ସିଲ୍କୟାରାରୁ ଉଦ୍ଧାର ଶ୍ରମିକ ଋଷିକେଷ ସ୍ଥାନାନ୍ତର ହେଲେ
ପ୍ରସାଦ ରାଓ
ନଭେମ୍ବର ୨୯
ଉତ୍ତରକାଶୀର ସିଲ୍କୟାରା ଟନେଲରୁ ମଂଗଳବାର ରାତିରେ ଉଦ୍ଧାର ହୋଇଥିବା ୪୧ ଶ୍ରମିକ ଋଷିକେଷ ସ୍ଥାନାନ୍ତର ହୋଇଛନ୍ତି । ଉଦ୍ଧର ସ୍ଥଳରେ ଷ୍ଟାଣ୍ଡବାଇ ଥିବା ଭାରତୀୟ ବିମାନ ବାହିନୀର ଚିନୁକ ବିମାନରେ ସେମାନଙ୍କୁ ୧୫୦ କିମି ଦୂର ଋଷିକେଷ ଏଆଇଆଇଏମଏସ୍ (ଏମ୍ସ୍)କୁ ସ୍ଥାନାନ୍ତର କରାଯାଇଛି । ସେଠାରେ ବିଶେଷଜ୍ଞ ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସରକାରୀ ଭାବେ କୁହାଯାଇଛି । ୧୭ ଦିନ ହେଲା ଏହି ଶ୍ରମିକମାନେ ସିଲ୍କୟାରା ଟନେଲରେ ଫସି ରହିବା ପରେ ଗତକାଲି ରାତି ଆଠଟା ସୁଦ୍ଧା ଏନଡିଆରଏଫ ଓ ଏସଡିଆରଏଫ ଯବାନଙ୍କୁ ଦ୍ୱାରା ଉଦ୍ଧାର ହୋଇଛନ୍ତି । ର୍ୟାଟ୍ ହୋଲ୍ ମାଇନିଂ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରାଯାିଛି । ଏହି ଶ୍ରମିକମାନେ ୧୭ ଦିନ ଧରି ଟ୍ରନେଲ ଭିତରେ ଅନ୍ଧାରରେ ଫସି ରହିଥିଲେ । କୃତ୍ରିମ ଆଲୋକ ଓ ଅମ୍ଲଜାନ ସହାୟତାରେ ସେମାନେ ଏତେଦିନ ଧରି ଗୁମ୍ଫା ଭିତରେ ଥିଲେ । ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରୁ କାହାରି ଦେହରେ କୌଣସି ବାହ୍ୟ କ୍ଷତ ନଥିଲେ ମଧ୍ୟ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ତ୍ୱରିତ ଓ ଫଳପ୍ରଦ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ ଋଷିକେଶରେଥିବା ‘ଏମ୍ସ’କୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତରମାନେ କହିଛନ୍ତି । ସିଲ୍କୱାରା ଟନେଲ ପ୍ରକଳ୍ପ ହେଉଛି କେନ୍ଦ୍ର ସରକାରଙ୍କ ବହୁ ଆକାଂକ୍ଷିତ ଚାରି ଧାମ ପ୍ରକଳ୍ପର ଅଂଶବିଶେଷ । ଏହି ଟନେଲ କାର୍ଯ୍ୟ ସଂପୂର୍ଣ୍ଣ ହେଲେ ବଦ୍ରିନାଥ, କେଦାରନାଥ, ଗଂଗୋତ୍ରୀ ଓ ଯମୁନୋତ୍ରୀରେ କମ୍ ସମୟରେ ପହଂଚି ହେବ । ଉତ୍ତରକାଶୀର ସିଲ୍କୟାରାରୁ ଦିନ୍ଦଲଗାଓଁ ପର୍ଯ୍ୟନ୍ତ ଏହି ଟନେଲ ନିର୍ମାଣ ଚାଲିଛି । ପାହାଡର ଛାତି ଚିରି ନିର୍ମାଣ ହେଉଥିବା ଏହି ଟନେଲ ରାସ୍ତା କାମ ଚାଲିଥିବା ବେଳେ ଗତ ୧୨ ତାରିଖ ଦିନ ପାହାଡର କିଛି ଅଂଶ ଧସି ଯାଇ କାର୍ଯ୍ୟରତ ୪୧ ଶ୍ରମିକ ନିର୍ମାଣାଧୀନ ଟନେଲ ଭିତରେ ଫସି ରହିଥିଲେ । ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅବିରତ ଉଦ୍ୟମ ଚାଲି ଥିଲା । ଭାରତୀୟ ଓ ବିଦେଶୀ ଟନେଲ ବିଶେଷଜ୍ଞଙ୍କ ସମେତ ବିଭିନ୍ନ ସଂସ୍ଥା ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ । ପ୍ରାୟ ୬୦ ମିଟରରୁ ମାତ୍ର ୧୦ରୁ ୧୫ ମିଟର ଆବର୍ଜନା ସଫା କାମ ବାକି ଥିବା ବେଳେ ଆମେରିକା ନିର୍ମିତ ଅଗର ମେସିନର ବ୍ଲେଡ୍ ଭାଂଗି କଂକ୍ରିଟ ଆବର୍ଜନାରେ ଫସି ରହିବାରୁ ଉଦ୍ଧାର କାର୍ଯ୍ୟ ଅଚାନକ ଅଟକି ଯାଇଥିଲା । ଫଳରେ, କେନ୍ଦ୍ର ସରକାର ଭାରତୀୟ ସେନାର ସହାୟତା ନେଇଥିଲେ । ସେନା ଇଂଜିନିୟର ଆସି ଉଦ୍ଧାର କାର୍ଯ୍ୟରେ ସାମିଲ ହେବା ସହ ଦେଶରେ ବେଆଇନ ଘୋଷିତ ହୋଇଥିବା ର୍ୟାଟ୍ ହୋଲ୍ ମାଇନିଂରେ ସଂପୃକ୍ତ ଛଅ ଜଣ ଶ୍ରମିକଙ୍କୁ ଡକାଯାଇ ମାନୁଆଲ ଡ୍ରିଲିଂ ମାଧ୍ୟମରେ ବାକି ଥିବା ୧୦ରୁ୧୫ ମିଟର ଆବର୍ଜନା କାଟି ରାସ୍ତା କରାଯିବା ପରେ ୮୦୦ ମିଟର ଗୋଲେଇ ଷ୍ଟିଲ ପାଇପ ଶ୍ରମିକମାନେ ଫସି ରହିଥିବା ସ୍ଥାନ ସହ ସଂଯୋଗ କରାଯାଇଥିଲା ଏବଂ ପ୍ରଥମେ ଏନଡିଆରଏଫ ଓ ଏସଡିଆରଏଫ ଯବାନମାନେ ସେମାନଙ୍କ ନିକଟରେ ପହଂଚିବା ପରେ ଜଣ ଜଣ କରି ସମସ୍ତଙ୍କୁ ପାଇପ ବାଟ ଦେଇ ବାହାରକୁ ଆଣିଥିଲେ । ମଂଗଳବାର ରାତି ୮ଟା ସୁଦ୍ଧା ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ପ୍ରଥମେ ନିକଟସ୍ଥ ଚିନିଆଲିସାଉର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା । ପରେ ସେମାନଙ୍କୁ ଅଧିକ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଋଷିକେଷ ସ୍ଥାନାନ୍ତର କରାଯାଇଛି । ବୁଧବାର ଦିନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଂଚି ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଭେଟିବା ସହ ସେମାନଙ୍କ ଭଲ ମନ୍ଦ ବୁଝିଥିଲେ । ପ୍ରତ୍ୟେକ ଶ୍ରମିକଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା ହୋଇଛି । ଉଦ୍ଧାର ହୋଇଥିବା ୪୧ ଶ୍ରମିକଙ୍କୁ ୨୪ ଘଂଟା ପାଇଁ ଏମ୍ସରେ ନିରୀକ୍ଷଣରେ ରଖାଯିବ । ଏହାଛଡା, ଋଷିକେଷ ସହ ଉନ୍ନତ ରେଳ ଓ ସଡକ ଯୋଗାଯୋଗ ସୁବିଧା ଥିବାରୁ ସେମାନଙ୍କ ସଂପର୍କୀୟ ଓ ପରିବାର ସଦସ୍ୟ ଭେଟିବାକୁ ଆସିବାରେ କିଛି ଅସୁବିଧା ରହିବ ନାହିଁ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS