ତେଲେଂଗାନାରେ ରେଭାନ୍ତା ରେଡ୍ଡୀଙ୍କ ପ୍ରଥମ କଂଗ୍ରେସ ସରକାର ଶପଥ ନେଲେ


ପ୍ରସାଦ ରାଓ
ଡିସେମ୍ବର ୦୭
୨୦୧୪ରେ ଆନ୍ଧ୍ର ପ୍ରଦେଶର ବିଭାଜନ ହୋଇ ନୂତନ ତେଲେଂଗାନା ରାଜ୍ୟ ଗଠନ ପରେ ରାଜ୍ୟରେ ପ୍ରଥମ କରି କଂଗ୍ରେସ ଦଳ କ୍ଷମତାସୀନ ହୋଇଛି ଏବଂ ଏ.ରେଭାନ୍ତା ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରଛନ୍ତି । ହାଇଦ୍ରାବାଦର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ୧୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । ତେଲେଂଗାନା ରାଜ୍ୟପାଳ ଡକ୍ଟର ତାମିଲସାଇ ସୌନ୍ଦରାରାଜନ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ, ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଉପସ୍ଥିତିରେ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି । ମାଲ୍ଲୁ ଭଟି ବିକ୍ରମାର୍କା ରାଜ୍ୟର ପ୍ରଥମ ଦଳିତ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନୂତନ ତେଲେଂଗାନା ରାଜ୍ୟ ଗଠନ ଆନ୍ଦୋଳନର ନେତୃତ୍ୱ ନେଇ ୨୦୧୪ରେ ତାହାକୁ ସାକାର କରିଥିବା ବିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ (କେସିଆର) ଗଲା ୧୦ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ । ତେଲେଂଗାନା ଜନତା ଲଗାତର ଦୁଇ ଥର ତାଙ୍କୁ କ୍ଷମତା ସମର୍ପି ଦେଇଥିଲେ । ୨୦୨୩ରେ ତୃତୀୟ ଥର ପାଇଁ କ୍ଷମତାକୁ ଆସିବାକୁ ସମସ୍ତ କୌଶଳ ପ୍ରୟୋଗ କରିଥିଲେ ମଧ୍ୟ କେସିଆର କଂଗ୍ରେସଠାରୁ ପରାଜିତ ହୋଇଛନ୍ତି । ତେବେ, ଇତିମଧ୍ୟରେ କେସିଆରଙ୍କ ଟିଆରଏସ (ତେଲେଂଗାନା ରାଷ୍ଟ୍ର ସମିତି) ଜାତୀୟ ରାଜନୈତିକ ଦଳ ବିଆରଏସ (ଭାରତ ରାଷ୍ଟ୍ର ସମିତି) ଭାବେ ଉଭା ହୋଇସାରିଛି ଏବଂ ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟରେ ନିଜରସଂଗଠନ ତିଆରି କରିଛି । କେସିଆର ଜାତୀୟ ରାଜନୀତିରେ ଭାଗ ନେବାକୁ ପ୍ରସ୍ତୁତି ଚଳାଇ ଥିବା ବେଳେ ତେଲେଂଗାନାରେ ପାରିବାରିକ ରାଜନୀତି କାରଣରୁ ଏବଂ ପରିବାର ସଦସ୍ୟଙ୍କ ନାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଯୋଗୁଁ ୨୦୨୩ ବିଧାନସଭା ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଛନ୍ତି । ଅପରପକ୍ଷରେ, କେବେ ମନ୍ତ୍ରୀଟିଏ ହୋଇନଥିବା ଓ ପ୍ରଶାସନିକ ଅଭିଜ୍ଞତା ନଥିବା ଆନୁମୁଲା ରେଭାନ୍ତା ରେଡ୍ଡୀ (୫୪) ରାଜ୍ୟର ପ୍ରଥମ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ରେଭାନ୍ତା ରେଡ୍ଡୀ ୧୭ ବର୍ଷର ରାଜନୈତିକ ଜୀବନରେ ବିରୋଧୀ ରାଜନୀତିରେ ରହିଥିଲେ । ୨୦୦୬ରେ ସେ ଅବିଭକ୍ତ ଆନ୍ଧ୍ର ପ୍ରଦେଶରେ ଜିଲ୍ଲା ପରିଷଦ ସଦସ୍ୟ ଭାବେ କାଯଁ କରିଥିଲେ ମଧ୍ୟ ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଦେଖି ଥିଲେ । ସାଧାରଣ ଚାଷୀ ପରିବାରରୁ ଆସିଥିବା ରେଭାନ୍ତା କଂଗ୍ରେସର ଦୁର୍ଦ୍ଦିନ ସମୟରେ ୨୦୧୭ରେ ଦଳରେ ଯୋଗ ଦେଇ ଛଅ ବର୍ଷ ପରେ ରାଜ୍ୟର ପ୍ରଥମ କଂଗ୍ରେସ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେଲେଂଗାନା ଅଂଚଳ ଅବିଭକ୍ତ ଆନ୍ଧ୍ର ପ୍ରଦେଶରେ ଥିବା ସମୟରେ କଂଗ୍ରେସ ସେହି ଅଂଚଳରୁ କେବେ ୨୦-୩୦ ଆସନରୁ ଅଧିକ ଜିତି ନଥିଲା । କିନ୍ତୁ, ରେଭାନ୍ତା ରେଡ୍ଡୀଙ୍କ ନେତୃତ୍ୱରେ ଦଳ ୨୦୨୩ ବିଧାନସଭା ନିର୍ବାଚନରେ ୧୧୯ ଆସନରୁ ୬୫ଟିରେ ବିଜୟୀ ହୋଇ କ୍ଷମତାକୁ ଆସିଛି । ୧୦ ବର୍ଷ ଧରି କ୍ଷମତାରେ ଥିବା କେସିଆରଙ୍କ ବିଆରଏସ ୩୯ ଆସନରେ ସୀମିତ ରହିଛି । ନିର୍ବାଚନ ସମୟରେ କଂଗ୍ରେସ ଦଳ ରାଜ୍ୟବାସୀଙ୍କୁ ବହୁ ପ୍ରତିା୍ରୁତି ଦେଇଥିଲା । ୨୦୨୧-୨୨ ସିଏଜି ରିପୋର୍ଟ ଅନୁଯାୟୀ ତେଲେଂଗାନା ରାଜ୍ୟ ୩.୨୧ ଲକ୍ଷ କୋଟି ଟଙ୍କାର ଋଣ ଭାରରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ରେଭାନ୍ତା ରେଡ୍ଡୀ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବିଭିନ୍ନ ପ୍ରତିଶ୍ରୁତି (ଛଅଟି ଗ୍ୟାରେଂଟି) ରକ୍ଷା କରିବାରେ କେତେଦୂର ସକ୍ଷମ ହେବେ ଦେଖିବା ସମୟ ଆସିଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS