ଚନ୍ଦ୍ରବାବୁଙ୍କୁ ଏପିଏସଏସଡିସି ମାମଲାରେ ହାଇକୋର୍ଟରୁ ମିଳିଲା ଅନ୍ତରୀଣ ଜାମିନ


ପ୍ରସାଦ ରାଓ
ଅକ୍ଟୋବର ୩୧
ଆନ୍ଧ୍ର ପ୍ରଦେଶ ରାଜ୍ୟ କୌଶଳ ବିକାଶ ନିଗମ (ଏପିଏସଏସଡିସି)ର ଅର୍ଥ ହେରଫେର ମାମଲାରେ ଗତ ସେପ୍ଟେମ୍ବର ୯ ତାରିଖ ଦିନ ସିଆଇଡି ଦ୍ୱାରା ଗିରଫ ହୋଇ ଜେଲରେ ଥିବା ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଆଜି ହାଇକୋର୍ଟ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ମଂଜୁର କରିଛନ୍ତି । ହାଇକୋର୍ଟ ବିଚାରପତି ଟି.ମଲ୍ଲିକାର୍ଜୁନ ରାଓ ସ୍ୱାସ୍ଥ୍ୟଗତ କାରଣରୁ ଚନ୍ଦ୍ରବାବୁଙ୍କୁ ଚାରି ସପ୍ତାହ ପାଇଁ ଜାମିନ ମଂଜୁର କରିଥିବା ସୂଚନା ମିଳିଛି । ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ମିଳିଥିବା ଜାମିନ ସମୟରେ ସେ ନିଜର ଆବଶ୍ୟକ ଚିକିତ୍ସା ସହ କ୍ୟାଟେରାକ୍ଟ ଅସ୍ତ୍ରାପଚାର ମଧ୍ୟ କରାଇବେ । ଚନ୍ଦ୍ରବାବୁ ଅଦାଲତରେ ଏକ ଲକ୍ଷ ଟଙ୍କାର ଦୁଇଟି ସ୍ୟୁରିଟି ଦାଖଲ କରିବାକୁ, ଜାମିନ ସମୟରେ ସାକ୍ଷୀଙ୍କୁ ପ୍ରଭାବିତ ଉଦ୍ୟମ ନ କରିବାକୁ ଏବଂ ନଭେମ୍ବର ୨୮ ତାରିଖ ସନ୍ଧ୍ୟା ୫ଟାରେ ସେ ଅଦାଲତରେ ଆତ୍ମସମର୍ପଣ କରିବାକୁ ଆନ୍ଧ୍ର ହାଇକୋର୍ଟ ବିଚାରପତି ଜଷ୍ଟିସ ରାଓ ସର୍ତ୍ତ ରଖି ଜାମିନ ମଂଜୁର କରିଛନ୍ତି । ୭୩ ବର୍ଷ ବୟସ୍କ ଚନ୍ଦ୍ରବାବୁ ୫୩ ଦିନ ହେଲା ରାଜମହେନ୍ଦ୍ରୀ କେନ୍ଦ୍ରୀୟ ଜେଲରେ ଅଛନ୍ତି । ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବା ସମୟରେ କୌଶଳ ବିକାଶ ନିଗମ ଅର୍ଥ ହେରଫେର ଅଭିଯୋଗ ହୋଇଥିଲା । ସିଆଇଡି ପୁଲିସ ସେପ୍ଟେମ୍ବର ୯ ତାରିଖ ଦିନ ନାଇଡୁଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲେ । ଅକ୍ଟୋବର ୯ ତାରିଖ ଦିନ ବିଜୟୱାଡା ଏସିବି କୋର୍ଟ ଚନ୍ଦ୍ରବାବୁଙ୍କ ଜାମିନ ଆଦେନକୁ ଖାରଜ କରିଦେବା ପରେ ସେ ତାହାକୁ ଚ୍ୟାଲେଂଜ କରି ଆନ୍ଧ୍ର ହାଇକୋର୍ଟରେ ନିୟମିତ ଜାମିନ ପାଇଁ ଆବେଦନ କରିଥିଲେ । ତେଲୁଗୁ ଦେଶମ ପାର୍ଟି (ଟିଡିପି) ସୁପ୍ରିମୋ ନାଇଡୁ ପରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ । ନାଇଡୁଙ୍କ ପକ୍ଷରୁ ଓକିଲ ଡି.ଶ୍ରୀନିବାସ କୋର୍ଟରେ ମାମଲା ପରିଚାଳନା କରୁଥିବା ବେଳେ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥରା ଭର୍ଚୁଆଲ ମାଧ୍ୟମରେ ଯୁକ୍ତି ଉପସ୍ଥାପନ କରିଥିଲେ । ସରକାରଙ୍କ ପକ୍ଷରୁ ଅତିରିକ୍ତ ଆଡଭୋକେଟ ଜେନେରାଲ ପି.ସୁଧାକର ରେଡ୍ଡୀ ମାମଲା ପରିଚାଳନା କରିଥିଲେ । ସୋମବାର ଦିନ ବିଚାରପତି ଜଷ୍ଟିସ ରାଓ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ । ଆନ୍ଧ୍ର ପ୍ରଦେଶ ସିଆଇଡି ପକ୍ଷରୁ ସୋମବାର ଦିନ ଚନ୍ଦ୍ରବାବୁଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରାଯାଇଛି । ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ମଦ କଂପାନୀମାନଙ୍କୁ ବେଆଇନ ଭାବେ ମଦ ବିକ୍ରି ଅନୁମତି ଦେଇଥିଲେ ବୋଲି ସିଆଇଡି ପକ୍ଷରୁ ଅଭିଯୋଗ ହୋଇଛି । ନାଇଡୁଙ୍କ ବିରୋଧରେ ଦୁର୍ନୀତି ନିର୍ବାରଣ ଆଇନରେ ମାମଲା ହୋଇଛି ଏବଂ ଏହି ମାମଲାରେ ସେ ତିନି ନମ୍ବର ଅଭିଯୁକ୍ତ ଅଛନ୍ତି ବୋଲି ସିଆଇଡି ପକ୍ଷରୁ ସୋମବାର ଦିନ ବିଜୟୱାଡା ଏସିବି କୋର୍ଟକୁ ଜଣାଇ ଦିଆଯାଇଛି । ଇତିମଧ୍ୟରେ ନାଇଡୁଙ୍କ ଓକିଲ ଆଗୁଆ ଜାମିନ ପାଇଁ ଆବେଦନ କରି ତୁରନ୍ତ ଶୁଣାଣୀ ସକାଶେ ନିବେଦନ କରିଛନ୍ତି । ଆନ୍ଧ୍ର ପ୍ରଦେଶ କୌଶଳ ବିକାଶ ନିଗମର ଅର୍ଥ ହେରଫେର ମାମଲାରେ ଚନ୍ଦ୍ରବାବୁ ନାଇଡୁ ଗିରଫ ହେବା ପରେ ଏହା ହେଉଛି ତାଙ୍କ ବିରୋଧରେ ଚତୁର୍ଥ ମାମଲା । ଏପିଏସଏସଡିସି ମାମଲାରେ ନାଇଡୁ ଓ ଅନ୍ୟ ଅଭିଯୁକ୍ତମାନେ ଆନ୍ଧ୍ର ସରକାରଙ୍କ ୩୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି କରିଛନ୍ତି ବୋଲି ସିଆଇଡି ପକ୍ଷରୁ ଅଭିଯୋଗ ହୋଇଛି । ଆନ୍ଧ୍ରପ୍ରଦେଶ ସିଆଇଡି ପକ୍ଷରୁ ଚନ୍ଦ୍ରବାବୁଙ୍କ ବିରୋଧରେ ଅମରାବତୀ ଇନର୍ ରିଂଗ ରୋଡ ଏବଂ ଏପି ଫାଇବର ନେଟ ପ୍ରେଜେକ୍ଟକୁ ନେଇ ଆଉ ଦୁଇଟି ମାମଲାରେ ପ୍ରିଜନର୍ସ ଟ୍ରାଂଜିଟ ୱାରେଂଟ ରହିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS