ଅଧିକ ସମୟ ମାଗିଲେ ମହୁଆ..
ପ୍ରସାଦ ରାଓ
ଅକ୍ଟୋବର ୨୭
‘ପ୍ରଶ୍ନ ପଚାରିବା ପାଇଁ ଲାଂଚ’ ମାମଲାରେ ନିଜ ପକ୍ଷ ରଖିବାକୁ ଲୋକସଭା ଏଥିକ୍ସ କମିଟିକୁ ଅଧିକ ସମୟ ମାଗିଲେ ଟିଏମସି ସାଂସଦ ମହୁଆ ମୈତ୍ର । ଆସନ୍ତା ୩୧ ତାରିଖରେ ଏଥିକ୍ସ କମିଟି ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ କମିଟି ଗତକାଲି ତାଙ୍କୁ ସମନ କରିଥିଲେ । ତେବେ, ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ସେ କାର୍ଯ୍ୟବ୍ୟସ୍ତ ରହୁ ଥିବାରୁ ଓ ଦିଲ୍ଲୀ ବାହାରେ ରହିବାକୁ ଥିବାରୁ ଅକ୍ଟୋବର ୩୧ ତାରିଖ ଦିନ ସେ ଏଥିକ୍ସ କମିଟିରେ ହାଜର ହୋଇପାରିବେ ନାହିଁ । ନଭେମ୍ବର ୫ ତାରିଖ ପରେ କମିଟି ଯେକୌଣସି ତାରିଖ ଧାର୍ଯ୍ୟ କରିବେ ସେଦିନ ସେ କମିଟି ନିକଟରେ ହାଜର ହେବେ ବୋଲି ମହୁଆ କମିଟିକୁ ଚିଠି ଲେଖି ଜଣାଇ ଦେଇଛନ୍ତି । ମହୁଆ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ସେ ସଂସଦରେ ପଶ୍ଚିମ ବଂଗରୁ ପ୍ରତିନିଧିତ୍ୱ କରୁଛନ୍ତି ଏବଂ ପଶ୍ଚିମ ବଂଗରେ ଦୁର୍ଗା ପୂଜା ଉତ୍ସବ ହେଉଛି ସବୁଠାରୁ ବଡ ଉତ୍ସବ । ରାଜ୍ୟର ଜଣେ ସାଂସଦ ହୋଇଥିବାରୁ ଅକ୍ଟୋବର ୩୦ରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ସେ ବିଜୟା ଦଶମୀ ଉତ୍ସବ ସମେତ ବିଭିନ୍ନ ସଭା ସମିତିରେ ଯୋଗ ଦେବାକୁ ପୂର୍ବରୁ ନିମନ୍ତ୍ରଣ ପାଇ ଆନୁଷ୍ଠାନିକ ଭାବେ ସମ୍ମତି ପ୍ରଦାନ କରିଛନ୍ତି । ତେଣୁ, ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ସେ ବ୍ୟସ୍ତ ରହିବେ । ତାହା ପରେ କମିଟି ଦ୍ୱାରା ଧାର୍ଯ୍ୟ ଯେକୌଣସି ତାରିଖରେ ସେ ହାଜର ହେବାକୁ ପ୍ରସ୍ତୁତ । ଲୋକସଭା ଏଥିକ୍ସ କମିଟି ନିକଟରୁ ସେ ନିରପେକ୍ଷ ବିଚାର ଆଶା କରୁଥିବା ଦର୍ଶାଇ ମହୁଆ କହିଛନ୍ତି, ପ୍ରାକୃତିକ ନ୍ୟାୟ ଦୃଷ୍ଟିରୁ କମିଟି ପ୍ରଥମେ ତାଙ୍କ ପକ୍ଷ ଶୁଣିବା ଉଚିତ ଥିଲା । ତାହା ପରେ ଅଭିଯୋଗକାରୀଙ୍କୁ ଶୁଣିବା କଥା । କିନ୍ତୁ, କମିଟି ପ୍ରଥମେ ଅଭିଯୋଗକାରୀ ଦ୍ୱୟ ବିଜେପି ସାଂସଦ ନିଶିକାନ୍ତ ଦୁବେ ଓ ସୁପ୍ରିମ କୋର୍ଟ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରୀଙ୍କୁ ଡକାଇ ଶୁଣାଣୀ କରିଛି । ପରେ ତାଙ୍କୁ ସମନ ହୋଇଛି । ଯାହାକି ବିସ୍ମିତ କଲା ଭଳି । ପୂର୍ବରୁ ଲୋକସଭା ଏଥିକ୍ସ କମିଟି ସାଂସଦ ରମେଶ ବିଧୁରୀଙ୍କ ମାମଲାରେ ତାଙ୍କୁ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଥିବା କାରଣରୁ ବ୍ୟକ୍ତିଗତ ହାଜିରା ପାଇଁ ଅଧିକ ସମୟ ମଂଜୁର କରିଥିଲେ । ସେହି ନ୍ୟାୟରେ ତାଙ୍କୁ ମଧ୍ୟ ବ୍ୟକ୍ତିଗତ ହାଜିରା ପାଇଁ ଅଧିକ ସମୟ ମିଳିବା ଉଚିତ । ଗୋଟିଏ ନିର୍ଦ୍ଧିଷ୍ଟ ବ୍ୟବସାୟିକ ସଂସ୍ଥା ବିରୋଧରେ ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ମହୁଆଙ୍କୁ ନଗଦ ଅର୍ଥ ଓ ମୂଲ୍ୟବାନ ଉପହାରମାନ ମିଳିଥିବା ଏବଂ ଶିଳ୍ପପତି ଦର୍ଶନ ହିରାନନ୍ଦାନି ସେସବୁ ଦେଇଥିବା ବିଜେପି ସାଂସଦ ଦୁବେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ । ଏନେଇ ମହୁଆଙ୍କ ପୂର୍ବତନ ପୁରୁଷ ବନ୍ଧୁ ଜୟ ଅନନ୍ତ ଦେହାଦ୍ରୀ ମଧ୍ୟ ସିବିଆଇରେ ଅଭିଯୋଗ କରିଥିଲେ । ଲୋକସଭା ବାଚସ୍ପତି ସାଂସଦ ଦୁବେଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଲୋକସଭା ଏଥିକ୍ସ କମିଟିକୁ ପଠାଇଛନ୍ତି । ଲୋକସଭା ଏଥିକ୍ସ କମିଟି ଗତକାଲି ସାଂସଦ ଦୁବେ ଓ ସୁପ୍ରିମ କୋର୍ଟ ଆଇନଜୀବୀ ଦେହାଦ୍ରୀଙ୍କୁ ଡକାଇ ସେମାନଙ୍କ ବୟାନ ଲିପିବଦ୍ଧ କରିବା ପରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ପକ୍ଷ ରଖିବାକୁ ନୋଟିସ ଜାରି କରିଛି । ମହୁଆ ଏଥିକ୍ସ କମିଟିକୁ ଲେଖିଥିବା ଚିଠିରେ ଶିଳ୍ପପତି ହିରାନନ୍ଦାନିଙ୍କୁ ପାଲଟା ପ୍ରଶ୍ନ ପଚାରିବା (କ୍ରସ୍ ଏକ୍ଜାମିନ) ସକାଶେ ଅନୁମତି ଦିଆଯିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ହିରାନନ୍ଦାନିଙ୍କ ମୌଖିକ ବୟାନକୁ ନେଇ କମିଟି କୌଣସି ନିଷ୍କର୍ଷରେ ପହଂଚିବା ଠିକ ହେବ ନାହିଁ । ଶିଳ୍ପପତି ଦର୍ଶନ ହିରାନନ୍ଦାନିଙ୍କୁ କ୍ରସ୍-ଏକ୍ଜାମିନ କରିବା ଅଧିକାର ତାଙ୍କର ରହିଛି ଏବଂ ଏହି ଅଧିକାର ସାବ୍ୟସ୍ତ କରିବାକୁ କମିଟି ତାଙ୍କୁ ଅନୁମତି ଦେବା ଆବଶ୍ୟକ । ହିରାନନ୍ଦାନିଙ୍କ ମୌଖିକ ଅଭିଯୋଗ ଆଧାରରେ ତଦନ୍ତ ଅସଂପୂର୍ଣ୍ଣ ରହିବ । ତେଣୁ, କମିଟି ହିରାନନ୍ଦାନିଙ୍କୁ ସମନ କରୁ ଏବଂ ହିରାନନ୍ଦାନି ଲୋକସଭାରେ ପ୍ରଶ୍ନ ପଚାରିବାକୁ ତାଙ୍କୁ କଣ ସବୁ ଉପହାର ଦେଇଛନ୍ତି ତାହାର ତାଲିକା ‘ଅନ୍ ରେକର୍ଡ’ ଏଥିକ୍ସ କମିଟି ନିକଟରେ ଉପସ୍ଥାପନ କରନ୍ତୁ । ନହେଲେ ଏଥିକ୍ସ କମିଟିର ବିଚାରଣା କଂଗାରୁ କୋର୍ଟ ସଦୃଶ ହେବ । ଜଣେ ବିଧାୟିକା ଓ ସାଂସଦ ଭାବେ ସର୍ବଦା ସେ ନିଜର ବ୍ୟକ୍ତିଗତ ସାଧୁତା ଓ ସ୍ୱାଭିମାନକୁ ଅଗ୍ରାଧିକାର ଦେଇ ଆସିଛନ୍ତି । ବିଭିନ୍ନ କର୍ପୋରେଟ୍ ସ୍କାମ୍ ଓ ଜାତୀୟ ଗୁରୁତ୍ୱ ରହୁଥିବା ପ୍ରସଙ୍ଗ ଉପରେ ବିରୋଧୀ ସାଂସଦ ଭାବେ ସ୍ୱର ଉତ୍ତୋଳନ କରି ଆସୁଛନ୍ତି । ବର୍ତ୍ତମାନ ତାଙ୍କ ବିରୋଧରେ ଯେଉଁ ଉଦ୍ଦେଶ୍ୟମୂଲକ ଓ ସମ୍ମାନହାନୀ କଲା ଭଳି ପ୍ରଚାର ଚାଲିଛି ତାହାକୁ ମୁକାବିଲା କରି ନିଜକୁ ନିର୍ଦୋଶ ସାବ୍ୟସ୍ତ କରିବାକୁ ତାଙ୍କୁ ସୁଯୋଗ ଦିଆଯିବା ଉଚିତ ବୋଲି ମହୁଆ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS