କହିଁ ଖୁସି କହିଁ ଗମ୍ …!
ପ୍ରସାଦ ରାଓ
ନଭେମ୍ବର ୧୭
ଅକ୍ଟୋବର ୫ ତାରିଖ ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରୁ ଆରମ୍ଭ ହୋଇଥିବା ଆଇସିସି ଦିନିକିଆ ପୁରୁଷ ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତା ରବିବାର (୧୯ ତାରିଖ) ଦିନ ସେହି ଷ୍ଟାଡିୟମରେ ହିଁ ଶେଷ ହେବାକୁ ଯାଉଛି । ଦୁଇ ସେମି ଫାଇନାଲ ବିଜେତା ଭାରତ ଓ ଅଷ୍ଟ୍ରେଲିଆ ସେଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ନାମିତ ଏହି ଷ୍ଟାଡିୟମରେ ମୁହାଁମୁହିଁ ହେବେ । ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ଲକ୍ଷାଧିକ କ୍ରିକେଟ ପ୍ରେମୀ ଏକାଠି ହେବା ବ୍ୟବସ୍ଥା ରହିଛି । ତେବେ, କୋଟି କୋଟି କ୍ରିକେଟ ପ୍ରେମୀ ବିଭିନ୍ନ ମାଧ୍ୟମରେ ଏହି ଖେଳକୁ ଉପଭୋଗ କରିବା ଅପେକ୍ଷାରେ ଅଛନ୍ତି । ୧୯ତାରିଖ ଦିନ ଫାଇନାଲ ଖେଳିବାକୁ ଯାଉଥିବା ଦୁଇଟି ଯାକ ଦଳ ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣ କ୍ଷେତ୍ରରେ କେହି କାହାଠାରୁ କମ୍ ନଥିବାରୁ ଫାଇନାଲ ମ୍ୟାଚ୍ ବେଶ୍ ଉପଭୋଗ୍ୟ ହେବ, ଏଥିରେ କିଛି ସନ୍ଦେହ ନାହିଁ ।
ଫାଇନାଲରେ ପହଂଚିବା ପୂର୍ବରୁ ଭାରତ ରାଉଣ୍ଡ ରବିନସ୍ତରରେ ୦୯ଟି ଯାକ ଲିଗ୍ ମ୍ୟାଚରେ ବିଜୟୀ ହୋଇ ପଏଂଟ ଟେବୁଲରେ ସର୍ବାଗ୍ରେ ରହିଥିଲା । ୧୫ ତାରିଖ ମୁମ୍ବାଇର ୱାଂଖଡେ ଷ୍ଟାଡିୟମରେ ଭାରତ ପ୍ରଥମ ସେମି ଫାଇନାଲରେ ନ୍ୟୁଜିଲାଣ୍ଡକୁ ୭୦ ରନରେ ପରାଜିତ କରି ଫାଇନାଲକୁ ଉନ୍ନତ ହୋଇଥିବା ବେଳେ ୧୬ ତାରିଖ ଦିନ ଅଷ୍ଟ୍ରେଲିଆ ଦଳ କୋଲକାତାର ଇଡେନ ଗାର୍ଡେନରେ ଦ୍ୱିତୀୟ ସେମି ଫାଇନାଲରେ ଖେଳି ବିଶ୍ୱକପ୍ ବିଜେତା ହେବାର ଅନ୍ୟତମ ଦାବିଦାର ଥିବା ଦକ୍ଷିଣ ଆଫ୍ରିକାକୁ ତିନି ୱିକେଟରେ ପରାଜିତ କରି ଭାରତ ବିପକ୍ଷରେ ଫାଇନାଲ ଖେଳିବା ନିଶ୍ଚିତ କରିଛି । ୧୯ ତାରିଖ ଫାଇନାଲରେ କିଏ ବିଜୟୀ ହେବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଭାରତୀୟ କ୍ରିକେଟ ପ୍ରେମୀ ଦେଶର ବିଜୟକୁ ନେଇ ବେଶ୍ ଆଶାବାଦୀ ଥିବା ବେଳେ ଗତକାଲି ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଥିବା ଅଷ୍ଟ୍ରେଲିଆ ଦଳ ଭାରତ ସହ ମୁକାବିଲା କରିବାରେ କୌଣସି ଦୃଷ୍ଟିରୁ କମ୍ ନୁହେଁ ବୋଲି ବିଶେଷଜ୍ଞ ମହଲରେ ମତ ପ୍ରକାଶ ପାଉଛି ।
୧୫ ତାରିଖ ପ୍ରଥମ ସେମି ଫାଇନାଲ ଭାରତର ବିଜୟ ଥିଲା ଲଗାତର ଦଶମ ବିଜୟ । ଅପରପକ୍ଷରେ, ଅଷ୍ଟ୍ରେଲିଆ ଦଳ ପ୍ରଥମ ଦୁଇଟି ଲିଗ୍ ମ୍ୟାଚରେ ଭାରତ ଓ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହେବା ପରେ ପଛକୁ ଫେରି ଚାହିଁ ନାହାନ୍ତି । ପରବର୍ତ୍ତୀ ସାତଟି ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆର ବିଜୟ ହୋଇଛି ଏବଂ ଦଳ ଭାରତ ସହ ଫାଇନାଲ ଖେଳିବାକୁ ଯାଉଛି । ଉଭୟ ଭାରତ ଓ ଅଷ୍ଟ୍ରଲିଆ କ୍ରିକେଟ୍ ଟିମ୍ ପୂର୍ଣ୍ଣ ଆତ୍ମବିଶ୍ୱାସ ମଧ୍ୟରେ ଥିବାରୁ କାହା ମୁଣ୍ଡରେ ବିଜୟର ଟୀକା ଲାଗିବ ତାହା ଦେଖିବା ପାଇଁ ସମସ୍ତେ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ଫାଇନାଲରେ ଭାରତର ବିଜୟ ହେଲେ ତାହାର ଶ୍ରେୟ ଅଧିନାୟକ ‘କ୍ୟାପଟେନ୍ କୁଲ୍’ ରୋହିତ ଶର୍ମାଙ୍କୁ ଯିବା ନିଶ୍ଚିତ । ତେବେ, ଶ୍ରେୟ ନେବାକୁ ଶୁଭମନ୍ ଗିଲ୍, ବିରୋଟ କୋହିଲୀ, ଶ୍ରେୟସ ଆୟାର, କେ.ଏଲ.ରାହୁଲ, ରବିନ୍ଦ୍ର ଜାଦେଜା, ଜଶପ୍ରୀତ ବୁମରା, ମହମ୍ମଦ ସମ୍ମି, ମହମ୍ମଦ ସିରାଜଙ୍କ ଭଳି ଅନ୍ୟ ବହୁ ହକଦାର୍ ମଧ୍ୟ ଅଛନ୍ତି ।
ଭାରତୀୟ କ୍ରିକେଟର ପୂର୍ବତନ ଓପନର୍ ଗୌତମ ଗମ୍ଭୀର ୨୦୨୩ର ଆଇସିସି ଦିନିକିଆ ବିଶ୍ୱକପରେ ଭାରତର ପ୍ରଦର୍ଶନର ସମସ୍ତ ଶ୍ରେୟ ରୋହିତ ଶର୍ମା, ବିରାଟ କୋହିଲୀ ଓ ମହମ୍ମଦ ସମ୍ମିଙ୍କ ବଦଳରେ ୨୮ ବର୍ଷ ବୟସ୍କ ବ୍ୟାଟର୍ ଶ୍ରେୟସ ଆୟାରଙ୍କୁ ଦେବାକୁ ଚାହିଁଛନ୍ତି । ତାଙ୍କ ମତରେ, ଗତ ୧୦ଟି ମ୍ୟାଚରେ ଭାରତର ସମସ୍ତ ବ୍ୟାଟର୍ ଓ ବୋଲର୍ ଉଚ୍ଚକୋଟିର ପ୍ରଦର୍ଶନ ଦେଇଛନ୍ତି । ମହମ୍ମଦ ସମ୍ମି ସର୍ବାଧିକ ସଂଖ୍ୟକ ୱିକେଟ୍ ଦଖଲ କରି ବିଶ୍ୱର ଶ୍ରେଷ୍ଠ ବୋଲର୍ ଭାବେ ନିଜକୁ ଉପସ୍ଥାପିତ କରିଥିବା ବେଳେ ପୂର୍ବତନ ଅଧିନାୟକ ବିରାଟ କୋହିଲୀ ଆଇସିସି ଦିନିକିଆ ବିଶ୍ୱକପ୍ କ୍ରିକେଟରେ ତାଙ୍କର ୫୦ତମ ଶତକ ହାସଲ କରି ଭାରତୀୟ କ୍ରିକେଟର ଭଗବାନ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ୪୯ ଶତକ ରେକର୍ଡକୁ ଟପିଛନ୍ତି । ତାହା ଭାରତୀୟ କ୍ରିକେଟପ୍ରେମୀଙ୍କୁ ଅସୀମିତ ଖୁସି ଦେଇଛି ।
ତେବେ, ୨୦୨୩ ଆଇସିସି ଦିନିକିଆ ବିଶ୍ୱକପ୍ କ୍ରିକେଟର ଦଶଟି ମ୍ୟାଚରେ ୫୨୬ ରନ୍ ସଂଗ୍ରହ କରି ୨୮ ବର୍ଷ ବୟସ୍କ ଶ୍ରେୟସ ଆୟାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନିଜକୁ ପ୍ରକୃତ ‘ଗେମ୍ ଚେଂଜର’ ପ୍ରମାଣିତ କରିଛନ୍ତି ବୋଲି ଗମ୍ଭୀର ‘ଷ୍ଟାର ସ୍ପୋର୍ଟସ’ର ଏକ ସୋ’ରେ ମତ ଦେଇଛନ୍ତି । ସେ କହିଛନ୍ତି, ଗଲା ଚାରିଟି ମ୍ୟାଚରେ ଶ୍ରେୟସ ଯଥାକ୍ରମେ ୮୨, ୭୭, ୧୨୮ (ଅପରାଜିତ) ଓ ୧୦୫ ରନ୍ କରିବା ଏବଂ ଆହତ ଥାଇ ମଧ୍ୟ ନକ୍ ଆଉଟରେ ୭୦ ବଲରେ ଶତକ ହାସଲ କରିବା ନିଶ୍ଚିତ ଭାବେ ଉଲ୍ଲେଖନୀୟ । ବିଶ୍ୱକପ୍ ଫାଇନାଲରେ ଶ୍ରେୟସ ଅଷ୍ଟ୍ରେଲିଆର ମାକ୍ସୱେଲ୍ ଓ ଜାମ୍ପାଙ୍କ ବଲ୍ କୁ ଉପଯୁକ୍ତ ଭାବେ ମୁକାବିଲା କରି ପାରିବେ ବୋଲି ଗମ୍ଭୀର ଆଶାବ୍ୟକ୍ତ କରିଛନ୍ତି ।
ରବିବାର ସରିବାକୁ ଯାଉଥିବା ଆଇସିସିର ଏହି ଦିନିକିଆ ବିଶ୍ୱକପ୍ ସଂସ୍କରଣରେ ଭାରତ ଉନ୍ନତ ପ୍ରଦର୍ଶନ କରି ଟ୍ରଫି ଜିତିବାର ନିକଟତର ଥିବା ବେଳେ ପାକିସ୍ତାନ ପଂଚମ ସ୍ଥାନରେ ରହି ଘରକୁ ଫେରିବା ଦୁଃଖରେ ଦୁଃଖୀ ଥିବା ଦେଖିବାକୁ ମିଳୁଛି । ଦିନିକିଆ ବିଶ୍ୱକପ୍ କ୍ରିକେଟର ୨୦୨୩ ସଂସ୍କରଣରେ ଭାରତ ମାଟିରେ ନିଜର ଶକ୍ତି ପ୍ରଦର୍ଶନ କରିବ ବୋଲି ଆଶା ନେଇ ଅଧିନାୟକ ବାବର ଆଜାମଙ୍କ ଟିମ୍ ଭାରତ ଆସିଥିଲା । ତେବେ, ବିଶ୍ୱକପ୍ ର ୯ଟି ଗୃପ୍ ମ୍ୟାଚ ମଧ୍ୟରୁ ପାକିସ୍ତାନ ୪ଟିରେ ବିଜୟୀ ହୋଇଥିଲା ସେମି ଫାଇନାଲ ପାଖାପାଖି ପହଂଚି ଥିଲେ ମଧ୍ୟ ପଂଚମ ସ୍ଥାନରେ ରହି ବିଦା ହୋଇଥିଲା । ଏହାର ପ୍ରଭାବ ପାକିସ୍ତାନରେ ଦେଖିବାକୁ ମିଳୁଛି । ଅଧିନାୟକ ପଦରୁ ବାବର ଆଜାମ ବିଦା ହୋଇଛନ୍ତି । ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଟେଷ୍ଟ୍ ଲାଗି ସାନ୍ ମାସୁଦ ଓ ଟି-୨୦ ଲାଗି ସାହିଦ ଶାହା ଆଫ୍ରିଦିଙ୍କୁ ନେତୃତ୍ୱ ସମର୍ପି ଦେଇଛନ୍ତି ।
ବାବର ଆଜାମ ପାକିସ୍ତାନ ଟିମ୍ ଅଧିନାୟକ ପଦରୁ ବିଦାୟ ନେଇଥିଲେ ମଧ୍ୟ ତିନିଟି ଯାକ ଫର୍ମାଟରେ ଖେଳ ଜାରି ରଖିବେ ଏବଂ ନବ ନିଯୁକ୍ତ ଦୁଇ ଅଧିନାୟକଙ୍କ ସମେତ ଦଳର ଖେଳାଳୀଙ୍କୁ ନିଜ ଅଭିଜ୍ଞତା ବାଂଟିବେ ବୋଲି କହିଛନ୍ତି । ଆଇସିସି ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣମେଂଟ, ୨୦୨୩ରେ ପାକିସ୍ତାନର ପ୍ରଦର୍ଶନ ସନ୍ତୋଷଜନକ ନଥିଲା । ତେଣୁ, ପାକିସ୍ତାନ ଫେରିବା ପରେ ବାବର ଆଜାମଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯିବ ବୋଲି ପାକିସ୍ତାନ ଟିମ୍ ଭାରତ ଛାଡିବା ପୂର୍ବରୁ ଆଲୋଚନା ଆରମ୍ଭ ହୋଇ ସାରିଥିଲା । ଆଜା ଭାରତରୁ ଫେରୁ ଫେରୁ ତାଙ୍କୁ ଅଧିନାୟକ ପଦରୁ ବିଦା କରାଯିବା ସହ ନୂତନ ନେତୃତ୍ୱ ହାତରେ ଖେଳକୁ ସମର୍ପି ଦିଆଯାଇଛି ।
୨୦୧୯ରେ ସର୍ଫରାଜ ଅହମ୍ମଦଙ୍କ ସ୍ଥାନରେ ବାବର ଆଜାମ ପାକିସ୍ତାନ ଧଳା ବଲ୍ କ୍ରିକେଟର ନେତୃତ୍ୱ ନେଇଥିଲେ ଏବଂ ୨୦୨୧ରେ ସେ ଟେଷ୍ଟ ଅଧିନାୟକ ଭାବେ ନିଯୁକ୍ତ ପାଇଥିଲେ ।
ତାଙ୍କ ନେତୃତ୍ୱରେ ପାକିସ୍ତାନ କ୍ରିକେଟ୍ ଟିମ୍ ଏସୀୟ କପ୍ ଓ ୨୦୨୨ ଟି-୨୦ ବିଶ୍ୱକପ୍ ଫାଇନାଲରେ ପହଂଚି ଥିଲା । କିନ୍ତୁ, ଆଇସିସି ଦିନିକିଆ ବିଶ୍ୱକପ୍,୨୦୨୩ରେ ପାକିସ୍ତାନ ଟିମ୍ ଲଗାତର ପାଂଚଟି ଗୃପ୍ ମ୍ୟାଚରେ ପରାଜିତ ହୋଇ ସେମି ଫାଇନାଲ ପୂର୍ବରୁ ଟୁର୍ଣ୍ଣାମେଂଟରୁ ବିଦା ନେବା ପାକିସ୍ତାନକୁ ଦୁଃଖି କରିଛି । ପିସିବି (ପାକିସ୍ତାନ କ୍ରିକେଟ ବୋର୍ଡ) ମଧ୍ୟ କାର୍ଯ୍ୟାନୁଷ୍ଠାନ ମୁହାଁ ହୋଇଛି । ବାବର ଆଜାମ ମଧ୍ୟ ନିଜ ସହଯୋଗୀ ଖେଳାଳୀଙ୍କଠାରୁ ଯେଭଳି ସମର୍ଥନ ପାଇବା କଥା ପାଉ ନାହାନ୍ତି ବୋଲି ଗଣମାଧ୍ୟମରେ ଖବର ଆସୁଛି । ଏହି ବିଶ୍ୱକପ୍ କେଉଁଠି ଖୁସି ଆଣିଛି ତ କେଉଁଠି ଦୁଃଖ ଛାଇ ଦେଇଛି । ତେଣୁ, ଆମେ ଏତିକି କହିବା – ‘କହିଁ ଖୁସି କହିଁ ଗମ୍..’ ଏବଂ ଅପେକ୍ଷା କରିବା ରବିବାରର ଅହମ୍ମଦାବାଦ ଫାଇନାଲକୁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS