ଦିଲ୍ଲୀ ଅବକାରୀ ଦୁର୍ନୀତି: ସୁପ୍ରିମ କୋର୍ଟରୁ ସିସୋଦିଆଙ୍କୁ ଜାମିନ ମିଳିଲା ନାହିଁ


ପ୍ରସାଦ ରାଓ
ଅକ୍ଟୋବର ୩୦
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ ନଅ ମାସ ହେଲା ଜେଲରେ ଥିବା ‘ଆମ୍ ଆଦମୀ ପାର୍ଟି’ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ଆବେଦନ ଆଜି ସୁପ୍ରିମ କୋର୍ଟରେ ଖାରଜ ହୋଇଯାଇଛି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ଏସଭିଏନ୍ ଭଟ୍ଟିଙ୍କୁ ନେଇ ଗଠିତ ବେଂଚ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିବା ସହ କେତେକ ପ୍ରଶ୍ନର ସଠିକ ଉତ୍ତର ମିଳି ନଥିବାରୁ ଜାମିନ ଆବେଦନକୁ ଖାରଜ କରାଗଲା ବୋଲି କହିଛନ୍ତି । ଆସନ୍ତା ଛଅରୁ ଆଠ ମାସ ମଧ୍ୟରେ ମାମଲାର ବିଚାରଣା ସରିବ ବୋଲି ସରକାର (ପ୍ରୋସିକ୍ୟୁସନ)ଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ତେବେ, ବିଚାରଣାରେ ବିଳମ୍ବ ହେଲେ ବା ମନ୍ଥରତା ଦୃଶ୍ୟମାନ ହେଲେ ସିସୋଦିଆ ତିନି ମାସ ପରେ ପୁଣି ଥରେ ନୂଆ କରି ଜାମିନ ଆବେଦନ କରି ପାରିବେ ବୋଲି ସୁପ୍ରିମ କୋର୍ଟ ବେଂଚ କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ‘ଆପ୍’ ସରକାରଙ୍କ ପକ୍ଷରୁ ପ୍ରଣିତ ନୂତନ ଅବକାରୀ ନୀତିର (ଯାହାକି ପରେ ଆପ୍ ସରକାର ପ୍ରତ୍ୟାହାର କରି ନେଇଥିଲେ) କାର୍ଯ୍ୟକାରିତାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗରେ ସିବିଆଇ ଫେବୃୟାରୀ ୨୬ ତାରିଖରେ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଗିରଫ କରିଥିଲେ । ସିବିଆଇ ତଦନ୍ତ ଚାଲି ଥିବା ଅବସ୍ଥାରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ମଧ୍ୟ ସିସୋଦିଆଙ୍କ ବିରୋଧରେ ଏକ ମନିଲଂଡରିଂ (ଅର୍ଥନୈତିକ ଅନିୟମିତତା) ମାମଲା କରି ଜେଲରେ ଥିବା ସିସୋଦିଆଙ୍କୁ ମାର୍ଚ୍ଚ ୯ ତାରିଖରେ ଗିରଫ କରିଥିଲେ । ସିବିଆଇ ଓ ଇଡି ମାମଲାରେ ସିସୋଦିଆ ଏବେ ଜେଲରେ ଅଛନ୍ତି । ଟ୍ରାଏଲ କୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ସିସୋଦିଆଙ୍କ ଜାମିନ ଆବେଦନ ଖାରଜ ହୋଇଯିବା ପରେ ତାଙ୍କ ଆଡୁ ସୁପ୍ରିମ କୋର୍ଟରେ ଆବେଦନ ହୋଇଥିଲା । ଆଜି ସୁପ୍ରିମ କୋର୍ଟରେ ତାହା ଖରଜ ହୋଇଯାଇଛି ।
ଦିଲ୍ଲୀରେ ନୂତନ ଅବକାରୀ ନୀତି ଘୋଷଣା ଓ କାର୍ଯ୍ୟକାରିତାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତ ପରାମର୍ଶଦାତାଙ୍କଠାରୁ ଆରମ୍ଭ କରି ଏଲଜିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଭୂମିକା ରହିଛି, କୌଣସି ବ୍ୟକ୍ତିବିଶେଷ ଏକାକୀ ଏଥିପାଇଁ ଦାୟୀ ହୋଇନପାରନ୍ତି ବୋଲି ସିସୋଦିଆଙ୍କ ଆଇନଜୀବୀ ସୁପ୍ରିମ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ସିବିଆଇ ଓ ଇଡି ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ସିସୋଦିଆଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିବା ବେଳେ ଯେଉଁ ଆର୍ଥିକ ଦୁର୍ନୀତି କଥା କହୁଛନ୍ତି ସେଥିରୁ କାଣିଚାଏ ଅର୍ଥ ମଧ୍ୟ ତାଙ୍କ ନିକଟରୁ ଜବତ ହୋଇନଥିବା ଅଦାଲତଙ୍କୁ ସୂଚିତ କରିଥିଲେ । ଅଦାଲତ ମଧ୍ୟ ସିବିଆଇ ଓ ଇଡିକୁ ଏନେଇ ସ୍ପଷ୍ଟୀକରଣ ମାଗିବା ସହ କଥିତ ଆର୍ଥିକ ଦୁର୍ନୀତିରୁ କାଣିଚାଏ ମଧ୍ୟ ସିସୋଦିଆଙ୍କ ନିକଟରୁ ମିଳି ନଥିବାରୁ ତାହା ଯଦି ଗୋଟିଏ ରାଜନୈତିକ ଦଳର କାର୍ଯ୍ୟରେ ଲାଗିଛି ତେବେ ଉକ୍ତ ରାଜନୈତିକ ଦଳକୁ କାହିଁକି ଏପର୍ଯ୍ୟନ୍ତ ଅଭିଯୁକ୍ତ ତାଲିକାଭୁକ୍ତ କରାଯାଇନାହିଁ ବୋଲି ପ୍ରଶ୍ନ କରିଥିଲେ । ସିବିଆଇ ଓ ଇଡି ତଦନ୍ତକୁ ନେଇ ଅଦାଲତ ଏଭଳି ସଂଶୟ ପ୍ରକାଶ କରି ଥିବାରୁ ସୁପ୍ରିମ କୋର୍ଟରୁ ସିସୋଦିଆଙ୍କୁ ଜାମିନ ମିଳିବ ବୋଲି ତାଙ୍କ ସମର୍ଥକମାନେ ଆଶା କରୁଥିଲେ । ତେବେ, ସୁପ୍ରିମ କୋର୍ଟର ଦୁଇ ଜଣିଆ ବେଂଚ ଆଜି ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କରିବାରୁ ସେ ଆଉ କିଛି ମାସ ଜେଲରେ ରହିବା ସୁନିଶ୍ଚିତ ହୋଇଛି ।
ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ନେତୃତ୍ୱରେ ସରକାର ଗଠନ ପରେ ଅବକାରୀ ରାଜସ୍ୱ ବୃଦ୍ଧି ପାଇଁ ପ୍ରଚଳିତ ଅବକାରୀ ନୀତିରେ ସଂସ୍କାର ଆଣିବାକୁ ନିଷ୍ପତ୍ତି ହୋଇଥିଲା । ରାଜ୍ୟ ସରକାର ୨୦୨୦ରେ ଏହି ନିଷ୍ପତ୍ତି ନେବା ପରେ ଏଦିଗରେ ସରକାରଙ୍କୁ ଆବଶ୍ୟକ ପରାମର୍ଶ ଦେବା ସକାଶେ ସେହି ବର୍ଷ ସେପ୍ଟେମ୍ବର ମାସରେ ରବି ଧାବନ କମିଟି ଗଠନ କରିଥିଲେ । କମିଟିର ସୁପାରିଶକୁ ନେଇ ସର୍ବସାଧାରଣଙ୍କ ମତାମତ ନିଆଯିବା ପରେ ମନ୍ତ୍ରୀ ଗୋଷ୍ଠୀ (ଜିଓଏମ) ଗଠନ ବୈଠକ ହୋଇଥିଲା ଏବଂ ରାଜ୍ୟ କ୍ୟାବିନେଟ୍ ରେ ତାହା ଗୃହୀତ କରାଯାଇଥିଲା । ପରେ, ଦିଲ୍ଲୀ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଏଲଜିଙ୍କ ଅନୁମୋଦନ ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ତାଙ୍କ ନିକଟକୁ ପଠାଯାଇଥିଲା । ଏଲଜି କିଛି ସଂଶୋଧନ ପ୍ରସ୍ତାବ ଦେବା ପରେ ସରକାର ଚିଠା ପ୍ରସ୍ତାବରେ ସଂଶୋଧନ କରି ପୁନର୍ବାର ଏଲଜିଙ୍କ ଅନୁମୋଦନ ନେବା ପରେ ଦିଲ୍ଲୀରେ ନୂତନ ଅବକାରୀ ନୀତି କାର୍ଯ୍ୟକାରୀ କରିଥିଲେ ।
ତେବେ, ଦିଲ୍ଲୀ ଏଲଜି ନୂତନ ଅବକାରୀ ନୀତିର କାର୍ଯ୍ୟକାରିତାରେ ଶତାଧିକ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଦର୍ଶାଇ ଏହାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବା ଏବଂ ସିବିଆଇ ଓ ଇଡି ଏହାର ତଦନ୍ତ କରି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀଙ୍କୁ ଗିରଫ କରିବା ପଛରେ ରାଜନୈତିକ ଷଡଯନ୍ତ୍ର ରହିଛି ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ଅଭିଯୋଗ କରି ଆସୁଛି । ନୂତନ ଅବକାରୀ ନୀତିକୁ ନେଇ ସିବିଆଇ ତଦନ୍ତ ଆରମ୍ଭ ହେବା ପରେ ଦିଲ୍ଲୀ ସରକାର ତାହାକୁ ପ୍ରତ୍ୟାହାର କରି ନେଇଛନ୍ତି ସତ, କିନ୍ତୁ ଅଭିଯୋଗ ସିସୋଦିଆଙ୍କ ପିଛା ଛାଡି ନାହିଁ । ନୂତନ ଅବକାରୀ ନୀତିରେ ଘରୋଇ ମଦ ଭେଣ୍ଡରଙ୍କୁ ଭେଣ୍ଡିଂ ଲାଇସେନ୍ସ ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଥିବା ଏବଂ ଦକ୍ଷିଣୀ ଲବିଠାରୁ ଶତାଧିକ କୋଟି ଟଙ୍କାର ଲାଂଚ ନିଆଯାଇଥିବା ଅଭିଯୋଗରେ ତତ୍କାଳୀନ ଅବକାରୀ ମନ୍ତ୍ରୀ ସିସୋଦିଆ ଫସିଛନ୍ତି । ସିବିଆଇ ଓ ଇଡି ଚଢାଉରୁ କାଣିଚାଏ ମଧ୍ୟ ପ୍ରମାଣ ମିଳି ନଥିବାରୁ ଦିଲ୍ଲୀରେ କ୍ଷମତାରେ ଥିବା ‘ଆମ୍ ଆଦମୀ ପାର୍ଟି’କୁ ତଳିତଳାନ୍ତ କରିବା ପାଇଁ ଏହା ବିଜେପିର ଷଡଯନ୍ତ୍ର ବୋଲି ‘ଆପ୍’ ନେତାଙ୍କ ଆଡୁ ଅଭିଯୋଗ ହେଉଥିବା ବେଳେ ଗିରଫ ନେତାଙ୍କୁ ଅଦାଲତରୁ ଆଶ୍ୱସ୍ତି ମିଳୁ ନଥିବା ବିଜେପିକୁ ସୁହାଇଲା ଭଳି ହୋଇଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS