ବାଣଫୁଟା କଟକଣା ଓଡ଼ିଶାରେ କଡାକାଡି କାର୍ଯ୍ୟକାରୀ ହେବ ତ ?
ପ୍ରସାଦ ରାଓ
ନଭେମ୍ବର ୦୮
ପ୍ରତି ବର୍ଷ ଦୀପାବଳି ସମୟରେ ବାୟୁ ଓ ଶବ୍ଦ ପ୍ରଦୂଷଣ କଥା ଚର୍ଚ୍ଚାକୁ ଆସିଥାଏ । ପ୍ରଦୂଷଣକୁ ରୋକିବା ସକାଶେ ସରକାରୀ ଭାବେ ବିଭିନ୍ନ କଟକଣା ଘୋଷଣା ହୋଇଥାଏ । ତେବେ, ଦୀପାବଳି ଦିନ କଟକଣା ସବୁ କୁଆଡେ ଉଭେଇ ଯାଏ । ବାୟୁ ଓ ଶବ୍ଦ ପ୍ରଦୂଷଣକାରୀ ବାଣ ଏମିତି ଫୁଟେ ଯେ ସେଥିରୁ ବର୍ତ୍ତିବା ପାଇଁ ଲୋକେ କବାଟ କିଳି ଘର ଭିତରେ ରହିବାକୁ ବାଧ୍ୟ ହୋଇଥାଆନ୍ତି । ଗତ ବର୍ଷ ଦୀପାବଳିରେ ପ୍ରଚଣ୍ଡ ଶବ୍ଦ ଓ ବ୍ୟାପକ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ବିକ୍ରି ଓ ବ୍ୟବହାର ଉପରେ ସୁପ୍ରିମ କୋର୍ଟ ନିଷେଧାଦେଶ ଜାରି କରିଥିଲେ । ରାଜ୍ୟ ସରକାର ମଧ୍ୟ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ବିକ୍ରିକୁ ନିଷିଦ୍ଧ କରି କେବଳ ଗ୍ରୀନ୍ କ୍ରାକର ବିକ୍ରି ଓ ବ୍ୟବହାରକୁ ଅନୁମତି ଦେଇଥିଲେ । ସେହି ଅନୁସାରେରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନମାନେ ବାଣ ବିକ୍ରେତାଙ୍କୁ କେବଳ ଗ୍ରାନ୍ କ୍ରାକର ବିକ୍ରି ପାଇଁ ଲାଇସେନ୍ସ ପ୍ରଦାନ କରିଥିଲେ । ତେବେ, ଦୀପାବଳି ଦିନ ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ଯେଉଁ ଭଳିଓ ଯେଉଁ ପରିମାଣରେ ପ୍ରଚଣ୍ଡ ଶବ୍ଦ ଓ ପ୍ରଦୂଷଣ ସୃଷ୍ଟିକାରୀ ବାଣ ସବୁ ଫୁଟିଲା ସେସବୁ କେଉଁଠୁ ଆସି ଥିଲା, ସେନେଇ କେବେ ଯାଂଚ ହୋଇ ନାହିଁ ।
ରାଜଧାନୀ ଭୁବନେଶ୍ୱରରୁ ସରକାର ସମଗ୍ର ରାଜ୍ୟକୁ ନିୟନ୍ତ୍ରଣ କରୁଥିବା ବେଳେ ରାଜଧାନୀ ମଧ୍ୟ ଏଭଳି ପ୍ରଦୂଷଣରୁ ବାଦ୍ ପଡି ନଥିଲା । ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ରାଜ୍ୟ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଏମିତି ଆଖିବୁଜି ରହିଥିଲେ ଯେ ସୁପ୍ରିମ କୋର୍ଟଙ୍କ ଆଡୁ କିଛି କଟକଣା ଓ ନିର୍ଦେଶନାମା ଜାରି ହୋଇଛି, ତାହା ସେଦିନ ଅନୁଭବ ହୋଇନଥିଲା । ସମଗ୍ର ରାଜଧାନୀ ଧୁଳି ଓ ଧୂଆଁରେ ଭରି ଯାଇଥିଲା । ରାତି ୧୦ଟା ପରେ ବାଣ ଫୁଟା ନିଷିଦ୍ଧ ନିର୍ଦେଶନାମାକୁ ମଧ୍ୟ ଅନେକ ଫୁ’ କରି ଉଡାଇ ଦେଇଥିଲେ । ଚଳିତ ବର୍ଷ ପୁଣି ଥରେ ଦୀପାବଳି ପୂର୍ବରୁ ସୁପ୍ରିମ କୋର୍ଟଙ୍କ ଏକାଭଳି ନିର୍ଦେଶନାମା ଜାରି ହୋଇଛି । ଦିଲ୍ଲୀ ଏନସିଆରରେ ମାତ୍ରାଧିକ ପ୍ରଦୂଷଣ କାରଣରୁ ଗତବର୍ଷ ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ଉପରେ ଯେଉଁ କଟକଣା ଜାରି ହୋଇଥିଲା ତାହା କେବଳ ସେହି ଅଂଚଳ ପାଇଁ ଉଦ୍ଦିଷ୍ଟ ନଥିଲା, ସମଗ୍ର ଦେଶ ପାଇଁ ଉଦ୍ଦିଷ୍ଟ ଥିଲା । ଚଳିତ ବର୍ଷ ମଧ୍ୟ ସୁପ୍ରିମ କୋର୍ଟଙ୍କ ନିର୍ଦେଶନାମା କେବଳ ଦିଲ୍ଲୀ ଏନସିଆର ପାଇଁ ନୁହେଁ, ସବୁ ରାଜ୍ୟ ପାଇଁ ଉଦ୍ଦିଷ୍ଟ ବୋଲି ସୁପ୍ରିମ କୋର୍ଟ ମଂଗଳବାର ଦିନ ସ୍ପଷ୍ଟ କରିଛନ୍ତି । ପ୍ରଦୂଷଣକାରୀ ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାରକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିଷିଦ୍ଧ କରିବା ସହ କେବଳ ଗ୍ରାନ୍ କ୍ରାକର ବ୍ୟବହାରକୁ ଅନୁମତି ଦେଇଛନ୍ତି ।
ତାହା ମଧ୍ୟ ସୀମିତ ଅଂଚଳରେ ପ୍ରଭାବ ପକାଇଲା ଭଳି ବାଣ ହୋଇଥିବା ଆବଶ୍ୟକ । ରାତି ୧୦ଟା ପର୍ଯ୍ୟନ୍ତ ଏହି ଧରଣର ବାଣ ଫୁଟାଇ ହେବ । ରାଜ୍ୟ ସରକାରମାନେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିବା ଦିଗରେ ପଦକ୍ଷେପ ନେବାକୁ ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏ.ଏସ.ବୋପାନ୍ନା ଓ ଜଷ୍ଟିସ ଏମ.ଏମ.ସୁନ୍ଦରେଶଙ୍କୁ ନେଇ ଗଠିତ ବେଂଚ ନିର୍ଦେଶ ଦେଇଛନ୍ତି । ରାଜସ୍ଥାନରେ ବାୟୁ ଓ ଶବ୍ଦ ପ୍ରଦୂଷଣ ରୋକିବା ସକାଶେ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଉ ବୋଲି ହୋଇଥିବା ଏକ ଆବେଦନ ଉପରେ ବିଚାର କରି ମଂଗଳବାର ଦିନ ସୁପ୍ରିମ କୋର୍ଟ ବେଂଚ ଏହି ନିର୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟ ପୂର୍ବରୁ ଯେଉଁ ନିର୍ଦେଶ ଦେଇଛନ୍ତି ତାହା କେବଳ ଦିଲ୍ଲୀ ଏନସିଆର ଅଂଚଳରେ ଲାଗୁ ପାଇଁ ଉଦ୍ଦିଷ୍ଟ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଛି ତାହା ଦୂର କରିବା ସକାଶେ ସର୍ବୋଚ୍ଚ ନ୍ୟାୟାଳୟ ଏକ ସ୍ପଷ୍ଟ ନିର୍ଦେଶନାମା ଜାରି କରିବାକୁ ଆବେଦନକାରୀ କୋର୍ଟଙ୍କୁ ନିବେଦନ କରିଥିଲେ । ତେବେ, ସୁୁପ୍ରିମ କୋର୍ଟ ବେଂଚ କହିଛନ୍ତି, ବାୟୁ ଓ ଶବ୍ଦ ପ୍ରଦୂଷଣକୁ ରୋକିବା ସକାଶେ ବିଭିନ୍ନ ସମୟରେ ସର୍ବାଚ୍ଚ ନ୍ୟୟାଳୟରେ ଆବେଦନ ହୋଇଛି ଏବଂ ସର୍ବୋଚ୍ଚ ନ୍ୟାୟାଳୟ ତାହାର ଶୁଣାଣୀ କରି ବିଭିନ୍ନ ସମୟରେ ବିଭିନ୍ନ ନିର୍ଦେଶନାମା ଜାରି କରିଛନ୍ତି । ତେଣୁ, ରାଜସ୍ଥାନକୁ ନେଇ ହୋଇଥିବା ଆବେଦନ ଉପରେ ବେଂଚ ନିର୍ଦ୍ଦିଷ୍ଟ ଭାବେ ଏକ ନିର୍ଦେଶନାମା ଜାରି କରିବା ଆବଶ୍ୟକ ବୋଲି ଅନୁଭବ କରୁନାହାନ୍ତି ।
ସୁପ୍ରିମ କୋର୍ଟ ବାଣ ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ଉପରେ ପୂର୍ବରୁ ଯେଉଁ ନିର୍ଦେଶନାମା ଜାରି କରିଛନ୍ତି ତାହା କୌଣସି ନିଦ୍ଦିଷ୍ଟ ରାଜ୍ୟ ବା ଅଂଚଳ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ ଉଦ୍ଦିଷ୍ଟ । କେବଳ ପାର୍ବଣ ଋତୁରେ ନୁହେଁ, ଅନ୍ୟ ସମୟରେ ମଧ୍ୟ ବାୟୁମଣ୍ଡଳ ପ୍ରଦୂଷଣ ଓ ଶବ୍ଦ ପ୍ରଦୂଷଣକୁ ସର୍ବନିମ୍ନସ୍ତରରେ ରଖିବା ଦିଗରେ ପଦକ୍ଷେପ ନିଆଯିବା ଆବଶ୍ୟକ । ଏହା କେବଳ ଅଦାଲତଙ୍କ କାର୍ଯ୍ୟ ନୁହେଁ, ସମସ୍ତେ ଏନେଇ ଉଦବିଗ୍ନ ହେବା ଓ ପଦକ୍ଷେପ ନେବା ଆବଶ୍ୟକ । ସୁପ୍ରିମ କୋର୍ଟଙ୍କ ଏହି ନିର୍ଦେଶନାମାକୁ ଅଧିକାଂଶ ସ୍ୱାଗତ କରିଥିବା ବେଳେ କିଛି ଲୋକ ଦ୍ୱିମତ ପ୍ରକାଶ କରୁଛନ୍ତି । ତେବେ, ସର୍ବୋଚ୍ଚ ନ୍ୟାୟାଳୟ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ଏକ ନିର୍ଦେଶନାମା ଜାରି କରିଥିବାରୁ ତାହାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ଦାୟିତ୍ୱ ହେଉଛି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କର । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ଓଡ଼ିଶା ସରକାର କଡାକଡି ଭାବେ କାର୍ଯ୍ୟକାରୀ କରିବେ ନା ଗତ ବର୍ଷ ଭଳି ଆସନ୍ତା ଦୀପାବଳିରେ ମଧ୍ୟ ଆଖି ବୁଜି ଦେବେ, ତାହା ଦେଖିବା ସମୟ ଆସୁଛି ।
ପଂଜାବରୁ ବଂଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି ଧୁଳିର ଚାଦର !
ଦିଲ୍ଲୀ ଏନସିଆର ଅଂଚଳରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ଗମ୍ଭୀର ସ୍ଥିତିରେ ପହଂଚିଛି ଯେ ଦିଲ୍ଲୀ ସରକାର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଯାନବାହନ ଚଳାଚଳ ଓ ନିର୍ମାଣ କାର୍ଯ୍ୟ ଉପରେ କଟକଣା ଜାରି କରିବା ସହ ଶିକ୍ଷାନୁଷ୍ଠାନରେ ପାଠପଢା ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି । ଦିଲ୍ଲୀରେ ଯାନବାହନ ସଂଖ୍ୟା ବୃଦ୍ଧି କାରଣରୁ ସେଥିରୁ ନିର୍ଗତ ପରିବେଶ ପ୍ରତିକୂଳ ଅଂଗାରକାମ୍ଳ ପ୍ରଦୂାଷଣକୁ ଚରମରେ ପହଂଚାଉଛି । ଏହାଛଡା ପଡୋଶୀ ରାଜ୍ୟ ପଂଜାବ ଓ ହରିୟାଣାରେ ଫସଲ କଟା ପରେ ଚାଷ ଜମିରେ ରହି ଯାଉଥିବା ଥୁଂଟା ସବୁକୁ ପୋଡିବା ପାଇଁ ନିଆଁ ଲଗାଉ ଥିବାରୁ ଦିଲ୍ଲୀ ସମେତ ଆଖପାଖ ଅଂଚଳରେ ଧୂଆଁ ଓ ଧୁଳିର ଚାଦର ଛାଇ ଯାଉଛି । ଏହି ବିଷାକ୍ତ ଧୁଳି ଓ ଧୂଆଁର ଚାଦର ପାକିସ୍ତାନରୁ ବଂଗୋପସାଗର ପର୍ଯ୍ୟନ୍ତ ଆଚ୍ଛାଦିତ ରହିଥିବା ‘ନାସା’ ସାଟେଲାଇଟ୍ ଚିତ୍ରରୁ ସ୍ପଷ୍ଟ ହୋଇଛି ।
ଅକ୍ଟୋବର ୨୯ ତାରିଖରୁ ଫାର୍ମ ଫାୟାର (ଚାଷ ଜମିରେ କରାଲି ପୋଡ) ୭୪୦ ପ୍ରତିଶତ ବୃଦ୍ଧି ପାଇଥିବା ଏବଂ ଅକ୍ଟୋବର ୨୯ ତାରିଖ ଗୋଟିଏ ଦିନରେ ସର୍ବାଧିକ ୧୦୬୮ଟି ଚାଷ ଜମିରେ ନିଆଁ ଲାଗିଥିବା ନାସା ରେକର୍ଡ କରିଛି । ଫଳରେ, ଦିଲ୍ଲୀ ଓ ଆଖପାଖ ଅଂଚଳରେ ଆଜି ସକାଳେ ଏୟାର କ୍ୱାଲିଟି ଇଂଡେକ୍ସ ୫୦୦ ରହିଛି । ଯାହାକି ଅତ୍ୟନ୍ତ ଉଦ୍ବେଗଜନକ । କରାଲି ପୋଡିକୁ କେମିତି ରୋକି ହେବ ସେନେଇ କେନ୍ଦ୍ର ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି ଦିଲ୍ଲୀ, ପଂଜାବ, ହରିୟାଣା, ୟୁପି ଓ ରାଜସ୍ଥାନ ସରକାରଙ୍କୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି । ବାୟୁ ପ୍ରଦୂଷଣ ଏଭଳି ଗମ୍ଭୀର ସ୍ଥିତିରେ ପହଂଚିଛି ଯେ ତାହା ଶ୍ୱାସରୁଦ୍ଧ କରି ଦେଉଛି, ଯାହାକି ଜନସାଧାରଣଙ୍କ ସ୍ୱାସ୍ଥ୍ୟକୁ ହତ୍ୟା କରିବା ସଦୃଶ । ଅଦାଲତ ଏହାକୁ ନେଇ ରାଜନୀତି କରିବାକୁ ସୁଯୋଗ ଦେବେ ନାହିଁ ବୋଲି ସୁପ୍ରିମ କୋର୍ଟ ଚେତାଇ ଦେଇଛନ୍ତି ।
ଏୟାର ପ୍ୟୁରିଫାୟର ବିକ୍ରି ତିନି ହଜାର ପ୍ରତିଶତ ବଢିଛି
ଦିଲ୍ଲୀ ସମତେ ବିଭିନ୍ନ ରାଜ୍ୟରେ ବାୟୁମଣ୍ଡଳ ପ୍ରଦୂଷଣ ଏତେମାତ୍ରାରେ ବୃଦ୍ଧି ପାରିଛି ଯେ ବିଭିନ୍ନ କଂପାନୀର ପ୍ୟୁରିଫାୟର ବିକ୍ରି ତିନି ହଜାର ପ୍ରତିଶତ ବୃଦ୍ଧି ପାଇଥିବା ସୂଚନା ମିଳିଛି । ସ୍ୱିଗି ଇନଷ୍ଟାମାର୍ଟ ତାହାର ଏୟାର ପ୍ୟୁରିଫାୟର ବିକ୍ରି ୩,୨୩୩ ପ୍ରତିଶତ ବୃଦ୍ଧି ପାଇଥିବା ସୂଚିତ କରିଥିବା ବେଳେ ଫିଲିପ୍ସ, କେଂଟ୍ ଆରଓ, ସିଓମି, ଡାଇକିନ, ହାଭେଲ୍ସ ପ୍ରଭୃତି କଂପାନୀ ମଧ୍ୟ ଆଗକୁ ସେମାନଙ୍କ ବ୍ୟବସାୟ ବହୁ ଗୁଣ ବୃଦ୍ଧି ପାଇବା ନେଇ ଆଶାବାଦୀ ଥିବା ଜଣାପଡିଛି । ବାୟୁ ପ୍ରଦୂଷଣ ବୃଦ୍ଧି ସହ ଲୋକଙ୍କ ମଧ୍ୟରେ ନିଜ ସ୍ୱାସ୍ଥ୍ୟକୁ ସଚେତନାତା ବଢିବା କାରଣରୁ ଏୟାର ପ୍ୟୁରିଫାୟର ବିକ୍ରି ବଢୁଥିବା ସେମାନେ କହିଛନ୍ତି । ଦିଲ୍ଲୀ ଏନସିଆର ସହ ମୁମ୍ବାଇ ଓ ବିଭିନ୍ନ ପୂର୍ବାଂଚଳ ରାଜ୍ୟରୁ ମଧ୍ୟ ଲୋକମାନେ ଏୟାର ପ୍ୟୁରିଫାୟର ପାଇଁ କଂପାନୀମାନଙ୍କ ସହ ଯୋଗାଯୋଗ କରୁଥିବା ସୂଚନା ମିଳୁଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶାର ସାତଟି ସହରକୁ ପ୍ରମୁଖ ପ୍ରଦୂଷିତ ସହର ଭାବେ ଚିହ୍ନଟ କରିଛି । ରାଜଧାନୀ ଭୁବନେଶ୍ୱର ରାଜ୍ୟର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଅଗ୍ରଭାଗରେ ରହିଛି । ପ୍ରଦୂଷଣ ନିୟନ୍ତ୍ରଣ ପ୍ରତି ସରକାର ତୁରନ୍ତ ସଜାଗ ନହେଲେ ଭୁବନେଶ୍ୱରରେ ଦିଲ୍ଲୀ ଏନସିଆର ଅବସ୍ଥା ସୃଷ୍ଟି ହେବାକୁ ଅଧିକ ସମୟ ଲାଗିବ ନାହିଁ । ପରିବେଶ ବିଜ୍ଞାନୀମାନେ ଏକଥା କହୁଥିବା ବେଳେ ରାଜ୍ୟବାସୀ ଓ ସରକାର ଏହାକୁ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଆସନ୍ତା ଦୀପାବଳୀରେ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS