ଛତିଶଗଡ ନିର୍ବାଚନ, ବାଘେଲା ଓ ମହାଦେବ ବେଟିଂ ଆପ୍…


ପ୍ରସାଦ ରାଓ
ନଭେମ୍ବର ୦୬
୨୦୨୩ ନଭେମ୍ବର ୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଦେଶର ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । କାଲି ଛତିଶଗଡରୁ ଏହି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉଛି । ଛତିଶଗଡ ଏକ ମାଓ ଅଧ୍ୟୁଷିତ ରାଜ୍ୟ ହୋଇଥିବାରୁ ରାଜ୍ୟରେ ଦୁଇ ପର୍ଯ୍ୟାୟରେ ମତଦାନ କରାଇବାକୁ ଭାରତୀୟ ନିର୍ବାଚନ ଆୟୁକ୍ତ (ଇସି) ନିଷ୍ପତ୍ତି ନେଇଛନ୍ତି । କାଲି (୭ ତାରିଖ) ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୯୦ବିଧାନସଭା ଆସନ ମଧ୍ୟରୁ ୨୦ଟି ଆସନରେ ଭୋଟ ହେବ । ଅନ୍ୟ ଆସନଗୁଡିକ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୭ତାରିଖ ମତଦାନର କାର୍ଯ୍ୟକ୍ରମ ରହିଛି । କାଲି ମତଦାନ ହେବାକୁ ଥିବା ୨୦ ବିଧାନସଭା କ୍ଷେତ୍ରରୁ କିଛି ଆସନରେ ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ହେବ । ଆଉ କିଛି ଆସନରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ କରାଯିବାକୁ ସ୍ଥିର ହୋଇଛି ।
ଛତିଶଗଡରେ କଂଗ୍ରେସ ସରକାର ରହିଛି । କଂଗ୍ରେସ ଦଳ ପୁନଃ କ୍ଷମତାକୁ ଆସିବା ସକାଶେ ଭୋଟରଙ୍କୁ ପ୍ରଭାବିତ କରିବାରେ ବ୍ୟସ୍ତ ଥିବା ବେଳେ ବିଜେପି ୨୦୨୩ରେ କ୍ଷମତା ଦଖଲ ପାଇଁ ସମସ୍ତ କୌଶଳ ପ୍ରୟୋଗ କରୁଛି । ରାଜ୍ୟରେ ଗଲା ପାଂଚ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲାଙ୍କ ସରକାର ରହିଛି । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା କମି ନଥିବା ମଧ୍ୟ ବିଭିନ୍ନ ସର୍ଭେ ରିପୋର୍ଟରୁ ସୂଚନା ମିଳୁଛି । ପ୍ରଥମ ପର୍ଯ୍ୟାୟ ମତଦାନର ଠିକ୍ ଚାରି ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ଥିବା ତଦନ୍ତକାରୀ ସଂସ୍ଥା ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଛତିଶଗଡ ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ବିରୋଧରେ ଗୁରୁତର ଆର୍ଥିକ ଦୁନୀତି ଅଭିଯୋଗ ଆଣିବା ଏବଂ ସେହି ଅଭିଯୋଗ ଆଧାରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ବିଜେପି ନେତାମାନେ ନିର୍ବାଚନ ସଭାମାନଙ୍କରେ ଭାଷଣ ଦେଇ କଠୋର ସମାଲୋଚନା କରିବା ଛତିଶଗଡ ରାଜନୀତିକୁ ସରଗରମ କରିଛି ।
ଛତିଶଗଡ ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ବିରୋଧରେ ଇଡି ଗତ ୩ ତାରିଖ ଦିନ ୫୦୮ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆଣିଛି । ନିକଟରେ ବେଆଇନ ଘୋଷିତ ଦୁବାଇ ଭିତ୍ତିକ ‘ମହାଦେବ ଅନ୍-ଲାଇନ ବେଟିଂ ଆପ୍’ ପ୍ରତିଷ୍ଠାତାଙ୍କଠାରୁ ମୁଖ୍ୟମନ୍ତ୍ରୀ ବାଘେଲା ଏହି ୫୦୮ କୋଟି ଟଙ୍କା ନେଇଥିବାର ବଳିଷ୍ଠ ପ୍ରମାଣ ହସ୍ତଗତ ହୋଇଛି ବୋଲି ଇଡି ଦାବି କରୁଛି । ନଭେମ୍ବର ୨ ତାରିଖ ଦିନ ଛତିଶଗଡରେ ଇଡି ଚଢାଉ ହୋଇଥିଲା ଏବଂ ନଗଦ ୫.୩୯ କୋଟି ଟଙ୍କା ଜବତ କରାଯିବା ସହ ‘ମହାଦେବ ଆପ୍’ର ଅର୍ଥବହାକ ଅସୀମ ଦାସ ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଅସୀମ ଦାସ କୁଆଡେ ଇଡିକୁ କହିଛନ୍ତି, ୟୁଏଇରେ ରହୁଥିବା ‘ମହାଦେବ ଅନ୍-ଲାଇନ ବେଟିଂ ଆପ୍’ ପ୍ରତିଷ୍ଠାତାମାନେ ରାଜ୍ୟ କଂଗ୍ରେସକୁ ନିର୍ବାଚନ ପରିଚାଳନା ସହାୟତା ଆକାରରେ ଏହି ଟଙ୍କା ପଠାଇ ଥିଲେ ଏବଂ ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ନିକଟରେ ତାହା ପହଂଚାଇ ଦେବାକୁ କହିଥିଲେ । ପୂର୍ବରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ନଗଦ ଟଙ୍କା ପୈଠ ହୋଇଛି ।
ନଭେମ୍ବର ୭ ତାରିଖରୁ ରାଜ୍ୟରେ ଦୁଇ ପର୍ଯ୍ୟାୟରେ ବିଧାନସଭା ଭୋଟ ହେବାକୁ ଥିବା ବେଳେ ୨ ତାରିଖ ଦିନ ଇଡି ଛତିଶଗଡରେ ଚଢାଉ କରି ୫.୩୯ କୋଟି ଟଙ୍କା ଜବତ କରିବା, ଅସୀମ ଦାସ ନାମକ ଅର୍ଥବାହକଙ୍କୁ ଗିରଫ କରି ତାଙ୍କଠାରୁ ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ବିରୋଧରେ ସ୍ୱୀକାରୋକ୍ତି ଆଦାୟ କରିବା ଏବଂ ଜଣେ ଅଭିଯୁକ୍ତର ବୟାନକୁ ଆଧାର କରି ଇଡି ଯେଉଁ ତଦନ୍ତ ଆରମ୍ଭ କରିଛି ତାହା ସଂପୂର୍ଣର୍ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିର ଅନ୍ୟ ବରିଷ୍ଠ ନେତାମାନେ ଛତିଶଗଡରେ ଆୟୋଜିତ ନିର୍ବାଚନ ସଭାଗୁଡିକରେ ମୁଖ୍ୟମନ୍ତ୍ରୀ ବାଘେଲାଙ୍କୁ ଟାର୍ଗେଟ୍ କରିବା କେବଳ ଏକ ସଂଯୋଗ କୁହାଯିବ ନା ଭୋଟ ପୂର୍ବରୁ ବାଘେଲାଙ୍କୁ ନିନ୍ଦିତ କରିବାକୁ ଏକ ଷଡଯନ୍ତ୍ର କୁହାଯିବ – ତାହା ଆଜି ଦିନରେ ବଡ ପ୍ରଶ୍ନ ହୋଇଛି ।
ଇଡି ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ବାଘେଲା ତୁରନ୍ତ ଖଣ୍ଡ କରିଛନ୍ତି । ତାଙ୍କ ଛବିକୁ ଖରାପ କରିବା ପାଇଁ ଏହା ଷଡଯନ୍ତ୍ର ବୋଲି କହିଛନ୍ତି । ବିଜେପି ଏହି ଷଡଯନ୍ତ୍ର କରିଥିଲେ ମଧ୍ୟ ସଫଳ ହେବ ନାହିଁ ବୋଲି ଦୃଢ ଭାବେ ଦାବି କରିଛନ୍ତି । ବିଜେପି ଇଡି, ଆଇଟି, ଡିଆରଆଇ ଓ ସିବିଆଇର ସହଯୋଗରେ ରାଜ୍ୟରେ ନିର୍ବାଚନ ଲଢିବାକୁ ଚାହୁଁଥିବା ଅଭିଯୋଗ କରି ବିଜେପିର କୌଣସି ଚାଲ୍ କାମ ଦେବ ନାହିଁ ବୋଲି କହିଛନ୍ତି । ୟୁଏଇ ଭିତ୍ତିକ ବେଆଇନ ‘ମହାଦେବ ବେଟିଂ ଆପ୍’ର ପ୍ରତିଷ୍ଠାତାଙ୍କଠାରୁ ରାଜ୍ୟ କଂଗ୍ରେସ ମୋଟା ଅଂକର ନିର୍ବାଚନୀ ଚାନ୍ଦା ନେଇଥିବା ଇଡି ଠିକ୍ ନିର୍ବାଚନ ତାରିଖ ପୂର୍ବରୁ ଯେଉଁ ଅଭିଯୋଗ ଆଣିଛି ତାହା ମୁଖ୍ୟମନ୍ତ୍ରୀ ବାଘେଲା କୌଣସି ପ୍ରକାର ବିବ୍ରତ କରିନଥିବା ରାୟପୁରରୁ ମିଳୁଥିବା ଖବରରୁ ଜଣାପଡିଛି । ଆଜି ସକାଳେ ମୁଖ୍ୟମନ୍ତ୍ରୀ ବାଘେଲା ରାୟପୁରରେ କହିଛନ୍ତି, ରାଜ୍ୟରେ ବିଧାନସଭା ମତଦାନର ଠିକ୍ ଚାରି ଦିନ ପୂର୍ବରୁ ଇଡି ତାଙ୍କ ବିରୋଧରେ ଏଭଳି ଗୁରୁତର ଦୁର୍ନୀତି ଅଭିଯୋଗ ଅଣିବା କଥାରୁ ବିଜେପି ଇଡିକୁ ଅସ୍ତ୍ର କରି ତାଙ୍କୁ ଓ ତାଙ୍କ ସରକାରକୁ ନିନ୍ଦିତ କରିବା ଉଦ୍ୟମରେ ଥିବା ସ୍ପଷ୍ଟ ହେଉଛି । ତାଙ୍କ ସମର୍ଥକ ଓ ମତଦାତାଙ୍କ ଭାବମୂର୍ତ୍ତୀ ନଷ୍ଟ କରିବା ଦିଗରେ ଏହା ଏକ ସୁଚିନ୍ତିତ ଯୋଜନା ।
ନିର୍ବାଚନ କମିଶନ ଏହାକୁ ସଂଜ୍ଞାନରେ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା । କିନ୍ତୁ ତାହା କରାଯାଇ ନଥିବା ଆଶ୍ଚର୍ଯ୍ୟର ବିଷୟ । କଂଗ୍ରେସ ପକ୍ଷରୁ ଏନେଇ ନିର୍ବାଚନ କମିଶନରେ ଅଭିଯୋଗ କରାଯିବ ଓ ସରକାରଙ୍କ ଭାବମୂର୍ତ୍ତୀ ନଷ୍ଟ କରିବା ପାଇଁ ହୋଇଥିବା ଷଡଯନ୍ତ୍ରର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ବାଘେଲା କହିଥିବା ବେଳେ ଇଡି ପକ୍ଷରୁ ହୋଇଥିବା ଅଭିଯୋଗ ଏବଂ ନିଜକୁ ‘ମହାଦେବ ବେଟିଂ ଆପ୍’ର ପ୍ରକୃତ ମାଲିକ ବୋଲି ଦାବି କରି କରୁଥିବା ଅଭିଯୁକ୍ତ ଶୁଭମ ସୋନୀ ଦ୍ୱାରା ଜାରି ଭିଡ଼ିଓକୁ ନେଇ ସର୍ବସାଧାରଣ କରାଯିବାର ସମୟକୁ ନେଇ ରବିବାର ଦିନ ବାଘେଲା ପ୍ରଶ୍ନ ଉଠାଇଥିଲେ । ଶୁଭମ ସୋନୀ ଦ୍ୱାରା ଜାରି ଭିଡ଼ିଓରେ ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ପରାମର୍ଶକ୍ରମେ ସେ ଦୁବାଇ ସ୍ଥାନାନ୍ତର ହୋଇଥିବା ଏବଂ ଏଥିସକାଶେ ବାଘେଲାଙ୍କୁ ୫୦୮ କୋଟି ଟଙ୍କା ଦେଇଥିବା କୁହାଯାଇଛି ।
ବାଘେଲା ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି । କେନ୍ଦ୍ର ସରକାର ଏବେ ଇଡି ଅନୁରୋଧରେ ଅନ୍ୟ ୨୧ଟି ଆପ୍ ସହ ‘ମହାଦେବ ଆପ୍’କୁ ନିଷିଦ୍ଧ କଲେ । ଆଗରୁ କରିନଥିଲେ କାହିଁକି (?) ବୋଲି ମୁଖ୍ୟମନ୍ତ୍ରୀ ବାଘେଲା ପ୍ରଶ୍ନ କରିଥିବା ବେଳେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି (ଆଇଟି) ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପାଲଟା ପ୍ରଶ୍ନ କରିଛନ୍ତି, ଛତିଶଗଡ ସରକାର ଏନେଇ ପୂର୍ବରୁ କୌଣସି ପ୍ରସ୍ତାବ ଦେଇନଥିଲେ କାହିଁକି ? ‘ମହାଦେବ ଆପ୍’କୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ କଥା କଟାକଟି ଜୋର ଧରିଥିବା ବେଳେ ରାଜ୍ୟର ମତଦାତା କାଲି ପ୍ରଥମ ପର୍ଯ୍ୟାୟ ମତଦାନ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ବାଘେଲା ତାଙ୍କ ଲୋକପ୍ରିୟତା ସହ ବିଭିନ୍ନ ଜନପ୍ରିୟ କାର୍ଯ୍ୟକ୍ରମକୁ ନେଇ ମତଦାତାଙ୍କ ନିକଟକୁ ଯାଇଥିବା ବେଳେ ବିଜେପି ବାଘେଲା ସରକାରଙ୍କୁ ଦୁର୍ନୀତିଗ୍ରସ୍ତ କହି କ୍ଷମତା ହାତେଇବାକୁ ଯେଉଁ କୌଶଳ ପ୍ରୟୋଗ କରିଛି ତାହା ଛତିଶଗଡ ମତଦାତାଙ୍କୁ ବିଜେପି ସପକ୍ଷରେ ପ୍ରଭାବିତ କରିବାରେ କେତେ ସଫଳ ହେବ ତାହା ଡିସେମ୍ବର ୩ ତାରିଖରେ ଫଳାଫଳ ପ୍ରକାଶ ପାଇଲେ ସ୍ପଷ୍ଟ ହେବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS