ ମୈତ୍ର ଗତ ୧୭ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନପତ୍ର ଦାଖଲ କରି ତାଙ୍କ ଭାବମୂର୍ତ୍ତି ନଷ୍ଟ କରିବାକୁ ବିଜେପି ସାଂସଦ ଦୁବେ, ସୁପ୍ରିମ କୋର୍ଟ ଆଇନଜୀବୀ ଦେହାଦ୍ରୀ, ବିଭିନ୍ନ ସାମାଜିକ ଗଣମାଧ୍ୟମ ଓ ମୁଖ୍ୟସ୍ରୋତ ଗଣମାଧ୍ୟମ ପକ୍ଷରୁ ମିଥ୍ୟା ଖବର ପ୍ରସାରଣ ଚାଲିଛି ବୋଲି ଅଭିଯୋଗ କରିବା ସହ ତାହା ଉପରେ ରୋକ୍ ଲଗାଇବାକୁ ନିବେଦନ କରିଛନ୍ତି । ଆଜି ଦିଲ୍ଲୀ ହାଇକୋର୍ଟରେ ତାହା ଉପରେ ଶୁଣାଣୀ ହେବାକୁ ଥିଲା । ତେବେ, ମହୁଆଙ୍କ ଓକିଲ ‘କନଫ୍ଲିକ୍ଟ ଅଫ୍ ଇଂଟରେଷ୍ଟ୍’ ଦର୍ଶାଇ ମହୁଆଙ୍କ ‘ପ୍ରଶ୍ନ ପାଇଁ ଲାଂଚ’ ମାମଲାରୁ ଓହରି ଯିବାରୁ ହାଇକୋର୍ଟରେ ମହୁଆଙ୍କ ଆବେଦନର ଶୁଣାଣୀ ଅକ୍ଟୋବର ୩୧ ତାରିଖକୁ ଘୁଂଚି ଯାଇଛି । ମହୁଆଙ୍କୁ ନେଇ କେବଳ ଦିଲ୍ଲୀ ଦରବାରରେ ନୁହେଁ, ଓଡ଼ିଶାରେ ମଧ୍ୟ ରାଜନୀତି ଜୋର ଧରିଲାଣି । ଆଦାନୀ ଗୃପ୍ ବିରୋଧରେ ସଂସଦରେ ପ୍ରଶ୍ନ କରିବାରେ ମହୁଆ ଯେଉଁମାନଙ୍କ ସମର୍ଥନ ପାଉଥିଲେ ସେମାନଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଶଶି ଥରୁର ଓ ବିଜେଡ଼ି ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ନାମ ଥିବା ନେଇ ଖବର ପ୍ରସାରିତ ହେବା ପରେ ବିଜେଡ଼ି ସାଂସଦ ପିନାକୀ ମିଶ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଓଡ଼ିଶା ଶାଖା ପକ୍ଷରୁ ଆଜି ଦାବି ହୋଇଛି ।
ପିନାକୀଙ୍କ କାର୍ଯ୍ୟ ଯଦି ଜନ-ବିରୋଧୀ, ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ବିଜେଡ଼ିରୁ ବହିଷ୍କାର କରିବାକୁ ଏବଂ ଓଡ଼ିଶା ପୁଲିସର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଦ୍ୱାରା ତାଙ୍କ ବିରୋଧରେ ତଦନ୍ତ କରାଇବାକୁ ବିଜେପି ନେତା ମନୋଜ ମହାପାତ୍ର ଆଜି ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି । ମହୁଆଙ୍କୁ ନେଇ ଦିଲ୍ଲୀରୁ ଓଡ଼ିଶା ଯାଏଁ କଂପୁଥିବା ବେଳେ ଟିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିରବ ଥିବା ସମସ୍ତଙ୍କୁ ବିସ୍ମିତ କରିଛି । ମହୁଆ ହେଉଛନ୍ତି ଟିଏମସିର ଜଣେ ମୁହଖୋର ନେତା ଓ ସାଂସଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟୁ ସମାଲୋଚକ । ବାସ୍ତବରେ ମହୁଆ ସଂସଦରେ ପ୍ରଶ୍ନ କରିବାକୁ ଶିଳ୍ପପତି ହିରାନନ୍ଦାନିଙ୍କଠାରୁ ନଗଦ ସମେତ ମୂଲ୍ୟବାନ ସାମଗ୍ରୀ ଉପହାର ଓ ଅନ୍ୟାନ୍ୟ ଅନୁଗ୍ରହ ନେଉଥିଲେ ନା ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ମୁହାଁମୁହିଁ ପ୍ରଶ୍ନ କରି ଏଭଳି ଷଡଯନ୍ତ୍ରର ଶିକାର ହୋଇଛନ୍ତି (?) – ତାହା ତଦନ୍ତ ପରେ ଜଣାପଡିବ । ତେବେ, କୌଣସି ପ୍ରକାର ତଦନ୍ତ ପୂର୍ବରୁ ଗଣମାଧ୍ୟମରେ ମହୁଆଙ୍କୁ ଅପରାଧୀ ସାବ୍ୟସ୍ତ କରିବାକୁ ଉଦ୍ୟମ ହେବା ଏକ ରାଜନୈତିକ ଷଡଯନ୍ତ୍ର ହିଁ କୁହାଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS