ମହୁଆ ସଂସଦରୁ ବହିଷ୍କୃତ, ମମତା କହିଲେ ‘ଯୋଜନାବଦ୍ଧ’ ଷଡଯନ୍ତ୍ର


ପ୍ରସାଦ ରାଓ
ଡିସେମ୍ବର ୦୮
‘କ୍ୟାସ୍ ଫର କୋରି’ ବା ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଲାଂଚ ନେଇଥିବା ଅଭିଯୋଗରେ ଟିଏମସି ସାଂସଦ ମହୁଆ ମୈତ୍ର ଆଜି ସଂସଦରୁ ବହିଷ୍କୃତ ହୋଇଛନ୍ତି । ଲୋକସଭାରେ ଉପସ୍ଥାପିତ ସଦାଚାର କମିଟି (ଏଥିକ୍ସ କମିଟି) ରିପୋର୍ଟ ଆଧାରରେ ମହୁଆଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି । ଆଜି ଲୋକସଭା ସଦାଚାର କମିଟି ତଦନ୍ତ ରିପୋର୍ଟ ଗୃହରେ ଉପସ୍ଥାପନ କରିଥିଲେ । ରିପୋର୍ଟକୁ ଅନୁଧ୍ୟନ କରିବା ସକାଶେ କଂଗ୍ରେସ, ଟିଏମସି ଓ ଅନ୍ୟ ବିରୋଧୀ ଦଳ ସାଂସଦମାନେ ଅଧିକ ସମୟ ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ଲୋକସଭା ବାଚସ୍ପତି ଓମ୍ ବିରଳା ତାହାକୁ ଅଗ୍ରାହ୍ୟ କରି ମହୁଆଙ୍କୁ ବହିଷ୍କାର କରାଯିବା ନିଷ୍ପତ୍ତି ଘୋଷଣା କରିଥିଲେ ।
ମହୁଆଙ୍କ ବିରୋଧରେ ତାଙ୍କର ପ୍ରତ୍ୟାଖାତ ପ୍ରେମିକ ତଥା ସୁପ୍ରିମ କୋର୍ଟ ଆଇନଜୀବୀ ଜୟ ଅନନ୍ତ ଦେହାଦ୍ରୀ ପ୍ରଥମେ ସିବିଆଇକୁ ଚିଠି ଲେଖି ମହୁଆ ‘ପ୍ରଶ୍ନ ପାଇଁ ଲାଂଚ’ ନେଇଥିବା ଅଭିଯୋଗ କରିଥିଲେ । ପରେ, ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେହାଦ୍ରୀ ସିବିଆଇକୁ ପଠାଇ ଥିବା ଚିଠିକୁ ଆଧାର କରି ଲୋକସଭା ମୌସୁମୀ ଅଧିବେଶନରେ ମହୁଆଙ୍କୁ ଘେରିଥିଲେ । ବିଜେପି ସାଂସଦ ଦୁବେ ଲୋକସଭାରେ ଦେହାଦ୍ରୀଙ୍କ ଅଭିଯୋଗକୁ ନେଇ ଲୋକସଭାରେ ତୁମ୍ବିତୋଫାନ କରିବା ସହ ଲୋକସଭା ବାଚସ୍ପତିଙ୍କୁ ଚିଠି ଳେଖି ମହୁଆଙ୍କ ବିରୋଧରେ ସଂସଦୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଦୁବେଙ୍କ ଚିଠିକୁ ଲୋକସଭା ବାଚସ୍ପତି ଓମ୍ ବିରଳା ସଦାଚାର କମିଟି ନିକଟକୁ ପଠାଇ ଦେଇ ତାହାର ତଦନ୍ତ କରି ରିପୋର୍ଟ ଉପସ୍ଥାପନ କରିବାକୁ କମିଟିକୁ ନିର୍ଦେଶ ଦେଇଥିଲେ ।
୧୫ ଜଣିଆ ଲୋକସଭା ସଦାଚାର କମିଟିରେ ବିଜେପିର ସଂଖ୍ୟାଗରିଷ୍ଠ ସଦସ୍ୟ ରହିଛନ୍ତି । କମିଟି ଟିଏମସି ସାଂସଦ ମହୁଆ ଏବଂ ଅଭିଯୋଗକାରୀ ଦେହାଦ୍ରୀ ଓ ଦୁବେଙ୍କୁ ଡକାଇ ଜେରା କରିବା ପରେ ତଦନ୍ତ ସମାପନ କରି ପାଖାପାଖି ୫୦୦ ପୃଷ୍ଠାର ରିପୋର୍ଟ ଲୋକସଭା ବାଚସ୍ପତିଙ୍କ ନିକଟରେ ଆଜି ଉପସ୍ଥାପନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରଙ୍କୁ ଅପଦସ୍ତ କରିବା ପାଇଁ ଟିଏମସି ସାଂସଦ ମହୁଆ ମୈତ୍ର ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ଗୌତମ ଆଦାନୀଙ୍କ ‘ଆଦାନୀ ଗୃପ୍’ ବିରୋଧରେ ଲୋକସଭାରେ ଅନ୍ୟୁନ ୫୦ଟି ପ୍ରଶ୍ନ କରିଥିଲେ । ଏଥିସକାଶେ ସେ ନିଜ ବ୍ୟବସାୟୀ ବନ୍ଧୁ ଦର୍ଶନ ହିରାନନ୍ଦାନୀଙ୍କ ସହାୟତା ସହ ନଗଦ ଅର୍ଥ, ମୂଲ୍ୟବାନ ଗହଣା ଏବଂ ଅନ୍ୟାନ୍ୟ ସାମଗ୍ରୀ ଲାଂଚ ଆକାରରେ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହାଛଡା, ମହୁଆଙ୍କ ବିରୋଧରେ ସବୁଠାରୁ ଗୁରୁତର ଅଭିଯୋଗ ରହିଛି, ଆଦାନୀ ଗୃପ୍ ବିରୋଧରେ ଲୋକସଭା ୱେବ୍ ସାଇଟରେ ପ୍ରଶ୍ନ ଅପଲୋଡ୍ କରାଇବା ସକାଶେ ମହୁଆ ନିଜ ବ୍ୟବସାୟୀ ବନ୍ଧୁ ଦର୍ଶନ ହିରାନନ୍ଦାନୀଙ୍କୁ ବେଆଇନ ଭାବେ ଲୋକସଭା ୱେବ୍ ସାଇଟ୍ ୟୁଆରଏଲ୍ ଆଇଡି ଏବଂ ସାଂସଦ ଭାବେ ସେ ପାଇଥିବା ପାସୱାର୍ଡ ସମର୍ପି ଦେଇଥିଲେ । ଯାହାକି ଦେଶର ନିରାପତ୍ତକୁ ବିପନ୍ନ କରିଛି ବୋଲି ବିଜେପି ସାଂସଦ ଦୁବେଙ୍କ ଆଡୁ ଅଭିଯୋଗ ହୋଇଥିଲା । ମହୁଆ ବିବାଦ ଆରମ୍ଭରୁ ଲାଂଚ ନେଇଥିବା ଅଭିଯୋଗକୁ ଅସ୍ୱୀକାର କରୁଥିଲେ ମଧ୍ୟ ନିଜ ଲୋକସଭା ୱେବ୍ ଆଇଡି ଓ ପାସୱାର୍ଡ ହିରାନନ୍ଦନୀଙ୍କୁ ସମର୍ପି ଦେଇଥିବା ସ୍ୱୀକର କରିଆସିଛନ୍ତି । ତେବେ, ସଦାଚାର କମିଟି ତାଙ୍କୁ ତଦନ୍ତ ପାଇଁ ଡକାଇ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନାବଶ୍ୟକ ଓ ଅବାନ୍ତର ପ୍ରଶ୍ନ କରିବା ମାଧ୍ୟମରେ ଅପମାନିତ କରିଛି ବୋଲି ମହୁଆ ପାଲଟା ଅଭିଯୋଗ କରିଥିଲେ ।
ଲୋକସଭା ସଦାଚାର କମିଟି ପକ୍ଷରୁ ଯେଉଁ ଦିନ ମହୁଆଙ୍କୁ ଡକାଯାଇ ଜେରା କରାଗଲେ ସେଦିନ କମିଟି ଅଧ୍ୟକ୍ଷ ତାଙ୍କୁ ଅବାନ୍ତର ପ୍ରଶ୍ନ କରିଥିବା ଅପମାନିତ କରିଥିବା ସଦାଚାର କମିଟିରେ ଥିବା ବିରୋଧୀ ଦଳ ସାଂସଦମାନେ ମଧ୍ୟ ଅଭିଯୋଗ କରିଥିଲେ ଏବଂ ସମୂହ ଭାବେ ତଦନ୍ତକୁ ଅଧାରୁ ଛାଡି ଚାଲି ଆସିଥିଲେ । କିନ୍ତୁ, କମିଟି ରିପୋର୍ଟକୁ ସର୍ବାଧିକ ସଂଖ୍ୟକ ସଭ୍ୟ ଅନୁମୋଦନ ଦେଇଥିବା କମିଟି କହିଛି । ମହୁଆଙ୍କ ବିରୋଧରେ ସିବିଆଇରେ ଅଭିଯୋଗ କରିଥିବା ତାଙ୍କ ପ୍ରତ୍ୟାଖାତ ବନ୍ଧୁ ସୁପ୍ରିମ କୋର୍ଟ ଆଇନଜୀବୀ ଦେହାଦ୍ରୀ ଏବଂ ଲୋକସଭାରେ ଅଭିଯୋଗ ଉଠାଇ ଥିବା ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ମଧ୍ୟ କମିଟି ଡକାଇ ଥିଲା ଓ ସେମାନଙ୍କ ବୟାନ ଲିପିବଦ୍ଧ କରିଥିଲା । ମହୁଆଙ୍କ ବିରୋଧରେ ଅଭିଯୋଗରେ ସତ୍ୟତା ଥିବା କମିଟି ଦର୍ଶାଇଛି । ସଦାଚାର କମିଟି ଲୋକସଭା ବାଚସ୍ପତିଙ୍କ ନିକଟରେ ଉପସ୍ଥାପନ କରିଥିବା ରିପୋର୍ଟରେ ବ୍ୟବସାୟୀ ବନ୍ଧୁ ହିରାନନ୍ଦାନୀଙ୍କ ଠାରୁ ମହୁଆ ଲୋକସଭାରେ ପ୍ରଶ୍ନ ପଚାରିବା ପାଇଁ ନଗଦ ଦୁଇ କୋଟି ଟଙ୍କା, ମୂଲ୍ୟବାନ ଗହଣା ଓ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲାଂଚ ଆକାରରେ ନେଇଥିବା ଅଭିଯୋଗ କରି ତାଙ୍କୁ ସଂସଦରୁ ବହିଷ୍କାର କରାଯିବାକୁ ସୁପାରିଶ କରିଥିଲା । ତେବେ, ସଦାଚାର କମିଟି ରିପୋର୍ଟ ଉପରେ ବିସ୍ତୃତ ଆଲୋଚନା ପରେ କମିଟିର ସୁପାରିଶକୁ ମୌଖିକ ଭୋଟରେ ଗୃହୀତ କରାଯାଇଛି ବୋଲି ଲୋକସଭା ବାଚସ୍ପତି ବିରଳା ଆଜି କହିଛନ୍ତି । ସଦାଚାର କମିଟି ଗୃହରେ ଉପସ୍ଥାପନ କରିଥିବା ରିପୋର୍ଟ ଉପରେ ମହୁଆ ନିଜ ବକ୍ତବ୍ୟ ରଖିବାକୁ ଚାହିଁଥିଲେ ମଧ୍ୟ ବାଚସ୍ପତି ସୁଯୋଗ ଦେଇନଥିଲେ, ଯାହାକୁ କଂଗ୍ରସ, ଟିଏମସି ସମେତ ଅନ୍ୟ ବିରୋଧୀ ସାଂସଦମାନେ ବିରୋଧ କରିଥିଲେ ।
ଆଜି ଲୋକସଭାରେ ଏହି ରିପୋର୍ଟ ଉପସ୍ଥାପନ ସମୟରେ ଗୃହରେ ଶାସକ ଓ ବିରୋଧୀ (ଟିଏମସି ସମେତ) ସାଂସଦଙ୍କ ମଧ୍ୟରେ ପ୍ରବଳ କଥା କଟାକଟି ହୋଇଥିଲା । ସଦାଚାର କମିଟି ଦ୍ୱାରା ଉପସ୍ଥାପନ ହେବାକୁ ଥିବା ରିପୋର୍ଟକୁ ଅଧିକ ଅନୁଧ୍ୟାନ ସମୟ ଦିଆଯିବାକୁ ବିରୋଧୀ ସାଂସଦମାନେ ଦାବି କରିଥିଲେ । ମହୁଆଙ୍କୁ ମଧ୍ୟ ନିଜର ବକ୍ତବ୍ୟ ରଖିବା ପାଇଁ ସୁଯୋଗ ଦିଆଯାଉ ବୋଲି କଂଗ୍ରେସ, ଟିଏମସି ଓ ଅନ୍ୟ ବିରୋଧୀ ସାଂସଦଙ୍କ ଦାବି ଥିଲା । କିନ୍ତୁ, ଲୋକସଭା ବାଚସ୍ପତି ବିରଳା ଏହାକୁ ଅଗ୍ରାହ୍ୟ କରି ୨୦୦୫ରେ ସମାନ ଅଭିଯୋଗରେ ଗୃହରୁ ୧୦ ଜଣ ସାଂସଦ ବହିଷ୍କାର ହୋଇଥିବା ଉଦାହରଣ ଦେଇଥିଲେ । ୨୦୦୫ରେ ଲୋକସଭାରୁ ବହିଷ୍କୃତ ୧୦ ଜଣଙ୍କ ମଧ୍ୟରେ ଛଅ ଜଣ ବିଜେପି ସାଂସଦ ଥିଲେ । ଥରେ ସଦାଚାର କମିଟି ରିପୋର୍ଟ ଗୃହରେ ଉପସ୍ଥାପନ ହେବା ପରେ ସଂପୃକ୍ତ ସାଂସଦମାନେ ଗୃହରେ ନିଜର ମତ ରଖିବାର ଅଧିକାର ହରାଇଛନ୍ତି ବୋଲି ତତ୍କାଳୀନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀ ଯାହା କହିଥିଲେ ତାହାକୁ ବାଚସ୍ପତି ବିରଳା ମନେ ପକାଇ ଦେଇଥିଲେ । ଲୋକସଭା ସଦାଚାର କମିଟିର ରିପୋର୍ଟରେ ଟିଏମସି ସାଂସଦ ମହୁଆ ମୈତ୍ର ପ୍ରଶ୍ନ ପଚାରିବା ପାଇଁ ତାଙ୍କ ବ୍ୟବସାୟୀ ବନ୍ଧୁ ହିରାନନ୍ଦାନୀଙ୍କଠାରୁ ଲାଂଚ ନେଇଥିବା ଅଭିଯୋଗ ସାବ୍ୟସ୍ତ ହୋଇଛି ବୋଲି ଦର୍ଶାଇଛି । ମହୁଆ ନିଜର ଲୋକସଭା ୟୁଆରଏଲ ଆଇଡି ଓ ପାସୱାଡ ହିରାନନ୍ଦାନୀଙ୍କୁ ହସ୍ତାନ୍ତର କରି ଆପରାଧୀକ କାର୍ଯ୍ୟ କରିଛନ୍ତି ବୋଲି ମଧ୍ୟ କମିଟି କହିଛି । ମହୁଆଙ୍କୁ ସଂସଦରୁ ବହିଷ୍କାର କରାଯିବା ସହ ସରକାର ତାଙ୍କ (ମହୁଆଙ୍କ) ବିରୋଧର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମଧ୍ୟ ସୁପାରିଶ କରାଯାଇଛି ।
ଟିଏମସି ସାଂସଦ ମହୁଆ ମୈତ୍ର ଶାସକ ବିଜେପିର ଜଣେ କଠୋର ସମାଲୋଚକ ଭାବେ ପରିଚିତ । ସଂସଦରେ ସେ ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ କରି ପ୍ରଶ୍ନ କରିବାରେ ଦୁରନ୍ଦର ଥିଲେ । କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ମହୁଆଙ୍କୁ ସଂସଦରୁ ବହିଷ୍କାର କରାଯିବା ଶାସକ ବିଜେପିର ଏକ ‘ଯୋଜନାବଦ୍ଧ’ ଷଡଯନ୍ତ୍ର ବୋଲି ଆଜି ଟିଏମସି ମୁଖ୍ୟ ତଥା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ମହୁଆ ମଧ୍ୟ ଅଭିଯୋଗ କରିଛନ୍ତି, ତାଙ୍କୁ ସଂସଦରୁ ବହିଷ୍କାର କରିବା ପାଇଁ ଲୋକସଭା ସଦାଚାର କମିଟି ସମସ୍ତ ନିୟମକୁ ଭଂଗ କରିଛି । କାଲି ସିବିଆଇ ମଧ୍ୟ ତଦନ୍ତ ନାମରେ ତାଙ୍କ ଘରେ ପହଂଚି ଯିବ ବୋଲି ମୈତ୍ର ବହିଷ୍କାର ପରେ ଗଣମାଧ୍ୟମକୁ କହିଛନ୍ତି । ମହୁଆ ଗଣମାଧ୍ୟମକୁ ସାମ୍ନା କରୁଥିବା ବେଳେ ବିରୋଧୀ ଦଳ ସାଂସଦମାନେ ତାଙ୍କ ସହ ଥିଲେ । ସବୁ ବିରୋଧୀ ଦଳ ଟିଏମସି ସାଂସଦଙ୍କ ପଛରେ ଅଛନ୍ତି ବୋଲି କଂଗ୍ରେସ ସାଂସଦ ତଥା ଦଳର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ମଧ୍ୟ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ଲୋକସଭା ସଦାଚାର କମିଟି ନଭେମ୍ବର ୨ ତାରିଖ ଦିନ ମହୁଆଙ୍କୁ ତଦନ୍ତ ପାଇଁ ଡକାଇ ଅପମାନିତ କରିବାରୁ ସେ କମିଟି ବୈଠକ ବର୍ଜନ କରିଥିଲେ । ଆଜି ଲୋକସଭାରେ ଅନ୍ତତଃ ତାଙ୍କ କହିବାକୁ ସୁଯୋଗ ଦିଆଯିବା ଉଚିତ ଥିଲା ବୋଲି ସୋନିଆ କହିଛନ୍ତି । ସୋନିଆ ଗାନ୍ଧୀଙ୍କ ସମେତ ବିରୋଧୀ ସାଂସଦମାନେ ମହୁଆଙ୍କ ବହିଷ୍କାରକୁ ବିରୋଧ କରି ତାଙ୍କ ସମର୍ଥନରେ ଠିଆ ହେବା ଏବଂ ସଦାଚାର କମିଟି ରିପୋର୍ଟ ଉପରେ ନିଜ ବକ୍ତବ୍ୟ ରଖିବାକୁ ଚାହୁଁଥିବା ମହୁଆଙ୍କୁ ସୁଯୋଗ ଦିଆଯାଇନଥିବାରୁ ବିରୋଧ କରିବା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଡ ପ୍ରସଙ୍ଗ ହେବାକୁ ଯାଉଛି । ‘ଇଣ୍ଡିଆ’ ମେଂଟ ଏହି ପ୍ରସଙ୍ଗକୁ କେତେଦୂର ନିଜ ସପକ୍ଷରେ ବ୍ୟବହାର କରି ପାରିବ ତାହା ଆଗକୁ ଜଣାପଡିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS