ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବୈଧ ଥିଲା କହିଲେ ସୁପ୍ରିମ କୋର୍ଟ


ପ୍ରସାଦ ରାଓ
ଡିସେମ୍ବର ୧୧
୨୦୧୯ ଅଗଷ୍ଟ ୦୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରେ ଲାଗୁ ଥିବା ସମ୍ବିଧାନର ୩୭୦ ଧାରାକୁ ଉଚ୍ଛେଦ କରିବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସାମ୍ବିଧାନିକ ଦୃଷ୍ଟିରୁ ବୈଧ ଥିଲା ବୋଲି ଆଜି ସୁପ୍ରିମ କୋର୍ଟ ଏକ ଐତିହାସିକ ରାୟ ଦେଇଛନ୍ତି । ସୁୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ବେଂଚ ୩୭୦ ଧାରା ଉଚ୍ଛେଦ ବିରୋଧରେ ହୋଇଥିବା ଏକାଧିକ ଆବେଦନର ଶୁଣାଣୀ କରିବା ପରେ ଆଜି ଏହି ରାୟ ଦେବା ସହ କେନ୍ଦ୍ର ସରକାରଙ୍କୁ ଜମ୍ମୁ-କଶ୍ମୀରର ରାଜ୍ୟ ମାନ୍ୟତାର ପୁନଃ ପ୍ରତିଷ୍ଠା ସହ ୨୦୨୪ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବାକୁ ନିର୍ଦେଶ ଦେଇଛନ୍ତି ।
କେନ୍ଦ୍ର ସରକାର ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିଛନ୍ତି । ଜମ୍ମୁ-କଶ୍ମୀରରୁ ଲଦାଖ ଅଲଗା ହୋଇ ଏକ କେନ୍ଦ୍ର ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଂଚଳ ହୋଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମ କୋର୍ଟରେ ଅନ୍ୟୁନ ୨୩ଟି ଆବେଦନ ହୋଇଥିବା ବେଳେ ପାଂଚ ବର୍ଷ ପରେ କୋର୍ଟର ରାୟ ଆସିଛି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ.କେ.କାଉଲ, ଜଷ୍ଟିସ ସଂଜୀବ ଖାନ୍ନା, ଜଷ୍ଟିସ ବି.ଆର.ଗଭାଇ ଓ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ନେଇ ଗଠିତ ପାଂଚ ଜଣିଆ ସାମ୍ବିଧାନିକ ବେଂଚ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ବିରୋଧରେ ହୋଇଥିବା ଆବେଦନଗୁଡିକ ଉପରେ ଲଗାତର ୧୬ ଦିନ ଶୁଣାଣୀ କରିବା ପରେ ଗତ ସେପ୍ଟେମ୍ବର ୫ ତାରିଖ ଦିନ ରାୟ ସଂରକ୍ଷିତ ରଖିଥିଲେ । ଆଜି କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି ।
ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ତାଙ୍କ ରାୟରେ କହିଛନ୍ତି, ୨୦୧୯ ଅଗଷ୍ଟରେ ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ଜାରି ନିର୍ଦେଶନାମାରେ ମନ୍ଦ ଉଦ୍ଦେଶ୍ୟ ଥିବାର କିଛି ପ୍ରମାଣଯୋଗ୍ୟ ତଥ୍ୟ ନାହିଁ । ଭାରତ ସହ ମିଶ୍ରଣ ପରରୁ ରାଜ୍ୟ ତାହାର ଆଭ୍ୟନ୍ତରୀଣ ସାର୍ବଭୌମତ୍ୱକୁ ହରାଇ ସାରିଛି । ରାଜ୍ୟରେ ସମ୍ବିଧାନର ୩୭୦ ଧାରା ଲାଗୁ ହେବା ଏକ ସମାୟିକ ବ୍ୟବସ୍ଥା ଥିଲା । ଜମ୍ମୁ-କଶ୍ମୀରକୁ ଅନ୍ୟ ରାଜ୍ୟମାନଙ୍କ ସହ ସମକକ୍ଷ କରିବା ପାଇଁ ପୁନଃ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ସହ ୨୦୨୪ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ରାଜ୍ୟରେ ବିଧାନସଭା ନିର୍ବାଚନ କରାଇବାକୁ ସେ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ।
ଆଜି ସୁପ୍ରିମ କୋର୍ଟର ପାଂଚ ଜଣିଆ ସାମ୍ବିଧାନିକ ବେଂଚରୁ ତିନିଟି ଭିନ୍ନ ରାୟ ଆସିଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ନିଜ ସହ ଜଷ୍ଟିସ ବି.ଆର.ଗଭାଇ ଓ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ପାଇଁ ପ୍ରସ୍ତୁତ କରିଥିବା ରାୟ ପଢି ଶୁଣାଇ ଥିବା ବେଳେ ଜଷ୍ଟିସ ସଂଜୟ କଶନ କୌଲ ଦ୍ୱିତୀୟ ଓ ଜଷ୍ଟିସ ସଂଜୀବ ଖାନ୍ନ ତୃତୀୟ ରାୟ ପଢି ଶୁଣାଇ ଥିଲେ । ସମ୍ବିଧାନର ୩୭୦ ଧାରା ଜମ୍ମୁ-କଶ୍ମୀରକୁ ନିଜର ସମ୍ବିଧାନ ଦେଇଥିଲା । ରାଜ୍ୟ ପ୍ରତିରକ୍ଷା, ବୈଦେଶିକ ବ୍ୟାପାର ଓ ଯୋଗାଯୋଗ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ନିଜସ୍ୱ ନିଷ୍ପତ୍ତି ନେବା ଅଧିକାର ପାଇଥିଲା । ସମ୍ବିଧାନର ୩୭୦ ଧାରାରେ ଅନ୍ତର୍ଭୁକ୍ତ ଥିବା ଧାରା ୩୫ (କ) ବଳରେ ରାଜ୍ୟ ତାହାର ସ୍ଥାୟୀ ବାସିନ୍ଦା କିଏ ନିର୍ଣ୍ଣୟ ନେବା ସହ ସରକାରୀ ଚାକିରୀରେ ନିଯୁକ୍ତି ଓ ସଂପତ୍ତିର ଅଧିକାର ରାଜ୍ୟର ସ୍ଥାୟୀ ବାସିନ୍ଦାଙ୍କ ମଧ୍ୟରେ ସୀମିତ ରଖିଥିଲା । ୩୭୦ ଧାରା ଉଚ୍ଛେଦ ପରେ ରାଜ୍ୟ ଏହି ସ୍ୱତନ୍ତ୍ର ଅଧିକାରରୁ ବଂଚିତ ହୋଇଛି ।
ସୁପ୍ରିମ କୋର୍ଟ ବେଂଚ କହିଛନ୍ତି, ୨୦୧୯ ଅଗଷ୍ଟ ୦୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରର ପୁନର୍ଗଠନ କରି ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ପରିଣତ କରିବାର ବୈଧତାକୁ ଉପରେ ବିଚାର କରିବା ଆବଶ୍ୟକତା ବେଂଚ ଅନୁଭବ କରୁନାହାନ୍ତି । କାରଣ, ଜମ୍ମୁ-କଶ୍ମୀରକୁ ପୁନଃ ରାଜ୍ୟ ମାନ୍ୟତା ଦେବା ଏବଂ ରାଜ୍ୟରେ ନିର୍ବାଚନ କରାଯିବା ପର୍ଯ୍ୟନ୍ତ ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଜମ୍ମୁ-କଶ୍ମୀରକୁ ପୁନଃ ରାଜ୍ୟ ମାନ୍ୟତା ଦିଆଯିବା ସହ ରାଜ୍ୟରେ ୨୦୨୪ ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ନିର୍ବାଚନ କରାଇବାକୁ ସୁପ୍ରିମ କୋର୍ଟ ସରକାରଙ୍କୁ ନିର୍ଦେଶ ଦେଇସାରିଛନ୍ତି ।
ଆଜି ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚ କେନ୍ଦ୍ର ସରକାରଙ୍କ ସପକ୍ଷରେ ରାୟ ଦେବା ପରେ ‘ଏହା ଏକ ଐତିହାସିକ ରାୟ’ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତ ଦେଇଛନ୍ତି । ତେବେ, ରାୟ ଆସିବା ପୂର୍ବରୁ ସୁପ୍ରିମ କୋର୍ଟର ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ‘ଏକ୍ସ’ (ପୂର୍ବରୁ ଟ୍ୱିଟର ଥିଲା)ରେ ଏକ ପୋଷ୍ଟ୍ କରି କହିଥିଲେ, ‘କିଛି ଯୁଦ୍ଧ ପରାଜୟ ପାଇଁ ବି ଲଢା ଯାଇଥାଏ’ । ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରେଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି (ଡିପିଏପି) ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ କହିଛନ୍ତି, ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚଙ୍କ ରାୟ ଦୁର୍ଭଗ୍ୟଜନକ ଓ ଦୁଃଖଦାୟକ । ରାଜ୍ୟବାସୀ ସୁପ୍ରିମ କୋର୍ଟଙ୍କ ରାୟକୁ ନେଇ ଖୁସି ନଥିଲେ ମଧ୍ୟ ତାହା ଗ୍ରହଣ କରିବାକୁ ବାଧ୍ୟ ।
ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ରାଜ୍ୟବାସୀ ଜମିଜମା ଓ ସରକାରୀ ନିଯୁକ୍ତି କ୍ଷେତ୍ରରେ ନିଜର ଏକଚାଟିଆ ଅଧିକାର ହରାଇଛନ୍ତି । ଅନ୍ୟ ରାଜ୍ୟର ବାସିନ୍ଦା ଜମ୍ମୁ-କଶ୍ମୀରରେ ଏବେ ଅବାଧରେ ଜମି କିଣି ବସବାସ କରି ପାରିବେ ଏବଂ ରାଜ୍ୟରେ ସରକାରୀ ନିଯୁକ୍ତିର ସୁଯୋଗ ସୀମିତ ରହିଥିବା ବେଳେ ଯେକୌଣସି ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଲେ ଦେଶର ୧୪୦ କୋଟି ଜନତା ନିଯୁକ୍ତି ପାଇଁ ଆବେଦନ କରି ପାରିବେ । ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତି ମଧ୍ୟ ‘ଏକ୍ସ’ରେ କହିଛନ୍ତି, ଏବେ ବି ରାଜ୍ୟବାସୀ ସେମାନଙ୍କ ଆଶା ଛାଡି ନାହାନ୍ତି । ଏହା ରାସ୍ତାର ଶେଷ ନୁହେଁ । ‘ଆମ ସମ୍ମାନ ଓ ଆତ୍ମମର୍ଯ୍ୟାଦାର ଲଢେଇ ଜାରି ରହିବ’ ।
ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସି (ଜାତୀୟ କନ୍ଫରେନ୍ସ) ନେତା ଓମାର ଅବଦୁଲ୍ଲା ମଧ୍ୟ ଆଜି ଶ୍ରୀନଗରରେ କହିଛନ୍ତି, ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚଙ୍କ ରାୟକୁ ନେଇ ସେ ଦୁଃଖୀ ଥିଲେ ମଧ୍ୟ ଆତ୍ମବିଶ୍ୱାସ ହରାଇ ନାହାନ୍ତି । ରାଜ୍ୟବାସୀଙ୍କ ଲଢେଇ ଜାରି ରହିବ । ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବାକୁ ବିଜେପି ବହୁ ବର୍ଷ ଲାଗିଲା । ଦଳ ସେଥିରେ ସଫଳ ପାଇଥିବା ବେଳେ ସୁପ୍ରିମ କୋର୍ଟ ରାୟ ମଧ୍ୟ ଦଳ ସପକ୍ଷରେ ଯାଇଛି । ୩୭୦ ଧାରା ଉଚ୍ଛେଦ ପାଇଁ ବିଜେପିକୁ ଯେମିତି ବହୁ ବର୍ଷ ଲାଗିଲା ଠିକ୍ ସେହିଭଳି ରାଜ୍ୟରେ ୩୭୦ ଧାରା ପୁନଃ ପ୍ରତିଷ୍ଠା ପାଇଁ ଆମେ ମଧ୍ୟ ଦୀର୍ଘ ଲଢେଇ ପାଇଁ ପ୍ରସ୍ତୁତ ବୋଲି ଓମାର ଅବଦୁଲ୍ଲା ‘ଏକ୍ସ’ରେ କହିଛନ୍ତି ।
ପୂର୍ବତନ ଜମ୍ମୁ-କଶ୍ମୀର ମହାରାଜା ହରି ସିଂହଙ୍କ ପୁତ୍ର ତଥା ବରିଷ୍ଠ କଂଗ୍ରେସ ନେତା କରଣ ସିହ କହିଛନ୍ତି, ଯେଉଁମାନେ ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚର ଆଜିର ରାୟକୁ ନେଇ ଅସନ୍ତୁଷ୍ଟ ସେମାନେ ଅନାବଶ୍ୟକ ଭାବେ କାନ୍ଥରେ ମୁଣ୍ଡ ନପିଟି ଏହାକୁ ଗ୍ରହଣ କରିନେବା ଉଚିତ ହେବ । ରାୟକୁ ନେଇ ନିଜର ଶକ୍ତିକ୍ଷୟ ନ କରି ଆଗକୁ ନିର୍ବାଚନ ଲଢିବା ପାଇଁ ରାଜ୍ୟବାସୀ ଶକ୍ତି ସଂଚୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ପ୍ରମୁଖ ସୁପ୍ରିମ କୋର୍ଟ ସାମ୍ବିଧାନିକ ପୀଠର ରାୟକୁ ସ୍ୱାଗତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଜମ୍ମୁ-କଶ୍ମୀର ଓ ଲଦାଖ ଅଂଚଳରେ ଶାନ୍ତି ଓ ଭାତୃଭାବ ଦୃଢିଭୂତ କରାଯିବା ସହ ଅଂଚଳରେ ସୁଶାସନ ପ୍ରତିଷ୍ଠା, ବିକାଶ ଓ ସମୃଦ୍ଧିର କାର୍ଯ୍ୟ ଜାରି ରହିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଶାହା କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS