୩୧ରେ ଏଥିକ୍ସ କମିଟିରେ ହାଜର ହେବେ ମହୁଆ..


ପ୍ରସାଦ ରାଓ
ଅକ୍ଟୋବର ୨୬
‘ପ୍ରଶ୍ନ ପଚାରିବାକୁ ଲାଂଚ’ ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ର ଏଭଳି ଫସିଛନ୍ତି ଯେ ତାଙ୍କ ଦଳ ମଧ୍ୟ ତାଙ୍କ ସହ ନଥିବା ଦେଖିବାକୁ ମିଳୁଛି । ମହୁଆଙ୍କ ବିରୋଧରେ ଏଭଳି ଅନୈତିକ କାରବାର ଅଭିଯୋଗ ଆଣିଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମ କୋର୍ଟର ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରୀ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁଯାୟୀ ଆଜି ଲୋକସଭା ଏଥିକ୍ସ କମିଟି ନିକଟରେ ହାଜର ହୋଇ ସେମାନଙ୍କ ବୟାନ ଲିପିବଦ୍ଧ କରାଇଥିବା ବେଳେ ମହୁଆ ନିଜ ପକ୍ଷ ରଖିବାକୁ ଆସନ୍ତା ୩୧ ତାରିଖ କମିଟିରେ ହାଜର ହେବାକୁ ନୋଟିସ ହୋଇଥିବା ଆଜିର ଦୁଇ ଘଂଟାର ଶୁଣାଣୀ ପରେ ଏଥିକ୍ସ କମିଟି ମୁଖ୍ୟ ଗଣମାଧ୍ୟମକୁ କହିଛନ୍ତି । ୧୫ ଜଣିଆ ଲୋକସଭା ଏଥିକ୍ସ କମିଟିରେ ବିଜେପିରୁ ୭ ଜଣ ସାଂସଦ ଥିବା ବେଳେ ଅନ୍ୟମାନେ ହେଉଛନ୍ତି ଅନ୍ୟ ଦଳର ସାଂସଦ ।
ମହୁଆଙ୍କ ବିରୋଧରେ ତିନିଟି ଗମ୍ଭୀର ଅଭିଯୋଗ ରହିଛି । ଅଭିଯୋଗ ହେଉଛି – ମହୁଆ ଲୋକସଭାରେ ୬୧ଟି ପ୍ରଶ୍ନ କରିଥିବା ବେଳେ ସେଥିରୁ ୫୦ଟି ପ୍ରଶ୍ନ ଥିଲା ଗୋଟିଏ ନିର୍ଦ୍ଧିଷ୍ଟ କଂପାନୀ (ଆଦାନୀ ଗୃପ୍) ବିରୋଧରେ । ସଂପୃକ୍ତ କଂପାନୀ ବିରୋଧରେ ପ୍ରଶ୍ନ କରିବାକୁ ସେ ବିରୋଧୀ ଶିଳ୍ପପତି ଦର୍ଶନ ହିରାନନ୍ଦାନିଙ୍କଠାରୁ ନଗଦ ଓ ମୂଲ୍ୟବାନ ଉପହାର ଆକାରରେ ବିପୁଳ ପରିମାଣର ଲାଂଚ ନେଇଛନ୍ତି । ମହୁଆ ଜଣେ ସାଂସଦ ଭାବେ ଯେଉଁ ଲୋକସଭା ୱେବ୍ ସାଇଟ୍ (ଏନଆଇସି ଦ୍ୱାରା ପରିଚାଳିତ) ଲଗ-ଇନ୍ ଆଇଡି, ପାସୱାର୍ଡ ପାଇଛନ୍ତି ତାହାକୁ ସେ ବେଆଇନ ଭାବେ ହିରାନନ୍ଦାନିଙ୍କୁ ହସ୍ତାନ୍ତର କରିଥିଲେ । ଫଳରେ, ମହୁଆଙ୍କ ନାମରେ ଲୋକସଭା ୱେବ୍ ସାଇଟରେ ଦୁବାଇରୁ ପ୍ରଶ୍ନ ସବୁ ଅପଲୋଡ୍ ହୋଇଥିବା ବେଳେ ସେ ଭାରତରେ ଥିଲେ ।
ଏକଦା ମହୁଆଙ୍କ ଘନିଷ୍ଟ ଥିବା ପୁରୁଷ ବନ୍ଧୁ ତଥା ସୁପ୍ରିମ କୋର୍ଟ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରୀ ସିବିଆଇକୁ ଚିଠି ଲେଖି ମହୁଆଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ କରିବା ପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ସେହି ଚିଠି ଆଧାରରେ ଲୋକସଭାରେ ପ୍ରଶ୍ନ କରିଥିଲେ । ମହୁଆ ଏସବୁ ଅଭିଯୋଗକୁ ଅସ୍ୱୀକାର କରୁଥିଲେ ମଧ୍ୟ ଆଇନଜୀବୀ ଦେହାଦ୍ରୀଙ୍କ ଅଭିଯୋଗପତ୍ର ଏବଂ ଶିଳ୍ପପତି ହିରାନନ୍ଦାନିଙ୍କ ସତ୍ୟପାଠ ତାଙ୍କ ଅଡୁଆ ବଢାଇଛି । ହିରାନନ୍ଦାନି ଲୋକସଭା ଏଥିକ୍ସ କମିଟି ନିକଟରେ ପାଂଚ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି । ଆଦାନୀ ଗୃପ୍ ବିରୋଧରେ ଲୋକସଭାରେ ପ୍ରଶ୍ନ ପଚାରିବାକୁ ମହୁଆ ନଗଦ ଓ ମୂଲ୍ୟବାନ ଉପହାର ଆକାରରେ ମହୁଆ ମୋଟା ଅଂକର ଲାଂଚ ନେଇଥିବା ଏବଂ ସେ ମହୁଆଙ୍କ ଲଗ-ଇନ୍ ଓ ପାସୱାର୍ଡରେ ଲୋକସଭା ୱେବ୍ ସାଇଟ୍ ଦୁବାଇରୁ ପ୍ରଶ୍ନ ସବୁ ଅପଲୋଡ୍ କରିଥିବା ହିରାନନ୍ଦାନି ସ୍ୱୀକାର କରିଥିବା କୁହାଯାଉଛି ।
ଷଡଯନ୍ତ୍ରକାରୀମାନେ ଶିଳ୍ପପତି ହିରାନନ୍ଦାନିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଧଳା କାଗଜରେ ଦସ୍ତଖତ ନେଇଥିବା ଏବଂ ସେଥିରେ ଗୁରୁତର ଅଭିଯୋଗମାନ କରି ତାଙ୍କୁ ଅପଦସ୍ତ କରିବାକୁ ଉଦ୍ୟମ କରୁଥିବା ଟିଏମସି ସାଂସଦ ମହୁଆ ମୈତ୍ର ଅଭିଯୋଗ କରିଥିବା ବେଳେ ହିରାନନ୍ଦାନି ଗଣମାଧ୍ୟମ ସମ୍ମୁଖକୁ ଆସି ଏଭଳି କିଛି ହୋଇ ନାହିଁ, ସେ ସୁସ୍ଥ ମନରେ ତାଙ୍କ ସତ୍ୟପାଠ ଲେଖିଛନ୍ତି ବୋଲି କହିବା, ଆଜି ଅଭିଯୋଗକାରୀ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମ କୋର୍ଟ ଆଇନଜୀବୀ ଦେହାଦ୍ରୀ ଏଥିକ୍ସ କମିଟିରେ ହାଜର ହୋଇ ସେମାନଙ୍କ ବୟାନ ଲିପିବଦ୍ଧ କରାଇବା ଏବଂ ଏଥିକ୍ସ କମିଟି ମହୁଆଙ୍କ ୩୧ ତାରିଖ ହାଜର ହେବାକୁ ନୋଟିସ କରିବା ଆଗକୁ ମାମଲା ଅଧିକ ରୋଚକ ହେବାକୁ ଯାଉଥିବା ସୂଚନା ଦେଉଛି ।
ଇତିମଧ୍ୟରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମହୁଆଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଅତି ଗୁରୁତର ଏବଂ ତାହାର ତଦନ୍ତ କରାଯିବ ବୋଲି ଗଣମାଧ୍ୟମକୁ କହିଥିବା ବେଳେ ଲୋକସଭା ୱେବ୍ ସାଇଟର ଲଗ୍-ଇନ୍ ଆଇଡି ଓ ପାସୱାର୍ଡ ବାହାର ଲୋକଙ୍କୁ ହସ୍ତାନ୍ତର କରାଯିବା ଏକ ଆପରାଧୀକ କାର୍ଯ୍ୟ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଏହାର ତଦନ୍ତ କରିବେ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯେଉଁ କେତେକ ବିରୋଧୀ ସାଂସଦ ଲୋକସଭାରେ ଓ ବାହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ସମାଲୋଚନା କରିବାର ସାହସ ରଖନ୍ତି ସେମାନଙ୍କ ମଧ୍ୟରେ ମହୁଆ ମୈତ୍ର ଅନ୍ୟତମ । ବିରୋଧୀଙ୍କ ମୁହଁ ବନ୍ଦ କରିବା ପାଇଁ ବିଜେପି ଓ ଆଦାନୀ ଗୃପ୍ ପରିଚାଳନାଧୀନ ଗଣମାଧ୍ୟମର ଏହା ଷଡଯନ୍ତ୍ର ବୋଲି ମହୁଆ ଅଭିଯୋଗ କରୁଥିଲେ ମଧ୍ୟ ‘ପ୍ରଶ୍ନ ପଚାରିବାକୁ ଲାଂଚ’ ମାମଲାରେ ଟିଏମସି ନେତୃତ୍ୱର ନିରବତା ମହୁଆଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ବିଶ୍ୱାସ କରିବାର ଖୋରାକ ଯୋଗାଉଛି ।
ମହୁଆଙ୍କ ବିରୋଧରେ ଅଭିଯୋଗ ଅତି ଗୁରୁତର ବୋଲି ଏଥିକ୍ସ କମିଟି ସଦସ୍ୟମାନେ ଆଜି ଏକମତ ହୋଇଥିବା ଜାତୀୟ ଗଣମାଧମ୍ୟରେ ଖବର ପ୍ରସାରିତ ହେଉଥିବା ବେଳେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଆଜି ସୁଦ୍ଧା ଏହି ପ୍ରସଙ୍ଗରେ ମୁହଁ ନ ଖୋଲିବା ମହୁଆଙ୍କ ବିରୋଧରେ ଅଭିଯୋଗକୁ ସ୍ୱୀକାର କରି ନେଲା ଭଳି ହୋଇଛି ବୋଲି ବିଜେପି କଟାକ୍ଷ କରିଛି । ଟିଏମସିର କିଛି ନେତା ମହୁଆ ମାମଲାରେ ଦଳର କିଛି କହିବାର ନାହିଁ ବୋଲି ମନ୍ତବ୍ୟ ଦେଇ କଥାକୁ ଏଡାଇ ଯାଉଥିବା ବେଳେ ଟିଏମସି ନେତୃତ୍ୱ ମହୁଆଙ୍କୁ ଦଳରୁ ବହିଷ୍କାର କରୁନାହିଁ କାହିଁକି (?) ବୋଲି ବିଜେପିର କିଛି ବରିଷ୍ଠ ନେତା ପ୍ରଶ୍ନ କଲେଣି । ଏତିକି ବେଳେ ଟିଏମସି ସାଂସଦ ଡେରେକ ଓ’ବ୍ରେନ୍ ଙ୍କ ବୟାନ ଆସିଛି । ସେ କହିଛନ୍ତି, ‘ପ୍ରଶ୍ନ ପଚାରିବାକୁ ଲାଂଚ’ ମାମଲାରେ ଲୋକସଭା ସଦସ୍ୟ ମହୁଆ ମୈତ୍ରଙ୍କୁ ସ୍ପଷ୍ଟୀକରଣ ମଗା ଯାଇଛି । ଏହାଛଡା, ଲୋକସଭା ଏଥିକ୍ସ କମିଟି ଏହାର ତଦନ୍ତ କରୁଛି । ରିପୋର୍ଟ ମିଳିବା ପରେ ଦଳ (ଟିଏମସି) ଯାହା କିଛି କାର୍ଯ୍ୟାନୁଷ୍ଠାନ ନେବ ।
ଇତିମଧ୍ୟରେ, ପଶ୍ଚିମ ବଂଗ ଓ ରାଜସ୍ଥାନରୁ ଦୁଇଟି ବଡ ଖବର ଆସିଛି । କୋଲକତାରୁ ମିଳିଥିବା ଖବର ଅନୁଯାୟୀ, ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ରାଜ୍ୟର ଜଣେ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକଙ୍କ ଠିକଣାରେ ଚଢାଉ କରିଛନ୍ତି । ମହୁଆ ମୈତ୍ର ମାମଲାରେ ନିରବତା ଅବଲମ୍ବନ କରୁଥିବା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ମନ୍ତ୍ରୀ ଜ୍ୟୋତିପ୍ରିୟଙ୍କ ଘରେ ଛଆଉ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜ୍ୟୋତିପ୍ରିୟ ଜଣେ ମଧୁମେହ ରୋଗୀ । ଇଡିର ନିର୍ଯ୍ୟାତନାରେ ଯଦି ଜ୍ୟୋତିପ୍ରିୟଙ୍କ ମୃତ୍ୟୁ ହୋଇଯାଉଛି ତେବେ ସେ ନିଜେ (ମମତା) ସିବିଆଇ ଓ ଇଡି ବିରୋଧରେ ଏତଲା ଦେବେ ବୋଲି ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଏହି ତଦନ୍ତକାରୀ ସଂସ୍ଥାମାନେ ଲୋକଙ୍କୁ ନିର୍ଯ୍ୟାତନା ଦିଅନ୍ତି ଓ ଅନ୍ୟମାନଙ୍କ ନାମ ଯୋଡିବାକୁ ବାଧ୍ୟ କରନ୍ତି । ତାହା ହିଁ ହେଉଛି ଅତ୍ୟାଚାର ।
ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଦୋତାସାରାଙ୍କ ଜୟପୁର ଓ ସିକାରା ଘରେ ଆଜି ଇଡି ଚଡାଉ ହେବା ଘଟଣା ବିରୋଧୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଗତବର୍ଷ ସରକାରୀ ସ୍କୁଲ ଶିକ୍ଷକ ନିଯୁକ୍ତି ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆଜି ଦୋତାସାରାଙ୍କ ଘରେ ଚଢାଉ ହୋଇଥିବା ଜଣାପଡିଛି । ଆସନ୍ତା ମାସରେ ହେଉଥିବା ବିଧାନସଭା ନିର୍ବାଚନରେ ମହୁଆ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଥିବା ସ୍ୱାଧୀନ ବିଧାୟକ ଓମ୍ ପ୍ରକାଶ ହୁଦାଙ୍କ ଘରେ ମଧ୍ୟ ଚଢାଉ ଚାଲିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କ ପୁଅ ବୈଭବ ଗହେଲୋଟଙ୍କୁ ଏକ ଫରେନ ଏକ୍ସଚେଂଜ୍ ଭାଓଲେସନ୍ ମାମଲାରେ ଇଡିରେ ହାଜର ହେବାକୁ ସଦ୍ୟ ସମନ ଜାରି ହୋଇଛି । ନିର୍ବାଚନ ସମୟ ଆସିଲେ ବିରୋଧୀଙ୍କୁ ଭୟଭିତ କରିବା ପାଇଁ ଏଭଳି ଚଢାଉ ସବୁ ହେଉଛି ବୋଲି ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ଆଜି ଭିନ୍ନ ଭିନ୍ନ ବିବୃତିରେ କହିଛନ୍ତି । ମହୁଆ ମୈତ୍ର ମାମଲା ସହ ଏସବୁ ମାମଲାର କୌଣସି ପ୍ରତ୍ୟକ୍ଷ ସଂପର୍କ ନାହିଁ । ତଥାପି, ନିର୍ବାଚନ ସମୟ ଆସିଲେ ଶାସକ ଦଳ ଅଚାନକ କିଭଳି ହଟଚମଟ ସୃଷ୍ଟି କରିଥା’ନ୍ତି ତାହା ରାଜସ୍ଥାନ ଓ ପଶ୍ଚିମ ବଂଗରେ ଚାଲିଥିବା ଚଢାଉରୁ ସ୍ପଷ୍ଟ ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS