ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଏମିତି ଦିନ ଦେଖିବେ ବୋଲି…


ପ୍ରସାଦ ରାଓ
ନଭେମ୍ବର ୨୭
ସେମାନେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ ଏମିତି ଦିନ ଦେଖିବେ । ୧୫ ଦିନ ହେଲା ଫସି ରହିଛନ୍ତି ଗୋଟିଏ ସୁଡଙ୍ଗର କଂକ୍ରିଟ ଆବର୍ଜନା ଭିତରେ । ମୁକ୍ତାକାଶ ଦେଖି ନାହାନ୍ତି । ନିଶ୍ୱାସ ପ୍ରଶ୍ୱାସ ପାଇଁ ନିର୍ଭର କରୁଛନ୍ତି ବାହାରୁ ପାଇପ ଦ୍ୱାରା ଯୋଗାଇ ଦିଆଯାଉଥିବା ଅକ୍ସିଜେନ୍ ଉପରେ । ଖାଇବା, ପିଇବା ପାଣି ଏବଂ ଔଷଧ ମଧ୍ୟ ସେହି ପାଇପ ଦେଇ ଯୋଗାଣ ହେଉଛି । କେବଳ ଏତିକି ଆଶ୍ୱାସନା, ସେମାନଙ୍କ ନିକଟରେ ଆଲୋକ, କ୍ୟାମେରା ଓ ଯୋଗାଯୋଗ ସୁବିଧା ପହଂଚିଛି । ବାହାର ଦୁନିଆ ସେମାନଙ୍କୁ କ୍ୟାମେରା ମାଧ୍ୟମରେ ଦେଖି ପାରୁଛି ଓ ଯୋଗଯୋଗ ବ୍ୟବସ୍ଥା ହୋଇଥିବାରୁ କଥାବାର୍ତ୍ତା କରିପାରୁଛି । ତେବେ, ସେମାନଙ୍କ ଅପେକ୍ଷା ରହିଛି – କେବେ ଉଦ୍ଧାର ହେବେ । ସୁରକ୍ଷିତ ଭାବରେ ନିଜ ପରିବାର ନିକଟରେ ପହଂଚିବେ । ପୁଣି ଥରେ ସ୍ୱାଭାବିକ ଜୀବନ ଜିଇଁବେ । ଘୋର ଅନିଶ୍ଚିତତା ଭିତରେ ବଂଚି ରହିଥିବା ଏହି ମଣିଷମାନେ ଉଦ୍ଧାର ଅପେକ୍ଷାରେ ଥିବା ବେଳେ ସେମାନଙ୍କ ପରିବାର ଟନେଲ ଦୁଆର ମୁହଁରେ ଅପେକ୍ଷା କରିଛନ୍ତି ସେମାନଙ୍କ ପ୍ରିୟଜନଙ୍କୁ ।
ଟନେଲ ଦୁର୍ଘଟଣାର ଶିକାର ହୋଇ ୧୫ ଦିନ ହେଲା ବାହ୍ୟ ଦୁନିଆରୁ ବିଚ୍ଛିନ୍ନ ଥିବା ୪୧ ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ୫ ଜଣଙ୍କ ସମେତ ଅନ୍ୟ ସାତଟି ରାଜ୍ୟର ନିର୍ମାଣ ଶ୍ରମିକ । ପ୍ରତି ଦିନ ସେମାନେ ମୁକ୍ତ ଆକାଶର ସ୍ୱପ୍ନ ଦେଖୁଥିବା ବେଳେ ବାହାରୁ ବିଶ୍ୱାସ ଦିଆଯାଉଛି, ବିଶେଷଜ୍ଞମାନେ କାମରେ ଲାଗିଛନ୍ତି, ସୁରକ୍ଷିତ ଭାବେ ସେମାନେ ଉଦ୍ଧାର ହେବେ । ତେବେ, କେବେ ଏହି ସଫଳତା ମିଳିବ କେହି ଜାଣି ନାହାନ୍ତି । ଉଦ୍ଧାର ଉଦ୍ୟମ ଚାଲୁ ରହିଛି । କୌଣସି ନା କୌଣସି ପ୍ରତିବନ୍ଧକ ସାମ୍ନାକୁ ଆସି ଏହି କାର୍ଯ୍ୟକୁ ବିଳମ୍ବିତ କରୁଛି । ଧୀରେ ଧୀରେ ତାହା ଭିତରେ ଥିବା ଶ୍ରମିକ ଓ ବାହାରେ ଥିବା ସେମାନଙ୍କ ପରିବାରର ବିଶ୍ୱାସକୁ ଦୋହଲାଇ ଦେଉଛି । ଏଭଳି ବିଶ୍ୱାସ ଓ ଅବିଶ୍ୱାସର ଦୋଛକିରେ ପୁର୍ନଜୀବନ ଜୀବନ ପାଇବା ଅପେକ୍ଷାରେ ଅଛନ୍ତି ଏହି ଟନେଲ ଶ୍ରମିକମାନେ ।
ଉତ୍ତରାଖଣ୍ଡ ଉତ୍ତରକାଶୀରୁ ପ୍ରାୟ ୩୦ କିମି ଦୂର ସିଲ୍କୟାରା ପାହାଡର ନିର୍ମାଣାଧୀନ ଟନେଲରେ କାମ ଚାଲିଥିବା ବେଳେ ଅଚାନକ କଂକ୍ରିଟ କାର୍ଯ୍ୟର କିଛି ଅଂଶ ଧସି ଯିବାରୁ ଏଭଳି ଏକ ଅବସ୍ଥା ହୋଇଛି । ପାହାଡରେ ଟନେଲ ନିର୍ମାଣ କରାଯାଇ ଚାରି ଧାମ୍ ସବୁ ଦିନିଆ ରାସ୍ତା (ଅଲ୍ ୱେଦର ରୋଡ୍) ନିର୍ମାଣ ଚାଲିଛି । ନଭେମ୍ବର ୧୨ ତାରିଖ ଦିନ ଟନେଲ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡି ପଡିବାରୁ ଗୋଟିଏ ପଟେ ପାହାଡର ପ୍ରାଚୀର ଓ ଅନ୍ୟପଟେ ଭୁଶୁଡି ପଡିଥିବା କଂକ୍ରିଟ ଆବର୍ଜନା ମଝିରେ ଫସି ଯାଇଛି ଏହି ୪୧ଟି ଜୀବନ । ୧୫ ଦିନ ବିତିଥିଲେ ସୁଦ୍ଧା ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇନି । ଆଜି, କାଲି ଭିତରେ ଉଦ୍ଧାର କାର୍ଯ୍ୟ ସରି ସେମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଯିବ ବୋଲି ବିଶେଷଜ୍ଞମାନେ ସେମାନଙ୍କୁ ଓ ସେମାନଙ୍କ ପରିବାରକୁ ପ୍ରତିା୍ରୁତି ଦେଉଥିବା ବେଳେ ଆଜି ସୁଦ୍ଧା ଅନିଶ୍ଚିତତା ଦୂର ହୋଇ ନାହିଁ ।
ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଉଦ୍ୟମ ଚାଲିଛି ସିନା ଗୋଟିଏ ପରେ ଗୋଟିଏ ବାଧା କାର୍ଯ୍ୟକୁ ବିଳମ୍ବିତ କରୁଥିବାରୁ ହତାଶା ବଢୁଛି । ଟନେଲରେ ଫସି ରହିଥିବା ଶ୍ରମିକ ଏବଂ ବାହାରେ ଅପେକ୍ଷାରେ ଥିବା ସେମାନଙ୍କ ସହଯୋଗୀ ଶ୍ରମିକ ଏବଂ ପରିବାରର ସଂଶୟ ବଢିବାରେ ଲାଗିଛି । ମିଳିଥିବା ସୂଚନା ମୁତାବକ ଏହି ଶ୍ରମିକମାନେ ନିର୍ମାଣାଧୀନ ଟନେଲର ୫୩ ଓ ୫୯ ମିଟର ମାର୍କ ମଧ୍ୟରେ ଫସି ରହିଛନ୍ତି । ସେମାନଙ୍କୁ ନିରାପଦ ଭାବେ ଉଦ୍ଧାର କରିବାର ଏକମାତ୍ର ରାସ୍ତା ହେଉଛି ଟନେଲ ଭିତରେ ସିଧାସଳଖ ୬୦ ମିଟର ପର୍ଯ୍ୟନ୍ତ ଆଉ ଏକ ସୁଡଙ୍ଗ କରାଯାଇ ସେମାନଙ୍କ ନିକଟରେ ପହଂଚିବା । ଭୁଶୁଡି ପଡିଥିବା କଂକି୍ରିଟ ଖଣ୍ଡର ପାହାଡକୁ ଚିରି ମୋଟା ପାଇପ ଲାଇନ ଖଂଜା ଯିବା ସହ ସେହି ବାଟ ଦେଇ ସେମାନଙ୍କୁ ଜଣ ଜଣ କରି ଉଦ୍ଧାର କରାଯିବା ।
ଉତ୍ତରାଖଣ୍ଡ ସରକାର ଓ କେନ୍ଦ୍ର ସରକାର ଏଦିଗରେ ୧୫ ଦିନ ହେଲା କାର୍ଯ୍ୟ କରୁଛନ୍ତି । ସରକାରଙ୍କ ବିଭିନ୍ନ ଏଜେନ୍ସି ସହ ସତଲୁଜ ଜଳ ବିଦ୍ୟୁତ ନିଗମ (ଏସଜେଭିଏନଏଲ), ଜାତୀୟ ରାଜପଥ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ (ଏନଏଚଆଇଡିସିଏଲ), ଟିଏଚଡିସି ଇଣ୍ଡିଆ, ରେଳ ବିକାଶ ନିଗମ ଲିମିଟେଡ (ଆରଭିଏନଏଲ), କୋଲ୍ ଇଣ୍ଡିଆ, ଓଏନଜିସି ଭଳି କେନ୍ଦ୍ରୀୟ ସଂସ୍ଥାମାନେ ଏକାଧିକ ଯୋଜନା ପ୍ରସ୍ତୁତ କରି ଶ୍ରମିକଙ୍କୁ ଉଦ୍ଧାର କରିବା ବାଟ ତିଆରି କରୁଛନ୍ତି । ତେବେ, ଏଯାବତ ସଫଳତା ମିଳି ନାହିଁ । ସୁଡଙ୍ଗ ଭିତରେ କଂକ୍ରିଟ ଆବର୍ଜନାକୁ ଭେଦି ମଣିଷଙ୍କୁ ଉଦ୍ଧାର କଲା ଭଳି ମୋଟା ପାଇପ ଭତ୍ତି କରୁଥିବା ଆମେରିକାର ଭାରି ଅଗର ମେସିନ ୬୦ ମିଟରୁ ଆଉ ମାତ୍ର ୧୦ ମିଟର ଖନନ ବାକି ଥିବା ବେଳେ ଭାଂଗି ଯାଇଛି । ମେସିନର ବ୍ଲେଡ୍ ଭାଂଗି ଯିବା ପରେ ଉଦ୍ଧାର କାର୍ଯ୍ୟ ବନ୍ଦ ଥିଲା । ପରେ, ପାହାଡ ଉପରୁ ଭର୍ଟିକାଲ ଖନନ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ସହାୟତା ପାଇଁ ଗତକାଲି ଭାରତୀୟ ସେନାର ଇଂଜିନିୟରଙ୍କୁ ଉଦ୍ଧାର କାର୍ଯ୍ୟରେ ସାମିଲ କରାଯାଇଛି ।
ପୂର୍ବରୁ କଂକ୍ରିଟ ଆବର୍ଜନା ପାଚେରୀ ଆରପଟେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ସକାଶେ ସରକାର ବିଦେଶୀ ଟନେଲ ବିଶେଷଜ୍ଞଙ୍କ ସହାୟତା ନେଇଥିଲେ । କଂକ୍ରିଟ ଆବର୍ଜନାକୁ ଚିରି ମଣିଷଙ୍କୁ ଉଦ୍ଧାର କରାଯିବା ଭଳି ମୋଟେଇର ଲୁହା ପାଇପ ଭର୍ତ୍ତି କରାଯିବା କାର୍ଯ୍ୟ ଚାଲିଥିଲା । ୬୦ ମିଟର ପର୍ଯ୍ୟନ୍ତ ଏହି ପାଇପ ଭର୍ତ୍ତି କରାଯିବା ପରେ ସେହି ବାଟରେ ଜଣ ଜଣ କରି ସବୁ ଶ୍ରମିକଙ୍କୁ ଉଦ୍ଧାର କରାଯିବା ଯୋଜନା ଥିଲା । ତେବେ, ମାତ୍ର ୧୦ ମିଟର ଖନନ କାର୍ଯ୍ୟ ବାକି ଥିବା ବେଳେ ଆମେରିକାରୁ ଆସି ଥିବା ଭାରି ଅଗର ମେସିନର ବ୍ଲେଡ ଭାଂଗି ଯିବା କଂକ୍ରିଟରେ ଫସି ରହିଛି । ଫଳରେ, ଖନନ କାର୍ଯ୍ୟ ବ୍ୟାହତ ହୋଇ ବିକଳ୍ପ ସ୍ୱରୂପ ପାହାଡ ଉପରୁ ଭର୍ଟିକାଲ ଡ୍ରିଲିଂ ବା ଭୂଲମ୍ବ ଖନନ କାର୍ଯ୍ୟ ଗତକାଲିଠାରୁ ଆରମ୍ଭ ହୋଇଛି । ପାହାଡ ଉପରୁ ୮୪ ମିଟର ଭିତର ପର୍ଯ୍ୟନ୍ତ ଡ୍ରିଲ୍ କରି ସେଥିରେ ପାଇପ ପୁରାଯିବା ସହ ଶ୍ରମିକଙ୍କୁ ଉଦ୍ଧାର କରାଯିବା ଯିବା ଯୋଜନା ଥିବା ବେଳେ ପାଇପ ଶ୍ରମିକଙ୍କ ନିକଟ ପର୍ଯ୍ୟନ୍ତ ପହଂଚିବା ସମୟ ସାପେକ୍ଷ େବେଲି ବିଶେଷଜ୍ଞମାନେ କହିଛନ୍ତି ।
ଗତକାଲି ପ୍ରାୟ ୨୦ ମିଟର ଭର୍ଟିକାଲ ଡ୍ରିଲିଂ ହୋଇଥିବା ବେଳେ କୌଣସି ବାଧା ନ ଉପୁଜିଲେ ୮୪ ମିଟର ତଳ ପର୍ଯ୍ୟନ୍ତ ପହଂଚିବା ପାଇଁ ଅନ୍ୟୁନ ଚାରିରୁ ପାଂଚ ଦିନ ଲାଗିବ ବୋଲି ସେମାନେ ଅନୁମାନ କରୁଛନ୍ତି । ସୁହଙ୍ଗ ଭିତରେ ଖନନ ବେଳେ ଭାଂଗି ଯାଇଥିବା ଅଗର ମେସିନର କ୍ଷତିଗ୍ରସ୍ତ ବ୍ଲେଡକୁ କାଟି ବାହାର କରିବା ସକାଶେ ଗତକାଲି ହାଇଦ୍ରାବାଦରୁ ପ୍ଲାଜମା କଟର୍ ଅଣା ଯାଇଛି । ଏସ୍କେପ୍ ପାଇପରୁ ଅଗର ମେସିନ ବାହାର କରାଯିବା ପରେ ପ୍ରାୟ ୧୦ ମିଟର ପର୍ଯ୍ୟନ୍ତ ମାନୁଆଲ୍ ଡ୍ରିଲିଂ କରାଯାଇ ଶ୍ରମିକଙ୍କ ନିକଟରେ ପହଂଚିବା ବ୍ୟବସ୍ଥା ମଧ୍ୟ ହୋଇଛି । ଭାରତୀୟ ସେନା ଇଂଜିନିୟରଙ୍କୁ ଏହି କାର୍ଯ୍ୟରେ ବ୍ୟବହାର କରାଯିବ । ମାନୁଆଲ ଡ୍ରିଲିଂ ମଧ୍ୟ ସମୟ ସାପେକ୍ଷ ବୋଲି ଏହି କାର୍ଯ୍ୟ ତଦାରଖ କରୁଥିବା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ) ସଦସ୍ୟ ଲେଫ୍ଟନାଂଟ ଜେନେରାଲ (ଅବସରପ୍ରାପ୍ତ) ସୟଦ ଆତା ହୁସେନ କହିଛନ୍ତି । ଭାରତୀୟ ସେନା ଇଂଜିନିୟରିଂ ବିଭାଗ (ମାଡ୍ରାସ ସାପର୍ସ)ର ଏକ ବିଶେଷଜ୍ଞ ଟିମ୍ ଏହି କାର୍ଯ୍ୟରେ ସହାୟତା କରୁଛନ୍ତି ।
ଟନେଲ ଭିତରେ ୩୬୦ ଘଂଟାରୁ ଅଧିକ ସମୟ ହେଲା ଫସି ରହିଥିବା ଶ୍ରମିକଙ୍କୁ ନିରାପଦ ଭାବେ ଉଦ୍ଧାର କରିବାକୁ ଆଉ କେତେ ଦିନ ଲାଗିବ, ତାହା ନିଦ୍ଧିଷ୍ଟ ଭାବେ କେହି କହିବା ସ୍ଥତିରେ ନାହାନ୍ତି । ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଆଉ କିଛି ଦିନ ବା ସପ୍ତାହ ମଧ୍ୟ ଲାଗି ପାରେ କୁହାଯାଉଛି । ପାଇପ ମାଧ୍ୟମରେ ସେମାନଙ୍କ ନିକଟରେ ଆଲୁଅ, ଅକ୍ସିଜେନ୍, ଖାଦ୍ୟ, ପାଣି ଏବଂ ଔଷଧ ପହଂଚୁ ଥିବାରୁ ମାନସିକ ଓ ଶାରୀରିକ ଦୃଷ୍ଟିରୁ ସେମାନେ ସୁସ୍ଥ ଅଛନ୍ତି ବୋଲି ସରକାର ସେମାନଙ୍କ ପରିବାରକୁ ଆଶ୍ୱସ୍ତ କରୁଥିବା ବେଳେ ଉଦ୍ଧାରକାରୀ ଦଳ ଓ ପରିବାର ସହ ସେମାନେ ଯୋଗାଯୋଗରେ ରହିବା ସକାଶେ ଭାରତୀୟ ସଂଚାର ନିଗମ ବା ବିଏସଏନଏଲ୍ ମଧ୍ୟ ଆବଶ୍ୟକ ବ୍ୟବସ୍ଥା କରିଛି । ତେଣୁ, ଏହି ଶ୍ରମିକମାନେ ଏବେ ନିଜକୁ ସୁରକ୍ଷିତ ମଣିଲେଣି ବୋଲି ସରକାରୀ ଭାବେ କୁହାଯାଇଛି ।
ଏନଡିଏମଏ ସଦସ୍ୟ ଆତା ହୁସେନ କହିଛନ୍ତି, ଗୋଟିଏ ପାହାଡରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ କେତେ ବେଳେ କିଭଳି ପ୍ରତିବନ୍ଧକର ଆସିବ କହିବା ସମ୍ଭବ ନୁହେଁ । ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଲମ୍ବା ସମୟ ନେଇପାରେ । ଉଦ୍ଧାର କାର୍ଯ୍ୟ କେବେ ସରିବ ନିଶ୍ଚିତ ଭାବେ କହିବା ସମ୍ଭବ ନଥିବାରୁ ସମସ୍ତେ ଧର୍ଯ୍ୟର ସହ ଅପେକ୍ଷା କରିବା ଆବଶ୍ୟକ । ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଆନ୍ତର୍ଜାତିକ ଟନେଲିଂ ବିଶେଷଜ୍ଞ ଅର୍ଣ୍ଣୋଲ୍ଡ ଡିକ୍ସ କହିଛନ୍ତି ଖ୍ରୀଷ୍ଟମାସ ସୁଦ୍ଧା ଶ୍ରମିକମାନେ ଉଦ୍ଧାର ହୋଇଯିବେ ବୋଲି ବିଶ୍ୱାସ କରାଯାଉଛି । ଖ୍ରୀଷ୍ଟମାସ (ଡିସେମ୍ବର ୨୫) ଆହୁରି ବହୁ ରହିଛି । ଡିକ୍ସଙ୍କ ମନ୍ତବ୍ୟ ଶ୍ରମିକ ଉଦ୍ଧାରକୁ ଅଧିକ ଅନିଶ୍ଚିତ କରିଛି । ପାହାଡ ଉପରୁ ଚାଲିଥିବା ଭର୍ଟିକାଲ୍ ଡ୍ରିଲିଂର ସଫଳତା ଉପରେ ଶ୍ରମିକଙ୍କ ଭବିଷ୍ୟତ ନିର୍ଭର କରୁଛି । କଂକ୍ରିଟରେ ଫସି ରହିଥିବା ଅଗର ମେସିନର ରୋଟାରୀ ବ୍ଲେଡ କାଟି ବାହାର କରାଯିବା ପରେ ୧୦ ମିଟର ଯାଏଁ ମାନୁଆଲ ଡ୍ରିଲିଂ ହେବ । ଦେଶବାସୀଙ୍କ ନଜର ଏହି ଉଦ୍ଧାର କାର୍ଯ୍ୟ ଉପରେ ରହିଛି ।
ରାଜ୍ୟ ସରକାର ସିଲ୍କୱାରା ଟନେଲ ପ୍ରବେଶ ଦ୍ୱାରରେ ୪୧ଟି ଆମ୍ବୁଲାନ୍ସ ପ୍ରସ୍ତୁତ ରଖିଛନ୍ତି । ଶ୍ରମିକମାନେ ଉଦ୍ଧାର ହେବା କ୍ଷଣି ସେମାନଙ୍କୁ ନିକଟସ୍ଥ ଚିନ୍ୟାଲିସାଉର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ୪୧ଟି ଅକ୍ସଜେନ୍ ସଂଲଗ୍ନ ଶଯ୍ୟା ମଧ୍ୟ ପ୍ରସ୍ତୁତ ରହିଛି । ତେବେ, ଟନେଲରୁ ସେମାନେ ଉଦ୍ଧାର ହେବା ବାକି ରହିଛି । ସିଲ୍କୱାରା ଟନେଲ ହେଉଛି କେନ୍ଦ୍ର ସରକାରଙ୍କ ଚର ଧାମ୍ ସବୁ ଦିନିଆ (ଅଲ୍ ୱେଦର) ରାସ୍ତା ପ୍ରକଳ୍ପର ଅଂଶ । ଉତ୍ତରକାଶୀରୁ ପ୍ରାୟ ୩୦ କିମି ଦୂରରେ ଏହି ପାହାଡ ଟନେଲ ଅବସ୍ଥିତ । ଡେରାଡୁନରୁ ସଡକ ପଥରେ ସାତ ଘଂଟାର ବାଟ । ବିଭିନ୍ନ ରାଜ୍ୟରୁ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟ ଟନେଲ ନିକଟରେ ପହଂଚି ଅପେକ୍ଷାରେ ଅଛନ୍ତି । ଟନେଲ ନିକଟରେ ପୂଜାପାଠ ମଧ୍ୟ ଚାଲିଛି । ଭଗବାନ କେବେ ଏହି ଦୁର୍ଭାଗାଙ୍କ କଥା ଶୁଣୁଛନ୍ତି ତାହା ଦେଖିବାକୁ ବାକି ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS