ଆକବରୁଦ୍ଦିନ ପ୍ରୋଟେମ ବାଚସ୍ପତି, ବିଜେପି ବିଧାୟକଙ୍କ ବିରୋଧ
ପ୍ରସାଦ ରାଓ
ଡିସେମ୍ବର ୦୯
ଏଆଇଏମଆଇଏମ ବିଧାୟକ ଆକବରୁଦ୍ଧିନ ଓୱେସିଙ୍କୁ ଆଜି ତେଲେଂଗାନା ବିଧାନସଭାର ପ୍ରୋଟେମ ସ୍ପିକର୍ ବା କାମଚଳା ବାଚସ୍ପତି ଭାବେ ଶପଥ ଦିଆଯିବା କଥାକୁ ନେଇ ଶାସକ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ଦେଖା ଦେଇଛି । ଆକବରୁଦ୍ଦିନଙ୍କ ନିଯୁକ୍ତକୁ ବିଜେପି ଦୃଢ ବିରୋଧ କରିଛି । ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ବରିଷ୍ଠତା ଭିତ୍ତିରେ ଜଣକୁ କାମଚଳା ବାଚସ୍ପତି ଭାବେ ଅସ୍ଥାୟୀ ନିଯୁକ୍ତ ଦିଆଯିବା ସାମ୍ବିଧାନିକ ପରଂପରା ହୋଇଥିବା ବେଳେ କ୍ଷମତାକୁ ଆସିଥିବା କଂଗ୍ରେସ ଦଳ ଏଆଇଏମଆଇଏମ ବିଧାୟକ ଆକବରୁଦ୍ଦିନ ଓୱେସିଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ ଦେଇ ପରଂପରାର ଉଲଂଘନ କରିଛି ବୋଲି ବିଜେପି ଅଭିଯୋଗ କରିବା ସହ କଂଗ୍ରେସ-ଏଆଇଏମଆଇଏମ ମଧ୍ୟରେ ଭିତିରି ବୁଝାମଣା ଥିବା ଅଭିଯୋଗ କରିଛି । ତେବେ, କଂଗ୍ରେସ ତାହାକୁ ଅଗ୍ରାହ୍ୟ କରିଛି ।
ଆଜି ତେଲେଂଗାନା ରାଜଭବନରେ ରାଜ୍ୟପାଳ ଡକ୍ଟର ତାମିଲସାଇ ସୌନ୍ଦରାରାଜନ ମୁଖ୍ୟମନ୍ତ୍ରୀଙ ଏ.ରେଭାନ୍ତା ରେଡ୍ଡୀଙ୍କ ଉପସ୍ଥିତିରେ ଏଆଇଏମଆଇଏମ ବିଧାୟକ ଆକବରୁଦ୍ଦିନ ଓୱେସିଙ୍କୁ ବିଧାନସଭାର କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି । ଏହାକୁ ନେଇ ରାଜ୍ୟ ବିଜେପି ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଜି.କ୍ରୀଷ୍ଣ ରେଡ୍ଡୀ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ଏହି ନିଯୁକ୍ତି ସାମ୍ବିଧାନିକ ପରଂପରାକୁ ଭଂଗ କରିଛି ବୋଲି ରେଡ୍ଡୀ ଅଭିଯୋଗ କରିବା ସହ ଏନେଇ ସେ ରାଜ୍ୟପାଳଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ୨୦୨୩ ବିଧାନସଭା ନିର୍ବାଚନରେ ବିଜେପି ରାଜ୍ୟ ବିଧାନସଭାର ୧୧୯ ଆସନ ଆସନରୁ ମାତ୍ର ଆଠ (୦୮)ଟି ଆସନରେ ବିଜୟୀ ହୋଇଛି । କଂଗ୍ରେସ ୬୫ ଆସନରେ ବିଜୟୀ ହୋଇ ସରକାର ଗଢିଥିବା ବେଳେ ବିଆରଏସ ୩୯ ଓ ଏଆଇଏମଆଇଏମ ୦୭ଟି ଆସନ ପାଇଛି । ବିଜେପି ମାତ୍ର ୦୮ଟି ଆସନ ପାଇଥିଲେ ମଧ୍ୟ ଦଳର ଭୋଟ ସେୟାର ପ୍ରାୟ ୧୪ ପ୍ରତିଶତ ରହିଛି ।
ଆକବରୁଦ୍ଦିନ ଓୱେସି କାମଚଳା ବାଚସ୍ପତି ଭାବେ ଶପଥ ନେବା ପରେ ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ରେଡ୍ଡି ସାମ୍ବାଦିକ ସମ୍ମିଳନୀରେ କରି ଓୱେସିଙ୍କ ନିଯୁକ୍ତିକୁ ବିରୋଧ କରିବା ସହ କଂଗ୍ରେସ ସାମ୍ବିଧାନିକ ପରଂପରାର ଉଲଂଘନ କରିଥିବା ଅଭିଯୋଗ କରିଛନ୍ତି । କଂଗ୍ରେସ ଓ ଏଆଇଏମଆଇଏମ ମଧ୍ୟରେ ଭିତରି ବୁଝାମଣା ଥିବାରୁ ଆକବରୁଦ୍ଦିନଙ୍କୁ କାମଚଳା ବାଚସ୍ପତି କରାଯାିଛି ବୋଲି ସେ କହିଛନ୍ତି । ଓୱେସିଙ୍କ ଅଧ୍ୟକ୍ଷତାରେ ବିଧାନସଭାର ସ୍ଥାୟୀ ବାଚସ୍ପତି ନିର୍ବାଚନକୁ ବିଜେପି ବରଦାସ୍ତ କରିବ ନାହିଁ ବୋଲି ମଧ୍ୟ ରେଡ୍ଡୀ ସ୍ପଷ୍ଟ କରିବା ସହ ଏନେଇ ରାଜ୍ୟପାଳଙ୍କୁ ଅବଗତ କରାଯିବ ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ବିଧାନସଭାର ସ୍ଥାୟୀ ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ କାମଚଳା ବାଚସ୍ପତି ଗୃହରେ ଅଧ୍ୟକ୍ଷତା କରିଥା’ନ୍ତି । ତାଙ୍କରି ଅଧ୍ୟକ୍ଷତାରେ ବିଧାନସଭାରେ ସ୍ଥାୟୀ ବାଚସ୍ପତି ନିର୍ବାଚନ ହୋଇଥାଏ ।
କେନ୍ଦ୍ର ମନ୍ତ୍ରୀ ରେଡ୍ଡୀ ବିଧାନସଭାକୁ ନିର୍ବାଚିତ ବିଜେପିର ଆଠ ଜଣ ବିଧାୟକଙ୍କ ସହ ଆଲୋଚନା କରିବା ପରେ ଆଜି ଗଣମାଧ୍ୟମକୁ ଭେଟି ଆକବରୁଦ୍ଦିନଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ । ବିଜେପି ବିଧାୟକ ରାଜା ସିଂହ ପ୍ରଥମେ ଏଆଇଏମଆଇଏମ ବିଧାୟକ ଓୱେସିଙ୍କୁ କମାଚଳା ବାଚସ୍ପତି ନିଯୁକ୍ତ କରାଯିବା କଥାକୁ ବିରୋଧ କରି ଏକ ଭିଡ଼ିଓ ଜାରି କରିଥିଲେ । କାମଚଳା ବାଚସ୍ପତି ଭାବେ ଓୱେସି ନୂତନ ବିଧାୟକମାନଙ୍କୁ ଶପଥ ପାଠ କରାଇ ଥିବା ବେଳେ ବିଜେପି ବିଧାୟକମାନେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଭାଗ ନେବାକୁ ମନା କରିଦେଇଥିଲେ । ବିଜେପି ବିଧାୟକ ରାଜା ସିଂହ ଜାରି କରିଥିବା ଭିଡ଼ିଓରେ କହିଛନ୍ତି, ସେ ବଂଚିଥିବା ପର୍ଯ୍ୟନ୍ତ ଏଆଇଏମଆଇଏମର କାମଚଳା ବାଚସ୍ପତିଙ୍କ ସାମ୍ନାରେ ଶପଥ ନେବେ ନାହିଁ । କାରଣ, ଏଆଇଏମଆଇଏମ ବିଧାୟକ ଆକବରୁଦ୍ଦିନ ଓୱେସି ଅତୀତରେ ହିନ୍ଦୁ-ବିରୋଧୀ ମନ୍ତବ୍ୟମାନେ ଦେଇଥିଲେ ।
୨୦୧୮ରେ ମଧ୍ୟ ଏକାଭଳି ପରିସ୍ଥିତିରେ ସେ ଏଆଇଏମଆଇଏମର କାମଚଳା ବାଚସ୍ପତିଙ୍କ ସମ୍ମୁଖରେ ମୁଣ୍ଡ ନୁଆଇଁ ନଥିଲେ ବା ବିଧାୟକ ଭାବେ ଶପଥ ନେଇନଥିଲେ ବୋଲି ରାଜା ସିଂହ ମନେ ପକାଇ ଦେବା ସହ ମୁଖ୍ୟମନ୍ତ୍ରୀ ଏ.ରେଭାନ୍ତା ରେଡ୍ଡୀଙ୍କ କଂଗ୍ରେସ ସରକାର ମଧ୍ୟ ତାହାର ପୁନରାବୃତ୍ତି କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ତେଲେଂଗାନାରେ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ବିଜେପି-ବିଆରଏସ ଓ ଏଆଇଏମଆଇଏମ ମଧ୍ୟରେ ଭିତରି ବୁଝାମଣା ଥିବା ଅଭିଯୋଗ ହୋଇଥିଲା । ଏବେ କଂଗ୍ରେସ ସହ ଏଆଇଏମଆଇଏମର କି ସଂପର୍କ ରହିଛି ମୁଖ୍ୟମନ୍ତ୍ରୀ ରେଡ୍ଡୀ ସ୍ପଷ୍ଟ କରନ୍ତୁ ବୋଲି ବିଧାୟକ ସିଂହ ଆହ୍ୱାନ ଦେଇଛନ୍ତି । ତେଲେଂଗାନା ରାଜ୍ୟପାଳ ତାମିଲସାଇ ସୌନ୍ଦରାରାଜନ ଆଜି କାମଚଳା ବାଚସ୍ପତି ଭାବେ ଆକବରୁଦ୍ଦିନଙ୍କୁ ଶପଥ ପାଠ କରାଇଥିବା ବେଳେ ଆକବରୁଦ୍ଦିନ ନବ ନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରାଇଥିଲେ । ତେବେ, ବିଜେପି ବିଧାୟକମାନେ ଏହାକୁ ବର୍ଜନ କରିଥିଲେ ।
କାମଚଳା ବାଚସ୍ପତି ଭାବେ ଆକବରୁଦ୍ଦିନଙ୍କ ନିଯୁକ୍ତିକୁ ବିଜେପି ବିରୋଧ କରି କଂଗ୍ରେସକୁ ଟାର୍ଗେଟ କରିଥିବା ବେଳେ କଂଗ୍ରେସ ପକ୍ଷରୁ ତେଲେଂଗାନାରେ ଥିବା ଦଳର ମୁଖପାତ୍ର ଚାମାଲା କିରନ କୁମାର ରେଡ୍ଡୀ କହିଛନ୍ତି, ବିଧାନସଭାକୁ ନିର୍ବାଚିତ ହୋଇଥିବା ଜଣେ ବରିଷ୍ଠ ବିଧାୟକଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେବାର ସମ୍ବିଧାନିକ ପରଂପରା ରହିଛି ଏବଂ କଂଗ୍ରେସ ସରକାର ସେହି ପରଂପରା ରକ୍ଷା କରିଛନ୍ତି । ଏଆଇଏମଆଇଏମ ବିଧାୟକ ଆକବରୁଦ୍ଦିନଙ୍କୁ କାମଚଳା ବାଚସ୍ପତି କରାଯିବା ଅର୍ଥ ନୁହେଁ ଯେ କଂଗ୍ରେସ ଓ ଏଆଇଏମଆଇଏମ ମଧ୍ୟରେ କିଛି ଭିତିରି ବୁଝାମଣା ରହିଛି । ରାଜନୀତିରେ ତିଷ୍ଠି ରହିବା ସାକାଶେ ଧାର୍ମିକ ଧ୍ରୁବୀକରଣର ଆଶ୍ରୟ ନିଆଯିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS