ଚାରିରୁ ତିନି ରାଜ୍ୟରେ ବିଜେପି
ପ୍ରସାଦ ରାଓ
ଡିସେମ୍ବର ୦୩
୨୦୨୩ର ଶେଷ ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସି ଯାଇଛି । ମିଜୋରାମ ବ୍ୟତୀତ ଅନ୍ୟ ଚାରିଟି ରାଜ୍ୟର ଭୋଟ ଗଣତି ଆଜି ହୋଇଥିବା ବେଳେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡରେ ବିଜେପି ସରକାର ଗଢୁଥିବା ସ୍ପଷ୍ଟ ହୋଇଛି । କେବଳ, ତେଲେଂଗାନାରେ କଂଗ୍ରେସ ଶାସକ (ବିଆରଏସ ଭାରତ ରାଷ୍ଟ୍ର ସମିତି) ହାତରୁ କ୍ଷମତା ଛଡାଇ ନେଇଛି । ୨୦୧୪ରେ ନୂତନ ତେଲେଂଗାନା ରାଜ୍ୟ ଗଠନରୁ ଭାରତ ରାଷ୍ଟ୍ର ସମିତି (ପୂର୍ବରୁ ଥିଲା ଟିଆରଏସ୍) ରାଜ୍ୟରେ କ୍ଷମତାରେ ଥିଲା । ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ନୂତନ ତେଲେଂଗାନା ରାଜ୍ୟ ଗଠନର ପୁରୋଧା ଥିଲେ । ତେଣୁ, ରାଜ୍ୟବାସୀ ତାଙ୍କ ହାତରେ ଦୁଇ ଥର କ୍ଷମତା ସମର୍ପି ଦେଇଥିଲେ । ଲଗାତର ତୃତୀୟ ଥର ରାଜ୍ୟରେ ବିଆରଏସକୁ କ୍ଷମତାକୁ ଆଣି ମୁଖ୍ୟମନ୍ତ୍ରୀ ରହିବା ପାଇଁ କେସିଆର ସ୍ୱପ୍ନ ଦେଖିଥିଲେ ମଧ୍ୟ କଂଗ୍ରେସ ତାହାକୁ ବିଫଳ କରି ବାଜି ମାରି ନେଇଛି ।
ତେଲେଂଗାନାରେ ଏଥର ସରକାର ବଦଳୁଛି ଏବଂ କଂଗ୍ରେସ ହାତକୁ କ୍ଷମତା ଯାଉଛି – ଏହା ବହୁ ପୂର୍ବରୁ ସୁନିଶ୍ଚିତ ହୋଇ ସାରିଥିଲା । କେସିଆରଙ୍କ ପାରିବାରିକ ଶାସନ ଓ ପରିବାର ସଦସ୍ୟଙ୍କ ବିରୋଧରେ ଏକାଧିକ ଦୁର୍ନୀତିର ଛିଟା ବିଆରଏସର ପତନର କାରଣ ହୋଇଥିବା ବେଳେ ଏହି ଦକ୍ଷିଣାଂଚଳ ରାଜ୍ୟର ମତଦାତା ଦକ୍ଷିଣପନ୍ଥୀ ବିଜେପିକୁ ବିଶ୍ୱାସକୁ ନ ନେଇ କଂଗ୍ରେସର ହାତ ଧରିଛନ୍ତି । ରାଜ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲେ ମଧ୍ୟ ନିର୍ବାଚନ ସମୟରେ ବିଆରଏସ ଓ ବିଜେପି ମଧ୍ୟରେ ଭିତିରି କିଛି ବୁଝାମଣା ହୋଇଥିବା ଆଲୋଚନା ହେଉଥିଲା । ସିବିଆଇ ଓ ଇଡି କେସିଆର ପରିବାର ସଦସ୍ୟଙ୍କ ଅବକାରୀ ଦୁର୍ନୀତି ସହ ଅନ୍ୟ ଦୁର୍ନୀତିର ତଦନ୍ତ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଟୁ ସମାଲୋଚକ ହୋଇଥିବା କେସିଆର ନିର୍ବାଚନର ଶେଷ ପର୍ଯ୍ୟାୟରେ ବିଜେପିର ନିକଟତର ହୋଇଥିବା ଚର୍ଚ୍ଚା ହେଉଥିଲେ ମଧ୍ୟ କେସିଆର ତାହାକୁ ଅସ୍ୱୀକାର କରି ଉଭୟ କଂଗ୍ରେସ ଓ ବିଜେପି ସହ ତାଙ୍କ ଲଢେଇ ହେଉଥିବା ରାଜ୍ୟବାସୀଙ୍କୁ ବିଶ୍ୱାସ ଦେଇଥିଲେ ।
କଂଗ୍ରେସ ୨୦୨୩ ବିଧାନସଭା ନିର୍ବାଚନରେ ତେଲେଂଗାନାରେ ସରକାର ପ୍ରତିଷ୍ଠା ପାଇଁ ସକ୍ଷମ ହୋଇଥିଲେ ମଧ୍ୟ ରାଜସ୍ଥାନ ଓ ଛତିଶଗଡରେ ଥିବା ସରକାରକୁ ହରାଇଛି । ମଧ୍ୟ ପ୍ରଦେଶରେ ବିଜେପି ଶାସନରେ ଥିଲା । ମୁଖମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସହ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟବାସୀଙ୍କୁ ଦେଇଥିବା ବିଭିନ୍ନ ଗ୍ୟାରେଂଟି ରାଜ୍ୟରେ ବିଜେପିକୁ ପୁନଃ କ୍ଷମତାସୀନ କରିଥିବା ଅନୁମାନ କରି ହେଉଛି । ବିଶେଷକରି, ଶିବରାଜ ସିଂହଙ୍କ ‘ଲାଡଲି ବେହେନା’ ଯୋଜନା କଂଗ୍ରେସ ଦ୍ୱାରା ଘୋଷିତ ସମସ୍ତ ଗ୍ୟାରେଂଟିକୁ ଫିକା କରି ଦେଇଥିବା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହେଉଛି । ବିଜେପି ଶିବରାଜ ସିଂହ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ ମୁହଁ ଭାବେ ଘୋଷଣା ନ କରି ନିର୍ବାଚନ ମଇଦାନରେ ଉତୁରି ଥିଲା । ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ଶେଷ ପର୍ଯ୍ୟନ୍ତ ଶିବରାଜଙ୍କୁ ଟିକଟ ଦିଆଯାଇଥିଲା । ଏହା ବିଜେପିକୁ ଅଡୁଆରେ ପକାଇବ ବୋଲି ପ୍ରଥମେ ଚର୍ଚ୍ଚା ହୋଇଥିଲେ ମଧ୍ୟ ପ୍ରଚାର ଶେଷ ଆଡକୁ ତାହା ମଉଳି ଯାଇଥିଲା ।
୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟ ପ୍ରଦେଶ ଜନତା କଂଗ୍ରେସ ହାତରେ କ୍ଷମତା ଦେଇଥିଲେ ମଧ୍ୟ ଦଳ ମାତ୍ର ଦେଢ ବର୍ଷ କ୍ଷମତାରେ ଥିଲା । କଂଗ୍ରେସ ନେତୃତ୍ୱ ବରିଷ୍ଠ ନେତା କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାରୁ ଦଳର ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଅସନ୍ତୁଷ୍ଟ ଥିଲେ । ସିନ୍ଧିଆ ନିଜ ୨୨ ଜଣ ସମର୍ଥକ କଂଗ୍ରେସ ବିଧାୟକଙ୍କ ସହ ୨୦୨୦ରେ ଦଳ ଛାଡି ବିଜେପିରେ ଯୋଗ ଦେବାରୁ କମଳନାଥ ସରକାର ସଂଖ୍ୟାଲଘୁରେ ପରିଣତ ହୋଇ କ୍ଷମତାଚ୍ୟୁତ ହୋଇଥିଲେ । ବିଜେପି ଶାସନକୁ ଫେରିଥିଲା । ୨୦୨୩ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ବିଜେପିର ଏହି ‘ଅପରସେନ୍ କମଲ୍’ର ଉଚିତ ଜବାବ ଦେବେ ବୋଲି କଂଗ୍ରେସ ଆଶା କରିଥିଲେ ମଧ୍ୟ ବାସ୍ତବରେ ତାହା କାମ କରି ନାହିଁ । କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନେତୃତ୍ୱରେ ଏଥର ନିର୍ବାଚନ ଲଢୁଥିଲା । ବୁଥ୍ ବାହୁଡା ଜନମତ ବଜେପି ସପକ୍ଷରେ ଥିବା ଅଧିକାଂଶ ସର୍ଭେ ସଂସ୍ଥା କହିଥିଲେ ମଧ୍ୟ କଂଗ୍ରେସ ତାହାକୁ ବିଶ୍ୱାସକୁ ନେଇ ନଥିଲା । ତେବେ, ଫଳାଫଳ ବିଜେପି ସପକ୍ଷରେ ହିଁ ଯାଇଛି ।
ତେବେ, ଛତିଶଗଡ କ୍ଷେତ୍ରରେ ଅଧିକାଂଶ ସର୍ବେକ୍ଷଣ ସଂସ୍ଥାଙ୍କ ଆକଳନ ଭୁଲ ପ୍ରମାଣିତ ହୋଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲାଙ୍କ ନେତୃତ୍ୱରେ ଗତ ପାଂଚ ବର୍ଷ ହେଲା କଂଗ୍ରେସର ସରକାର ରହିଛି । ମୁଖ୍ୟମନ୍ତ୍ରୀ ଭାବେ ବାଘେଲାଙ୍କ ଲୋକପ୍ରିୟତା ମଧ୍ୟ ରହିଛି । ୨୦୨୩ରେ ମଧ୍ୟ ତାଙ୍କ ନେତୃତ୍ୱରେ କଂଗ୍ରେସ କ୍ଷମତାକୁ ଫେରିବ ବୋଲି ବିଶ୍ୱାସ ରଖିଥିଲା । ତେବେ, ଠିକ୍ ଭୋଟ ପୂର୍ବରୁ ବିଜେପି ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ବିରୋଧରେ ବେଆଇନ ଘୋଷିତ ଦୁବାଇ ଭିତ୍ତିକ ‘ମହାଦେବ ଆପ୍’ ପ୍ରତିଷ୍ଠାତାଙ୍କଠାରୁ ୪୦୦ କୋଟି ଟଙ୍କା ଲାଂଚ ନେଇଥିବା ଅଭିଯୋଗ ଆଣି ନିର୍ବାଚନରେ ତାହାକୁ ବଡ ପ୍ରସଙ୍ଗ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବିଭିନ୍ନ ନିର୍ବାଚନ ସଭାରେ ବାଘେଲାଙ୍କୁ ଘେରିବାକୁ ‘ମହାଦେବ ଆପ୍’ ଦୁର୍ନୀତି ପ୍ରସଙ୍ଗକୁ ବଢେଇ ଚଢେଇ ପ୍ରଚାର କରିଥିଲେ । ତଥାପି, ବୁଥ୍ ବାହୁଡା ଜନମତ ଆଧାରରେ ବାଘେଲା କ୍ଷମତାକୁ ଫେରୁଥିବା ଅଧିକାଂଶ ସର୍ବେକ୍ଷଣ ସଂସ୍ଥା ଅନୁମାନ ପ୍ରକଟ କରିଥିଲେ । ବାଘେଲାଙ୍କୁ ରାଜ୍ୟର ୯୦ ବିଧାନସଭା ଆସନରୁ ଅନ୍ତତଃ ୫୭ଟି ବିଳିବ ବୋଲି ସେମାନେ କହିଥିଲେ । କେବଳ ଗୋଟିଏ ସଂସ୍ଥା ବିଜେପି କ୍ଷମତାକୁ ଆସିବା ସମ୍ଭାବନା ପ୍ରକାଶ କରିଥିଲା । ଏହି ଗୋଟିଏ ସଂସ୍ଥାର ଆକଳନ ହିଁ ସତ୍ୟ ହେବାକୁ ଯାଉଛି ।
ଆଉ ରାଜସ୍ଥାନ… ! ‘ମୁଖ୍ୟମନ୍ତ୍ରୀ ଆସନ ତାଙ୍କୁ ଛାଡିବାକୁ ପ୍ରସ୍ତୁତ ନୁହଁ’ ବୋଲି ଲଗାତର ଗଣମାଧ୍ୟମରେ ଦାବି କରୁଥିବା କଂଗ୍ରେସର ସବୁଠାରୁ ଉଚ୍ଚା (ଟଲ୍) ନେତା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟ ୨୦୨୩ ବିଧାନସଭା ନିର୍ବାଚନରେ ରାଜ୍ୟର ରାଜନୈତିକ ପରଂପରା ବଦଳିବ ବୋଲି ଦୃଢତାର ସହ ଘୋଷଣା କରିଥିଲେ । ରାଜସ୍ଥାନର ରାଜନୈତିକ ପରଂପରା ହେଉଛି, ପ୍ରତି ପାଂଚ ବର୍ଷରେ ଥରେ ରାଜ୍ୟବାସୀ ସରକାର ବଦଳାନ୍ତି । ୨୦୨୩ରେ ପରଂପରା ଭଂଗ ହେବ, ରାଜ୍ୟବାସୀ ପୁନର୍ବାର କଂଗ୍ରେସକୁ କ୍ଷମତାକୁ ଆଣି ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ଅପେକ୍ଷାରେ ଅଛନ୍ତି ବୋଲି ଗେହେଲୋଟ ଦାବି କରୁଥିଲେ । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ଦଳ ପକ୍ଷରୁ ୨୦୨୩ରେ ମୁଖ୍ୟମନ୍ତ୍ରୀ ମୁହଁ ଭାବେ ଘୋଷଣା କରାନଯିବା ଏବଂ ବହୁ ବିଳମ୍ବରେ ରାଜେଙ୍କୁ ଟିକଟ ମିଳିବା ରାଜ୍ୟ ବିଜେପିର ଆଭ୍ୟନ୍ତରୀଣ କନ୍ଦଳକୁ ସୂଚିତ କରୁଛି ଏବଂ ତାହା ତାଙ୍କ ବିଜୟରେ ସହାୟକ ହେବ ବୋଲି ଗେହେଲୋଟ ବିଶ୍ୱାସ କରୁଥିଲେ ।
ତେବେ, ୨୦୨୩ ବିଧାନସଭା ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଛି । ପ୍ରାୟ ସମସ୍ତ ବୁଥ ବାହୁଡା ଜନମତ ସର୍ବେକ୍ଷଣ ସଂସ୍ଥା ୨୦୨୩ରେ ରାଜ୍ୟରେ ବିଜେପି ସରକାରକୁ ଆସୁଥିବା ଆକଳନ କରିଥିଲେ । ରାଜ୍ୟରେ ପୂର୍ବରୁ ଏହି ପରଂପରା ରହିଛି ଏବଂ ଏଥର ମଧ୍ୟ ତାହାର ପୁନରାବୃତ୍ତି ଘଟିବ ବୋଲି ସର୍ମେକ୍ଷଣ ସଂସ୍ଥାମାନେ ପୂର୍ବାନୁମାନ କରିଥିବା ବେଳେ ଗେହେଲୋଟ କିନ୍ତୁ ତାହାକୁ ଅଗ୍ରାହ୍ୟ କରି ଏଥର ପରଂପରା ବଦଳୁଥିବା ଦାବି କରୁଥିଲେ । କିନ୍ତୁ, ରାଜସ୍ଥାନ ଜନତା ଗେହେଲୋଟଙ୍କ ସମସ୍ତ ପ୍ରଲୋଭନକୁ ପ୍ରତ୍ୟାଖାନ କରି ପୁନର୍ବାର ବିଜେପିର ହାତ ଧରିଛନ୍ତି । ଗେହେଲେଟ ନ ଚାହିଁଲେ ମଧ୍ୟ ତାଙ୍କ ହାତରୁ ଶାସନ ଓ ମୁଖ୍ୟମନ୍ତ୍ରୀ ଆସନ ଖସି ଯାଇଛି । ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ଯୁବ ନେତା ତଥା ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ଥିବା ସଚିନ ପାଇଲଟଙ୍କ ନେତୃତ୍ୱରେ ନିର୍ବାଚନ ଲଢି ବିଜୟ ହାସଲ କରିଥିଲେ ମଧ୍ୟ କଂଗ୍ରେସ ନେତୃତ୍ୱ ସଚିନଙ୍କୁ ମୁଖ୍ୟମନ୍ତ୍ରୀ ନକରି ବରିଷ୍ଠ ନେତା ଗେହେଲୋଟଙ୍କ ହାତରେ କ୍ଷମତା ସମର୍ପି ଦେଇଥିଲେ ।
ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଗେହେଲୋଟ ଓ ଯୁବ ନେତା ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘଦିନ ଧରି ବବାଦ ଚାଲିଛି । ୨୦୨୦ରେ କଂଗ୍ରେସ ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ପ୍ରଦେଶରେ କମଳନାଥଙ୍କ ବିରୋଧରେ ବିଦ୍ରୋହ କରି ଦଳ ଛାଡିବା ଭଳି ୨୦୨୧ରେ ରାଜସ୍ଥାନରେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଗେହେଲୋଟଙ୍କ ବିରୋଧରେ ବିଦ୍ରୋହ କରି ନିଜ ସମର୍ଥକ ବିଧାୟକଙ୍କ ସହ କଂଗ୍ରେସ ଛାଡିବା ଉଦ୍ୟମ କରିଥିଲେ ମଧ୍ୟ ଗେହେଲୋଟଙ୍କ ଚତୁର ରାଜନୀତି ନିକଟରେ ପରାସ୍ତ ହୋଇ ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ଓ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପଦ ହରାଇ ଥିଲେ । ସଚିନଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଗେହେଲୋଟଙ୍କୁ ଏଆଇସିସି ସଭାପତି କରି ଦିଲ୍ଲୀ ନେଇ ଯିବାକୁ ଗାନ୍ଧୀ ପରିବାର ଚାହିଁଥିଲେ ସୁଦ୍ଧା ଗେହେଲୋଟ ତାହାକୁ ପ୍ରତ୍ୟାଖାନ କରି ‘ମୁଖ୍ୟମନ୍ତ୍ରୀ ଆସନ ତାଙ୍କୁ ଛାଡୁ ନାହିଁ’ ବୋଲି କହିଥିଲେ । ଗେହେଲୋଟ ଅରାଜି ହେବାରୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେଙ୍କୁ ଏଆଇସିସି ସଭାପତି ନିର୍ବାଚିତ କରାଯାଇଥିଲା ।
କଂଗ୍ରେସ ଯୁବ ନେତା ସଚିନ ପାଇଲଟ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲୋଟ ମଧ୍ୟରେ ଚାଲିଥିବା ରାଜନୈତିକ ଯୁଦ୍ଧର ପରିସମାପ୍ତି ଘଟିନି । ଏଆଇସିସି ସଭାପତି ଖାର୍ଗେ ଯୁବ ନେତା ସଚିନ ପାଇଲଟଙ୍କୁ କଂଗ୍ରେସ ଜାତୀୟ କାର୍ଯ୍ୟକାରଣୀ ସଦସ୍ୟ ଭାବ ଅନ୍ତର୍ଭୁକ୍ତ କରିବା ପରେ ଗେହେଲୋଟ-ପାଇଲଯ ବିବାଦ ସାମୟିକ ଭାବେ ଥମିଛି ସିନା ଗେହେଲୋଟଙ୍କ ସ୍ୱାର୍ଥପରତାକୁ ଦେଖିଥିବା ରାଜସ୍ଥାନବାସୀ ୨୦୨୩ ନିର୍ବାଚନରେ ତାଙ୍କ ହାତରୁ ମୁଖ୍ୟମନ୍ତ୍ରୀ ଚଉକି ଛଡାଇ ନେଇଛନ୍ତି । ଗେହେଲୋଟ ନିର୍ବାଚନ ପୂର୍ବରୁ କିଛି ମାସ ହେଲା ରାଜ୍ୟବାସୀଙ୍କୁ ପ୍ରଲାଭିତ କରିବା ସକାଶେ ବିଭିନ୍ନ ମାଗଣା ଯୋଜନା ଘୋଷଣା କରିଥିଲେ । ଏପରିକି, ରାଜ୍ୟରେ ପୁନର୍ବାର କଂଗ୍ରେସ ସରକାର ଆସିଲେ ରନ୍ଧନ ଗ୍ୟାସ ସିଲିଣ୍ଡର ୪୦୦ ଟଙ୍କାରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ କରିଥିଲେ । ତେବେ, ମୋଦୀଙ୍କ ଗ୍ୟାରେଂଟି ଗେହେଲୋଟଙ୍କ ସବୁ ଗ୍ୟାରେଂଟିକୁ ପ୍ରଭାବହୀନ କରିଦେଲା ।
ଆଜି ଘୋଷିତ ଚାରିଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳରୁ ତିନିଟି ବିଜେପି ସପକ୍ଷରେ ଯାଇଛି । ହିନ୍ଦିଭାଷୀ ରାଜ୍ୟରେ ବିଜେପିର ପ୍ରଭାବ ଅତୁଟ ଥିବା ଏଥିରୁ ସ୍ପଷ୍ଟ ହୋଇଛି । କଂଗ୍ରେସର ଦୟନୀୟତା ମଧ୍ୟ ନିର୍ବାଚନ ଫଳାଫଳରୁ ସାମ୍ନାକୁ ଆସିଛି । ଏହି ସବୁ ବିଧାନସଭା ନିର୍ବାଚନ ଫଳାଫଳ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଅନେକ ସଂକେତ ଦେବ ବୋଲି ନିର୍ବାଚନ ପୂର୍ବରୁ ଆଲୋଚନା ହେଉଥିଲା । ବିରୋଧୀ ଏହାକୁ ‘ସେମି ଫାଇନାଲ’ କହୁଥିଲେ । ତେବେ, ନିର୍ବାଚନ ଫଳାଫଳ ଆସିବା ପରେ ୨୦୨୪ ସାଧାରଣ ନିର୍ବାଚନ ଏହାର କିଛି ପ୍ରଭାବ ରହିବ ନାହିଁ ବିରୋଧୀ କହିଛନ୍ତି । ଆସୁଥିବା ଫଳାଫଳକୁ ଦେଖି ବିଜେପି ଉତ୍ସାହିତ । କଂଗ୍ରେସ ଶିବିରରେ ନିରାଶ ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ମିଳିଥିବା ସୂଚନା ଅନୂଯାୟୀ – ତେଲେଂଗାନାର ୧୧୯ ଆସନରୁ କଂଗ୍ରେସ ୬୫, ବିଆରଏସ ୩୯, ବିଜେପି ୦୮ ଓ ଏଆଇଏମଆଇଏମ ୦୭ ଆସନରେ ଅଗ୍ରଣୀ ଥିବା ବେଳେ ମଧ୍ୟ ପ୍ରଦେଶର ୨୩୦ ଆସନରୁ ବିଜେପି ୧୬୩, କଂଗ୍ରେସ ୬୬ ଓ ଅନ୍ୟମାନେ ଗୋଟିଏ ଆସନରେ ଅଗ୍ରଣୀ ଅଛନ୍ତି । ରାଜସ୍ଥାନର ୨୦୦ ଆସନରୁ ବିଜେପି ୧୧୫, କଂଗ୍ରେସ ୬୯, ବିଏସପି ୦୨ ଓ ଅନ୍ୟମାନେ ୧୩ ଆସନରେ ଏବଂ ଛତିଶଗଡର ୯୦ ଆସନରୁ ବିଜେପି ୫୫ ଓ କଂଗ୍ରେସ ୩୫ ଆସନରେ ଅଗ୍ରଣୀ ଥିବା ଜଣାପଡିଛି । ଚୂଡାନ୍ତ ଫଳାଫଳ ସାମାନ୍ୟ କିଛି ଭିନ୍ନ ହୋଇପାରେ । କିନ୍ତୁ, ଟ୍ରେଂଡ ବିଜେପି ସପକ୍ଷରେ ହିଁ ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS