ତିନି ରାଜ୍ୟରେ କିଏ ହେବେ ମୁଖ୍ୟମନ୍ତ୍ରୀ ?


ପ୍ରସାଦ ରାଓ
ଡିସେମ୍ବର ୦୬
ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ତିନି ଦିନ ବିତିଲାଣି, କେବଳ ତେଲେଂଗାନା ମୁଖ୍ୟମନ୍ତ୍ରୀ କିଏ ହେବ ସ୍ପଷ୍ଟ ହୋଇଛି । ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଜେପି ବିପୁଳ ବିଜୟ ହାସଲ କରିଥିବା ବେଳେ ଏହି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ତେଲେଂଗାନାରେ ବିଆରଏସ (ଭାରତ ରାଷ୍ଟ୍ର ସମିତି)କୁ କ୍ଷମତାଚ୍ୟୁତ କରି କଂଗ୍ରେସ କ୍ଷମତାକୁ ଆସିଛି । ଫଳାଫଳ ଆସିବାର ଦୁଇ ଦିନ ମଧ୍ୟରେ ଏଆଇସିସି ହାଇକମାଣ୍ଡ ସାଂସଦ ଥାଇ ବିଧାୟକ ନିର୍ବାଚିତ ହୋଇଥିବା ଆନୁମୁଲା ରେଭାନ୍ତା ରେଡ୍ଡୀଙ୍କୁ ତେଲେଂଗାନା ମୁଖ୍ୟମନ୍ତ୍ରୀ କରାଯିବା ପ୍ରସ୍ତାବରେ ମୋହର ମାରିଛନ୍ତି । ଅପରପକ୍ଷରେ, ବିଜେପି କ୍ଷମତାକୁ ଆସିଥିବା ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚଉକି ପାଇଁ ମ୍ୟୁଜିକାଲ ଚେୟାର ଜାରି ରହିଛି । ବିଜେପି ନେତୃତ୍ୱର ଫଇସଲା ଉପରେ ମୁଖ୍ୟମନ୍ତ୍ରୀ ଆଶାୟୀଙ୍କ ନଜର ରହିଛି ।
ଗଲା ନଭେମ୍ବର ମାସରେ ଉତ୍ତର ପୂର୍ବାଂଚଳ ରାଜ୍ୟ ମିଜୋରାମ ସମେତ ଅନ୍ୟ ଚାରି ରାଜ୍ୟ ତେଲେଂଗାନା, ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ସରି ଡିସେମ୍ବର ୩ ତାରିଖରେ ଫଳାଫଳ ଆସିଛି । ମିଜୋରାମରେ ନବ ଗଠିତ ଆଂଚଳିକ ରାଜନୈତିକ ଦଳ ଜୋରାମ ପିପୁଲ୍ସ ମୁଭମେଂଟ (ଜେଡପିଏମ) ଶାସକ ମିଜୋ ନ୍ୟାସନାଲ ଫ୍ରଂଟ୍ (ଏମଏନଏଫ)କୁ ବହୁ ପଛରେ ପକାଇ କ୍ଷମତା ଦଖଲ କରିଛି । ୪୦ ବିଧାନସଭା ଆସନରୁ ଜେଡପିଏମକୁ ୨୭, ଏମଏନଏଫକୁ ୧୦ ଆସନ ମିଳିଥିବା ବେଳେ ବିଜେପି ଦୁଇଟି ଓ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛନ୍ତି । ପୂର୍ବତନ ଆଇପିଏସ୍ ଅଧିକାରୀ ଲାଲଦୁହୋମାଙ୍କ ଜେଡପିଏମ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ସେ ମିଜୋରାମ ମୁଖ୍ୟମନ୍ତ୍ରୀ ହେବା ସ୍ୱାଭାବିକ । ଲାଲଦୁହୋମାଙ୍କ ଏହି ସଫଳତା ସମସ୍ତଙ୍କୁ ଚକିତ କରିଛି । ରାଜ୍ୟରେ ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା ଏମଏନଏଫ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ନିଜର ପରାଜୟକୁ ସ୍ୱୀକାର କରି ନେଇଛନ୍ତି ।
ତେଲେଂଗାନା ରେଭାନ୍ତା ରେଡ୍ଡୀ ଓ ମିଜୋରାମରେ ଲାଲଦୁହୋମା ମୁଖ୍ୟମନ୍ତ୍ରୀ ହେଉଥିବା ସ୍ପଷ୍ଟ । କେବଳ, ମଧ୍ୟ ପ୍ରଦେଶ, ଛତିଶଗଡ ଓ ରାଜସ୍ଥାନକୁ ନେଇ ସସ୍ପେନ ଜାରି ରହିଛି । ମଧ୍ୟ ପ୍ରଦେଶରେ ଚାରି ଥର ମୁଖ୍ୟମନ୍ତ୍ରୀ ରହିଥିବା ଶିବରାଜ ସିଂହ ଚୌହାନଙ୍କୁ ଦଳ ନିର୍ବାଚନ ସମୟରେ ‘ମୁଖ୍ୟମନ୍ତ୍ରୀ ମୁହଁ’ ଭାବେ ଘୋଷଣା ନକରି ମିଳିତ ନେତୃତ୍ୱରେ ନିର୍ବାଚନ ପରିଚାଳନା କଥା କହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବିଜେପି ଶାସିତ ରାଜ୍ୟରେ ପ୍ରଚାରର ମଂଗ ଧରିଥିଲେ । ବରିଷ୍ଠ କେନ୍ଦ୍ର ମନ୍ତ୍ରୀ, ସାଂସଦଙ୍କୁ ବିଧାନସଭାକୁ ପ୍ରାର୍ଥୀ କରି ବିଜେପି ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ ଚୌହାନଙ୍କ ସ୍ଥାନରେ ଗୋଟିଏ ନୂଆ ମୁହଁକୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ସଂକେତ ଦେଇ ସାରିଥିଲା । ମଧ୍ୟ ପ୍ରଦେଶରେ ବିଜେପିର ଆଶାତୀତ ବିଜୟ ହୋଇଛି ଏବଂ ଦଳ ଚୌହାନଙ୍କୁ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ନକଲେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହ୍ଲାଦ ପଟେଲ ବା କୈଳାଶ ବିଜୟବର୍ଗୀଙ୍କ ମଧ୍ୟରୁ ଜଣକୁ ରାଜ୍ୟର ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଦୁଇ ଦିନ ହେଲା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।
ବିଜେପି କେନ୍ଦ୍ରୀୟ ନେତାଙ୍କ ମନୋଭାବକୁ ପରଖିବା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ‘ଦୌଡ’ରେ ସେ ନଥିବା ଜଣାଇବା ସକାଶେ ଆଜି ସେ ଦିଲ୍ଲୀ ଯାଇଛନ୍ତି । ଅନ୍ୟପକ୍ଷରେ, ମଧ୍ୟ ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିବା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ସଂସଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ପଟେଲ ଆଜି ନୂଆଦିଲ୍ଲୀରେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସାଂସଦ ପଦରୁ ସେ ଇସ୍ତଫା ଦେଇଛନ୍ତି । ଅତିଶୀଘ୍ର କେନ୍ଦ୍ର କ୍ୟାବିନେଟରୁ ମଧ୍ୟ ଇସ୍ତଫା ଦେବେ । ଜଣେ ବ୍ୟକ୍ତି ଏକସମୟରେ ସାଂସଦ ଓ ବିଧାୟକ ରହିବା ଭାରତୀୟ ସମ୍ବିଧାନରେ ବ୍ୟବସ୍ଥା ନଥିବାରୁ ବିଧାୟକ ହେବା ପରେ ସେ ସାଂସଦ ପଦ ଛାଡିଛନ୍ତି । ତୋମର ଓ ପଟେଲ କେବଳ ନୁହନ୍ତି, ନଭେମ୍ବର ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ନିର୍ବାଚିତ ହୋଇଥିବା ବିଜେପିର ୧୨ ସାଂସଦଙ୍କ ମଧ୍ୟରୁ ଆଜି ୧୦ ଜଣ ସାଂସଦ ପଦରୁ ଇସ୍ତଫା ଦେଇଥିବା ବେଳେ ରାଜସ୍ଥାନର ଅଲୱାରରୁ ନିର୍ବାଚିତ ବାବା ବାଳକନାଥ ଓ ଛତିଶଗଡ ସରଗୁଜାରୁ ନିର୍ବାଚିତ ରେଣୁକା ସିଂହ କେବଳ ଇସ୍ତଫା ଦେଇ ନାହାନ୍ତି । ଅତିଶୀଘ୍ର ସେମାନେ ଇସ୍ତଫା ଦେବେ ବୋଲି ସୂଚନା ମିଳୁଛି ।
ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ସାଂସଦଙ୍କ ମଧ୍ୟରୁ ଅଧିକାଂଶ ମୁଖ୍ୟମନ୍ତ୍ରୀ ଦୌଡରେ ଥିବାରୁ ଅତିଶୀଘ୍ର ତିନି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବା ଆଶା କରାଯାଉଛି । ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ପାଂଚ ଘଂଟା ଧରି ବୈଠକ ଚାଲିଥିଲା । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସେଥିରେ ଉପସ୍ଥିତ ଥିଲେ । ଗତ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ପାଂଚ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ମୋଟ ୨୧ ଜଣ ସାଂସଦଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା । ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ ସାତ ଜଣ ଲେଖାଏଁ ସାଂସଦ, ଛତିଶଗଡରେ ଚାରି ଜଣ ସାଂସଦ ଓ ତେଲେଂଗାନାରେ ତିନ ଜଣ ସାଂସଦ ବିଧାନସଭା ନିର୍ବାଚନ ଲଢିଥିଲେ । ତେଲେଂଗାନାରେ ତିନି ବିଜେପି ସାଂସଦଙ୍କ ପରାଜୟ ଘଟିଛି । ସେହିଭଳି, ରାଜସ୍ଥାନରେ ସାତ ସାଂସଦଙ୍କ ମଧ୍ୟରୁ ତିନି ଜଣ, ମଧ୍ୟ ପ୍ରଦେଶରେ ସାତ ସାଂସଦଙ୍କ ମଧ୍ୟରୁ ଦୁଇ ଜଣ ଓ ଛତିଶଗଡରେ ୪ ସାଂସଦଙ୍କ ମଧ୍ୟରୁ ଜଣେ ବିଧାନସଭା ନିର୍ବାଚନରେ ପରାଜିତ ହୋଇଛନ୍ତି । ତେଲେଂଗାନାର ୧୧୯ ବିଧାନସଭା ଆସନରୁ ୧୧୧ ଆସନରେ ବିଜେପି ପ୍ରାର୍ଥୀ ଦେଇଥିଲା । ତେବେ, ୦୮ଟି ଆସନରେ ହିଁ ବିଜୟୀ ହୋଇଛି । ତେଲେଂଗାନାରେ ମୁଖ୍ୟମନ୍ତ୍ରୀ ଦୌଡର ପରିସମାପ୍ତି ଘଟିଛି ଓ ଏ.ରେଭାନ୍ତା ରେଡ୍ଡୀ କାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । କେବଳ ଏମପି, ରାଜସ୍ଥାନ ଓ ଛତିଶଗଡକୁ ନେଇ ସସ୍ପେନ୍ସ ଜାରି ରହିଛି ।
ମଧ୍ୟ ପ୍ରଦେଶ ବିଧାନସଭାକୁ ନିର୍ବାଚିତ ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଓ ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ପଟେଲ ମୁଖ୍ୟମନ୍ତ୍ରୀ ଦୌଡରେ ଥିବା ବେଳେ ରାଜସ୍ଥାନ ବିଜେପି ପାଇଁ ବଡ ସମସ୍ୟା ହୋଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଗୋୱାଲିୟର ରାଜ ପରିବାର ସଦସ୍ୟା ବସୁନ୍ଧରା ରାଜେ ସିନ୍ଧିଆ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ଅର୍ଜୁନ ରାମ ମେଘୱାଲ (ଦୁହେଁ ସଂସଦରୁ ଇସ୍ତଫା ଦେଇଛନ୍ତି), କରୋଡି ଲାଲ ମୀନା, ହିନ୍ଦୁତ୍ୱ ଚେହେରା ବାବା ବାଳକନାଥ, ରାଜକୁମାରୀ ଦୀୟା କୁମାରୀ ଏବଂ ରାଜସ୍ଥାନ ବିଜେପି ସଭାପତି ସିପି ଯୋଷୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଅଛନ୍ତି । ଛତିଶଗଡରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଆଦିବାସୀ ନେତା ବିଷ୍ଣୁଦେବ ସାୟ, ଓବିସି ଚେହେରା ଅରୁଣ ସାଓ, ଆଦିବାସୀ ନେତ୍ରୀ ରେଣୁକା ସିଂହ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଅତି ନିକଟତମ କୁହାଯାଉଥିବା ଓ.ପି.ଚୌଧୁରୀ ମୁଖ୍ୟମନ୍ତ୍ରୀ ପଦ ଆଶାରେ ଥିବାରୁ ବିଜେପି ନେତୃତ୍ୱ କାହା ମୁଣ୍ଡରେ ସୁନା କଳସ ଢାଳିବେ ଦେଖିବାକୁ ବାକି ରହିଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS