ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ଆଜି ?
ପ୍ରସାଦ ରାଓ
ଡିସେମ୍ବର ୧୦
ନିର୍ବାଚନ ଫଳାଫଳ ଆସି ସପ୍ତାହେ ବିତି ଥିଲେ ମଧ୍ୟ ବିଜେପି ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ନିର୍ଣ୍ଣୟ ନେବାରେ ବିଳମ୍ବ କରୁଥିବାରୁ ବିରୋଧୀ କଡା ସମାଲୋଚନା କରୁଛନ୍ତି । ଯଦି କଂଗ୍ରେସ ନିଷ୍ପତ୍ତି ନେବାରେ ଏଭଳି ବିଳମ୍ବ କରିଥା’ନ୍ତା କେତେ କଥା ଶୁଣିବାକୁ ପଡିଥାନ୍ତା (!) ବୋଲି ବରିଷ୍ଠ କଂଗ୍ରେସ ନେତାମାନେ ଗଣମାଧ୍ୟମରେ ମନ୍ତବ୍ୟ ଦେଉଥିବା ବେଳେ ଏହି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ବିଜେପିର ବହୁ ଆଶାୟୀ ଥିବାରୁ ଦଳ ନିଷ୍ପତ୍ତିରେ ପହଂଚିପାରୁ ନାହିଁ ବୋଲି ବିଜେପି ସମର୍ଥକମାନେ କହୁଛନ୍ତି । ତେବେ, ଆଜି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇପାରେ ଓ ସୋମବାର ଅନ୍ୟ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାମ ଦଳ ସ୍ପଷ୍ଟ କରିପାରେ ବୋଲି ବିଜେପିର ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳୁଛି । ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ପାଇଁ ବିଜେପି ନେତୃତ୍ୱ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରିସାରିଛନ୍ତି । ଆଜି ଛତିଶଗଡ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ରାୟପୁରରେ ବିଧାୟକ ଦଳ ବୈଠକ ହେଉଛି । ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ସର୍ବାନନ୍ଦ ସୋନେୱାଲ ଓ ଅର୍ଜୁନ ମୁଣ୍ଡା ରାୟପୁରରେ ପହଂଚିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଦଳର ଛତିଶଗଡ ସଂଯୋଜକ ଥିବା ମନସୁଖ ମାଣ୍ଡଭ୍ୟ ମଧ୍ୟ ରାୟପୁରରେ ଅଛନ୍ତି । ନବ ନିର୍ବାଚିତ ବିଧାୟକମାନଙ୍କ ବୈଠକରେ ଆଜି ମୁଖ୍ୟମନ୍ତ୍ରୀ ଚୟନ ହେବା ଆଶା କରାଯାଉଛି । ଗତ ନଭେମ୍ବର ମାସରେ ଛତିଶଗଡ଼, ରାଜସ୍ଥାନ, ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ହୋଇଥିଲା । ବିଜେପି ଛତିଶଗଡ ଓ ରାଜସ୍ଥାନରେ କଂଗ୍ରେସକୁ କ୍ଷମତାଚ୍ୟୁତ କରିଥିବା ବେଳେ ମଧ୍ୟ ପ୍ରଦେଶରେ ବିଜେପି ସରକାରକୁ ପୁନର୍ବାର କ୍ଷମତାକୁ ଆଣିଛି । ଛତିଶଗଡର ୯୦ ବିଧାନସଭା ଆସରୁ ବିଜେପି ୫୪ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସକୁ ୩୫ ଆସନ ମିଳିଛି । ସେହିପରି, ରାଜସ୍ଥାନରେ ୨୦୦ରୁ ୧୯୯ ଆସନ ପାଇଁ ଭୋଟ ହୋଇଥିବା ବେଳେ ବିଜେପିକୁ ୧୧୫ ଆସନ ମିଳିଛି । ମଧ୍ୟ ପ୍ରଦେଶରେ ମଧ୍ୟ ୨୩୦ ବିଧାନସଭା ଆସନ ପାଇଁ ଭୋଟ ହୋଇଥିବା ବେଳେ ବିଜେପି ସର୍ବାଧିକ ୧୬୩ ଆସନରେ ବିଜୟୀ ହୋଇଛି । ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ମଧ୍ୟ ପ୍ରଦେଶରେ ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁ ନଥିବାରୁ ଏବଂ ମୁଖ୍ୟମନ୍ତ୍ରୀ ପଦ ପାଇଁ ବହୁ ଆଶାୟୀ ଥିବାରୁ ନିର୍ଣ୍ଣୟ ନେବାରେ ବିଳମ୍ବ ହେଉଛି । ସେହିଭଳି ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ପୁନର୍ବାର ମୁଖ୍ୟମନ୍ତ୍ରୀ ହେବା ଦୈଡରେ ଥିବା ସମୟରେ ଯୋଗୀ ବାଳକନାଥଙ୍କ ସମେତ ବହୁ ଆଶାୟୀ ଥିବାରୁ ଦଳ କୌଣସି ନିର୍ଣ୍ଣୟରେ ପହଂଚି ପାରିନି । ଛତିଶଗଡରେ ମଧ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ ଏକାଧିକ ଆଶାୟୀ ଅଛନ୍ତି । ତିନି ରାଜ୍ୟର ବିଧାୟକ ଦଳ ବୈଠକ ବସି ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ବିଜେପି ନେତୃତ୍ୱ କହୁଥିଲେ ମଧ୍ୟ କେଉଁ ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ ସେନେଇ ନେତୃତ୍ୱ ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ସପ୍ତାହେ ହେଲା ମୁଖ୍ୟମନ୍ତ୍ରୀ ଆଶାୟୀ ନେତାମାନେ ଅନିଶ୍ଚିତତା ଭିତରେ ରହିଛନ୍ତି । ଗତ ମାସରେ ତେଲେଂଗାନା ଓ ମିଜୋରାମରେ ମଧ୍ୟ ବିଧାନସଭା ନିର୍ବାଚନ ହୋଇଥିଲା । ତେଲେଂଗାନାରେ କଂଗ୍ରେସ କ୍ଷମତାକୁ ଆସିବା ପରେ ଏ.ରେଭାନ୍ତା ରେଡ୍ଡୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଲେଣି । ମିଜୋରାମରେ ମଧ୍ୟ ମିଜୋ ଜାତୀୟ ସାମ୍ମୁଖ୍ୟକୁ ପରାଜିତ କରି ଜୋରାମ ପିପୁଲ୍ସ ମୁଭମେଂଟ କ୍ଷମତାକୁ ଆସିଛି । ଜେଡଆରଏମ ନେତା ଲାଲଦୁହୋମା ମଧ୍ୟ ମୁଖ୍ୟମନ୍ତ୍ରୀ ହେଲେଣି । ଡିସେମ୍ବର ୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିଲେ ସୁଦ୍ଧା ବିଜେପି ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ଦଳରୁ କିଏ ମୁଖ୍ୟମନ୍ତ୍ରୀ ହେବ ନିର୍ଣ୍ଣୟ ନେବାରେ ବିଳମ୍ବ କରୁଥିବାରୁ ସମାଲୋଚନାର ଶରବ୍ୟ ହୋଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଏହି ତିନି ରାଜ୍ୟରେ ବିଜେପି କାହାରିକୁ ମୁଖ୍ୟମନ୍ତ୍ରୀ ମୁହଁ ଭାବେ ଉପସ୍ଥାପନ ନକରି ସମୂହ ନେତୃତ୍ୱରେ ନିର୍ବାଚନ ଲଢିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ବିଜେପି ନେତାମାନେ ନିର୍ବାଚନରେ ଅବତରଣ କରିଥିଲେ । ପାଂଚ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ସହ ମୋଟ ୨୧ ବିଜେପି ସାଂସଦ ପାଂଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ବିଜୟୀ ହୋଇଛନ୍ତି । ନିର୍ବାଚନରେ ବିଜୟୀ କେନ୍ଦ୍ର ମନ୍ତ୍ରୀ ଓ ସାଂସଦମାନେ ଦଳୀୟ ନେତୃତ୍ୱର ନିର୍ଦେଶକ୍ରମେ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ଦୌଡରେ ଅଛନ୍ତି । ଏହା ଦଳ ପାଇଁ ମୁଖ୍ୟ ସମସ୍ୟା ହୋଇଥିବା ଅନୁମାନ କରାଯାଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS