୨୦୨୩ ମଧ୍ୟ ହାତରୁ ଖସିଲା, ଭାରତୀୟ କ୍ରିକେଟ ପ୍ରେମୀ ନିରାଶ


ପ୍ରସାଦ ରାଓ
ନଭେମ୍ବର ୨୦
ଗତକାଲି ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଆଇସିସି ଦିନିକିଆ ପୁରୁଷ ବିଶ୍ୱକପ୍ କ୍ରିକେଟ ଫାଇନାଲ ସରିଛି । ୨୦୨୩ର ଏହି କ୍ରିକେଟ୍ ମହାକୁମ୍ଭ ଆରମ୍ଭରୁ ଫାଇନାଲ ପର୍ଯ୍ୟନ୍ତ ଭାରତ ଲଗାତର ୧୦ଟି (ସେମି ଫାଇନାଲ ସହ) ମ୍ୟାଚରେ ବିଜୟ ବାନା ଉଡାଇ ଶେଷ ତଥା ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜିତ ହେବା ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଦୁଃଖୀ କରିଛି । ଭାରତୀୟ ଟିମ୍ ର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱ ଓ ଦକ୍ଷତା ଉପରେ ସମସ୍ତଙ୍କ ଭରସା ଥିଲା । ଅକ୍ଟୋବର ୫ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଖେଳିଥିବା ୧୦ଟି ମ୍ୟାଚରେ ଭାରତୀୟ ଟିମ୍ ବ୍ୟାଟିଂ, ବୋଲିଂ ଓ କ୍ଷେତ୍ରରକ୍ଷଣରେ ଆଶାତୀତ ଉକ୍ରର୍ଷତା ପ୍ରଦର୍ଶନ କରି ଭାରତ ଏଥର ଆଇସିସି ଦିିନିକିଆ ପୁରୁଷ ବିଶ୍ୱକପ୍ ଟ୍ରଫି ଜିତୁଥିବା ନେଇ ବିରାଟ ସମ୍ଭାବନା ସୃଷ୍ଟି କରିଥିଲା । ପ୍ରତ୍ୟେକ ଭାରତୀୟ ଫାଇନାଲରେ ଜିତିବା ସମ୍ଭାବନାକୁ ନେଇ ଉଲ୍ଲସୀତ ଥିବା ବେଳେ ଗତକାଲି ଅଷ୍ଟ୍ରେଲିଆ ନିକଟରୁ ଭାରତର ପରାଜୟ ଏବଂ ବିଶ୍ୱକପ୍ ହାତଛଡା ହେବା ପ୍ରତ୍ୟେକ ଭାରତୀୟକୁ ଦୁଃଖୀ କରିବା ସ୍ୱାଭାବିକ ।
ଗତକାଲି ଫାଇନାଲ ଖେଳ ଆରମ୍ଭରୁ ଦଶ ଓଭର ସରିବା ପର୍ଯ୍ୟନ୍ତ ଭାରତୀୟ ଟିମ୍ ର ପ୍ରଦର୍ଶନ ଯେଭଳି ଥିଲା କ୍ରିକେଟ୍ ବିଶେଷଜ୍ଞ ଓ ସମୀକ୍ଷକମାନେ ମଧ୍ୟ ବିଜୟ ସମ୍ଭାବନାକୁ ନେଇ ଉତ୍ସାହିତ ଥିଲେ । ନଭେମ୍ବର ୧୫ ତାରିଖ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲରେ ପଡିଆରେ ଅସୁସ୍ଥ ହୋଇପଡିବା ସତ୍ତ୍ୱେ ଅନ୍ୟତମ ଓପନିଂ ବ୍ୟାଟସମ୍ୟାନ୍ ଶୁଭମନ ଗିଲ୍ ୮୦ ରନ୍ ସ୍କୋର୍ କରି ଫାଇନାଲରେ ମଧ୍ୟ ସେଭଳି ପ୍ରଦର୍ଶନ କରିବା ସମ୍ଭାବନା ସୃଷ୍ଟି କରିଥିଲେ । ତେବେ, ୧୯ ତାରିଖ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଗିଲ୍ ୪.୩ ଓଭରରେ ମାତ୍ର ୦୪ ରନ୍ କରି କ୍ୟାଚ୍ ଆଉଟ୍ ହେବା ଏବଂ ଚଉକା, ଛକା ବର୍ଷା କରୁଥିବା ଭାରତୀୟ ଦଳର ଅଧିନାୟକ ରେହିତ ଶର୍ମା ୯.୩ ଓଭରରେ ୪୭ ରନ୍ କରିଥିବା ଅବସ୍ଥାରେ ଅଷ୍ଟ୍ରେଲିୟ ଖେଳାଳୀଙ୍କ ହାତରେ ଧରା ପଡିଯିବା ଭାରତପାଇଁ ପ୍ରଥମ ଝଟକା ଥିଲା ।
ତେବେ, ବିରାଟ କୋହିଲୀଙ୍କଠାରୁ ଆରମ୍ଭ କରି ସୂର୍ଯ୍ୟ କୁମାର ଯାଦବଙ୍କ ପର୍ଯ୍ୟନ୍ତ ଅଭିଜ୍ଞ ବ୍ୟାଟର୍ ଖେଳ ସମ୍ଭାଳିବାକୁ ଥିବାରୁ ଭାରତୀୟ ଦଳ ଏକ ବଡ ସ୍କୋରରେ ପହଂଚିବ ଏବଂ ମହମ୍ମଦ ସମ୍ମି, ଯଶପ୍ରୀତ ବୁମରା, ରବିନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ମହମ୍ମଦ ସିରାଜଙ୍କ ବୋଲିଂ ଅଷ୍ଟ୍ରେଲିଆ ଦଳକୁ ଧରାଶାୟୀ କରି ଭାରତକୁ ତାହାର ଲକ୍ଷ୍ୟ ସ୍ଥଳରେ ପହଂଚାଇବ ବୋଲି କ୍ରିକେଟ ବିଶେଷଜ୍ଞ ଓ ସମୀକ୍ଷକମାନେ ଆଶା କରୁଥିଲେ । ଭାରତୀୟ କ୍ରିକେଟ ପ୍ରେମୀ ମଧ୍ୟ ଏଭଳି ସମ୍ଭାବନାକୁ ନେଇ ବେଶ୍ ଉତ୍ସାହିତ ଥିଲେ । କିନ୍ତୁ, ‘ଦଇବ ଦଉଡି, ମଣିଷ ଗାଈ’ ସଦୃଶ ରୋହିତ ଶର୍ମାଙ୍କ ଉଇକେଟ୍ ପତନ ପରେ ଖେଳର ଗତି ମଧ୍ୟ ବଦଳି ଯାଇଥିଲା । ରୋହିତ ଓ ଶୁଭମନଙ୍କ ପରେ ଖେଳିବାକୁ ଆସିଥିବା ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହିଲୀ ଓ ଚାରିଟି ଗୃପ୍ ମ୍ୟାଚରେ ବଡ ସ୍କୋର କରି କ୍ରିକେଟ ବିଶେଷଜ୍ଞଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଶ୍ରେୟସ ଆୟାର ପାଳି ସମ୍ଭାଳି ନେବେ ବୋଲି ସମସ୍ତେ ବିଶ୍ୱାସ କରୁଥିଲେ ।
କିନ୍ତୁ, ଶ୍ରେୟସ ଆୟାର ୧୦.୨ ଓଭରରେ ମାତ୍ର ୦୪ ରନ୍ କରି ଆଉଟ ହେବା ଏବଂ କୋହିଲୀ ୨୫.୨ ଓଭରରେ ତାଙ୍କ ବ୍ୟକ୍ତିଗତ ଅର୍ଦ୍ଧ ଶତକ ହାସଲ କରି ୨୮.୩ ଓଭରରେ ୫୪ ରନ୍ କରିଥିବା ଅବସ୍ଥାରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ପଟ୍ କୁମିନ୍ସଙ୍କ ଦ୍ୱାରା ବୋଲ୍ଡ ହେବା ଖେଳର ମୋଡ ବଦଳାଇବା ଆରମ୍ଭ କରିଥିଲା । ଶ୍ରେୟସଙ୍କ ପରେ କୋହିଲୀଙ୍କ ସହ ଯୋଡି ହୋଇଥିବା ଅନ୍ୟତମ ବ୍ୟାଟସମ୍ୟାନ୍ ରବିନ୍ଦ୍ର ଜାଦେଜା ମାତ୍ର ୦୯ ରନ୍ କରି ୩୫.୫ ଓଭରରେ ଓ ତାଙ୍କ ପରେ ପଡିଆକୁ ଆସି ଥିବା କେ.ଏଲ.ରହୁଲ ୬୬ ରନ୍ କରି ୪୧.୩ ଓଭରରେ ଉଇକେଟ୍ ରକ୍ଷକଙ୍କ ହାତରେ ଧରାପଡି ପଡିଆରୁ ବିଦା ନେଇଥିଲେ । ସୂର୍ଯ୍ୟକୁମାର ଯାଦବ ଥିଲେ ଭାରତୀୟ ଦଳର ଶେଷ ଭରସା । ଖେଳିବାକୁ ଆସି ମାତ୍ର ୧୮ ରନ୍ କରିଥିବା ଅବସ୍ଥାରେ ସୂର୍ଯ୍ୟକୁମାର ଯାଦବ ୪୭.୩ତମ ଓଭରରେ କ୍ୟାଚ୍ ଆଉଟ ହେବ ପରେ ଭାରତୀୟ ଦଳର ବ୍ୟାଟିଂ ବୋଲରଙ୍କ ହାତକୁ ଚାଲି ଯାଇଥିଲା ।
ଆଇସିସି ବିଶ୍ୱକପ୍ ପ୍ରତିଯୋଗିତାରେ ୨୬ ଉଇକେଟ୍ ଦଖଲ କରି ବିଶ୍ୱର କ୍ରିକେଟ ପ୍ରେମୀ ଓ ବିଶେଷଜ୍ଞ ମହଲରେ ଚର୍ଚ୍ଚାରେ ଥିବା ଭାରତର ଶ୍ରେଷ୍ଠ ଫାଷ୍ଟ୍ ବୋଲର୍ ମହମ୍ମଦ ସମ୍ମି ବ୍ୟାଟିଂ କରିବାକୁ ଆସି ମାତ୍ର ୦୬ ରନ୍ ସଂଗ୍ରହ କରଥିବା ଅବସ୍ଥାରେ ୪୩.୩ତମ ଓଭରରେ ଏବଂ ଅନ୍ୟତମ ନିର୍ଭରଯୋଗ୍ୟ ବୋଲର୍ ଯଶପ୍ରୀତ ବୁମରା ଗୋଟିଏ ରନ୍ କରି ୪୪.୫ ଓଭରରେ ଆଉଟ ହୋଇ ପଡିଆରୁ ଫେରିବା ପରେ ସ୍ପିନର କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ପାଳି ସମ୍ଭାଳି ଶେଷ ପର୍ଯ୍ୟାୟ ଖେଳ ଖେଳି ଥିଲେ । କୁଲଦୀପ ୧୦ ଓ ସିରାଜ ୦୯ ରନରେ କରିଥିବା ଅବସ୍ଥାରେ ୫୦ ଓଭର ଖେଳ ସରିଥିଲା ଓ ଭାରତୀୟ ଦଳ ମୋଟ ୨୪୦ ରନ୍ କରି ଅଷ୍ଟ୍ରେଲିଆକୁ ୨୪୧ ରନ୍ରେ ବିଜୟ ଲକ୍ଷ୍ୟ ଦେଇଥିଲେ, ଯାହାକି ପଟ୍ କୁମିନ୍ସଙ୍କ ଅଷ୍ଟ୍ରେଲିଆ ଟିମ୍ ୪୩ତମ ଓଭରରେ ମାତ୍ର ୪ ଉଇକେଟ୍ ବିନିମୟରେ ହାସଲ କରି ନେଇଛି ।
ଫାଇନାଲ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଦଳର ବ୍ୟାଟସମ୍ୟାନ୍ ଡେଭିଡ ୱାର୍ଣ୍ଣର ଖେଳ ଆରମ୍ଭ କରି ମାତ୍ର ୦୭ ରନରେ ମହମ୍ମଦ ସମ୍ମିଙ୍କ ଶିକାର ହୋଇଥିଲେ । ସେ କ୍ୟାଚ୍ ଆଉଟ୍ ହେବା ପରେ ଭାରତୀୟ ବୋଲରଙ୍କ ଦ୍ୱିତୀୟ ଶିକାର ଥିଲେ ମିଚେଲ ମାର୍ସ । ମାତ୍ର ୧୫ ରନ୍ କରିଥିବା ବେଳେ ବୁମରାଙ୍କ ପଂଚମ ଓଭରରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ । ମାତ୍ର ୦୪ ରନ୍ କରି ପଡିଆରୁ ବିଦା ନେଇଥିଲେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥ । ସେ ବୁମରାଙ୍କ ବୋଲିଂରେ ଏଲବିଡବ୍ଲୁ ହୋଇ ବିଦା ନେଇଥିଲେ । ଖୁବ୍ କମ୍ ରନ୍ କରିଥିବା ଅବସ୍ଥାରେ ଅଷ୍ଟ୍ରେଲିଆ ଦଳର ତିନି ଜଣ ବ୍ୟାଟସମ୍ୟାନ୍ ପଡିଆରୁ ବିଦା ହେବା ଭାରତୀୟ ବୋଲରଙ୍କ ଆତ୍ମବିଶ୍ୱାସକୁ ବଢାଇ ଥିଲା । ଏହି ଧାରା ଚାଲୁ ରହିଲେ ଅଷ୍ଟ୍ରେଲିଆ ଦଳ ୨୪୧ ରନରେ ପହଂଚିବା କାଠିକର ପାଠ ହେବ ବୋଲି କ୍ରିକେଟ ବିଶେଷଜ୍ଞମାନେ ଚର୍ଚ୍ଚା କରୁଥିବା ବେଳେ ଅଷ୍ଟ୍ରେଲିଆ ଟିମ୍ ପାଇଁ ସଂଜୀବନୀ ହୋଇଥିଲେ ଟ୍ରାଭିସ ହେଡ୍ ଓ ଏମ.ଲୁବୁସେନ୍ ।
ହେଡ୍ ୧୨୦ଟି ବଲରେ ନିଜର ବ୍ୟକ୍ତିଗତ ସ୍କୋର ୧୩୭ରେ ପହଂଚାଇ ଥିବା ବେଳେ ଏମ.ଲୁବୁସନ ୧୧୦ ବଲରେ ୫୮ ରନ୍ ସଂଗ୍ରହ କରି ନେଇଥିଲେ । ଫଳରେ, ଅଷ୍ଟ୍ରେଲିଆ ସ୍କୋର ୨୩୯ରେ ପହଂଚି ଯାଇଥିଲା ଓ ବିଜୟ ପାଇଁ ମାତ୍ର ଦୁଇ ରନର ଆବଶ୍ୟକତା ଥିଲା । ଟ୍ରାଭେସ ହେଡ୍ ମହମ୍ମଦ ସିରାଜଙ୍କ ବଲରେ ଶୁଭମନ ଗିଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇ ପଡିଆରୁ ଫେରିଥିଲେ । ତାଙ୍କ ପରେ ପଡିଆକୁ ଆସିଥିବା ଜି.ମାକ୍ସୱେଲ୍ ଗୋଟିଏ ବଲରେ ଦୁଇ ରନ୍ କରି ସ୍କୋର ୨୪୧ରେ ପହଂଚାଇବା ସହ ଅଷ୍ଟ୍ରେଲିଆ ବିଜୟର ମୁଣ୍ଡି ମାରିଥିଲେ । ଭାରତୀୟ ଫାଷ୍ଟ୍ ଓ ସ୍ପିନ୍ ବୋଲରମାନେ ଟ୍ରାଭେସ ହେଡ୍ ଓ ଲୁବୁସନଙ୍କୁ ବଡ୍ ସ୍କୋର୍ କରିବାରୁ ରୋକି ନପାରିବା ଏବଂ କ୍ଷେତ୍ରରକ୍ଷଣ ବେଳେ କ୍ୟାଚ୍ ଛାଡିବା ସହ ରନ୍ ରୋକିବାରେ ସଫଳ ନହେବା ଅଷ୍ଟ୍ରେଲିଆ ଆଇସିସି ଦିନିକିଆ ବିଶ୍ୱକପ୍ ବିଜୟୀ ହେବାରେ ଏକ ପ୍ରମୁଖ କାରଣ ଭାବେ ବିଚାର କରାଯାଉଛି ।
ଟ୍ରାଭେସ ହେଡ୍ ଓ ଲୁବୁସନଙ୍କ ଧୂଆଁଧାର ବ୍ୟାଟିଂ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ବିଚଳିତ କରୁଥିଲା । ଖେଳର ମଧ୍ୟ ଭାଗ ସୁଦ୍ଧା ଭାରତ ବିଜୟଠାରୁ ଦୂରେଇ ଯାଇଥିବା ସ୍ପଷ୍ଟ ଦିଶୁଥିଲା । ଭାରତୀୟ ଦର୍ଶକ ଏକପ୍ରକାର ହତାଶ ହୋଇ ଭରତୀୟ ବୋଲରଙ୍କୁ ଚାହିଁ ରହିଥିବା ବେଳେ ୪୩ତମ ଓଭରରେ ଅଷ୍ଟ୍ରେଲିଆ ୨୪୧ ରନ୍ ଲକ୍ଷ୍ୟ ହାସଲ କରି ଭାରତ ମାଟିରେ ଭାରତକୁ ପରାଜିତ କରିଛି । ଅଷ୍ଟ୍ରେଲିଆ ଷଷ୍ଠ ଥର ପାଇଁ ଆଇସିସି ଦିନିକିଆ ପୁରୁଷ ବିଶ୍ୱକପ୍ ଟ୍ରଫି ହାତେଇଛି । ଆଇସିସି କ୍ରିକେଟ୍ ବିଶ୍ୱକପର ୨୦୨୩ ସଂସ୍କରଣ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଭାରତ ଲଗାତର ୦୯ଟି ଗୃପ୍ ମ୍ୟାଚ୍ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ଜିତିବା ପରେ ଭାରତ ଫାଇନାଲରେ ମଧ୍ୟ ଭଲ ପ୍ରଦର୍ଶନ କରି ୨୦ ବର୍ଷ ତଳେ ଅଷ୍ଟ୍ରେଲିଆଠାରୁ ମିଳିଥିବା ପରାଜୟର ପ୍ରତିଶୋଧ ନେବ ବୋଲି ପ୍ରତ୍ୟେକ ଭାରତୀୟ ଆଶା ରଖି ଥିଲେ ।
ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଗତକାଲି ଫାଇନାଲ ଖେଳ ଦେଖିବାକୁ ପାଖାପାଖି ଦେଢ ଲକ୍ଷ ଦର୍ଶକଙ୍କ ସମାଗମ ହୋଇଥିଲା । ଷ୍ଟାଡିୟମ ଭିତର ଓ ବାହାର ନୀଳ ରଂଗର (ଭାରତୀୟ ଖେଳାଳୀଙ୍କ ଜର୍ସିର୍ର ରଂଗ) ସମୁଦ୍ରରେ ଡୁବି ରହିଥିଲା । ଫାଇନାଲ ଖେଳକୁ ସ୍ମରଣୀୟ କରିବା ପାଇଁ ଭାରତୀୟ ବିମାନ ବାହିନୀ ଷ୍ଟାଡିୟମ ଆକାଶରେ ‘ସୂର୍ଯ୍ୟ କିରଣ’ ଏୟାର ସୋ’ କରି ଖେଳାଳୀ ଓ ଦର୍ଶକଙ୍କୁ ଆକଷିତ କରିଥିଲେ । ଖେଳ ପରେ ବିଭିନ୍ନ ରଂଗାରଂଗ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ପାର୍ବଣ ଋତୁ ସହବିଶ୍ୱକପ୍ କ୍ରିମେଟ୍ ଫାଇନାଲ ଖେଳ ହେଉଥିବାରୁ ରବିବାର ଅହମ୍ମଦାବାଦରେ ସାଧାରଣ ହୋଟେଲ ରୁମ୍ ଭଡା ମଧ୍ୟ ଆକାଶଛୁଆଁ ଥିଲା । ହୋଟେଲ ରୁମ୍ ଭଡା ୨୯ ପ୍ରତିଶତ ଅଧିକ ଥିବା ବେଳେ ଦିଲ୍ଲୀ, ମୁମ୍ବାଇରୁ ଅହମ୍ମଦାବାଦକୁ ବିମାନ ଯାତ୍ରା ମଧ୍ୟ ୧୫୦ରୁ ୨୦୦ ପ୍ରତିଶତ ମହଙ୍ଗା ଥିଲା । ଶତାଧିକ ଘରୋଇ ଚାଟର୍ଡ ବିମାନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବାରୁ ଘରୋଇ ବିମାନଗୁଡିକର ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଏତେ ଆୟୋଜନ ଶେଷରେ ଭାରତୀୟ ଦଳର ପରାଜୟରେ ଫିକା ହୋଇଯାଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ପୂର୍ବତନ ଅଧିନାୟକ ରିକି ପଂଟିଂଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ୨୦୦୩ ଓ ୨୦୦୭ରେ ବିଶ୍ୱକପ୍ ବିଜୟୀ ହୋଇଥିଲା । ଏହି ଦୁଇ ସଂସ୍କରଣରେ ଅଷ୍ଟ୍ରେଲିଆ ୧୧ଟି ଲେଖାଏଁ ମ୍ୟାଚ ଜିତି ଫାଇନାଲରେ ପହଂଚି ଥିଲା । ୨୦୨୩ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ସେମି ଫାଇନାଲକୁ ମିଶାଇ ମୋଟ ୧୦ଟି ମ୍ୟାଚରେ ବିଜୟୀ ହୋଇଥିଲେ ମଧ୍ୟ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଛି । ୨୦୦୩ରେ ସୌରଭ ଗାଂଗୁଲି ଭାରତୀୟ ଟିମ୍ ର ଅଧିନାୟକ ଥିଲେ । ଗାଂଗୁଲି ଟିମ୍ ଆଠଟି ମ୍ୟାଚରେ ବିଜୟୀ ହୋଇ ନେଦରଲାଣ୍ଡକୁ ପରାଜିତ କରିବା ପରେ ଫାଇନାଲକୁ ଯାଇଥିଲେ ସୁଦ୍ଧା ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା । ୨୦୨୩ରେ ପ୍ୟାଟ୍ କୁମିନ୍ସଙ୍କ ଅଷ୍ଟ୍ରେଲିଆ ଦଳ ସାତଟି ଗୃପ୍ ମ୍ୟାଚରେ ବିଜୟୀ ହୋଇ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକା ଓ ଫାଇନାଲରେ ଭାରତକୁ ପରାଜିତ କରିଛି । ପୂର୍ବରୁ ଅଷ୍ଟ୍ରେଲିଆ ୧୯୮୭ ଓ ୧୯୯୯ରେ ବିଶ୍ୱକପ୍ ଟ୍ରଫି ବିଜେତା ହୋଇଥିଲା । ପରେ ୨୦୦୭ ଓ ୨୦୧୫ ବିଶ୍ୱକପ୍ ମଧ୍ୟ ଅଷ୍ଟ୍ରେଲିଆ ଜିତିଥିଲା । ଅପରପକ୍ଷରେ, ଭାରତ ୧୯୮୩ ଓ ୨୦୧୧ରେ ବିଶ୍ୱକପ୍ ବିଜେତା ହୋଇ ୨୦୨୩ରେ ତୃତୀୟ ଥର ପାଇଁ ବିଶ୍ୱକପ୍ ଜିତିବା ଆଶା ରଖି ଫାଇନାଲକୁ ଯାଇଥିଲା ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS