ତେଲେଂଗାନା ଭୋଟରଙ୍କୁ ସୋନିଆଙ୍କ ଅପିଲ- ‘ଆମ୍ମା’ ଡାକୁଛ, ଭୋଟ ଦିଅ


ପ୍ରସାଦ ରାଓ
ନଭେମ୍ବର ୨୮
ତେଲେଂଗାନା ବିଧାନସଭାର ୧୯୯ ଆସନ ପାଇଁ ୩୦ ତାରିଖ ଭୋଟ ହେବାକୁ ଯାଉଛି । ରାଜ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି । ୨୦୧୪ରେ ଆନ୍ଧ୍ର ପ୍ରଦେଶର ବିଭାଜନ ହୋଇ ନୂତନ ତେଲେଂଗାନା ରାଜ୍ୟ ଗଠନ ପରେ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ବିଆରଏସ୍ (ପୂର୍ବରୁ ତେଲାଂଗାନା ରାଷ୍ଟ୍ର ସମିତି ଥିଲା)ର କ୍ଷମତାରେ ରହିଛି । ମୁଖ୍ୟମନ୍ତ୍ରୀ ରାଓ ଦୁଇ ଥର ମୁଖ୍ୟମନ୍ତ୍ରୀ ହେବା ପରେ ୨୦୨୩ରେ ପୁଣି ଥରେ କ୍ଷମତାକୁ ଫେରି ଲଗାତର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ଆଶାରେ ଥିବା ବେଳେ ରାଓଙ୍କ ହାତରୁ କ୍ଷମତା ହଟାବାକୁ କଂଗ୍ରେସ ଓ ବିଜେପି ସମସ୍ତ ଶକ୍ତି ଲଗାଇଛନ୍ତି । ରାଜ୍ୟରେ ମୁଖ୍ୟତଃ ବିଆରଏସ୍, କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଥିଲେ ମଧ୍ୟ କଂଗ୍ରେସ ଏଥର ନିର୍ବାଚନ ଜିତିବ ବୋଲି ଶତ ପ୍ରତିଶତ ଆଶାରେ ଅଛି ।
କେସିଆର ସରକାର ରାଜ୍ୟରେ ବ୍ୟାପକ ଜନହୀତକର କାର୍ଯ୍ୟ କରି ଜନତାର ପ୍ରିୟପାତ୍ର ଥିଲେ ମଧ୍ୟ ବଂଶବାଦ ରାଜନୀତି ଓ ବ୍ୟାପକ ଦୁର୍ନୀତି କାରଣରୁ ସରକାର ବିରୋଧରେ ଚାପା ଅସନ୍ତୋଷ ଥିବା ମଧ୍ୟ ଦେଖିବାକୁ ମିଳୁଛି । ତେଣୁ, କଂଗ୍ରେସ ଏଥିରୁ ଫାଇଦା ପାଇବ ବୋଲି ଆଶା ରଖିଛି । ଗୋଟିଏ ଦିନ ପରେ ମତଦାନ ହେବାକୁ ଥିବା ବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଆଜି ତେଲେଂଗାନାବାସୀଙ୍କୁ ପରିବର୍ତ୍ତନ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ସୋନିଆ କହିଛନ୍ତି, କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଥିବା ସମୟରେ କେସିଆରଙ୍କ ନେତୃତ୍ୱରେ ତେଲେଂଗାନା ରାଜ୍ୟ ଗଠନ ଦାବି ଉଠିଥିଲା ଏବଂ ରାଜ୍ୟବାସୀ ଦୁର୍ବାର ଆନ୍ଦୋଳନ କରିଥିଲେ । ୟୁପିଏ ସରକାର ହିଁ ୨୦୧୪ରେ ଆନ୍ଧ୍ର ପ୍ରଦେଶରେ ବିଭାଜନ ଘଟାଇ ସ୍ୱତନ୍ତ୍ର ତେଲେଂଗାନା ରାଜ୍ୟ ଗଠନ କରିବା ସହ ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛି ।
ସ୍ୱତନ୍ତ୍ର ତେଲେଂଗାନା ରାଜ୍ୟ ଗଠନ ପରେ କେସିଆର କ୍ଷମତାରେ ଅଛନ୍ତି । ତେଣୁ, ୨୦୨୩ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ କଂଗ୍ରେସକୁ ଭୋଟ ଦେଇ ସରକାର ଗଠନରେ ସହଯୋଗ କରିବେ ବୋଲି ସୋନିଆ ଆଶାବ୍ୟକ୍ତ କରିଛନ୍ତି । ରାଜ୍ୟବାସୀ ତାଙ୍କୁ ‘ସୋନିଆ ଆମ୍ମା’ ଡାକି ଗୌରାବାନ୍ୱିତ କରି ଆସିଛନ୍ତି । ସେଥିପାଇଁ ସେ ସର୍ବଦା କୃତଜ୍ଞ । ନିର୍ବାଚନ ପ୍ରଚାର ପାଇଁ ସେ ତେଲେଂଗାନା ଯାଇ ନଥିଲେ ମଧ୍ୟ ତେଲେଂଗାନାର ପ୍ରତ୍ୟେକ ଅଧିବାସୀ ତାଙ୍କ ହୃଦୟରେ ଅଛନ୍ତି ବୋଲି ସୋନିଆ କହିଛନ୍ତି । ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ତେଲେଂଗାନାରେ ବିଭିନ୍ନ ନିର୍ବାଚନ ସଭାରେ ଭାଷଣ ଦେଇ ବିଆରଏସ୍ ମୁଖ୍ୟ ରାଓ ଓ ତାଙ୍କ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ସମାଲୋଚନା କରିଥିଲେ ମଧ୍ୟ ସେନିଆ ଗାନ୍ଧୀ ରାଜ୍ୟବାସୀଙ୍କୁ କରିଥିବା ଅପିଲରେ ସେଭଳି କିଛି ସମାଲୋଚନା କରି ନାହାନ୍ତି ।
ଏଠାରେ ସୂଚନାଯୋଗ୍ୟ, ପଡୋଶୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜୟ ପରେ କଂଗ୍ରେସ ନେତୃତ୍ୱ ବେଶ୍ ଉତ୍ସାହିତ ରହି ତେଲେଂଗାନା ବିଧାନସଭା ନିର୍ବାଚନ ଲଢୁଛନ୍ତି । ରାଜ୍ୟର ଚାଷୀ, ମହିଳା, ଯୁବକ, ବୟସ୍କ, ବାସହୀନ ଓ ସ୍ୱତନ୍ତ୍ର ତେଲେଂଗାନା ରାଜ୍ୟ ଗଠନରେ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସମସ୍ତଙ୍କ ପାଇଁ କଂଗ୍ରେସ ପକ୍ଷରୁ ବିଭିନ୍ନ ପ୍ରୋତ୍ସାହନ ଘୋଷଣା କରାଯାଇଛି । ବିଜେପି ମଧ୍ୟ ରାଜ୍ୟର ବିଭିନ୍ନ ବର୍ଗର ଜନତାଙ୍କୁ ପ୍ରଲୋଭିତ କଲା ଭଳି ଘୋଷଣାମାନ କରି ନିର୍ବାଚନ ମଇଦାନରେ ରହିଛି । ବିଶେଷକରି, ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙ୍କ ପାରିବାରିକ ରାଜନୀତି (କେସିଆର ସରକାରରେ ପୁଅ କେ.ଟି ରାମାରାଓ ମନ୍ତ୍ରୀ ଓ ଝିଅ କେ.କବିତା ଏମଏଲସି ଅଛନ୍ତି) ଓ ଦୁର୍ନୀତିକୁ ଉଭୟ କଂଗ୍ରେସ ଓ ବିଜେପି ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ କରିଥିବା ଦେଖିବାକୁ ମିଳୁଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ତେଲେଂଗାନା ନିର୍ବାଚନ ୨୦୨୩ର ଶେଷ ବିଧାନସଭା ନିର୍ବାଚନ ହୋଇଥିବାରୁ ଉଭୟ କଂଗ୍ରେସ ଓ ବିଜେପି ଏହି ନିର୍ବାଚନକୁ ଗୁରୁତ୍ୱ ଦେଉଛନ୍ତି ।
ଚଳିତ ନଭେମ୍ବର ୦୭ରୁ ୨୫ ତାରିଖ ମଧ୍ୟରେ ମିଜୋରାମ, ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ସରିଛି । ୩୦ ତାରିଖ ଦିନ ତେଲେଂଗାନା ବିଧାନସଭା ନିର୍ବାଚନ ସରିବା ପରେ ଡିସେମ୍ବର ୩ ତାରିଖ ଦିନ ଭୋଟ ଗଣତି ହୋଇ ପାଂଚଟି ଯାକ ରାଜ୍ୟର ନିର୍ବାଚନ ଫଳାଫଳ ସେହି ଦିନ ଘୋଷଣା ହେବ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ରେସପିରେଟୋରୀ ସମସ୍ୟା (ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା) ଯୋଗୁଁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ସାମୟିକ ଭାବେ ରାଜସ୍ଥାନର ଜୟପୁରକୁ ସ୍ଥାନାନ୍ତର କରାଯାଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ସେ ଅସୁସ୍ଥ ହୋଇ ଦିଲ୍ଲୀର ସାର୍ ଗଂଗା ରାମ ହସପିଟାଲରେ ଭର୍ତ୍ତି ହୋଇଥିଲେ । ଗତ ଜାନୁଆରୀ ମାସରେ ମଧ୍ୟ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅସୁସ୍ଥତା ଯୋଗୁଁ ସୋନିଆ ନିର୍ବାଚନ ପ୍ରଚାର ସକାଶେ ତେଲେଂଗାନା ଯାଇନଥିବା ବେଳେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ପ୍ରଚାରର ମଂଗ ଧରିଛନ୍ତି ।
ସୋନିଆ ଗାନ୍ଧୀଙ୍କ ଅପିଲ ପରେ ତେଲେଂଗାନା ମୁଖ୍ୟମନ୍ତ୍ରୀ କେସିଆର ଆଜି ୱାରଂଗାଲରେ ଏକ ସଭାରେ କଂଗ୍ରେସକୁ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ‘ଇନ୍ଦିରାମ୍ମା ରାଜତ୍ୱ’ (ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶାସନ) ପ୍ରତିଷ୍ଠା କରିବ କହୁଛି । ଇନ୍ଦିରାଙ୍କ ଶାସନରେ ଏନକାଉଂଟର, ଗୁଳିକାଣ୍ଡ ଓ ହତ୍ୟା ଯୋଗୁଁ ରାଜ୍ୟବାସୀ ଭୟଭିତ ଥିଲେ । ଇନ୍ଦରା ଗାନ୍ଧୀଙ୍କ ଶାସନ ଯଦି ଏତେ ଭଲ ଥିଲା ଆନ୍ଧ୍ରର ପୂର୍ବତନ ମୁଖ୍ୟ୍ୟମନ୍ତ୍ରୀ ଏନଟି ରାମାରାଓ କାହିଁକି ନୂଆ ଦଳ (ତେଲୁଗୁ ଦେଶମ) ଗଠନ କରିଥିଲେ ଏବଂ ରାଜ୍ୟବାସୀଙ୍କୁ କିଲୋ ଦୁଇ ଟଙ୍କାରେ ଚାଉଳ ଦେଇଥିଲେ (?) ବୋଲି କେସିଆର ପ୍ରଶ୍ନ କରିଛନ୍ତି ।
ଇନ୍ଦିରା ଗାନ୍ଧୀଙ୍କ ଶାସନରେ ଦେଶରେ ୧୯୭୫ରେ ଜାରି ଜରୁରୀ ପରିସ୍ଥିତି କଥା ସେ ରାଜ୍ୟବାସୀଙ୍କୁ ମନେ ପକାଇ ଦେବା ସହ ୧୯୬୯ରେ କଂଗ୍ରେସ ଶାସନ ସମୟରେ ସ୍ୱତନ୍ତ୍ର ତେଲେଂଗାନା ରାଜ୍ୟ ଗଠନ ଦାବି କରୁଥିବା ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ଗୁଳିମାଡ କଥା ମଧ୍ୟ ମନେ ପକାଇ ଦେଇଛନ୍ତି । ଯେଉଁଥିରେ କି ପ୍ରାୟ ୪୦୦ ଜଣଙ୍କ ମୃତ୍ୟୁ ଘଟିଥିଲା । ବିଆରଏସ୍ ଶାସନରେ ତେଲେଂଗାନା ଗୁଜରାଟଠାରୁ ଅଧିକ ସମୃଦ୍ଧ ହୋଇଥିବା ଦର୍ଶାଇ ରାଜ୍ୟବାସୀ ଏଥର ମଧ୍ୟ ବିଆରଏସ୍ ପ୍ରାର୍ଥୀଙ୍କୁ ଭୋଟ ଦେଇ ସରକାର ପ୍ରତିଷ୍ଠାରେ ସହଯୋଗ କରିବାକୁ କେସିଆର ଆହ୍ୱାନ ଦେଇଛନ୍ତି । ବିଆରଏସ୍ ଓ କଂଗ୍ରେସ ମଧ୍ୟରେ ଅଭିଯୋଗ, ପ୍ରତ୍ୟାଭିଯୋଗ ଚାଲୁଥିବା ବେଳେ ଭୋଟ ଦିନ ରାଜ୍ୟବାସୀ କାହାକୁ ବିଶ୍ୱାସକୁ ନେବେ ତାହା ଫଳାଫଳରୁ ସ୍ପଷ୍ଟ ହେବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS