ସମସ୍ତଙ୍କ ନଜର ଫଳାଫଳକୁ, ସବୁଠି ଉତ୍କଂଠା
ପ୍ରସାଦ ରାଓ
ଡିସେମ୍ବର ୦୧
ଦିନକ ପରେ ହେବ ଭୋଟ ଗଣତି । ୩ ତାରିଖ ସନ୍ଧ୍ୟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହୋଇଯିବ । କେଉଁ ରାଜ୍ୟରେ କାହାର ସରକାର ଆସିବ ଓ କିଏ ପେଡି ପୁଟୁଳା ବାନ୍ଧି ଘରକୁ ଫେରିବେ – ତାହା ଜନସାଧାରଣ ଜାଣିବେ । ତେବେ, ନଭେମ୍ବରରେ ସରିଥିବା ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ସାମ୍ନାକୁ ନ ଆସିବା ଯାଏଁ ରାଜନୈତିକ ମହଲ ଏବଂ ଜନସାଧାରଣରେ ଭରପୁର ଉତ୍କଂଠା ରହିବ, ଏଥିରେ କିଛି ସନ୍ଦେହ ନାହିଁ ।
ବିଶେଷକରି, ୩୦ ତାରିଖ ସନ୍ଧ୍ୟାରେ ତେଲେଂଗାନା ବିଧାନସଭା ନିର୍ବାଚନ ଭୋଟ ସରିବା ପରେ ବୈଦ୍ୟୁତିକ ଗଣମାଧ୍ୟମ ଓ ଛାପା ଗଣମାଧ୍ୟମରେ ବୁଥ୍ ବାହୁଡା ମତାମତକୁ ନେଇ କୋଳାହଳ ଆରମ୍ଭ ହୋଇଯାଇଛି । ବୁଥ୍ ବାହୁଡା ମତକୁ ନେଇ ବିଭିନ୍ନ ସର୍ଭେ ସଂସ୍ଥା ସେମାନଙ୍କ ରିପୋର୍ଟ ଗଣମାଧ୍ୟମରେ ଉପସ୍ଥାପନ କରିବା ସହ କେଉଁ ରାଜ୍ୟରେ କାହାର ଜିତିବା ସମ୍ଭାବନା ଅଧିକ ଓ କିଏ ପଛରେ ପଡିଛି ସେନେଇ ରୋଚକ ତଥ୍ୟ ସମ୍ଭଳିତ ବିତର୍କମାନ ଚାଲିଛି । ଏହି ସର୍ଭେ ରିପୋର୍ଟ ଓ ବିତର୍କ ହିଁ ରାଜନେତା ଓ ସାଧାରଣ ଜନତାଙ୍କ ହୃତକଂପ ବଢାଇ ଦେଇଛି ।
ଗୋଟିଏ ପଟେ କେନ୍ଦ୍ରରେ କ୍ଷମତାସୀନ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ ରଥରେ ସାରଥୀ କରି ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଲଢିଥିବା ବେଳେ ଅନ୍ୟପଟେ ୨୦୧୪ ପରଠୁ ନିଜର ଅସ୍ତିତତ୍ୱକୁ ନେଇ ଦ୍ୱନ୍ଦ୍ୱରେ ଥିବା କଂଗ୍ରେସ ଗାନ୍ଧୀ ପରିବାର ସହ ଦଳର ନୂତନ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କୁ ସାରଥୀ କରି ନିର୍ବାଚନ ଲଢିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସଂପାଦିକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଦୁଇ କଂଗ୍ରେସ ଶାସିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଥିବା ଅଶୋକ ଗେହେଲୋଟ ଓ ଭୂପେଶ ବାଘେଲା ରାଜସ୍ଥାନ ଓ ଛତିଶଗଡରେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ପ୍ରଦେଶରେ କଂଗ୍ରେସ ବିଜୟ ପାଇଁ ଅହରହ ଉଦ୍ୟମ କରିଛନ୍ତି । ତେବେ, ଗଣତନ୍ତ୍ରର ପ୍ରକୃତ ମାଲିକ ମତଦାତା ହୋଇଥିବାରୁ ସେମାନେ କାହା ମୁଣ୍ଡରେ ସୁନାକଳସ ଢାଳିଛନ୍ତି, ତାହା ଦିନକ ପରେ (୩ ତାରିଖ) ଫଳାଫଳ ଆସଲେ ସ୍ପଷ୍ଟ ହେବ ।
୨୦୨୪ଏପ୍ରିଲ/ମେ’ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ୨୦୨୩ ନଭେମ୍ବରରେ ସରିଥିବା ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ପାଇଁ ଏକ ଅଗ୍ନିପରୀକ୍ଷା ଥିଲା । ବିଧାନସଭା ନିର୍ବାଚନ ଫଳାଫଳ ସାଧାରଣତଃ ଲୋକସଭା ନିର୍ବାଚନରେ ପ୍ରତିଫଳିତ ହୋଇନଥାଏ ବୋଲି ଯୁକ୍ତି କରାଯାଉଥିଲେ ମଧ୍ୟ କିଛି ମାସ ପୂର୍ବରୁ ହିନ୍ଦିଭାଷୀ ରାଜ୍ୟରେ ମତଦାତାଙ୍କ ମତିଗତି କଣ ରହିଛି ତାହା ଏହି ନିର୍ବାଚନ ଫଳାଫଳରୁ ଅନୁମାନ କରିହେବ ବୋଲି ବିଶ୍ୱାସ କରାଯାଉଛି । ବିଭିନ୍ନ କାରଣରୁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାର ବିବାଦୀୟ ରହିଥିବା ବେଳେ ୨୦୨୪ରେ ବିଜେପିକୁ କ୍ଷମତାଚ୍ୟୁତ କରିବା ଲକ୍ଷ୍ୟରେ ୨୮ ବିରୋଧୀ ରାଜନୈତିକ ଦଳ ଏକାଠି ହୋଇ ‘ଇଣ୍ଡିଆ’ ମେଂଟ ଗଠନ କରିଛନ୍ତି । ଅବଶ୍ୟ, ସରିଥିବା ବିଧାନସଭା ନିର୍ବାଚନରେ ‘ଇଣ୍ଡିଆ’ ମେଂଟର ଭୂମିକା ନଗଣ୍ୟ ଥିଲା ।
ଅପରପକ୍ଷରେ, ମେଂଟରେ ଥିବା କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବୁଝାମଣାକୁ ନେଇ ଯେଉଁ ଫାଟ ସୃଷ୍ଟି ହେଲା ତାହା ଏହି ମେଂଟର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିସାରିଛି । ତଥାପି, ରାହୁଲ ଗାନ୍ଧୀଙ୍କ କନ୍ୟାକୁମାରୀରୁ କଶ୍ମୀର ଯାଏଁ ପଦଯାତ୍ରା ଏବଂ ତତ୍ ପରବର୍ତ୍ତୀ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ କଂଗ୍ରେସ ନେତୃତ୍ୱର ଆତ୍ମବିଶ୍ୱାସ ବଢାଇଛି ଏବଂ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ ନିର୍ବାଚନରେ ତାହାକୁ ପୁନରାବୃତ୍ତି କରିବାକୁ କଂଗ୍ରେସ ନେତୃତ୍ୱ ନିଜର ସମସ୍ତ ଶକ୍ତି ଲଗାଇଛନ୍ତି । ଫଳାଫଳ ମଧ୍ୟ ଦଳ ସପକ୍ଷରେ ଯିବ ବୋଲି କଂଗ୍ରେସ ବିଶ୍ୱାସ କରୁଛି । ଡିସେମ୍ବର ୩ ତାରିଖରେ ନିର୍ବାଚନ ଫଳାଫଳ ଆସିବାକୁ ଥିବା ପାଂଚଟି ରାଜ୍ୟ ହେଉଛି – ଛତିଶଗଡ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ତେଲେଂଗାନା ଓ ଉତ୍ତର ପୂର୍ବାଂଚଳ ରାଜ୍ୟ ମିଜୋରାମ ।
ମିଜୋରାମରେ ଆଂଚଳିକ ଦଳ ମିଜୋ ଜାତୀୟ ସାମ୍ମୁଖ୍ୟ (ଏମଏନଏଫ) କ୍ଷମତାରେ ଥିବା ବେଳେ ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସ, ମଧ୍ୟ ପ୍ରଦେଶରେ ବିଜେପି ଏବଂ ତେଲେଂଗାନାରେ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) କ୍ଷମତାରେ ରହିଛି । ମିଜେରାମର ୪୦ ବିଧାନସଭା ଆସନ ପାଇଁ ଭୋଟ ହୋଇଥିବା ବେଳେ ସରକାର ଗଠନ ପାଇଁ ବେଂଚମାର୍କ ହେଉଛି ୨୧ । ୨୦୨୩ ବିଧାନସଭା ନିର୍ବାଚନରେ ଶାସକ ଏମଏନଏଫ ଓ ଅନ୍ୟତମ ଆଂଚଳିକ ଦଳ ଜୋରାମ ପିପୁଲ୍ସ ମୁଭମେଂଟ (ଜେଡ଼ପିଏମ୍) ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହୋଇଛି । କଂଗ୍ରେସ ଓ ବିଜେପି ପ୍ରତିଦ୍ୱନ୍ଦ୍ୱିତାରେ ଥିଲେ ମଧ୍ୟ ଭୂମିକା ନଗଣ୍ୟ । ୨୦୨୩ ନିର୍ବାଚନରେ ଜନମତ ଶାସକ ଏମଏନଏଫ ବିରୋଧରେ ଯାଇଥିବା ଏବଂ ଜେଡ଼ପିଏମ ସଂଖ୍ୟାଗରିଷ୍ଠତା ପାଉଥିବା ଇଣ୍ଡିଆ ଟୁଡେ-ଆକ୍ସିସ ସର୍ଭେ କହୁଥିବା ବେଳେ ରାଜ୍ୟରେ ଝୁଲା ସରକାର ହେବ ବୋଲି କିଛି ସର୍ଭେ ସଂସ୍ଥା କହିଛନ୍ତି । ନଭେମ୍ବର ୦୭ରେ ମିଜେରାମରେ ବିଧାନସଭା ଭୋଟ ହୋଇଥିଲା ।
ସେହିଭଳି, ନଭେମ୍ବର ୩୦ ତାରିଖରେ ତେଲେଂଗାନାର ୧୯୯ ବିଧାନସଭା ଆସନ ପାଇଁ ଭୋଟ ସରିଥିବା ବେଳେ କଂଗ୍ରେସ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପାଇର୍ ରାଜ୍ୟରେ ସରକାର କରିବାକୁ ଯାଉଥିବା ପ୍ରାୟ ସମସ୍ତ ବୁଥ ବାହୁଡା ସର୍ଭେ ରିପୋର୍ଟ କହୁଛି । ରାଜ୍ୟରେ ୨୦୧୪ରୁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ବିଆରଏସ୍ (ଭାରତ ରାଷ୍ଟ୍ର ସମିତି) ସରକାର ରହିଛି । ୨୦୨୩ ନିର୍ବାଚନରେ କଂଗ୍ରେସ ଓ ବିଆରଏସ୍ ମଧ୍ୟରେ କଡା ଟକ୍କର ହୋଇଥିବା ବେଳେ ବିଆରଏସ୍ ୪୬ରୁ ୫୬ ଆସନରେ ସୀମିତ ରହିଯିବ ବୋଲି ରିପବ୍ଲିକ ମାଟ୍ରିଜର ସର୍ଭେ ଆକଳନ କରିଛି । ଅନ୍ୟ ଏକ ସର୍ଭେ କଂଗ୍ରେସ ସର୍ବାଧିକ ୭୧ ଆସନ ପାଉଥିବା କହିଛି । କର୍ଣ୍ଣାଟକ ବିପର୍ଯ୍ୟୟ ପରେ ବିଜେପି ତେଲେଂଗାନାରେ ଭାଗ୍ୟ ପରୀକ୍ଷା କରୁଥିଲେ ମଧ୍ୟ ତୃତୀୟରେ ରହିବ । ବିଜେପିକୁ କେତେ ଆସନ ମିଳିବ, ତାହା ମଧ୍ୟ ଅସ୍ପଷ୍ଟ ।
ଯେଉଁ ତିନିଟି ରାଜ୍ୟର ଫଳାଫଳକୁ ନେଇ ଦେଶର ରାଜନେତା ଓ ଜନତା ମାତ୍ରାଧିକ ଉତ୍କଂଠା ମଧ୍ୟରେ ଅଛନ୍ତି ସେଗୁଡିକ ହେଉଛି ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ । ୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରଦେଶରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ହୋଇଥିଲା ଏବଂ ଅତି କମ୍ ସଂଖ୍ୟା ବ୍ୟବଧାନରେ ରାଜ୍ୟରେ କଂଗ୍ରେସ ଦଳ ସରକାର ଗଢିଥିଲା । କଂଗ୍ରେସ ନେତୃତ୍ୱ ଦଳର ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଗୌଣ କରି ବରିଷ୍ଠ ନେତା କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାରୁ ମଧ୍ୟ ପ୍ରଦେଶ କଂଗ୍ରେସରେ ଯେଉଁ ବିଦ୍ରୋହର ସୂତ୍ରପାତ ହୋଇଥିଲା ତାହା ଅସମୟରେ କମଳନାଥ ସରକାରର ପତନର କାରଣ ହୋଇଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୨ ସମର୍ଥକ ବିଧାୟକଙ୍କ ସହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବା ବାଟ ସଫା କରିଥିଲେ ।
୨୦୨୩ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ କଂଗ୍ରେସର ନେତୃତ୍ୱ ନେଇଛନ୍ତି ଏବଂ ପ୍ରଚାର କାର୍ଯ୍ୟକୁ ସଂପୂର୍ଣ୍ଣ ଭାବେ ନିଜେ ନିୟନ୍ତ୍ରଣ କରିଛନ୍ତି । ରାଜ୍ୟରେ ବିଜେପି ୨୦୧୮ ଜନମତ ପ୍ରତି ବିଶ୍ୱାସଘାତକ କରି ଜ୍ୟୋତିରାଦିତ୍ୟ ମାଧ୍ୟମରେ ସରକର ହଡପି ଥିବା କମଳନାଥ ଅଭିଯୋଗ କରିବା ସହ ଏଥର ରାଜ୍ୟବାସୀ ତାହାର ଉଚିତ ଜବାବ ଦେବେ ବୋଲି ଆଶା କରୁଥିବା ବେଳେ ବିଜେପି ଏଥର ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାମ୍ନାରେ ରଖି ନିର୍ବାଚନ ଲଢିଛି । ଦୁଇ ପକ୍ଷ ବିଭିନ୍ନ ଲୋଭନୀୟ ପ୍ରତିଶ୍ରୁତି ରଖି ଭୋଟ ହାତେଇବା ଉଦ୍ୟମ କରିଥିଲେ । ତେବେ, ମତଦାତା କାହାକୁ ଭରସା କରିଛନ୍ତି ଫଳାଫଳ ଆସିଲେ ସ୍ପଷ୍ଟ ହେବ । ୨୩୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ସରକାର ଗଠନ ପାଇଁ ୧୧୬ ସଂଖ୍ୟାର ଆବଶ୍ୟକତା ଥିବା ବେଳେ ଇଣ୍ଡିଆ ଟୁଡେ-ଆକ୍ସିସ ବିଜେପିକୁ ୧୪୦ରୁ ୧୬୨ ଓ ନ୍ୟୁଜ ୨୪- ଟୁଡେସ୍ ଚାଣକ୍ୟ ୧୫୧ (କମ୍ ବା ବେଶି ହୋଇପାରେ) ଆସନ ଦେଇଛି । କିନ୍ତୁ, ଏବିସି-ସି ଭୋଟର କଂଗ୍ରେସକୁ ୧୧୩ରୁ ୧୩୭ ଆସନ ମିଳିବ ଆକଳନ କରିଛି ।
ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳକୁ ସର୍ଭେ ସଂସ୍ଥାଙ୍କ ରିପୋର୍ଟ ଅସ୍ପଷ୍ଟ ଥିବା ବେଳେ ଛତିଶଗଡ ନିର୍ବାଚନ ଫଳାଫଳକୁ ନେଇ ଛଅଟି ଯାକ ସର୍ଭେ ସଂସ୍ଥାଙ୍କ ରିପୋର୍ଟ କଂଗ୍ରେସ ସପକ୍ଷରେ ଥିବା ଦେଖିବାକୁ ମିଳୁଛି । ୯୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ସରକାର ଗଠନ ପାଇଁ ୪୬ ସଂଖ୍ୟାର ଆବଶ୍ୟକତା ଥିବା ବେଳେ କଂଗ୍ରେସକୁ ୫୭ ଆସନ ମିଳିବ ବୋଲି ନ୍ୟୁଜ୍ ୨୪- ଟୁଡେସ୍ ଚାଣକ୍ୟ ଆକଳନ କରିଥିବା ବେଳେ ବିଜେପିକୁ ଅଧିକ ହେଲେ ୩୬ରୁ ୪୮ ମଧ୍ୟରେ ଆସନ ମିଳିବ ବୋଲି ଏବିସି-ସି ଭୋଟର ରିପୋର୍ଟରେ କୁହାଯାଇଛି । ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ସରକାର ପୁନର୍ବାର କ୍ଷମତାକୁ ଫେରୁଥିବା ଏଥିରୁ ପ୍ରତିଷ୍ଠା ହେଉଛି । ବିଜେପି ଛତିଶଗଡରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାମ୍ନାରେ ରଖି ନିର୍ବାଚନ ଲଢିଥିଲା । ଠିକ୍ ନିର୍ବାଚନ ସମୟରେ ବେଆଇନ ଘୋଷିତ ‘ମହାଦେବ ଆପ୍’ର ପ୍ରତିଷ୍ଠାତା ଏକ ଭିଡିଓ ଜାରି କରି ମୁଖ୍ୟମନ୍ତ୍ରୀ ବାଘେଲା ତାଙ୍କୁ ସୁରକ୍ଷା ଦେବାକୁ ୪୦୦ କୋଟି ଟଙ୍କା ଲାଂଚ ନେଇଥିବା ଅଭିଯୋଗ କରିଥିଲେ ଏବଂ ବିଜେପି ତାହାକୁ ଜୋରଦାର ପ୍ରଚାର କରାଇ ଥିଲା । ତେବେ, ଭୋଟର ସେଥିରେ ପ୍ରଭାବିତ ହୋଇନଥିବା ଅନୁମାନ କରାଯାଉଛି ।
ଛତିଶଗଡରେ ୨୦୧୮ ବିଧାନସଭା ର୍ନିର୍ବାଚନରେ କଂଗ୍ରେସ ୯୦ରୁ ୬୮ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପିକୁ ମାତ୍ର ୧୫ଟି ଆସନ ମିଳିଥିଲା । ୨୦୨୩ ନିର୍ବାଚନରେ ବିଜେପିର ସମସ୍ତ ପ୍ରତିକୂଳ ପ୍ରଚାର ସତ୍ତ୍ୱେ କଂଗ୍ରେସ ୫୭ ଆସନ ପାଇବ ବୋଲି ବିଭିନ୍ନ ବୁଥ ଫେରନ୍ତା ସର୍ଭେ ରିପୋର୍ଟ କହୁଛି । ତେବେ, ୩ ତାରିଖ ଭୋଟ ଗଣତି ସମୟରେ ସଂଖ୍ୟା ବଢି ବଢି ୭୫ରେ ପହଂଚି ଯିବ ବୋଲି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଆଜି ରାୟପୁରରେ ଆତ୍ମବିଶ୍ୱାସର ସହ କହିଛନ୍ତି । ଛତିଶଗଡରେ ନଭେମ୍ବର ୦୭ ଓ ୧୭ରେ ଦୁଇ ପର୍ଯ୍ୟାୟରେ ମତଦାନ ହୋଇଥିଲା । ରାଜ୍ୟରେ କଂଗ୍ରେସ ୫୭ରୁ ୬୬ ଆସନ ପାଇବ ବୋଲି ଆକଳନ ହୋଇଥିବା ବେଳେ ବିଜେପି ୩୩ରୁ୪୨ ଆସନ ପାଇବ ବୋଲି ଇଣ୍ଡିଆ ଟୁଡେ ଚାଣକ୍ୟର ସର୍ଭେ କହୁଛି । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରିଲେ ମଧ୍ୟ ସରକାର ପତନ ପାଇ ‘ଅପରେସନ୍ ଲୋଟୋସ୍’ କାର୍ଯ୍ୟକାରୀ ହୋଇପାରେ ବୋଲି ସାମ୍ବାଦିକମାନେ କହିବାକୁ ‘ଛତିଶଗଡରେ ସେମାନେ ତାହା କରିପାରିବେ ନାହିଁ’ ବୋଲି ମୁଖ୍ୟମନ୍ତ୍ରୀ ବାଘେଲା କହିଛନ୍ତି ।
ନଭେମ୍ବର ୨୫ ତାରିଖରେ ରାଜସ୍ଥାନର ୨୦୦ ବିଧାନସଭା ଆସନ ପାଇଁ ଭୋଟ ହୋଇଥିଲା । ୨୦୨୩ ନିର୍ବାଚନରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ବନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଢେଇ ହୋଇଛି । ରାଜ୍ୟରେ ପ୍ରତି ପାଂଚ ବର୍ଷରେ ଥରେ ସରକାର ପରିବର୍ତ୍ତନ ହେବାର ପରଂପରା ରହିଛି । ରାଜ୍ୟବାସୀ ୨୦୧୮ରେ କଂଗ୍ରେସ ସପକ୍ଷରେ ଭୋଟ ଦେଇଥିଲେ ଓ ଅଶୋକ ଗେହେଲୋଟ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶାୟୀ କଂଗ୍ରେସ ଯୁବ ନେତା ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ପ୍ରଧାନ ଶତୃ ବୋଲି କୁହାଯାଉଥିଲେ ମଧ୍ୟ ୨୦୨୩ ନିର୍ବାଚନରେ ସଚିନ ପାଇଲଟ୍ କଂଗ୍ରେସ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଥିବା କହୁଛନ୍ତି । ପରଂପରାକୁ ଦେଖିଲେ ୨୦୨୩ରେ ରାଜ୍ୟରେ ବିଜେପି କ୍ଷମତାକୁ ଫେରିବା କଥା । କିନ୍ତୁ, ଗେହେଲୋଟଙ୍କ ଦାବି ହେଉଛି – ସେ ଯେଉଁ ସବୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଓ ନୂଆ ଯୋଜନା ଘୋଷଣା କରିଛନ୍ତି ତାହା ଏଥର ରାଜ୍ୟରେ ପୂର୍ବ ପରଂପରା ଭଂଗରେ ସହାୟକ ହେବ ।
ରାଜ୍ୟର ୧୯୯ ଆସନ ପାଇଁ ଭୋଟ ହୋଇଥିବା ବେଳେ ସରକାର ଗଠନ ପାଇଁ ୧୦୦ ଆସନ ଆବଶ୍ୟକ । ଅନ୍ୟୁନ ଚାରିଟି ସଂସ୍ଥା ବିଜେପିର ବିଜୟ ସପକ୍ଷରେ କହୁଥିବା ବେଳେ ଦୁଇଟି ସର୍ଭେ କଂଗ୍ରେସର ବିଜୟ ସମ୍ଭାବନା ପ୍ରକାଶ କରିଛି । ରିପବ୍ଲିକ ମାଟ୍ରିଜ୍ ବିଜେପିକୁ ୧୧୫ରୁ ୧୩୦ ଆସନ ମିଳିବ ବୋଲି କହିଥିବା ବେଳେ ନ୍ୟୁଜ୍ ୨୪- ଟୁଡେସ୍ ଚାଣକ୍ୟ କଂଗ୍ରେସକୁ ୧୦୧ ଆସନ ଦେଇଛି । ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ ‘କାଂଟେକା ଟକ୍କର’ ହୋଇଥିବା ଚର୍ଚ୍ଚା ହେଉଥିଲା । ବିଭିନ୍ନ ସର୍ଭେ ସଂସ୍ଥାଙ୍କ ରିପୋର୍ଟ ମଧ୍ୟ ସେ ଦିଗକୁ ଇଂଗିତ କରୁଛି । ସର୍ଭେ ସଂସ୍ଥାଙ୍କ ଆକଳନ ଯାହା ହୋଇଥାଉନା କାହିଁକି ଚୂଡାନ୍ତ ଫଳାଫଳ କଂଗ୍ରେସ ସପକ୍ଷରେ ହିଁ ଯିବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲୋଟ ଦୃଢତାର ସହ କହିଛନ୍ତି ।
ବିଭିନ୍ନ ସର୍ଭେ ସଂସ୍ଥା କଂଗ୍ରେସକୁ ଦୁଇଟି ରାଜ୍ୟ (ଛତିଶଗଡ ଓ ତେଲେଂଗାନା) ଓ ବିଜେପିକୁ ଦୁଇଟି ରାଜ୍ୟ (ରାଜସ୍ଥାନ ଓ ମଧ୍ୟ ପ୍ରଦେଶ) ମିଳୁଥିବା ଦାବି କରୁଥିଲେ ମଧ୍ୟ ୨୦୨୩ ନଭେମ୍ବରରେ ଯେଉଁ ପୃଷ୍ଠଭୂମୀରେ ବିଧାନସଭା ଭୋଟ ହୋଇଛି ଏବଂ କଂଗ୍ରେସ ଦଳ ଯେଭଳି ଲଢୁଆ ମୋନବୃତ୍ତି ରଖି ବିଜେପିକୁ ସାମ୍ନା କରିଛି ଫଳାଫଳ କିଛି ବି ହୋଇପାରେ ବୋଲି ନୀରପେକ୍ଷ ପର୍ଯ୍ୟବେକ୍ଷକମାନ ମତ ଦେଉଛନ୍ତି । ତେଣୁ, ବିଭିନ୍ନ ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ବୁଥ ବାହୁଡା ଜନମତ ଓ ବିତର୍କକୁ କେହି ଶତପ୍ରତିଶତ ଗ୍ରହଣ କରିପାରୁ ନାହାନ୍ତି । ସମସ୍ତଙ୍କ ଅପେକ୍ଷା ରହିଛି ୩ ତାରିଖ ଭୋଟ ଗଣତି ଓ ଫଳାଫଳକୁ । ଗତ ମାସରେ ବିଧାନସଭା ନିର୍ବାଚନ ହୋଇଥିବା ରାଜ୍ୟର ମତଦାତା ଭୋଟ କେନ୍ଦ୍ରରେ ଭୋଟ ଦେଇ ଘରକୁ ଫେରିବା ସମୟରେ କଣ ସବୁ ସତ କହିଛନ୍ତି ? ଘର ବାହୁଡା ଜନମତ ସର୍ଭେ କେତେମାତ୍ରାରେ ସତ ହଉଛି ଫଳାଫଳ ଆସିଲେ ହିଁ ସ୍ପଷ୍ଟ ହେବ । ତେଣୁ, ସମସ୍ତଙ୍କ ଅପେକ୍ଷା ସେହି ଦିନକୁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS