ମାୟାବତୀଙ୍କ ଉତ୍ତରାଧିକାରୀ ହେଲେ ପୁତୁରା ଆକାଶ ଆନନ୍ଦ
ପ୍ରସାଦ ରାଓ
ଡିସେମ୍ବର ୧୦
ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ଆଜି ତାଙ୍କ ରାଜନୈତିକ ଉତ୍ତରାଧିକାରୀ ନାମ ଘୋଷରା କରିଛନ୍ତି । ୨୮ ବର୍ଷ ବୟସ୍କ ପୁତୁରା ଆକାଶ ଆନନ୍ଦଙ୍କୁ ସେ ତାଙ୍କ ଉତ୍ତରାଧିକାରୀ କରିଛନ୍ତି । ଆକାଶ ଆନନ୍ଦ ୟୁପି ଓ ଉତ୍ତରାଖଣ୍ଡ ବ୍ୟତୀତ ଅନ୍ୟ ସମସ୍ତ ରାଜ୍ୟରେ ଦଳର କାର୍ଯ୍ୟ ବୁଝିବେ । ମାୟାବତୀ ନିଜେ ୟୁପି ଓ ଉତ୍ତରାଖଣ୍ଡରେ ସଂଗଠନକୁ ଦେଖିବେ । ଆଜି ଲକ୍ଷ୍ନୌରେ ଥିବା ବିଏସପି ରାଜ୍ୟ କାର୍ଯ୍ୟାଳୟରେ ମାୟାବତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଏସପି କାର୍ଯ୍ୟକର୍ତ୍ତାଙ୍କ ସମ୍ମୁଖରେ ଆକାଶଙ୍କୁ ରାଜନୈତିକ ଉତ୍ତରାଧିକାରୀ କରିଥିବା ମାୟାବାତୀ ଘୋଷଣା କରିଥିଲେ । ନିକଟରେ ଶେଷ ହୋଇଥିବା ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ବିଏସପି ପ୍ରଦର୍ଶନ ସଂପର୍କରେ ସମୀକ୍ଷା ପାଇଁ ଆଜିର ଏହି ବୈଠକ ବସିଥିଲା । ଆକାଶ ହେଉଛନ୍ତି ବିଏସପି ନେତ୍ରୀ ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କ ପୁଅ । ଲଣ୍ଡନରୁ ସେ ଏମବିଏରେ ଗ୍ରାଜୁଏସନ କରିଛନ୍ତି । ଅକାଶ ଆନନ୍ଦଙ୍କୁ ମାୟାବତୀ ୨୦୧୭ରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ପରିଚିତ କରାଇ ଥିଲେ ଏବଂ ୨୦୧୯ରେ ମାୟାବତୀ ସମାଜବାଦୀ ପାର୍ଟି (ଏସପି) ସହ ସଂପର୍କ ଛିନ୍ନ କରିବା ପରେ ବିଏସପି ସଂଗଠନର ପୁନର୍ଗଠନ କରି ଆକାଶଙ୍କୁ ଦଳର ଜାତୀୟ ସଂଯୋଜକ ଭାବେ ନିଯୁକ୍ତ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ଆକାଶ ପିଉସୀ ମାୟାବତୀଙ୍କ ନିର୍ବାଚନ ପରିଚାଳନା କରିଥିବା ବେଳେ ୨୦୨୨ ୟୁପି ବିଧାନସଭା ନିର୍ବାଚନରେ ସେ ଦଳର ସାମାଜିକ ଗଣମାଧ୍ୟମକୁ ପରିଚାଳନା କରିଥିଲେ । ୨୦୨୨ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଆକାଶ ବିଏସପିର ଅନ୍ୟତମ ଷ୍ଟାର ପ୍ରଚାରକ ଥିଲେ । ଦଳର ଷ୍ଟାର ପ୍ରଚାରକଙ୍କ ତାଲିକାରେ ମାୟାବତୀଙ୍କ ପରେ ଦ୍ୱିତୀୟରେ ଆକାଶଙ୍କ ନାମ ରହିଥିଲା । ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନରେ ଦଳୀୟ କର୍ମୀଙ୍କୁ ସଂଗଠିତ କରିବା ଦାୟିତ୍ୱ ତାଙ୍କୁ ମିଳିଥିଲା । ବିଏସପି ମୁଖ୍ୟ ମାୟାବତୀ ନିଜକୁ ବଂଶବାଦ ରାଜନୀତିର ଦୃଢ ବିରୋଧୀ ବୋଲି ଦାବି କରୁଥିବା ବେଳେ ୨୦୧୯ରେ ଭାଇ ଆନନ୍ଦ କୁମାର ବିଏସପିର ଉପ ସଭାପତି କରିବା ଏବଂ ପୁତୁରା ଆକାଶ ଆନନ୍ଦଙ୍କୁ ବିଏସପି ଜାତୀୟ ସଂଯୋଜକ ଭାବେ ନିଯୁକ୍ତି ଦେବା ରାଜନୈତିକ ମହଲରେ ଭୃକୁଂଚନ ସୃଷ୍ଟି କରିଥିଲା । ଦେଶରେ ବିଏସପି ସଂଗଠନକୁ ମଜଭୁତ କରିବା ଦାୟିତ୍ୱ ଆକାଶ ଆନନ୍ଦଙ୍କୁ ଦିଆଯାଇଛି । ତାଙ୍କ ପରେ ଆକାଶ ଉତ୍ତରାଧିକାରୀ ଭାବ ଦଳର ନେତୃତ୍ୱ ନେବେ ବୋଲି ଆଜି ମାୟାବତୀ ବିଏସପି କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ସ୍ପଷ୍ଟ କରିଥିବା ବିଏସପି ନେତା ଉଦୟବୀର ସିଂହ ସୂଚନା ଦେଇଛନ୍ତି । ବିଏସପି ଲୋକସଭା ସାଂସଦ ଡାନିଶ ଅଲ୍ଲୀଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଦଳରୁ ନିଲମ୍ବନ କରାଯିବା ପରେ ପରେ ଆଜି ମାୟାବତୀ ଏଭଳି ଏକ ଘୋଷଣା କରିଥିବା ଚର୍ଚ୍ଚାର ବିଷୟ ହୋଇଛି । ବିଏସପି ସାଂସଦ ଡାନିଶ ଅଲ୍ଲୀ ଓ ବିଜେପି ସାଂସଦ ରମେଶ ବିଧୁରିଙ୍କ ମଧ୍ୟରେ ଜାତିଗତ ଆକ୍ଷେପ, ପ୍ରତ୍ୟାକ୍ଷେପକୁ ନେଇ କିଛି ଦିନ ହେଲା ସଂସଦରେ ତୀକ୍ତତା ଲାଗି ରହିଥିଲା । ‘ପ୍ରଶ୍ନ ପଚାରିବା ପାଇଁ ଲାଂଚ’ ନେଇଥିବା ଏବଂ ନିଜ ଲୋକସଭା ୱେବ୍ ସାଇଟ ୟୁଜର ଆଇଡି ଓ ପାସୱାର୍ଡ ଅନୈତିକ ଭାବେ ଜଣେ ବାହାର ବ୍ୟକ୍ତିଙ୍କୁ (ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କୁ) ହସ୍ତାନ୍ତର କରିଥିବା ଅଭିଯୋଗରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କୁ ଲୋକସଭା ବାଚସ୍ପତି ଓମ୍ ବିରଳା ସଦାଚାର କମିଟିର ସୁପାରିଶ ଆଧାରରେ ଶୁକ୍ରବାର ଦିନ ସଂସଦରୁ ବହିଷ୍କାର କରିଥିଲେ । ମହୁଆଙ୍କ ବହିଷ୍କାରକୁ ବିରୋଧୀ ଦଳ ସାଂସଦମାନେ ବିରୋଧ କରିବା ସହ ସେଦିନ ସଂସଦ ଅଧିବେଶନ ବର୍ଜନ କରିଥିଲେ । ବିଏସପି ସାଂସଦ ଡାନିସ ଅଲ୍ଲୀ ମଧ୍ୟ ବିରୋଧୀ ଦଳ ସାଂସଦମାନଙ୍କ ସହ କକ୍ଷତ୍ୟାଗ କରି ମାୟାବତୀଙ୍କ ଚକ୍ଷୁଶୂଳ ହୋଇଥିଲେ । ଡାନିସ ଅଲ୍ଲୀ କଂଗ୍ରେସର ନିକଟତର ହେଉଥିବା ସନ୍ଦେହରେ ତାଙ୍କୁ ବିଏସପିରୁ ନିଲମ୍ବନ କରାଯାଇଥିବା କୁହାଯାଉଛି । ଡାନିସଙ୍କୁ ନିଲମ୍ବନ କରିବା ପରେ ପରେ ମାୟାବତୀ ଆଜି ବିଏସପି କାର୍ଯ୍ୟକର୍ତ୍ତାଙ୍କ ବୈଠକ ଡାକି ପୁତୁରା ଆକାଶ ଆନନ୍ଦଙ୍କୁ ତାଙ୍କ ଉତ୍ତରାଧିକାରୀ ରୂପେ ଘୋଷଣା କରିବା ଆଗାମୀ ଦିନର ରାଜନୀତିକୁ ନେଇ କିଛିଟା ସଂକେତ ଦେଉଛି ବୋଲି ରାଜନୈତିକ ବିଶ୍ଲେଷକମାନେ କହୁଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS