‘ଡିପ୍ ଫେକ୍’ ନେଇ ସରକାରଙ୍କ ଭୟ !


ପ୍ରସାଦ ରାଓ
ନଭେମ୍ବର ୨୩
ଆଇଟି କ୍ଷେତ୍ରରେ ଆସିଥିବା ନୂଆ ପ୍ରଯୁକ୍ତି ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ସମ୍ଭାବ୍ୟ ବ୍ୟବହାରକାରୀଙ୍କ ମଧ୍ୟରେ ଯେତିକି ଉତ୍କଂଠା ସୃଷ୍ଟି କରିଛି ତା’ଠାରୁ ଅଧିକ ଆତଙ୍କ ସୃଷ୍ଟି କରିଛି । ଉତ୍କଂଠା ସୃଷ୍ଟି ହେବାର କାରଣ ହେଉଛି,ଏହି ନୂଆ ପ୍ରଯୁକ୍ତି ବ୍ୟବହାର ମାଧ୍ୟମରେ ଆଇଟି କ୍ଷେତ୍ରରେ ବିସ୍ମୟକର ପରିବର୍ତ୍ତନ ଆଣି ହେବ । ଏଆଇ ପ୍ରଯୁକ୍ତିରେ ପ୍ରସ୍ତୁତ ହେଉଥିବା ରୋବଟମାନେ ଠିକ୍ ମଣିଷ ଭଳି ଦେଖାଯିବେ, ଯେଉଁ ଅନୁସାରେ ପ୍ରୋଗ୍ରାମିଂ ହୋଇଥିବା ସେହି ଅନୁସାରେ ଅଂଗଭଂଗି କରି ବାହାର ଦୁନିଆରେ ବାର୍ତ୍ତା ପହଂଚାଇ ପାରିବେ । ମଣିଷ କରୁଥିବା ପ୍ରାୟ ସବୁ କାର୍ଯ୍ୟ ଏହି କୃତ୍ରିମ ମନୁଷ୍ୟଙ୍କ ଦ୍ୱାରା ସମ୍ଭବ ହୋଇପାରିବ । ଏହି ପ୍ରଯୁକ୍ତିର ବ୍ୟବହାର ବ୍ୟୟବହୁଳ ହାଇଥିଲେ ମଧ୍ୟ ବିଭିନ୍ନ କାର୍ଯ୍ୟରେ ମାନବସମ୍ବଳର ବ୍ୟବହାର କମିଯିବା ଦ୍ୱାରା ବ୍ୟବହାରକାରୀ ସଂସ୍ଥାଙ୍କ ବ୍ୟୟ ମଧ୍ୟ ବହୁମାତ୍ରାରେ ସଂକୁଚିତ ହୋଇପାରିବ ।
ବର୍ତ୍ତମାନ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିରେ ପ୍ରସ୍ତୁତ ରୋବର୍ଟମାନେ ଟେଲିଭିଜନ ସ୍କ୍ରିନରେ ଖବର ପରିବେଷଣ କରିବା ଆରମ୍ଭ କଲେଣି । ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମ କେବଳ ନୁହେଁ, ଆଂଚଳିକ ବୈଦ୍ୟୁତିକ ଗଣମାଧ୍ୟମରେ ମଧ୍ୟ ଏଭଳି ରୋବଟଙ୍କ ପଦାର୍ପଣ ଘଟିଲାଣି । ତେଣୁ, ଏଭଳି ବିସ୍ମୟକର ପ୍ରଯୁକ୍ତିକୁ ନେଇ ଜନସାଧାରଣରେ ଉତ୍କଂଠା ବଢିବା ସ୍ୱାଭାବିକ କଥା । ତେବେ, ଥରେ ଏଆଇର ବହୁଳ ବ୍ୟବହାର ହେଲେ ସମଗ୍ର ବିଶ୍ୱରେ ମାନବ ସମ୍ବଳର ବ୍ୟବହାର ବହୁମାତ୍ରାରେ ହ୍ରାସ ପାଇ ବେକାର ସମସ୍ୟା ଉତ୍କଟ ହେବ, ସେନେଇ ଚିନ୍ତା ମଧ୍ୟ ପ୍ରକାଶ ପାଇଲାଣି । ତେବେ, ଏଆଇ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ପୂର୍ବରୁ ଇଂଟରନେଟରେ ଥିବା ଯେକୌଣସି ଫଟୋକୁ (ତାହା ପୁରୁଷଙ୍କ ହୋଇଥାଉ ବା ମହିଳାଙ୍କ) ଇଚ୍ଛା ଅନୁସାରେ ରୂପ ଦିଆଯାଇ ଅପବ୍ୟବହାର କରାଯାଇ ପାରିବ- ଏଭଳି କଥା ଏବେ ସାମ୍ନାକୁ ଆସିଲାଣି । ଯହାକୁ କି ଇଂରାଜୀରେ ‘ଡିପ୍-ଫେକ୍’ କୁହାଯାଉଛି ।
ବଲିଉଡ୍ ଅଭିନେତ୍ରୀ ରଶ୍ମିକା ମନ୍ଧାନା ଓ କାଟ୍ରିନା କୈଫଙ୍କ ‘ଡିପ୍-ଫେକ୍’ ଭିଡିଓ ଇଂଟରନେଟରେ ବହୁଳ ଭାବେ ପ୍ରସାରିତ ହେବା ପରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଏହି ଦିଗଟି ଚର୍ଚ୍ଚାକୁ ଆସିଥିଲା । ଅଭିଯୋଗ ପାଇବା ପରେ ସାଇବର ଅପରାଧ ତଦନ୍ତ କରୁଥିବା ସଂସ୍ଥା ପକ୍ଷରୁ ତାହାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା କୁହାଯାଇଥିଲା । ଏଆଇ ମାଧ୍ୟମରେ ଏଯଉଁ ଡିପ୍-ଫେକ୍ ଫଟୋ ଓ ଭିଡିଓ ପ୍ରସ୍ତୁତ ହେଉଛି ମୂଳଫଟୋ ସହ ତାହାର ଏତେଦୂର ସାମଂଜସ୍ୟ ରହୁଛି ଯେ ତାହା ଅସଲି କି ନକଲି (?) ଜାଣିବା କଷ୍ଟକର ବୋଲି ବିଶେଷଜ୍ଞମାନେ କହୁଛନ୍ତି । ନିକଟରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଭଳି ଏକ ଅଭିଯୋଗ କରିଛନ୍ତି । ଏକ ନିର୍ବାଚନ ସଭାରେ ଭାଷଣ ଦେବା ବେଳେ ସେ କହିଛନ୍ତି, ସେ ହାତରେ ଦୁଇଟି କାଠି ଧରି ଦାଣ୍ଡିଆ ଖେଳୁଥିବାର ଭିଡିଓ ନିକଟରେ ଇଂଟରନେଟରେ ବହୁଳ ଭାବେ ପ୍ରସାରିତ ହୋଇଛି, ଯାହାକି ଅସଲି ନୁହେଁ । ସ୍କୁଲରେ ପାଠ ପଢିବା ସମୟରେ ବେଳେ ବେଳେ ସେ ଦାଣ୍ଡିଆ ଖେଳିଛନ୍ତି ସିନା ପରେ ନୁହେଁ । କିନ୍ତୁ, ଡିପ୍-ଫେକ୍ ଭିଡିଓରେ ତାଙ୍କ ହାତରେ ଦାଣ୍ଡିଆ ଷ୍ଟିକ୍ ଧରାଇ ଦିଆଯାଇ ଖେୁଳୁଥିବାର ଅବିକଳ ଦୃଶ୍ୟ ପ୍ରସାରିତ କରାଯାଇଛି । ସେ ତାହା ଅସଲି ନୁହେଁ ଜାଣିଥିଲେ ମଧ୍ୟ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁମାନେ ତାହା ଅସଲି ଭାବି ବହୁ ସଂଖ୍ୟାରେ ଲାଇକ୍ ଓ ସେୟାର କରିଛନ୍ତି ।
ଏହି ଭିଡିଓ ଅପସାରିତ ହୋଇନଥିବା ଓ ସାମାଜିକ ଗଣମାଧ୍ୟମରେ ‘ରିଲ୍ସ’ରେ ଏବେ ମଧ୍ୟ ପ୍ରସାରିତ ଥିବା ଦେଖିବାକୁ ମିଳୁଛି । କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ଏଭଳି ସତ ଭଳି ଲାଗୁଥିବା ନକଲି ଫଟୋ ଓ ଭିଡିଓ ପ୍ରସ୍ତୁତ କରାଯାଇ ବହୁଳ ଭାବେ ପ୍ରସାରିତ କରାଯିବା ଅତ୍ୟନ୍ତ ବିପଜ୍ଜନକ । ଏବେ ନିର୍ବାଚନ ଋତୁ ଚାଲି ଥିବାରୁ ରାଜନେତା ଓ ରାଜନୈତିକ ଦଳଙ୍କ ବିରୋଧରେ ଅପପ୍ରଚାର ଏବଂ ରାଜନେତାଙ୍କୁ ବଦନାମ କରିବା ପାଇଁ ‘ଡିପ୍-ଫେକ୍’ର ବହୁଳ ବ୍ୟବହାର ହୋଇପାରେ ବୋଲି ପ୍ରଧାନମନ୍ତ୍ରୀ ନିଜେ ଆଶଙ୍କା ବ୍ୟକ୍ତ କରିବା ସହ ଏହା ଉପରେ ତୁରନ୍ତ ଅଂକୁଶ ଲଗାଯିବା ସପକ୍ଷରେ ମତ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ପରେ କେନ୍ଦ୍ର ସରକାରଙ୍କ ବିଭାଗୀୟ (ଆଇଟି) ମନ୍ତ୍ରୀମାନେ ଅଧିକ ସଂବେଦନଶୀଳ ହୋଇ ‘ଡିପ୍-ଫେକ୍’କୁ ରୋକିଆ ଦିଗରେ କଡା ଆଇନ ଆଣିବାକୁ ଫେସବୁକ୍, ଇନଷ୍ଟାଗ୍ରାମ ବହୁଳ ପ୍ରସାରିତ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡିକ ସହ ଆଲୋଚନା ଆରମ୍ଭ କରିଦେଇଛନ୍ତି । ଆଲୋଚନା ଚାଲିଛି, ନଭେମ୍ବର ୨୪ ତାରିଖ ବେଳକୁ କିଛି ଗୋଟାଏ ବ୍ୟବସ୍ଥା ହୋଇଯିବ ବୋଲି କେନ୍ଦ୍ର ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଦୁଇ ଦିନ ତଳେ ବିବୃତି ଦେଇଥିଲେ । ସାମାଜିକ ଗଣମାଧ୍ୟମ ସଂସ୍ଥାଙ୍କ ସହ ଆଲୋଚନା ପରେ ଆଜି କେନ୍ଦ୍ର ଆଇଟି (ସୂଚନା ଓ ପ୍ରଯୁକ୍ତି) ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନୂଆଦିଲ୍ଲୀରେ କହିଛନ୍ତି, ଏଆଇ ମାଧ୍ୟମରେ ହେଉଥିବା ଡିପ୍-ଫେକ୍’ ଉପରେ ଅଂକୁଶ ଲଗାଇବାକୁ ସରକାର ଏକ ନୂଆ ଆଇନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି ।
ଏହି ଆଇନରେ ‘ଡିପ୍ ଫେକ୍’ ଫଟୋ ଓ ଭିଡିଓ ନେଇ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିବା ଦିଗରେ ଥିବା ବ୍ୟବସ୍ଥାକୁ ଅଧିକ ସୁଦୃଢ କରାଯିବ । ସରକାରଙ୍କ ଉଦ୍ବେଗକୁ ସାମାଜିକ ଗଣମାଧ୍ୟମମାନେ ବୁଝିବା ଆବଶ୍ୟକ । ସେମାନେ ଏହା ମଧ୍ୟ ବୁଝିବା ଆବଶ୍ୟକ ଯେ, ‘ଡିପ୍ ଫେକ୍’ ମାଧ୍ୟମରେ ପ୍ରସ୍ତୁତ ନକଲି ଫଟୋ ଓ ଭିଡିଓ ‘ଅଭିବ୍ୟକ୍ତିର ଅଧିକାର’ ପରିସରଭୁକ୍ତ ନୁହେଁ । ସରକାର ଯେଉଁ ନୂଆ ଆଇନ ଆଣିବାକୁ ଯାଉଛନ୍ତି ସେଥିରେ ‘ଡିପ୍ ଫେକ୍’ ଭିଡ଼ିଓ ପ୍ରସ୍ତୁତକାରୀଙ୍କ ବିରୋଧରେ ଜରିମାନା ଲାଗୁ କରିବା ବ୍ୟବସ୍ଥା ରହିବ । ସମାଜରେ ଥିବା ବିଶ୍ୱାସର ବାତାବରଣକୁ ଅଧିକ ଦୃଢ କରିବା ଓ ଭାରତୀୟ ଗଣତନ୍ତ୍ରକୁ ଡିପ୍ ଫେକ୍’ କବଳରୁ ସୁରକ୍ଷିତ ରଖିବା ସକାଶେ କଡା ଆଇନର ଆବଶ୍ୟକତା ରହିଛି । ଉଦ୍ବେଗ ସୃଷ୍ଟିକାରୀ ‘ଡିପ୍ ଫେକ୍’ ପ୍ରସଙ୍ଗକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ସହ ଆସନ୍ତା ମାସରେ ପୁଣି ଥରେ ଆଲୋଚନା ହେବ ବୋଲି ଆଇଟି ମନ୍ତ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି । ଗତ ସପ୍ତାହରେ ମଧ୍ୟ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ‘ଡିପ୍ ଫେକ୍’ ଭାରତୀୟ ଗଣତନ୍ତ୍ର, ଜାତୀୟ ନିରାପତ୍ତା ଓ ସାଧାରଣ ଜନତା ପାଇଁ ବଡ ସମସ୍ୟା ରୂପେ ଦେଖା ଦେଇଛି ବୋଲି କହିଥିଲେ ।
ଏଆଇ ପ୍ରଯୁକ୍ତି ମାଧ୍ୟମରେ ପ୍ରସ୍ତୁତ ନକଲି ଭିଡ଼ିଓ ଜନସାଧାରଣଙ୍କ ଭାବନାକୁ ଆଘାତ ଦେବା ସହ ଦେଶରେ ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଘୋର ବିଭ୍ରାନ୍ତି ସୃଷ୍ଟି କରିବା ଆଶଙ୍କା ରହିଛି । ବିଶେଷକରି, ରାଜନେତାଙ୍କ ବିରୋଧରେ ଏହାର ବ୍ୟାପକ ବ୍ୟବହାର ହେବା ଆଶଙ୍କା କରାଯାଉଛି । ନିର୍ବାଚନ ସମୟରେ ଏଭଳି ନକଲି ଭିଡ଼ିଓ କେତେ ମାରତ୍ମକ ପରିସ୍ଥିତି ସୃଷ୍ଟି କରିବ, ତାହା ଅନୁମାନ ସାପେକ୍ଷ । ଆଇଟି ବିଶେଷଜ୍ଞମାନେ ମଧ୍ୟ ଏଭଳି ଆଶଙ୍କା ବ୍ୟକ୍ତ କରୁଛନ୍ତି । ତେଣୁ, ‘ଡିପ୍ ଫେକ୍’ ଭିଡ଼ିଓ ଦ୍ୱାରା ଯେଉଁମାନେ କ୍ଷତିଗ୍ରସ୍ତ ହେଉଛନ୍ତି ସେମାନେ ତୁରନ୍ତ ନିକଟସ୍ଥ ଥାନାରେ ଏତଲା ଦେଇ ଆଇପିସିର ବିଭିନ୍ନ ଧାରା ଓ ଆଇଟି (ସୂଚନା ଓ ପ୍ରଯୁକ୍ତି) ଆଇନ, ୨୦୨୧ର ସୁଯୋଗ ନେବା ଆବଶ୍ୟକ ବୋଲି କେନ୍ଦ୍ର ଇଲୋକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ପୂର୍ବରୁ କହିସାରିଛନ୍ତି । ପ୍ରଧାନମନ୍ତ୍ରୀ ନିଜେ ‘ଡିପ୍ ଫେକ୍’ର ଶିକାର ହେଇଥିବା ଅଭିଯୋଗ କରିବା ପରେ ସରକାର ଅଧିକ ସ୍ପର୍ଶକାତର ହୋଇଛନ୍ତି । ଏଭଳି ଅଭିଯୋଗ ହେଲେ ସାମାଜିକ ଗଣମାଧ୍ୟମ ସଂସ୍ଥାମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଟି ଆଇନରେ ବ୍ୟବସ୍ଥା ରହିଛି । ଆଇନକୁ ଅଧିକ ଶକ୍ତିଶାଳୀ କରିବାକୁ ସରକାର ଆଗକୁ କଣ ପଦକ୍ଷେପ ନେଉଛନ୍ତି ତାହା ଭବିଷ୍ୟତରେ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS