ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେଲ ଭୟ..


ପ୍ରସାଦ ରାଓ
ନୂଆଦିଲ୍ଲୀ/ନଭେମ୍ବର ୦୩
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଗତକାଲି ଅବକାରୀ ଦୁର୍ନୀତି ମାମଲାରେ ଜେରା ପାଇଁ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ)ର ସମନକୁ ଏଡାଇ ଯିବା ପରେ ତାଙ୍କ ଗିରଫ ସମ୍ଭାବନା ବଢି ଯାଇଛି । ଗତକାଲି ସେ ଇଡିରେ ହାଜର ହୋଇଥିଲେ ଜେରା ପରେ ତାଙ୍କୁ ଗିରଫ କରାଯିବା ସମ୍ଭାବନା ଅଧିକ ଥିଲା । ତେଣୁ, କେଜରୀୱାଲ ଯଦି ଜେଲ ଯାଆନ୍ତି ତାଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ କିଏ ତୁଲାଇବ (?) – ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଆମ୍ ଆଦମୀ ପାର୍ଟି (ଆପ୍)ର କିଛି ନେତା ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ କେଜରୀୱାଲ ଯଦି ଜେଲ ଯାଆନ୍ତି ତେବେ ଜେଲରୁ ରାଜ୍ୟ ଶାସନ ଚାଲିବ ବୋଲି ବୟାନ ଦେବାକୁ ପଛାଇ ନଥିଲେ । ତେବେ, ମୁଖ୍ୟମନ୍ତ୍ରୀ କେଜରୀୱାଲ ଗତକାଲି ଇଡିର ସମନକୁ ଏଡାଇ ଯାଇ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଙ୍କ ସହ ଚଳିତ ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବା ମଧ୍ୟ ପ୍ରଦେଶ ଯାଇ ସେଠାରେ ରୋଡସୋ’ କରିଥିଲେ । ନିର୍ବାଚନ ଫଳାଫଳ ଆସିବା ବେଳକୁ ସେ ଜେଲରେ ଥିବେ କି ନା’ ନିଶ୍ଚିତ ନୁହନ୍ତି ବୋଲି କେଜରୀୱାଲ ମଧ୍ୟ ପ୍ରଦେଶରେ ବୟାନ ଦେବା ଇଡି ସମନକୁ ନେଇ ତାଙ୍କ ମନରେ ଥିବା ଭୟକୁ ଉଜାଗର କରିଛନ୍ତି । ତେବେ, ସେ ଜେଲ ଯିବାକୁ ଆଦୌ ଭୟ କରୁ ନାହାନ୍ତି ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି ।
ମଧ୍ୟ ପ୍ରଦେଶର ସିଙ୍ଗରୌଲିରେ ଗତକାଲି ‘ଆପ୍’ର ଏହି ରୋଡସୋ’ ହୋଇଥିଲା । ସେଠାରେ କେଜରୀୱାଲ କହିଛନ୍ତି, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଇଡି ପକ୍ଷରୁ ଯେଉଁ ସମନ କରାଯାଇଛି ତାହାର କିଛି ଆଧାର ନାହିଁ । ରାଜନୈତିକ ଉଦ୍ଦେଶ୍ୟ ରଖି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ତାଙ୍କୁ ବେଆଇନ ଭାବେ ସମନ କରାଯାଇଛି, ଯାହାକି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ସମନ କରାଯାଇଛି କି ଜଣେ ବ୍ୟକ୍ତିବିଶେଷ ଭାବେ, କିମ୍ବା ‘ଆପ୍’ର ମୁଖ୍ୟ ଭାବେ – ତାହା ଇଡି ଜାରି କରିଥିବା ସମନରୁ ସ୍ପଷ୍ଟ ନୁହେଁ । ତେଣୁ, ସେ ସମନ ଫେରାଇ ନେବାକୁ ଇଡିକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଚାରି ରାଜ୍ୟରେ ଚଳିତ ମାସରେ ହେବାକୁ ଯାଉଥିବା ବିଧାନସଭା ପ୍ରଚାର ଅଭିଯାନରୁ ତାଙ୍କୁ ଦୂରେଇ ରଖିବା ସକାଶେ ଏହା ବିଜେପି ପ୍ରୟୋଜିତ ଏକ ଷଡଯନ୍ତ୍ର ବୋଲି ମଧ୍ୟ ମଧ୍ୟ ପ୍ରଦେଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଅଭିଯୋଗ କରିଛନ୍ତି । ‘ଆପ୍’ ପକ୍ଷରୁ ମଧ୍ୟ ସମାନ ଅଭିଯୋଗ ହୋଇଛି । ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଗିରଫ କରି ନିର୍ବାଚନ ମଇଦାନରୁ ଦୂରେଇ ରଖିବାକୁ କେନ୍ଦ୍ର ସରକାର ଇଡିକୁ କାମରେ ଲଗାଇଛନ୍ତି ବୋଲି ଦଳ ଅଭିଯୋଗ କରିଛି ।
ଗତକାଲି ମୁମ୍ବାଇର ୱଙ୍ଖେଡ ଷ୍ଟାଡିୟମରେ ଆଇସିସି ଦିନିକିଆ ପୁରୁଷ ବିଶ୍ୱକପ୍ କ୍ରିକେଟରେ ଭାରତ-ଶ୍ରୀଲଙ୍କା ମ୍ୟାଚକୁ ନେଇ କ୍ରିକେଟ-ପ୍ରେମୀଙ୍କ ମଧ୍ୟରେ ଉତ୍କଂଠା ଥିବା ବେଳେ ଦିଲ୍ଲୀରେ ଦୁଇଟି ରାଜନୈତିକ ଘଟଣାକ୍ରମକୁ ନେଇ ରାଜନୈତିକ ମହଲରେ ଉତ୍କଂଠା ଦେଖିବାକୁ ମିଳିଥିଲା । ଗୋଟିଏ ଥିଲା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଇଡିର ସମନ । ଅନ୍ୟଟି ହେଉଛି, ‘ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଂଚ’ ନେଇଥିବା ଅଭିଯୋଗରେ ଲୋକସଭା ସଦାଚାର କମିଟି ବା ଏଥିକ୍ସ କମିଟିରେ ହାଜର ହେବାକୁ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ହୋଇଥିବା ନୋଟିସ । ମୁଖ୍ୟମନ୍ତ୍ରୀ କେଜରୀୱାଲ ଇଡିରେ ହାଜର ହେଲେ ତାଙ୍କୁ ଦୀର୍ଘ ସମୟ ଜେରା କରାଯିବା ସହ ଗିରଫ କରାଯାଇପାରେ ବୋଲି ଆଶଙ୍କା ଥିଲା । କେଜରୀୱାଲ ଗିରଫ ହେଲେ ଦିଲ୍ଲୀ ରାଜନୈ÷ତିକ ମାହୋଲ କଣ ହେବ ଏବଂ କିଏ ରାଜ୍ୟର ଶାସନ ଦାୟିତ୍ୱ ନେବ – ସେନେଇ ଭିତିରି ଚର୍ଚ୍ଚା ଜୋର ଧରିଥିଲା ।
ଅବଶ୍ୟ, ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଉପ ମୁଖ୍ୟମନ୍ତ୍ରୀ ପଦରେ ଥିବା ଅବସ୍ଥାରେ ଗତ ଫେବୃୟାରୀ ମାସରେ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ ଯାଇଛନ୍ତି । ଜେଲ ଯିବା ପରେ ସେ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ସିସୋଦିଆଙ୍କ ସ୍ଥାନରେ ଅନ୍ୟ କାହାକୁ ଉପ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିନଥିଲେ ମଧ୍ୟ ଦୁଇ ଜଣ ମନ୍ତ୍ରୀ ଜେଲରେ ଥିବାରୁ ସେମାନଙ୍କ ସ୍ଥାନରେ ଦଳର ଦୁଇ ଜଣ ଯୁବ ନେତାଙ୍କୁ ମନ୍ତ୍ରୀ ପଦ ଦେଇ ନିଜେ ଶାସନ କରୁଛନ୍ତି । ଜଣେ ଉପ ମୁଖ୍ୟମନ୍ତ୍ରୀ ଗିରଫ ହୋଇ ଜେଲ ଯିବା ଓ ପଦରୁ ଇସ୍ତଫା ଦେବା ଭିନ୍ନ କଥା । କିନ୍ତୁ, ଜଣେ ମୁୁଖ୍ୟମନ୍ତ୍ରୀ ଓ ଦଳର ମୁଖ୍ୟ ଗିରଫ ହୋଇ ଜେଲ ଗଲେ ଦଳ ଓ ସରକାରକୁ କିଏ ପରିଚାଳନା କରିବ ? ଏହା ହେଉଛି ଆଜି ଦିନର ବଡ ପ୍ରଶ୍ନ । ସେଇଥି ପାଇଁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ଚାରା ଘୋଟାଲା ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲ ଯିବା ସମୟରେ ପତ୍ନୀ ରାବ୍ରୀ ଦେବୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ଥିଲେ । ଆମ୍ ଆଦମୀ ପାର୍ଟି (ଆପ୍)ରେ କେଜରୀୱାଲ କାହାରିକୁ ଦ୍ୱିତୀୟ ଧାଡି ନେତା ଭାବେ ଗଢି ନାହାନ୍ତି, ଯାହାକୁ କି ସେ ମୁଖ୍ୟମନ୍ତ୍ରୀ ଆସନରେ ବସାଇବାକୁ ଭରସା କରି ପାରିବେ ।
ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ସିସୋଦିଆ ନଅ ମାସ ହେଲା ଜେଲରେ ଥିବା ବେଳେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଂଜୟ ସିଂହ ମଧ୍ୟ ଏବେ ଏକ ମାମଲାରେ ଦିଲ୍ଲୀ ଜେଲରେ ଅଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଯଦି ଗତକାଲି ଜେରା ପାଇଁ ଇଡିରେ ହାଜର ହୋଇ ଗିରଫ ହୋଇଥା’ନ୍ତେ ତେବେ ସେ ହୋଇଥା’ନ୍ତେ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ‘ଆପ୍’ର ତୃତୀୟ ବଡ ନେତା । ମୁଖ୍ୟମନ୍ତ୍ରୀ କେଜରୀୱାଲ ଗତକାଲି ଇଡି ସମନକୁ ଏଡାଇ ସାମୟିକ ଭାବେ ଗିରଫଦାରୀକୁ ଟାଳିଛନ୍ତି । ଇଡି ବେଆଇନ ଭାବେ ତାଙ୍କୁ ସମନ କରିଥିବା ଅଭିଯୋଗ କରି ତାହା ପ୍ରତ୍ୟାହାର କରିବାକୁ ଇଡିକୁ ଅନୁରୋଧ କରି ଚିଠି ଲେଖିଛନ୍ତି । ତେବେ, ତାଙ୍କ ମୁଣ୍ଡରେ ଇଡି ଖଣ୍ଡା ସରୁ ସୂତାରେ ଝୁଲି ରହିଛି – ଏଥିରେ କେହି ଦ୍ୱିମତ ହେବାର ନାହିଁ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଗଲା ଏପ୍ରିଲ ମାସରେ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇ ଦୀର୍ଘ ସମୟ ଜେରା କରିଥିଲା । ଇଡି ପିଏମଏଲଏ (ପ୍ରଭେନ୍ସନ ଅଫ୍ ମନିଲଂଡରିଂ ଆକ୍ଟ, ୨୦୦୨ର ଧାରା ୫୦ରେ କେଜରୀୱାଲଙ୍କୁ ସମନ କରିଛି । ପିଏମଏଲଏ ଆଇନର ଏହି ଧାରାରେ ଯେଉଁ ବ୍ୟକ୍ତିଙ୍କୁ ସମନ କରାଯାଏ ସେ ଇଡିରେ ହାଜର ହୋଇ ସମସ୍ତ ପ୍ରଶ୍ନର ଉତ୍ତର (ସଠିକ ଭାବେ) ଦେବାକୁ ଓ ମଗା ଯାଉଥିବା ସମସ୍ତ କାଗଜପତ୍ର ଦାଖଲ କରିବାକୁ ବାଧ୍ୟ ।
ଇଡି ପକ୍ଷରୁ ଗତ ବର୍ଷ ଜାନୁୟାରୀ ମାସରେ ଦିଲ୍ଲୀର ଏକ କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଅଭିଯୋଗ କରାଯାଇଛି, ମୁଖ୍ୟମନ୍ତ୍ରୀ କେଜରୀୱାଲ ନୂଆ ଅବକାରୀ ନୀତି (ପ୍ରତ୍ୟାହାର ହୋଇ ସାରିଛି)ର ମୁଖ୍ୟ ସୂତ୍ରଧର ଥିବା ଜଣେ ଅଭିଯୁକ୍ତ ସମୀର ମହେନ୍ଦ୍ରୁଙ୍କ ବୟାନରୁ ସ୍ପଷ୍ଟ ହୋଇଛି । କେଜରୀୱାଲ ମହେନ୍ଦ୍ରୁଙ୍କ ସହିତ ହୋଇଥିବା ଏକ ଭିଡ଼ିଓ କଲ୍ରେ କୁଆଡେ କହିଥିଲେ, ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା ବିଜୟ ନାୟାର (‘ଆପ୍’ର ଗଣଯୋଗାଯୋଗ ଦାୟିତ୍ୱରେ ଥିଲେ) ହେଉଛନ୍ତି ତାଙ୍କ ପୁଅ ଭଳି । ତେଣୁ, ନାୟାରଙ୍କ ସହ ଯୋଗାଯୋଗ ରୁହନ୍ତୁ । ନାୟାର ମଧ୍ୟ ମହେନ୍ଦ୍ରୁଙ୍କୁ କୁଆଡେ କହିଛନ୍ତି – ଦିଲ୍ଲୀର ନୂତନ ଅବକାରୀ ନୀତି ହେଉଛି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ‘ମାନସପୁତ୍ର’ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ନିକଟରେ ମହେନ୍ଦ୍ରୁ ଦେଇଥିବା ଏହି ସ୍ୱୀକାରୋକ୍ତି ଆଧାରରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ସମନ କରିଛି । ଜଣେ ଅଭିଯୁକ୍ତର ବୟାନ ଆଧାରରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଜେରା ପାଇଁ ସମନ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଆମ୍ ଆଦମୀ ପାର୍ଟି (ଆପ୍) ପ୍ରଶ୍ନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କେଜରୀୱାଲ ମଧ୍ୟ ଇଡି ସମନକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହଛନ୍ତି ।
ସମନ ପ୍ରତ୍ୟାହାର କରି ନେବାକୁ କେଜରୀୱାଲ ଇଡିକୁ ଯେଉଁ ଚିଠି ଲେଖିଛନ୍ତି ତାହାକୁ ଇଡି ଗୁରୁତ୍ୱ ଦେବା ସମ୍ଭାବନା କ୍ଷୀଣ । କେଜରୀୱାଲ ନଭେମ୍ବର ଦୁଇ ତାରିଖ ସମନକୁ ଏଡାଇ ଯାଇ ଥିବାରୁ ଇଡିର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କଣ ହେବ (?) – ସେନେଇ ତର୍ଜମା ଆରମ୍ଭ ହୋଇଯାଇଛି । ମିଳୁଥିବା ସୂଚନା ପ୍ରକାରେ ଇଡି ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ପୁନର୍ବାର ସମନ କରିବ ଏବଂ ସେ ବାରମ୍ବାର ସମନକୁ ଏଡାଇ ଗଲେ ଯେଉଁ କୋର୍ଟରେ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ଚାର୍ଜସିଟ୍ ଦାଖଲ ହୋଇଛି ସେହି କୋର୍ଟରେ ଆବେଦନ କରି କେଜରୀୱାଲଙ୍କ ବିରୋଧରେ ଏକ ଜାମିନ-ବିହୀନ ଗିରଫ ପରୱାନା ଆଣି ପାରିବ । ନହେଲେ, ଇଡି ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଂଚି ତାଙ୍କୁ ଜେରା କରି ପାରିବେ ଏବଂ କିଛି ପ୍ରମାଣଯୋଗ୍ୟ ତଥ୍ୟ ମିଳିଲେ ଜେରା କରିବା ପରେ ତାଙ୍କୁ ଗିରଫ କରି ପାରିବ । ଏଭଳି ଅନେକ ସମ୍ଭାବନା ଥିବା ଦୃଷ୍ଟିରୁ କେଜରୀୱାଲଙ୍କ ମୁଣ୍ଡରେ ଯେ ଡେମୋକ୍ଲିସଙ୍କ ଖଣ୍ଡା ଝୁଲିଛି – ତାହା ଅତି ସ୍ପଷ୍ଟ । ଜେଲ ଯିବାକୁ ସେ ଡରନ୍ତି ନାହିଁ ବୋଲି କେଜରୀୱାଲ ଯେତେ କହନ୍ତୁ ନା କାହିଁକି ମନୀଷ ସିସୋଦିଆଙ୍କ ଅବସ୍ଥା ଦେଖିବା ପରେ ଜେଲ ନାଁ ଶୁଣି ତାଙ୍କର ମଧ୍ୟ ହୃତକଂପ ହେଉଥିବ – ଏଥିରେ କିଛି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS