ବିହାରରେ ୬୫ ପ୍ରତିଶତ ସଂରକ୍ଷଣ ଆଇନରେ ପରିଣତ


ପ୍ରସାଦ ରାଓ
ନଭେମ୍ବର ୨୨
ଚଳିତ ମାସର ଦ୍ୱିତୀୟ ସପ୍ତାହରେ ବିଧାନସଭାରେ ପାରିତ ହୋଇଥିବା ବିହାରର ୬୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବିଲ୍ ଗତକାଲି ଆଇନରେ ପରିଣତ ହୋଇଛି । ସଂଖ୍ୟାଲଘୁ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତ କ୍ଷେତ୍ରରେ ସ୍ଥାନ ସଂରକ୍ଷଣରେ ବୃଦ୍ଧି ସକାଶେ ବିହାର ସରକାର ‘ବିହାର ରିଜର୍ଭେସନ୍ ଅଫ୍ ଭେକେନ୍ସିସ ଇନ୍ ପୋଷ୍ଟସ୍ ଆଣ୍ଡ ସର୍ଭିସେସ୍ (ସଂଖ୍ୟାଲଘୁ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ) ସଂଶୋଧନ ବିଲ୍, ୨୦୨୩ ଏବଂ ବିହାର (ଶିକ୍ଷାନୁଷ୍ଠାନରେ ଆଡମିଶନ ପାଇଁ ଉଦ୍ଦିଷ୍ଟ) ରିଜର୍ଭେସନ୍ ବିଲ୍,୨୦୨୩କୁ ଗତ ୯ ତାରିଖ ଦିନ ବିଧାନସଭାରେ ସର୍ବସମ୍ମତିରେ ପାରିତ କରାଇବା ପରେ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ । ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆରଲେକର୍ ଦୁଇଟି ଯାକ ବିଲ୍ କୁ ଅନୁମୋଦନ ଦେଇଛନ୍ତି । ଗତକାଲି ବିହାର ସରକାର ଆନୁଷ୍ଠାନିକ ଭାବେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରିବା ପରେ ଦୁଇଟି ଯାକ ବିଲ୍ ଆଇନରେ ପରିଣତ ହୋଇଛି ।
ମଂଗଳବାରର ଗେଜେଟ ବିଜ୍ଞପ୍ତି ପରେ ବିହାର ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି କି ସଂଖ୍ୟାଲଘୁ ଜାତି, ଜନଜାତି ଓ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ସୀମା ୬୫ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାଛଡା, ରାଜ୍ୟରେ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ ୧୦ ପ୍ରତିଶତ ସଂରକ୍ଷଣ କୋଟା କାର୍ଯ୍ୟକାରୀ ହେଉଥିବାରୁ ଏବଂ ତାହା ୬୫ ପ୍ରତିଶତ ସଂରକ୍ଷଣରେ ଅନ୍ତର୍ଭୁକ୍ତ ନଥିବାରୁ ବିହାରର ମୋଟ ସଂରକ୍ଷଣ ସୁବିଧା ୭୫ ପ୍ରତିଶତରେ ପହଂଚିଛି, ଯାହା ତାମିଲନାଡୁଠାରୁ ଅଧିକ । ତାମିଲନାଡୁରେ ଇଡବ୍ଲୁଏସ୍ (ଅର୍ଥନୈତିକ ଦୁର୍ବଳ ଶ୍ରେଣୀ) ପାଇଁ ଉଦ୍ଧିଷ୍ଟ ୧୦ ପ୍ରତିଶତ କେନ୍ଦ୍ରୀୟ ସଂରକ୍ଷଣ କୋଟା ଲାଗୁ ନଥିଲେ ମଧ୍ୟ ମୋଟ ସଂରକ୍ଷଣ ୬୯ ପ୍ରତିଶତ ରହିଛି । ବିହାରରେ ସଂଶୋଧିତ କୋଟା ତାହାକୁ ଟପିଛି । କିନ୍ତୁ, ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣରେ ତାମିଲନାଡୁ ବିହାରଠାରୁ ଆଗୁଆ ରହିଛି ।
ତାମିଲନାଡୁରେ ପଛୁଆ ବର୍ଗଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଲାଗୁ ଥିବା ସମୟରେ ସଂଖ୍ୟାଲଘୁ ଜାତି ପାଇଁ ୧୮ ପ୍ରତିଶତ ଓ ଜନଜାତି ପାଇଁ ଏକ ପ୍ରତିଶତ ସଂରକ୍ଷଣ ସୁବିଧା ରହିଛି । ବିହାରରେ ସଂଶୋଧିତ ଆଇନ କାର୍ଯ୍ୟକାରୀ ହେବା ପରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୪୩ ପ୍ରତିଶତକୁ ବୃଦ୍ଧି ହୋଇଥିବା ବେଳେ ସଂଖ୍ୟାଲଘୁ ଜାତିଙ୍କ ପାଇଁ ସଂରକ୍ଷଣ ୨୦ ପ୍ରତିଶତ, ସଂଖ୍ୟାଲଘୁ ଜନଜାତି ପାଇଁ ସଂରକ୍ଷଣ ୦୨ ପ୍ରତିଶତ, ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୧୮ ପ୍ରତିଶତ ଏବଂ ଅତ୍ୟଧିକ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୨୫ ପ୍ରତିଶତ ରଖାଯାଇ ମୋଟ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ପାଇଁ କେନ୍ଦ୍ର ଦ୍ୱାରା ଧାର୍ଯ୍ୟ ୧୦ ପ୍ରତିଶତ ସଂରକ୍ଷଣ ଏଥିରେ ଅନ୍ତର୍ଭୁକ୍ତ ନଥିବାରୁ ତାହା ମିଶିଲେ ରାଜ୍ୟର ମୋଟ ସ୍ଥାନ ସଂରକ୍ଷଣ ୭୫ ପ୍ରତିଶତରେ ପହଂଚିଛି । ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣରେ ବିହାର ପଛକୁ ଅଛି ସିକିମ ଓ କେରଳ । ଏହି ଦୁଇ ରାଜ୍ୟରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୪୦ ପ୍ରତିଶତ ଲେଖାଏଁ ରହିଛି ।
କେନ୍ଦ୍ର ସରକାରଙ୍କ ଅନାଗ୍ରହ ସତ୍ତ୍ୱେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟରେ ଜାତିଗତ ଜନଗଣନା କରାଇ ବିଭିନ୍ନ ଜାତି ଓ ବର୍ଗଙ୍କ ସଂଖ୍ୟା ନିରୁପଣ କରାଇବା ପରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଏହି ୬୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ବିଧେୟକ ପାରିତ ହେବା ପୂର୍ବରୁ ରାଜ୍ୟରେ ସଂଖ୍ୟାଲଘୁ ଜାତିଙ୍କ ପାଇଁ ୧୬ ପ୍ରତିଶତ, ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୧୨ ପ୍ରତିଶତ, ଏବଂ ଅର୍ଥନୈତିକ ପଛୁଆ ବର୍ଗ (ଇବିସି)ଙ୍କ ପାଇଁ ସଂରକ୍ଷଣ ୧୮ ପ୍ରତିଶତ ଥିଲା । ପୂର୍ବରୁ ଓବିସି ଓ ଇବିସି କୋଟା ମିଶି ୩୦ ପ୍ରତିଶତ ଥିବା ବେଳେ ସଂଶୋଧିତ ଆଇନରେ ଏହି କୋଟା ବୃଦ୍ଧି କରାଯାଇଛି । ସଂଖ୍ୟାଲଘୁ ଜନଜାତି ପାଇଁ ସଂରକ୍ଷଣ ଏକ ପ୍ରତିଶତରୁ ଦୁଇ ପ୍ରତିଶତକୁ ବୃଦ୍ଧି ହୋଇଥିବା ସମୟରେ ବେଳେ ପଛୁଆ ବର୍ଗ ମହିଳାଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଥିବା ୦୩ ପ୍ରତିଶତ କୋଟାକୁ ବିହାର ସରକାର ଉଚ୍ଛେଦ କରିଛନ୍ତି ।
ବିହାର ଜନସଂଖ୍ୟା ୧୩.୧ କୋଟି ହୋଇଥିବା ବେଳେ ୩୬ ପ୍ରତିଶତ ହେଉଛନ୍ତି ଇବିସି (ସବୁଠାରୁ ଅଧିକ ପଛୁଆ ବର୍ଗ) ଓ ୨୭.୧ ପ୍ରତିଶତ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) । ସଂଖ୍ୟାଲଘୁ ଜାତି ଜନସଂଖ୍ୟା ୧୯.୭ ପ୍ରତିଶତ, ସଂଖ୍ୟାଲଘୁ ଜନଜାତି ସଂଖ୍ୟା ୧.୭ ପ୍ରତିଶତ ଓ ସାଧାରଣ ବର୍ଗଙ୍କ ସଂଖ୍ୟା ୧୫.୫ ପ୍ରତିଶତ ବୋଲି ରାଜ୍ୟ ସରକାରଙ୍କ ଜାତିଗତ ଜନଗଣନାରୁ ସୂଚନା ମିଳିଛି । ରାଜ୍ୟରେ ସବୁଠାରୁ ପଛୁଆ ବର୍ଗ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂଖ୍ୟା ୬୦ ପ୍ରତିଶତରୁ ଅଧିକ ଥିବାରୁ ସେହି ଅନୁସାରେ ସେମାନଙ୍କ ପାଇଁ ସଂରକ୍ଷଣ କୋଟା ବୃଦ୍ଧି କରାଯାଇଥିବା ରାଜ୍ୟ ସରକାର ଦାବି କରୁଥିବା ବେଳେ ବିହାର ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଜାତିଗତ ଜନଗଣନା ସଂପର୍କରେ ଭ୍ରମାତ୍ମକ ପରିସଂଖ୍ୟାନ ଉପସ୍ଥାପିତ କରିଥିବା ବିଜେପି ଅଭିଯୋଗ କରିଛି ।
ଏବେ, କେନ୍ଦ୍ର ସରକାରଙ୍କ ପାଳିି…
ବିହାରରେ ଜାତିଗତ ଜନଗଣନା ହୋଇ ସଂଖ୍ୟାଲଘୁ ଜାତି, ଜନଜାତି, ପଛୁଆ ବର୍ଗ ଓ ଅତ୍ୟନ୍ତ ପଛୁଆ ବର୍ଗଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ସୁବିଧା ୬୫କୁ ବୃଦ୍ଧି କରାଯିବା ପରେ ବିରୋଧୀ ମେଂଟ ‘ଇଣ୍ଡିଆ’ର ନେତାମାନେ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି । ଏବେ ଦେଶବ୍ୟାପୀ ଜାତିଗତ ଜନଗଣନା କରାଯିବା ସମୟ ଆସିଛି, କେନ୍ଦ୍ର ସରକାର ତାହା କରାନ୍ତୁ ବୋଲି ମେଂଟର ନେତାମାନ ଦାବି ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ‘ଇଣ୍ଡିଆ’ ମେଂଟ ଜାତିଗତ ଜନଗଣନା ଦାବିକୁ ପ୍ରମୁଖ ପ୍ରସଙ୍ଗ କରି ନିର୍ବାଚନ ଲଢିବ ବୋଲି ଏକପ୍ରକାର ନିଶ୍ଚିତ ଥିବା ଦେଖିବାକୁ ମିଳୁଛି । ଚଳିତ ନଭେମ୍ବର ମାସରେ ଦେଶର ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ସବୁ ନିର୍ବାଚନ ସଭାରେ ଜାତିଗତ ଜନଗଣନା କଥା ଉଠାଇଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ବିଭିନ୍ନ ମାଗଣା ଯୋଜନା କାର୍ଯ୍ୟକାରୀ କରିବା ସହ ରାଜ୍ୟମାନଙ୍କରେ ଜାତିଗତ ଜନଗଣନା କରାଇବ ବୋଲି ରାହୁଲଙ୍କ ପ୍ରତିଶ୍ରୁତି ମତଦାନ ସରିଥିବା ଓ ମତଦାନ ହେବାକୁ ଥିବା ରାଜ୍ୟରେ କିଭଳି ପ୍ରଭାବ ପକାଇଛି ତାହା ଡିସେମ୍ବର ୩ ତାରିଖରେ ଭୋଟ ଫଳାଫଳ ପ୍ରକାଶ ପାଇଲେ ସ୍ପଷ୍ଟ ହେବ । ଅଥାପି, କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିକୁ ବିଚଳିତ କରିବା ପାଇଁ କଂଗ୍ରେସ ଓ ବିରୋଧୀ ନେତା ଜାତିଗତ ଜନଗଣନାକୁ ପ୍ରମୁଖ ଅସ୍ତ୍ର କରିଥିବା ଦେଖିବାକୁ ମିଳୁଛି ।
ଭାରତୀୟ ନିର୍ବାଚନ ଆୟୁକ୍ତଙ୍କ କାର୍ଯ୍ୟସୂଚୀ ଅନୁସାରେ ନଭେମ୍ବର ୦୭ ଓ ୧୭ ତାରିଖରେ ମିଜୋରାମ, ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ବିଧାନସଭା ଭୋଟ ଶେଷ ହୋଇଛି । ନଭେମ୍ବର ୨୫ରେ ରାଜସ୍ଥାନ ଓ ୩୦ରେ ତେଲେଂଗାନାରେ ମତଦାନ ସରିଲେ ଚଳିତ ବର୍ଷର ଶେଷ ନିର୍ବାଚନ ମହାକୁମ୍ଭ ସରିବ । ମିଜୋରାମ ଓ ତେଲେଂଗାନାରେ ଦୁଇ ଆଂଚଳିକ ଦଳ ମିଜୋ ଜାତୀୟ ସାମ୍ମୁଖ୍ୟ (ଏମଏନଏଫ) ଓ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) କ୍ଷମତାରେ ଅଛନ୍ତି । ଉଭୟ କଂଗ୍ରେସ ଓ ବିଜେପି ସହ ସେମାନଙ୍କ ଲଢେଇ ହେଉଛି । ଛତିଶଗଡ, ରାଜସ୍ଥାନରେ କଂଗ୍ରେସ ସରକାର ଥିବା ବେଳେ ମଧ୍ୟ ପ୍ରଦେଶରେ ବିଜେପି ଶାସନ ଚାଲିଛି । ତେବେ, ହିନ୍ଦିଭାଷୀ ଅଂଚଳରେ ମୁଖ୍ୟତଃ କଂଗ୍ରେସ-ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିବାରୁ ଜାତିଗତ ଜନଗଣନା ପ୍ରସଙ୍ଗ ଭୋଟରଙ୍କୁ ପ୍ରଭାବିତ କରିବା ସମ୍ଭାବନା ଅଧିକ ରହିଛି । ଉଭୟ ବିଜେପି ଓ ବିରୋଧୀ ମେଂଟ ‘ଇଣ୍ଡିଆ’ ୨୦୨୩ରେ ହେଉଥିବା ଶେଷ ବିଧାନସଭା ନିର୍ବାଚନକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ‘ସେମି ଫାଇନାଲ’ ଭାବେ ବିଚାର କରୁଛନ୍ତି । ସାଧାରଣ ନିର୍ବାଚନରେ ବିରୋଧୀ ଜାତିଗତ ଜନଗଣନା ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରିବାକୁ ମନ ସ୍ଥିର କରିଛନ୍ତି । ତେଣୁ, ବିଧାନସଭା ନିର୍ବାଚରେ ତାହାର ପରୀକ୍ଷାମୂଳକ ପ୍ରୟୋଗ ହୋଇଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି ।
ସୁପ୍ରିମ କୋର୍ଟରେ କାଏମ ରହିବ ତ ?
ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ପକ୍ଷରୁ ‘ଜାତିଗତ ଜନଗଣନା’ ଉପରେ ଅଂକୁଶ ଲଗାଇବାକୁ ଚାହୁଁନଥିବା ବିହାର ସନ୍ଦର୍ଭରେ ସ୍ପଷ୍ଟ ହୋଇଛି । ବିହାରରେ ହୋଇଥିବା ଜାତିଗତ ଜନଗଣନା ରିପୋର୍ଟ ଉପରେ ଅଂକୁଶ ଲଗାଇବାକୁ କେତେକ ଗୋଷ୍ଠୀ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଅନୁକୂଳ ରାୟ ପାଇ ନଥିଲେ । କିନ୍ତୁ, ବିଭିନ୍ନ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉପରେ ସୁପ୍ରିମ କୋର୍ଟ ବହୁ ପୂର୍ବରୁ ସର୍ବୋଚ୍ଚ ସୀମା ଧାର୍ଯ୍ୟ କରି ସାରିଛନ୍ତି । ଏହାକୁ ଉଲଂଘନ କରି ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ପାଇଁ ଅତୀତରେ ବିଭିନ୍ନ ରାଜ୍ୟ ପକ୍ଷରୁ ହୋଇଥିବା ଉଦ୍ୟମ ସୁପ୍ରିମ କୋର୍ଟ ଦ୍ୱାରା ଅଗ୍ରାହ୍ୟ ହୋଇ ଆସିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣେ ଅଭିଜ୍ଞ ରାଜନେତା । ସବୁ ଜାଣି ସେ ସଂଖ୍ୟାଲଘୁ ଜାତି, ଜନଜାତି, ପଛୁଆ ବର୍ଗ (ଓବିସି) ଓ ସବୁଠାରୁ ପଛୁଆ ବର୍ଗ (ଇବିସି)ଙ୍କ ପାଇଁ ରାଜ୍ୟରେ ୬୫ ପ୍ରତିଶତ ସ୍ଥାନ ସଂରକ୍ଷଣ ଆଇନ କାର୍ଯ୍ୟକାରୀ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟରେ ନୀତୀଶଙ୍କ ନୂଆ ଆଇନ ଅଗ୍ରାହ୍ୟ ହୋଇଯିବ, ଏଥିରେ କୌଣସି ସନ୍ଦେହ ନାହିଁ । ତଥାପି, ନୂଆ ଆଇନକୁ ନେଇ ବିଜେପି ଓ ବିରୋଧୀ ମୁହାଁମୁହିଁ ହେବା ତଥ୍ୟାଭିଜ୍ଞ ମହଲକୁ ଆଚମ୍ବିତ କରିଛି ।
ବିଷମ ସ୍ଥିତିରେ ବିଜେପି…
ବିଜେପି ପ୍ରଥମରୁ ଜାତିଗତ ଜନଗଣନାକୁ ବିରୋଧ କରୁଥିଲା । ବିରୋଧୀ ମେଂଟ ଜାତିଗତ ଜନଗଣନା ପାଇଁ ଅଡି ରହିଥିବାରୁ ଏହା ଜାତି ଜାତି ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଉଦ୍ଦିଷ୍ଟ ବୋଲି ବିଜେପି ସମାଲୋଚନା କରୁଛି । ବିରୋଧୀଙ୍କ ରାଜନୀତିକୁ ‘ସଂକୀର୍ଣ୍ଣ ରାଜନୀତି’ ବୋଲି ମଧ୍ୟ ଦଳ ଆକ୍ଷେପ କରିଛି । କିନ୍ତୁ, ପାଂଚଟି ବିଧାନସଭା ନିର୍ବାଚନରେ ଜାତିଗତ ଜନଗଣନା ଦାବିର ପ୍ରଭାବ ସମ୍ଭାବନାକୁ ଦେଖି ବିଜେପି ପଇଁତରା ବଦଳାଇବାକୁ ବାଧ୍ୟ ହୋଇଛି । ଦଳ ଜାତିଗତ ଜନଗଣନା ବିରୋଧୀ ନୁହେଁ, ବ୍ୟାପକ ବିଚାର ବିମର୍ଷ ମାଧ୍ୟମରେ ଯାହା କିଛି କରାଯିବା ଆବଶ୍ୟକ ବୋଲି ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବୟାନରୁ ଏହା ସ୍ପଷ୍ଟ ହେଉଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ବିଧାନସଭାରେ ଜାତିଗତ ଜନଗଣନା ରିପୋର୍ଟ ଉପସ୍ଥାପନ କରିବା ବେଳେ ବିଜେପି ଏହାକୁ ଭ୍ରମାତ୍ମକ କହି ସମାଲୋଚନା କରିଥିଲେ ମଧ୍ୟ ୬୫ ପ୍ରତିଶତ ସଂରକ୍ଷଣ ବିଲ୍ ଗୃହୀତ ସମୟରେ ଦଳର ବିଧାୟକମାନେ ତାହାର ବିରୋଧ କରିନଥିଲେ । ଯାହା ବିରୋଧ ହୋଇଥିଲା ବିଧାନସଭା ବାହାରେ । ବିହାର ରାଜ୍ୟପାଳ ଦୁଇଟି ଯାକ ବିଧେୟକକୁ ଅନୁମୋଦନ ଦେବା ଓ ତାହା ଆଇନରେ ପରିଣତ ହେବା ବିଜେପିର ବିଷମ ସ୍ଥିତିକୁ ସ୍ପଷ୍ଟ କରୁଛି । ଡିସେମ୍ବର ୩ ତାରିଖରେ ଭୋଟ ଫଳାଫଳ ଆସିବା ପରେ ଜାତିଗତ ଜନଗଣନା ଓ ଆରକ୍ଷଣ ସୀମା ବୃଦ୍ଧିକୁ ନେଇ ବିଜେପି ଓ ବିରୋଧୀ କି ନୂଆ ଖେଳ ଖେଳିବେ, ତାହା ଆଗକୁ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS