ଆଇସିସି ବିଶ୍ୱକପ୍: ଫାଇନାଲରେ ପରାଜୟ ପାଇଁ ‘ପିଚ୍’କୁ ଦାୟୀ କଲେ ଦ୍ରବିଡ !
ପ୍ରସାଦ ରାଓ
ଡିସେମ୍ବର ୦୨
ନଭେମ୍ବର ୧୯ ତାରିଖରେ ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିବା ଆଇସିସି ଦିନିକିଆ ପୁରୁଷ ବିଶ୍ୱକପ୍ କ୍ରିକେଟର ଫାଇନାଲ ମ୍ୟାଚରେ ଭାରତର ପରାଜୟ ପାଇଁ ‘ପିଚ୍’କୁ ଦାୟି କରିଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ । ‘ପିଚ୍’ ଯେଭଳି ଟର୍ଣ୍ଣ ନେବ ବୋଲି ଆଶା କରାଯାଉଥିଲା ତାହା ନହେବାରୁ ଭାରତର ପରାଜୟ ହେଲା ବୋଲି ଦ୍ରାବିଡ ବିସିସିଆଇ (ବୋର୍ଡ ଅଫ୍ କଂଟ୍ରୋଲ ଫର୍ କ୍ରିକେଟ ଇନ୍ ଇଣ୍ଡିଆ)କୁ ଗୁରୁବାର ସ୍ପଷ୍ଟୀକରଣ ଦେଇଥିବା ସୂଚନା ମିଳିଛି । ଅକ୍ଟୋବର ୦୫ରୁ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଭାରତରେ ଖେଳା ଯାଇଥିବା ଆଇସିସି ଦିନିିକିଆ ପୁରୁଷ ବିଶ୍ୱକପ୍ ଟୁର୍ଣ୍ଣାମେଂଟରେ ଭାରତ ଲଗାତର ନଅଟି ଗୃପ୍ ମ୍ୟାଚ୍ ସମେତ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିବା ପ୍ରଥମ ସେମି ଫାଇନାଲରେ ବିଜୟୀ ହୋଇଥିଲା । ଭାରତୀୟ ଟିମ୍ ଯେଉଁ ଭଳି ଫର୍ମରେ ଥିଲା ନଭେମ୍ବର ୧୯ ତାରିଖ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ମଧ୍ୟ ବିଜୟୀ ହୋଇ ଆଇସିସି ବିଶ୍ୱକପ୍ ବିଜେତା ହେବ ବୋଲି ଦେଶବାସୀ ଆଶା କରୁଥିଲେ । କିନ୍ତୁ, ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ଯୋଗୁଁ ଅଷ୍ଟ୍ରେଲିଆ ଟିମ୍ ଭାରତକୁ ଛଅ ୱିକେଟରେ ପରାଜିତ କରି ଏହି ଟ୍ରଫି ଜିତି ନେଇଥିଲା । ଏହି ପରାଜୟର ଏଗାର ଦିନ ପରେ ବିସିସିଆଇ ପରାଜୟର କାରଣ ସଂପର୍କରେ ସମୀକ୍ଷା କରିଛି । ବିଶ୍ୱକପ୍ ଫାଇନାଲ ସରୁ ସରୁ ନଭେମ୍ବର ୧୯ରେ ଭାରତୀୟ ଟିମ୍ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ଦୁଇ ବର୍ଷିଆ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ଦୁଇ ଦିନ ତଳେ ବିସିସିଆଇ ମୁଖ୍ୟ କୋଚ୍ ଭାବେ ରାହୁଲଙ୍କ କାର୍ଯ୍ୟକାଳ ବଢାଇ ଥିବା ଘୋଷଣା କରିଛି । ଦ୍ରାବିଡଙ୍କ କାର୍ଯ୍ୟକାଳ ବଢାଯିବା ପରେ ଗୁରୁବାର ନୂଆଦିଲ୍ଲୀରେ ହୋଇଥିବା ତାଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ବିସିସିଆଇ କାର୍ଯ୍ୟକର୍ତ୍ତାମାନେ ଆଇସିସି ବିଶ୍ୱକପ୍ ପରାଜୟକୁ ନେଇ ସମୀକ୍ଷା କରିଛନ୍ତି । ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଲଣ୍ଡନରେ ଛୁଟି କଟାଉ ଥିବାରୁ ଭିଡ଼ିଓ କଲ୍ ମାଧ୍ୟମରେ ଏହି ବୈଠକରେ ଉପସ୍ଥିତ ହୋଇଥିଲେ । ବିସିସିଆଇ ସଂପାଦକ ଜୟ ଶାହା, ଉପ ସଭାପତି ରାଜୀବ ଶୁକ୍ଲା ଓ କୋଷାଧ୍ୟକ୍ଷ ଆସିଷ ସେଲାର ବୈଠକରେ ଯୋଗ ଦେଇ ଉଭୟ ଦ୍ରାବିଡ ଓ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଠାରୁ ଫାଇନାଲରେ ପରାଜୟର କାରଣ ଜାଣିବାକୁ ଚାହିଁଥିଲେ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ ପିଚ୍ ଯେଭଳି ଟର୍ଣ୍ଣ ନେବ ବୋଲି ଭାରତୀୟ କ୍ରିକେଟ ଟିମ୍ ମ୍ୟାନେଜମେଂଟ ଆଶା କରୁଥିଲେ ବାସ୍ତବ କ୍ଷେତ୍ରରେ ତାହା ହୋଇନଥିଲା । ଅଷ୍ଟ୍ରେଲିଆ ବାଜି ମାରି ନେବାର ଏହା ଅନ୍ୟତମ ପ୍ରମୁଖ କାରଣ ଥିଲା ବୋଲି ଉଭୟ ଦ୍ରାବିଡ ଓ ରୋହିତ ବିସିସିଆଇକୁ ସୂଚିତ କରିଥିବା ଜଣାପଡିଛି । ବାସ୍ତବରେ, ଭାରତ ଏହି ‘ପିଚ୍’ରେ ପାକିସ୍ତାନ ବିରୋଧରେ ଗୋଟିଏ ଗୃପ୍ ମ୍ୟାଚ୍ ଖେଳି ପାକିସ୍ତାନ ଦଳକୁ ସହଜରେ ହରାଇ ଥିଲା । ତେବେ, ଭାରତର ଜିତିବାର ମୁଖ୍ୟ କାରଣ ‘ଟସ୍’ ବୋଲି କୁହାଯାଉଛି । ପାକିସ୍ତାନ ବିପକ୍ଷ ଗୃପ୍ ମ୍ୟାଚରେ ଭାରତ ପ୍ରଥମେ କ୍ଷେତ୍ରରକ୍ଷଣ ନେଇ ପାକିସ୍ତାନକୁ ବ୍ୟାଟିଂ କରିବାକୁ ଛାଡିଥିଲା । ପାକିସ୍ତାନ ଟିମ୍ ମଧ୍ୟକ୍ରମ ଓଭର (ମିଡ଼ିଲ ଓଭର)ଗୁଡିକରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପରାଜିତ ହୋଇଥିଲେ । ୧୯ ତାରିଖ ଦିନ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଫାଇନାଲ ଖେଳିବା ସମୟରେ ସମାନ ସମସ୍ୟାର ସମୁଖୀନ ହୋଇଥିଲା । ଅଷ୍ଟ୍ରେଲିଆ ଟସ୍ ଜିଣି ପ୍ରଥମେ କ୍ଷେତ୍ରରକ୍ଷଣ କରିବ ବୋଲି ନିଷ୍ପତ୍ତି ନେବାରୁ ଭାରତକୁ ବ୍ୟାଟିଂ ମିଳିଥିଲା । ଭାରତୀୟ ଟିମ୍ ଅଧିନାୟକ ରୋହିତ ଶର୍ମା ଅନ୍ୟତମ ଓପନର ଶୁଭମନ ଗିଲଙ୍କ ସହ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଧମାକା କରିଥିଲେ ମଧ୍ୟ ମଧ୍ୟକ୍ରମରେ ଖେଳିବାକୁ ଆସିଥିବା ପୂର୍ବତନ ଅଧିନାୟକ ବିରାଟ କୋହଲି, କେ.ଏଲ.ରହୁଲ ଓ ଅନ୍ୟ ଖେଳାଳୀମାନେ ଅନୁରୂପ ଖେଳ ପ୍ରଦର୍ଶନ କରିନପାରିବାରୁ ଭାରତ ୫୦ ଓଭରରେ ସମସ୍ତ ୱିକେଟ ହରାଇ ୨୪୦ ରନରେ ସୀମିତ ରହି ଯାଇଥିଲା । ଅପରପକ୍ଷରେ, ଅଷ୍ଟ୍ରେଲିଆ ଦଳ ଦ୍ୱିତୀୟାର୍ଦ୍ଧରେ ଖେଳିବାକୁ ଆସି ପ୍ରଥମେ ଅତି କମ୍ ରନ କରି ତିନିଟି ୱିକେଟ୍ ହରାଇ ଥିଲେ ମଧ୍ୟ ଟ୍ରାଭିସ ହେଡଙ୍କ ଶତକ ଦଳର ବିଜୟକୁ ସୁଗମ କରି ଦେଇଥିଲା । ମହମ୍ମଦ ସାମି ଓ ଜଶପ୍ରୀତ ବୁମରାଙ୍କ ନେତୃତ୍ୱରେ ଭାରତୀୟ ବୋଲରମାନେ ସଂପୂର୍ଣ୍ଣ ଟୁର୍ଣ୍ଣାମେଂଟରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଫାଇନାଲରେ ଟ୍ରାଭେସ ହେଡଙ୍କୁ ରୋକିବାକୁ ସଫଳ ହୋଇନଥିଲେ । ବିଶ୍ୱକପ୍ ର ନକ୍ ଆଉଟ ମ୍ୟାଚଗୁଡିକ ପାଇଁ ନୂଆ ପିଚ୍ ପ୍ରସ୍ତୁତ କରାଯିବାର ଆବଶ୍ୟକତା ଥିଲେ ମଧ୍ୟ ଆଇସିସି ଦିନିକିଆ ବିଶ୍ୱକପ୍ ଫାଇନାଲ ନରେନ୍ଦ୍ରମୋଦୀ ଷ୍ଟାଡିୟମର ପୁରୁଣା ପିଚରେ ହିଁ ଖେଳା ଯାଇଥିଲା । ପିଚ୍ ସ୍ପିନରମାନଙ୍କ ବୋଲିଂ ଉପଯୋଗୀ କରିବାକୁ କମ୍ ପାଣି ଛିଂଚା ଯାଇଥିବା ଭାରତୀୟ ଦଳ ପାଇଁ ବୁମେରାଂ ହୋଇଥିବା ଏବଂ ଅଷ୍ଟ୍ରେଲିଆ ଏହି ସ୍ଲୋ-ପିଚରେ ବାଜି ମାରି ନେଇଥିବା ସମୀକ୍ଷାରୁ ଜଣାପଡିଛି । ଗୁରୁବାର ବୈଠକ କେବଳ ଆଇସିସି ଦନିକିଆ ପୁରୁଷ ବିଶ୍ୱକପ୍ କ୍ରିକେଟ ଫାଇନାଲରେ ଭାରତର ପରାଜୟକୁ ସମୀକ୍ଷା କରିବାକୁ ଉଦ୍ଦିଷ୍ଟ ନଥିଲା, ବୈଠକରେ ଭାରତୀୟ ଦିନିକିଆ ଦଳ, ଟି-୨୦ଆଇ (ଆନ୍ତର୍ଜାତିକ) ଏବଂ ଦକ୍ଷଣ ଆଫ୍ରିକାରେ ଟେଷ୍ଟ ମ୍ୟାଚ୍ଖେଳିବା ସକାଶେ ଖେଳାଳୀ ଚୟନ ମଧ୍ୟ ଆଜେଣ୍ଡା ଅନ୍ତର୍ଭୁକ୍ତ ଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS