ନିର୍ବାଚନ ବିପର୍ଯ୍ୟୟ ପାଇଁ କଂଗ୍ରେସ ନିଜେ ଦାୟୀ !
ପ୍ରସାଦ ରାଓ
ଡିସେମ୍ବର ୦୫
ଗତ ମାସରେ ଅନୁଷ୍ଠିତ ପାଂଚଟି ରାଜ୍ୟ ବିଧାନସଭା ନିର୍ବାଚନ ମଧ୍ୟରୁ ତିନିଟିରେ ବିଜେପିର ବିପୁଳ ବିଜୟ ଦଳୀୟ ନେତା ଓ କର୍ମୀଙ୍କ ଉତ୍ସାହକୁ ବହୁଗୁଣିତ କରିଥିବା ବେଳେ ବିରୋଧୀ ଶିବିରରେ ନୈରାଶ୍ୟ ଛାଇ ଯାଇଛି । ‘ହିନ୍ଦି ହାର୍ଟଲ୍ୟାଣ୍ଡ’ ଭାବେ ପରିଚିତ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପି ଓ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ରାଜସ୍ଥାନ ଓ ଛତିଶଗଡରେ ୨୦୧୮ରୁ କଂଗ୍ରେସ ଶାସନ ଚାଲିଥିବା ବେଳେ ମଧ୍ୟ ପ୍ରଦେଶରେ ବିଜେପି ସରକାର ଥିଲା । କଂଗ୍ରେସ ରାଜସ୍ଥାନ ଓ ଛତିଶଗଡରେ ସରକାର ବଜାୟ ରଖିବା ସହ ବିଜେପି ହାତରୁ ମଧ୍ୟ ପ୍ରଦେଶ ଛଡାଇ ଆଣିବା ଆଶାରେ ନିର୍ବାଚନ ଲଢିଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ପରିଚାଳିତ ନିର୍ବାଚନରେ କଂଗ୍ରେସ ମାଟି କାମୁଡିବାକୁ ବାଧ୍ୟ ହୋଇଛି ।
ବିଜେପି ଏହାକୁ ମୋଦୀଙ୍କ ବିଜୟ କହି ‘ମୋଦୀ ହୈ ତୋ ମୁମକିନ ହୈ’ ନାରା ଦୋହରାଉ ଥିବା ବେଳେ ବିରୋଧୀ ଏହା ବିଜେପିର ବିଜୟ ନୁହେଁ, କଗ୍ରେସର ବିପର୍ଯ୍ୟୟ’ କହି ମନକୁ ଶନ୍ତ୍ୱନା ଦେବା ସହ କଂଗ୍ରେସର ଆତ୍ମଗର୍ବକୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ସମ୍ମୁଖୀନ ହେବା ପାଇଁ ୨୮ ବିରୋଧୀ ଦଳ ଏଇ କିଛି ମାସ ତଳେ ‘ଇଣ୍ଡିଆ’ ମେଂଟ ଗଠନ କରିଥିଲେ । କଂଗ୍ରେସ ଏହି ମେଂଟର ନେତୃତ୍ୱ ନେବାକୁ ଦାବିଦାର ଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜେଡିୟୁ, ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କ ଆମ୍ ଆଦମୀ ପାର୍ଟି ମଧ୍ୟ ନେତୃତ୍ୱ ଦୌଡରେ ରହିଥିଲା । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଆଶାତୀତ ବିଜୟ ପରେ କଂଗ୍ରେସ ନେତୃବର୍ଗ ରାହୁଲ ଗାନ୍ଧୀଙ୍କୁ ମେଂଟର ନେତା କରିବାକୁ ଜୋରଦାର ପ୍ରୟାସ ଚଳାଇ ଥିଲେ ମଧ୍ୟ ୨୦୨୩ର ଶେଷ ଭାଗରେ ହେବାକୁ ଥିବା ଏହି ରାଜ୍ୟ ବିଧାନସଭା ନିର୍ବାଚନ ସବୁର ଫଳାଫଳ ଉପରେ ସମସ୍ତଙ୍କ ଦୃଷ୍ଟି ରହିଥିଲା ।
ଡିସେମ୍ବର ୦୩ ତାରିଖରେ ଚାରିଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସର ପ୍ରଦର୍ଶନ ଦେଖି ବିରୋଧୀ ମେଂଟର ନେତାମାନେ କରଛଡା ଦେବା ଆରମ୍ଭ କରିଥିବା ବେଳେ ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏତେ ଉତ୍ସାହିତ ଯେ ଡିସେମ୍ବର ୦୪ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନର ପ୍ରାରମ୍ଭରେ ଗଣମାଧ୍ୟମ ସାମ୍ନକୁ ଆସି ‘ବିରୋଧୀ ନକାରାତ୍ମକ ରାଜନୀତି ପରିତ୍ୟାଗ ନକଲେ ଜନତା ଏହିଭଳି ପ୍ରତ୍ୟାଖାନ କରିବେ’ ବୋଲି କଟାକ୍ଷ କରିବାକୁ ପଛାଇ ନଥିଲେ । ଚଳିତ ସଂସଦ ଅଧିବେଶନରେ ଅନ୍ତତଃ ବିରୋଧୀ ଦାୟିତ୍ୱପୂର୍ଣ୍ଣ ଭାବେ ଚର୍ଚ୍ଚାରେ ଭାଗ ନେବେ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ମୋଦୀଙ୍କ ଏହି ପରାମର୍ଶ ପଛରେ ଯାହା ରାଜନୀତି ଥାଉନା କାହିଁକି ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନ ଫଳାଫଳ ସାମୟିକ ଭାବେ ବିରୋଧୀଙ୍କ ସବୁ ଆଶାକୁ ଧୂଳିସାତ କରିଛି, ଏଥିରେ କୌଣସି ସନ୍ଦେହ ନାହିଁ ।
ବିରୋଧୀ ମେଂଟ ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଂଟାଲ ଇନକ୍ଲୁସିଭ ଆଲାଏନ୍ସ’ (ଇଣ୍ଡିଆ)ର ଚତୁର୍ଥ ନେତୃସ୍ତରୀୟ ବୈଠକ ୦୬ ତାରିଖ ନୂଆଦିଲ୍ଲୀରେ ହେବାକୁ ଥିଲା । କିନ୍ତୁ, ତାହା ବାତିଲ କରାଯାଇ ଚଳିତ ମାସର ତୃତୀୟ ସପ୍ତାହକୁ ଘୁଂଚା ଯାଇଥିବା ଖବର ମିଳିଛି । ୨୦୨୪ ନିର୍ବାଚନ ପାଇଁ ଅଂଶୀଦାର ଦଳଙ୍କ ମଧ୍ୟରେ ଆସନ ବୁଝାମଣା ସକାଶେ ଏହି ବୈଠକ କରାଯିବାକୁ ଧାର୍ଯ୍ୟ ହୋଇଥିଲା । ତେବେ, ବିରୋଧୀ ମେଂଟ ଅଂଶୀଦାରଙ୍କୁ ନେଇ ଗଠିତ ସମନ୍ୱୟ କମିଟି ବୈଠକ କାଲି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବାସଭବନରେ ବସିବ ବୋଲି କଂଗ୍ରେସ କାର୍ଯ୍ୟକାରୀଣୀ କମିଟି ସଦସ୍ୟ ଗୁରୁଦୀପ ସିଂ ସପଲ ଆଜି କହିଛନ୍ତି । ସେ କହିଛନ୍ତି, କାଲି ସନ୍ଧ୍ୟା ୦୬ଟା ସମୟରେ ଖାର୍ଗେଙ୍କ ବାସଭବନରେ ଇଣ୍ଡିଆ ମେଂଟର ପାର୍ଲିଆମେଂଟାରୀ ପାର୍ଟି ନେତାମାନଙ୍କ ସମନ୍ୱୟ କମିଟି ବୈଠକ ବସିବ ଏବଂ ଏହି ବୈଠକରେ ବିରୋଧୀ ମେଂଟ ଅଂଶୀଦାରମାନଙ୍କ ନେତୃସ୍ତରୀୟ ବୈଠକ କେବେ ହେବ ତାହା ଚୂଡାନ୍ତ କରାଯିବ ।
ଡିସେମ୍ବର ୦୬ତାରିଖ ବୈଠକରେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଟିଏମସି), ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ (ଜେଏମଏମ) ଓ ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ (ସମାଜବାଦୀ ପାର୍ଟି) ଯୋଗ ଦେବେ ନାହିଁ ସୂଚନା ମିଳିଥିଲା । ଟିଏମସି ମୁଖ୍ୟା ମମତା ବାନର୍ଜୀ ୦୬ ତାରିଖ ବୈଠକ ସଂପର୍କରେ କିଛି ଖବର ନାହିଁ ବୋଲି ଗଣମାଧ୍ୟମକୁ କହିଥିଲେ । ବିରୋଧୀ ମେଂଟର ଅନ୍ୟ ପ୍ରମୁଖ ନେତାମାନେ ମଧ୍ୟ ପୂର୍ବରୁ ଧାର୍ଯ୍ୟ କାର୍ଯ୍ୟକ୍ରମରେ ଯୋଦେବାକୁ ଥିବାରୁ କାଲିର ବୈଠକରେ ଯୋଗ ଦେଉନଥିବା ଜଣାଇଛନ୍ତି । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ.ଷ୍ଟାଲିନ (ଡିଏମକେ) ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଜେଡୁୟୁ) ମଧ୍ୟ ଏହି ବୈଠକକୁ ଏଡାଇ ଯାଇଥିବା ଜଣାପଡିଛି । ପାଂଚ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ମେଂଟ ଚତୁର୍ଥ ବୈଠକ ତାରିଖ ଧାର୍ଯ୍ୟ ହୋଇଥିଲା । ତେବେ, ନିର୍ବାଚନ ଫଳାଫଳକୁ ଦେଇ ବିରୋଧୀ ନେତାମାନେ ବିତସ୍ପୃହ ଥିବା ଏଥିରୁ ଅନୁମାନ କରାଯାଉଛି ।
‘ଇଣ୍ଡିଆ’ ମେଂଟର ପ୍ରଥମ ବୈଠକ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୁନ ୨୩ରେ ପାଟନାରେ ହୋଇଥିବା ବେଳେ ଦି୍ୱତୀୟ ବୈଠକ ଜୁଲାଇ ୧୭-୧୮ରେ ବେଂଗାଲୁରୁରେ ଏବଂ ତୃତୀୟ ବୈଠକ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ରେ ମୁମ୍ବାଇରେ ହୋଇଥିଲା । ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡାନ୍ତ କରିବା ସକାଶେ ବିରୋଧୀ ମେଂଟର ନେତାମାନଙ୍କ ଚତୁର୍ଥ ବୈଠକରେ ଡିସେମ୍ବର ୦୬ ତାରିଖ ଦିଲ୍ଲୀରେ ହେବ ବୋଲି ମେଂଟ ସମନ୍ୱୟ କମିଟି ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ପାଂଚଟି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ବିରୋଧୀ ମେଂଟର ନେତାମାନେ କଂଗ୍ରେସକୁ କରଛଡା ଦେବା ଆରମ୍ଭ କରିଥିବା ଦେଖି ବିଜେପି ଛିଗୁଲାଇଛି । ଟିଏମସି ମୁଖ୍ୟା ମମତା ବାନାର୍ଜୀ ‘ଇଣ୍ଡିଆ’ ମେଂଟର କିଛି ଭବିଷ୍ୟତ ନଥିବା ଅନୁଭବ କରିବା ପରେ ବୋଧହୁଏ ମେଂଟକୁ କରଛଡା ଦେବା ଆରମ୍ଭ କରିଛନ୍ତି (!) ବୋଲି ପଶ୍ଚିମ ବଂଗ ବିଜେପି ସଭାପତି ସୁକାନ୍ତ ମଜୁମଦାର ଆଜି ମନ୍ତବ୍ୟ ଦେଇଥିବା ବଳେ ବିଜେପି ସାଂସଦ ଦିଲ୍ଲୀପ ଘୋଷ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ନେତୃତ୍ୱ ମାତ୍ରାଧିକ ଆଶାବାଦୀ ହୋଇ ବିରୋଧୀ ମେଂଟ ଉପରେ ନିଜର ହକ୍ ଜାହିର କରିବାକୁ ବିରୋଧୀ ଏକତାର ମୁଖ୍ୟ ପୁରୋଧା ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର (ଜେଡିୟୁ) ‘ଇଣ୍ଡିଆ’ ବ୍ଲକରୁ ନିଜକୁ ଟିକିଏ ଦୂରେଇ ନେଇଥିଲେ । ନଭେମ୍ବର ୧୭ ତାରିଖ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ କଂଗ୍ରେସକୁ ଆସନ ବୁଝାମଣା ପ୍ରସ୍ତାବ ଦେଇ ସପା ପାଇଁ ମାତ୍ର ୪ରୁ ୫ଟି ଆସନ ମାଗି ଥିଲେ ମଧ୍ୟ କଂଗ୍ରେସ ନେତୃତ୍ୱ ତାହା ଦେବାକୁ ମନା କରି ରାଜ୍ୟର ୨୩୦ ଆସନ ମଧ୍ୟରେ ୨୨୯ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ । ସେଥିରେ କ୍ଷୁବ୍ଧ ହୋଇ ଅଖିଳେଶ କଂଗ୍ରେସ ନେତୃତ୍ୱକୁ ସିଧାସଳଖ ସମାଲୋଚନା କରିବା ସହ ‘ଇଣ୍ଡିଆ’ ମେଂଟରୁ ନିଜକୁ ଦୂରେଇ ନେଉଥିବା ଘୋଷଣା କରିଥିଲେ ।
ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସର ସରକାର ଥିବାରୁ ଦଳର ମୁଖିଆମାନେ ବିରୋଧୀ ମେଂଟକୁ ଉପେକ୍ଷା କରି ପ୍ରଚାର କାର୍ଯ୍ୟ କରିଥିଲେ । ଏହି ତିନିଟି ରାଜ୍ୟରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତାରେ ହେଉଥିଲେ ସୁଦ୍ଧା କଂଗ୍ରେସ ‘ଇଣ୍ଡିଆ’ ମେଂଟର ଅନ୍ୟ ନେତାଙ୍କୁ ସାମିଲ ନକରି ଏକାକୀ ଲଢେଇରେ ସାମିଲ ରହିଲା । ମେଂଟ ସମନ୍ୱୟ କମିଟି ବୈଠକ ମଧ୍ୟ ହେଲା ନାହିଁ । ବିରୋଧୀ ମେଂଟ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଉଦ୍ଦିଷ୍ଟ, ବିଧାନସଭା ଭୋଟ ସରିବା ପରେ ମେଂଟ ବୈଠକ ହେବ ବୋଲି କଂଗ୍ରେସ ନେତାମାନେ ବାହାସ୍ପୋଟ ମାରିଲେ । ବିରୋଧୀ ନେତାମାନେ ନିଜକୁ ଅପମାନିତ ମନେ କରି ବିଧାନସଭା ନିର୍ବାଚନରୁ ଦୂରେଇ ରହିଲେ । ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଥିଲେ କଥା ଭିନ୍ନ ଥା’ନ୍ତା । କିନ୍ତୁ, ଏହି ତିନି ହିନ୍ଦିଭାଷୀ ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜିତ ବିରୋଧୀ ମେଂଟର ନେତାମାନଙ୍କ ବିମୁଖତାକୁ ବଢାଇ ଦେଇଛି ।
କଂଗ୍ରେସ ନିଜ ଗଡ ରକ୍ଷା କରିବାକୁ ସକ୍ଷମ ହେଲାନି । ୨୦୨୪ରେ ବିରୋଧୀ ମେଂଟର କି ନେତୃତ୍ୱ ନେବ (?) ବୋଲି ଏବେ ପ୍ରଶ୍ନ ହେଲାଣି । ମଧ୍ୟ ପ୍ରଦେଶରେ ସରକାର (ବିଜେପି) ବିରୋଧୀ ହାୱା ଥିବା କୁହାଯାଉଥିଲା । କିନ୍ତୁ, ଫଳାଫଳ ସରକାର ସପକ୍ଷବାଦୀ ହାୱାରା ସୂଚନା ଦେଉଛି । କଂଗ୍ରେସ ନେତୃତ୍ୱ ଫଳାଫଳ ଆସିବା ପରେ ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ହଟାଇ ଦେଇଛନ୍ତି । ଗତକାଲି ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା । ଆଜି ସେ ଦିଲ୍ଲୀ ଯାଇ ଦଳର ନେତାଙ୍କୁ ଭେଟି ଇସ୍ତଫାପତ୍ର ଧରାଇଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋଟଙ୍କ ଅହଂକାର ଭାଂଗିଛି । ବିଜେପି ଛତିଶଗଡରେ ବିଜୟକୁ ନେଇ ସାମାନ୍ୟ ଶଙ୍କାରେ ଥିଲା । କିନ୍ତୁ, ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇ ସରକାର ଗଢୁଛି ।
ଏହି ତିନି ରାଜ୍ୟରେ ମୋଦୀ ମାରାଥନ ନିର୍ବାଚନ ପ୍ରଚାର କରିଥିଲେ । ଦଳର ସାଂସଦ ଓ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଆଣି ବିଧାନସଭାକୁ ପ୍ରାର୍ଥୀ କରିଥିଲେ । ବିଜେପିର ରଣନୀତି ସଫଳ ହୋଇଥିବା ବେଳେ କଂଗ୍ରେସର ଅହଂକାର ଚୁର୍ଣ୍ଣ ହୋଇଥିବା ଆଲୋଚନା ହେଉଛି । କଂଗ୍ରେସ ଏକମାତ୍ର ରାଜ୍ୟ ତେଲେଂଗାନାରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇ ସରକାର କରିବାକୁ ଯାଉଛି । ତେବେ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏକାଧିକ ଆଶାୟୀ ଥିବାରୁ କାହାକୁ ମୁଖ୍ୟମନ୍ତ୍ରୀ କରିବ ନିର୍ଣ୍ଣୟରେ ପହଂଚି ପାରୁନାହିଁ । ଡିସେମ୍ବର ୦୩ ତାରିଖରେ ଯେଉଁ ନିର୍ବାଚନ ଫଳାଫଳ ଆସିଲା ତାହା ଅଶା କରାଯାଉନଥିଲା ବୋଲି ଏନସିପି ନେତା ଶରଦ ପାୱାର କହିଛନ୍ତି । ଶିବସେନା (ଉଦ୍ଧବ ଠାକରେ) ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, ବିଧାନସଭା ନିର୍ବାଚନ ଫଳାଫଳ ଯାହା ହୋଇଥାଉନା କାହିଁକି ‘ଇଣ୍ଡିଆ’ ଆଗକୁ ବଢିବ ଏବଂ ମେଂଟ ନେତାମାନେ ଏକାଠି ବସି ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆସନ ବୁଝାମଣା ଓ ରଣନୀତି ପ୍ରସ୍ତୁତ କରିବେ । ତେବେ, ରାହୁଲ ଗାନ୍ଧୀଙ୍କୁ ମେଂଟର ନେତା କରାଇବାକୁ କଂଗ୍ରେସ ଯେଉଁ ଲବି ଚଳାଇ ଥିଲା ତାହା ପରିବର୍ତ୍ତିତ ପରିସ୍ଥିତିରେ ସମ୍ଭବ କି ? ତାହା ହିଁ ଆଗାମୀ ଦିନର ବଡ ପ୍ରଶ୍ନ ହେବାକୁ ଯାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS