ଭୋଟ ପୂର୍ବରୁ ମନେ ପଡିଲେ ପିଭି..?


ପ୍ରସାଦ ରାଓ
ନଭେମ୍ବର ୨୫
ତେଲେଂଗାନାରେ ବିଧାନସଭା ଭୋଟ ହେବାକୁ ଆଉ ମାତ୍ର ପାଂଚ ଦିନ ଅଛି ଚର୍ଚ୍ଚାକୁ ଆସିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପିଭି ନରସିଂହ ରାଓ । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ପିଭି ନରସିଂହ ରାଓ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ । କଂଗ୍ରେସ ଦଳ ତାଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା । ତେବେ, ବିଡମ୍ବନାର ବିଷୟ ହେଉଛି, ତେଲେଂଗାନା ବିଧାନସଭା ନିର୍ବାଚନ ଅବକାଶରେ କଂଗ୍ରେସ ଦଳ ତାଙ୍କୁ ମନେ ପକାଇବା ବଦଳରେ ବିଆରଏସ (ଭାରତ ରାଷ୍ଟ୍ର ସମିତି) ତାଙ୍କୁ ମନେ ପକାଇଛି । କଂଗ୍ରେସର ପୂର୍ବତନ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କୁ ଦଳ ଦ୍ୱାରା କିଭଳି ଅପମାନିତ ହୋଇଥିଲେ, କଂଗ୍ରେସ ନେତୃତ୍ୱ ତାଙ୍କୁ କୋଣଠେସା କରିବା ସହ କିଭଳି ୧୯୯୬ ନିର୍ବାଚନରେ ଦଳୀୟ ଟିକଟ ଦେବାରୁ ବଂଚିତ କରିଥିଲେ ଏବଂ ଦେହାନ୍ତ ପରେ ରାଓଙ୍କ ମର ଶରୀରକୁ କିଭଳି ଭାବେ ନୂଆଦିଲ୍ଲୀ ୨୪ ଆକବର ରୋଡରେ ଥିବା ଏଆଇସିସି କାର୍ଯ୍ୟାଳୟକୁ ନିଆଯିବା ଅନୁମତି ମିଳିନଥିଲା ତାହା ଆଜି ହାଇଦ୍ରାବାଦରେ ମନେ ପକାଇ ଦେଇଛନ୍ତି ତେଲେଂଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ସୁପୁତ୍ର ତଥା ରାଜ୍ୟର ଦୁଇ ନମ୍ବର ମନ୍ତ୍ରୀ କେ.ଟି.ରାମାରାଓ ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ତେଲେଂଗାନାର ନିଜାମାବାଦରେ ଆୟୋଜିତ ଏକ ସଭାରେ ଭାଷଣ ଦେଇ ଭାରତ ରାଷ୍ଟ୍ର ସମିତି (ବିଆରଏସ) ମୁଖ୍ୟ ତଥା ତେଲେଂଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ପରିବାର ଦୁର୍ନିତିଗ୍ରସ୍ତ ବୋଲି ସମାଲୋଚନା କରିଥିବା ବେଳେ ବିଆରଏସ ନେତା କେ.ଟି.ରାମାରାଓ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ପ୍ରତି କଂଗ୍ରେସ ନେତୃତ୍ୱ ଆଡୁ ହୋଇଥିବା ଅବହେଳା ଓ ଅପମାନ କଥା କହି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୪ ପରରୁ ବେକାର ହୋଇଯିବାରୁ ବାରମ୍ବାର ବେକାରୀ ସମସ୍ୟା କଥା କହୁଛନ୍ତି ଓ ଏଆଇସିସି ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଇତିହାସ ସଂପର୍କରେ ସଚେତନ ଥିବା ଭଳି ମନେ ହେଉ ନାହିଁ କହି କେଟିଆର ଅବିଭକ୍ତ ଆନ୍ଧ୍ର ପ୍ରଦେଶର ସମ୍ମାନସ୍ପଦ ନେତା ପିଭି ନିରସିଂହ ରାଓଙ୍କ ପ୍ରତି କଂଗ୍ରେସ ନେତୃତ୍ୱ ଆଡୁ ହୋଇଥିବା ଅବହେଳା ଓ ଅପମାନ କଥା ମନେ ପକାଇ ଦେଇଛନ୍ତି । ରାଓ ପ୍ରଧାନମନ୍ତ୍ରୀ ଥାଇ ସୁଦ୍ଧା କଂଗ୍ରେସ ନେତୃତ୍ୱର ଅସୂୟା ଯୋଗୁଁ ୧୯୯୬ରେ ଲୋକସଭା ନିର୍ବାଚନ ଲଢିବାକୁ ଟିକଟ ପାଇବାରୁ ବଂଚିତ ହୋଇଥିଲେ ବୋଲି କେଟିଆର କହିଛନ୍ତି ।
କଂଗ୍ରେସ ନେତୃତ୍ୱ ଅତୀତରେ ଦଳର ପୂର୍ବତନ ସଭାପତି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ରାଓଙ୍କୁ ମୃତ୍ୟୁ ପୂର୍ବରୁ ଓ ମୃତ୍ୟୁ ପରେ ଯେଭଳି ଭାବେ ଅପମାନିତ କରିଛନ୍ତି ସେଥିପାଇଁ ଗାନ୍ଧୀ ପରିବାର ପକ୍ଷରୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ତାଙ୍କ ପରିବାର ନିକଟରେ କ୍ଷମା ପ୍ରର୍ଥନା କରିବା ଆବଶ୍ୟକ ବୋଲି କେଟିଆରଙ୍କ ସାର୍ବଜନୀନ ମନ୍ତବ୍ୟ ତେଲେଂଗାନାରେ ୩୦ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ କଂଗ୍ରେସ ଓ ବିଆରଏସ ମଧ୍ୟରେ କିଭଳି ତୀକ୍ତ ବାକ୍ୟୁଦ୍ଧ ଚାଲିଛି ତାହା ସ୍ପଷ୍ଟ ହେଉଛି । ରାହୁଲ ଗାନ୍ଧୀଙ୍କ ପେଷାଦାର କ୍ୟାରିୟରକୁ ନେଇ କେଟିଆର ପ୍ରଶ୍ନ ଉଠାଇଛନ୍ତି । ରାହୁଲ କେବେ କୌଣସି ଏଂଟ୍ରାନ୍ସ ପରୀକ୍ଷା ଦେଇଛନ୍ତି ନା ଦିନକ ପାଇଁ କୌଣସି ଘରୋଇ ଉଦ୍ୟୋଗରେ କାର୍ଯ୍ୟ କରିଛନ୍ତି (?) ବୋଲି କେଟିଆର ପ୍ରଶ୍ନ କରିବା ସହ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି କଂଗ୍ରେସକୁ ମୂଳପୋଛ କରି କ୍ଷମତା ଦଖଲ କରିବା ପରଠାରୁ ରାହୁଲ ବେକାର ହୋଇଯାଇଛନ୍ତି । ଅନ୍ୟପକ୍ଷରେ ସେ (କେଟିଆର) ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ବିଭିନ୍ନ ସମୟରେ ଏଂଟ୍ରାନ୍ସ ପରୀକ୍ଷା ଦେଇଥିଲେ ଓ ବିଭିନ୍ନ ସଂସ୍ଥାରେ ଚାକିରୀ କରିଥିଲେ ବୋଲି କେଟିଆର କହିଛନ୍ତି ।
ଏଠାରେ ସୂଚନାଯୋଗ୍ୟ, କଂଗ୍ରେସର ଦିବଙ୍ଗତ ନେତା ପିଭି ନରସିଂହ ରାଓ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ନବମ ପ୍ରଧାନମନ୍ତ୍ରୀ ରହିଥିଲେ । ରାଓଙ୍କ ନାତି ଏନଭି ସୁବାସ ଏବେ ତେଲେଂଗାନା ବିଜେପିର ମୁଖପାତ୍ର ରହିଛନ୍ତି । ଯେଉଁ କଂଗ୍ରେସ ଦଳ ରାଓଙ୍କୁ ଜୀବିତାବସ୍ଥାରେ ଓ ମୃତ୍ୟୁ ପରେ ଅପମାନିତ କରିଛି ସେହି ଦଳ ଆଜି ନାମକୁମାତ୍ର ତାଙ୍କ ଶତବାର୍ଷିକୀ ପାଳନ କରୁଛି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଓଙ୍କ କାର୍ଯ୍ୟ, ନୀତି ଓ ଉଦ୍ୟମର ପ୍ରଶଂସା କରିଛନ୍ତି ଏବଂ ଦିଲ୍ଲୀରେ ରାଓଙ୍କ ସ୍ମାରକୀ ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେଇଛନ୍ତି ବୋଲି ରାଓଙ୍କ ନାତି ଏନଭି ସୁବାସ ସୂଚନା ଦେଇଛନ୍ତି । ଉଭୟ ବିଆରଏସ ଓ ବିଜେପି ପକ୍ଷରୁ ଠିକ୍ ମତଦାନ ପୂର୍ବରୂ ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ପ୍ରତି କଂଗ୍ରେସର ଅବହେଳା ଓ ଅପମାନ ପ୍ରସଙ୍ଗ ଉଠାଯିବା ଓ କଂଗ୍ରେସ ନେତୃତ୍ୱକୁ ଟାର୍ଗେଟ୍ କରାଯିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ସ୍ପଷ୍ଟ ।
ତେବେ, ଏହା ମଧ୍ୟ ସ୍ୱୀକାର କରିବାକୁ ପଡିବ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ କଂଗ୍ରେସ ଦଳ ଏକ ଗମ୍ଭୀର ସଂକଟ ସମୟ ଦେଇ ଗତି କରୁଥିବା ବେଳେ ପିଭି ନରସିଂହ ରାଓ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇ ଦେଶ ଓ ଦଳକୁ ସମ୍ଭାଳି ଥିଲେ । ମୃତ୍ୟୁ ପରେ ମରଦେହକୁ ଏଆଇସିସି କାର୍ଯ୍ୟାଳୟରେ ପ୍ରବେଶ ଅନୁମତି ଦିଆନଯିବା ଥିଲା ଅତ୍ୟନ୍ତ ଦୁଃଖଦ ଘଟଣା ଏବଂ ଏହି ଦିବଙ୍ଗତ ନେତାଙ୍କ ପ୍ରତି ଥିଲା ବଡ ଅପମାନ । ତେଲେଂଗାନାରେ ବିଧାନସଭା ଭୋଟର ଠିକ୍ ପୂର୍ବରୁ ବିଆରଏସ ଓ ବିଜେପି ଏହି ପ୍ରସଙ୍ଗ ଉଠାଇ କେତେ ଲାଭବାନ ହେବେ ଭିନ୍ନ କଥା, କିନ୍ତୁ କଂଗ୍ରେସ ଯେ କ୍ଷତିଗ୍ରସ୍ତ ହେବ – ଏଥିରେ କୌଣସି ସନ୍ଦେହ ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS