ବିଜେପି ଭାବମୂର୍ତ୍ତି ଉଜ୍ୱଳ ହେବାରେ ଲାଗିଛି, ଚବିଶିରେ କଣ ହେବ ?


ପ୍ରସାଦ ରାଓ
ଡିସେମ୍ବର ୧୨
ଉତ୍ତରଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଥିବା ଚାରିଧାମ ପ୍ରକଳ୍ପର ଅଂଶ ସିଲ୍କୟାରା ଟନେଲରେ ଗତ ମାସରେ ଘଟି ଥିବା ଦୁର୍ଘଟଣା ଆଜି ଦିନରେ ଇତିହାସ ପୃଷ୍ଠାକୁ ଚାଲି ଯାଇଛି । ଟନେଲରେ ନିର୍ମାଣ କାର୍ଯ୍ୟ ଚାଲି ଥିବା ବେଳେ ପାହାଡ ଧସି ଯିବାରୁ କାର୍ଯ୍ୟରତ ୪୧ ଜଣ ଶ୍ରମିକ ଦୀର୍ଘ ୧୭ ଦିନ ଧରି ଅନ୍ଧାରିଆ ଗୁମ୍ଫା ଭିତରେ ଫସି ରହି ଥିଲେ । ସେମାନଙ୍କୁ ପାଇପ ଯୋଗେ ଅମ୍ଳଜାନ, ଖାଦ୍ୟ, ଔଷଧ ପ୍ରଭୃତି ଦିଆଯାଇ ଜୀବିତ ରଖା ଯାଇଥିଲା । ଉଦ୍ଧାର କାର୍ଯ୍ୟରେ ଲାଗି ଥିବା ବଡ ବଡ ବିଦେଶୀ ମେସିନ ଫେଲ୍ ମାରିବା ପରେ ମୂଷା ଗାତ ଭଳି ସୁଡଙ୍ଗ ଖୋଳିବାରେ ଓସ୍ତାଦଙ୍କୁ ଆଣି ଅଣ ପାରଂପରିକ ଖୋଦେଇ ମାଧ୍ୟମରେ ଏହି ଶ୍ରମିକମାନଙ୍କୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।
ଗୋଟିଏ ପଟେ ଦେଶର ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଥିବା ବେଳେ ସିଲ୍କୟାରା ପାହାଡରେ ଘଟି ଥିବା ଏହି ଦୁର୍ଘଟଣା ଓ ଚାଲିଥିବା ଉଦ୍ଧାର କାର୍ଯ୍ୟ ଉପରେ ସମଗ୍ର ଦେଶର ନଜର ରହିଥିଲା । ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଶାସକ ଓ ବିରୋଧୀ ଦଳର ବଡ ନେତାମାନେ ନିର୍ବାଚନ ପ୍ରଚାରକୁ ନେଇ ବ୍ୟସ୍ତ ଥିବା ବେଳେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଓ ଟନେଲ ବିଶେଷଜ୍ଞମାନେ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା କାର୍ଯ୍ୟରେ ଦିନ ରାତି ଏକାଠି କରିଥିଲେ । ବିଶେଷଜ୍ଞମାନେ ବିଫଳ ହେବା ପରେ ଦିଲ୍ଲୀରୁ ର୍ୟାଟ୍ ମାଇନର ଆସି ନିଜ ଜୀବନକୁ ବାଜି ଲଗାଇ ଧସି ରହିଥିବା ପାହାଡ ଅତଡାରେ ସୁଡଙ୍ଗ ଖୋଳିବା ପରେ ଏନଡିଆରଏଫ ଓ ଏସଡିଆରଏଫ ଟିମ୍ ଫସି ରହିଥିବା ଶ୍ରମିକଙ୍କୁ ପାଇପ ବାଟ ଦେଇ ଉଦ୍ଧାର କରିଥିଲେ ।
ଉତ୍ତରାଖଣ୍ଡ ବିଜେପି ସରକାରଙ୍କ ପାଇଁ ଏହି ଉଦ୍ଧାର କାର୍ଯ୍ୟ ଥିଲା ସବୁଠାରୁ ବଡ ଅଭିଜ୍ଞତା । ଟନେଲରୁ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଶ୍ରେୟ ଯାଇଥିଲା ବିଜେପି ସରକାରଙ୍କୁ । ତୁରନ୍ତ ପ୍ରଚାର ଆରମ୍ଭ ହୋଇଥିଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣା ଘଟିବା ଦିନରୁ ଉଦ୍ଧାର କାର୍ଯ୍ୟ ସରିବା ପର୍ଯ୍ୟନ୍ତ ପ୍ରତିଦିନ ସେଠାରେ ଚାଲିଥିବା କାମ ଉପରେ ନଜର ରଖି ଥିଲେ । ପିଏମଓ ଅଧିକାରୀମାନେ ଉଦ୍ଧାର ସ୍ଥଳରେ ରହି ପ୍ରଧାନମନ୍ତ୍ରୀଙ୍କୁ ଟିକିନିଖି ସୂଚନା ଦେଉଥିଲେ । ଉଦ୍ଧାର କାର୍ଯ୍ୟରେ ମୁଣ୍ଡି ମାରିଥିବା ର୍ୟାଟ୍ ମାଇନରମାନଙ୍କୁ ଚାରି ଆଡୁ ପ୍ରଶଂସାର ସୁଅ ଛୁଟିଥିଲା । ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ମଧ୍ୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମ୍ବର୍ଦ୍ଧନା ଓ ଆର୍ଥିକ ପ୍ରୋତ୍ସାହନ ଦେଇ ସେମାନଙ୍କ ଦାୟିତ୍ୱ ଶେଷ କରିଥିଲେ ।
ନଭେମ୍ବର ୨୮ ତାରିଖରେ ଉଦ୍ଧାର କାର୍ଯ୍ୟ ସରିବା ପରେ ଗଣମାଧ୍ୟମ ଓ ଦେଶବାସୀଙ୍କ ନଜର ଚାଲି ଯାଇଥିଲା ପାଂଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଆଡକୁ । ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟରେ ଆକ୍ଷେପ, ପ୍ରତ୍ୟାକ୍ଷେପର ଯେଉଁ ସୁଅ ଚାଲିଲା ତାହାରି ଭିତରେ ହଜିଗଲା ସିଲ୍କୱାରା ପାହାଡ ଟନେଲରେ ଘଟିଥିବା ଲୋମଟାଂକୁରା ଦୁର୍ଘଟଣା ଓ ୧୭ ଦିନ ପରେ ସେଥିରୁ ଉଦ୍ଧାର ପାଇଥିବା ରେ ୪୧ଟି ଜୀବନର ଜୀବନ-ମୃତ୍ୟୁ ସହ ସଂଘର୍ଷର କାହାଣୀ । ଉଦ୍ଧାର କାର୍ଯ୍ୟର ସଫଳତାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଯେଭଳି ନିଜ ପିଠି ଥାପୁଡାଇଲେ ତାହା ବିଧାନସଭା ନିର୍ବାଚନ ହେଉଥିବା ରାଜ୍ୟମାନଙ୍କରେ ମତଦାତାଙ୍କୁ କେତେମାତ୍ରାରେ ପ୍ରଭାବିତ କରିଛି କହିବା କଷ୍ଟ କର । ତଥାପି, ଏତିକି କୁହାଯାଇପାରିବ ଯେ, ସମଗ୍ର ଦେଶ ଯେତେବେଳେ ଉଭୟ କେନ୍ଦ୍ର ଓ ଉତ୍ତରାଖଣ୍ଡ ସରକାରଙ୍କ ପ୍ରଶଂସାରେ ଶତମୁଖ ଥିଲା ନିର୍ବାଚନ ହୋଇଥିବା ରାଜ୍ୟର ମତଦାତାମାନେ ସେଥିରୁ କେମିତି ବାଦ ପଡିଥା’ନ୍ତେ !
ଇତିମଧ୍ୟରେ ନିର୍ବାଚନ ସରିଥିବା ପାଂଚଟି ରାଜ୍ୟର ନିର୍ବାଚନ ଫଳାଫଳ ଆସି ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଦୁଇଟି ରାଜ୍ୟ (ରାଜସ୍ଥାନ ଓ ଛତିଶଗଡ)ରେ କଂଗ୍ରେସ ସରକାରର ପତନ ଘଟି ବିଜେପି ସରକାର ପ୍ରତିଷ୍ଠା ହୋଇଥିବା ବେଳେ ବିଜେପି ମଧ୍ୟ ପ୍ରଦେଶରେ ଆଶାରୁ ଅଧିକ ସଫଳତା ପାଇ ସରକାର ବଜୟା ରଖିଛି । ମିଜୋରାମରେ ଆଂଚଳିକ ଦଳ ମିଜୋ ଜାତୀୟ ସାମ୍ମୁଖ୍ୟ (ଏମଏନଏଫ) ସରକାର ଥିଲା । ୨୦୨୩ରେ ନବ ଗଠିତ ଆଂଚଳିକ ଦଳ ଜୋରାମ ପିପୁଲ୍ସ ମୁଭମେଂଟ (ଜେଡପିଏମ) ହାତକୁ କ୍ଷମତା ଯାଇଛି । ତେଲେଂଗାନାରେ ଶାସକ ବିଆରଏସ (ଭାରତ ରାଷ୍ଟ୍ର ସମିତି) ଓ କଂଗ୍ରେସ ମଧ୍ୟରେ ମୁଖ୍ୟତଃ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା ଏବଂ କଂଗ୍ରେସ ଦଳ ୧୦ ବର୍ଷ ଧରି କ୍ଷମତାରେ ଥିବା ବିଆରଏସକୁ ହଟାଇ କ୍ଷମତାକୁ ଆସିଛି । ମିଜୋରାମ ଓ ତେଲେଂଗାନାରେ କ୍ଷମତାକୁ ଆସିବ ବୋଲି ବିଜେପି ଏମିତିବି ଆଶା କରିନଥିଲା ।
ରାଜସ୍ଥାନରେ ବିଜେପିର ବିଜୟ ଏକପ୍ରକାର ସୁନିଶ୍ଚିତ ଥିଲା । କାରଣ, ରାଜ୍ୟରେ ପ୍ରତି ପାଂଚ ବର୍ଷରେ ଥରେ ସରକାର ବଦଳିବା (ରୋଟି ପାଲଟିବା) ପରଂପରା ରହି ଆସିଛି । ୨୦୧୮ରୁ ରାଜ୍ୟରେ କ୍ଷମତାରେ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହେଲୋଟ ନିଜର ଲୋକପ୍ରିୟତାକୁ ନେଇ ନିର୍ବାଚନ ସମୟରେ ଯେତେ ଯାହା ଦାବି କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଚଉକି ପାଇଁ ସେ କେତେ ତଳକୁ ଖସି ପାରନ୍ତି ତାହା ରାଜ୍ୟବାସୀ ଦେଖିଛନ୍ତି । ଦଳର ଯୁବ ନେତା ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇ ନଦେବାକୁ ସେ କଂଗ୍ରେସ ନେତୃତ୍ୱ ବିରୋଧରେ ମଧ୍ୟ ଯୁଦ୍ଧ ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ରହିବା ପାଇଁ ଏଆଇସିସି ସଭାପତି ହେବା ପ୍ରସ୍ତାବକୁ ମଧ୍ୟ ପାଦରେ ଦଳି ଦେଲେ । ନିର୍ବାଚନ ପର୍ଯ୍ୟନ୍ତ ସଚିନଙ୍କ ବିରୋଧରେ ଅପଶବ୍ଦ କହି ଆସୁଥିବା ଗେହେଲୋଟ କେବଳ ନିର୍ବାଚନ ଜିଣିବା ପାଇଁ ସଚିନଙ୍କ ସହ ଏକାଠି ବସିବା ଏବଂ କଂଗ୍ରେସରେ କିଛି ବିଭେଦ ନାହିଁ ବୋଲି ଭୋଟରଙ୍କୁ ସନ୍ଦେଶ ଦେବାକୁ ଉଦ୍ୟମ କରିବା ପରଂପରାକୁ ବଦଳାଇ ପାରିଲା ନାହିଁ ।
ମଧ୍ୟ ପ୍ରଦେଶରେ କଂଗ୍ରେସ ନେତା କମଳନାଥ ମଧ୍ୟ ୨୦୨୩ରେ କଂଗ୍ରେସର ବିଜୟ ସୁନିଶ୍ଚିତ ବୋଲି ଧରି ନେଇଥିଲେ । ଏହାର କାରଣ ଥିଲା, ରାଜ୍ୟରେ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସରକାର ବିରୋଧରେ ଥିବା ଚାପା ଅସନ୍ତୋଷ । ମାତ୍ରାଧିକ ଆସ୍ଥା ଓ ଅହଂକାର ଯୋଗୁଁ ସେ ‘ଇଣ୍ଡିଆ’ ମେଂଟ ନେତାଙ୍କୁ ମଧ୍ୟ ସାଥିରେ ନେବାକୁ ବା ସେମାନଙ୍କ ସହ ଆସନ ବୁଝାମଣା କରିବାକୁ ଉପେକ୍ଷା କରିଥିଲେ । ଫଳ ହେଲା ଓଲଟା । ଗୋଟିଏ ପଟେ ‘ଇଣ୍ଡିଆ’ ମେଂଟ ପ୍ରମୁଖ ଅଂଶୀଦାର ସମାଜବାଦୀ ପାର୍ଟିର ଖୋଲା ସମାଲୋଚନା ଏବଂ ଅନ୍ୟପଟେ ବିଜେପି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ପଛକୁ ଠେଲି ସମୂହ ନେତୃତ୍ୱ ନାମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଗରେ ରଖି ନିର୍ବାଚନ ମଇଦାନରେ ଉତୁରିବା ରାଜ୍ୟରେ ଥିବା ‘ସରକାରୀ ବିରୋଧୀ ହାୱା’କୁ ‘ସରକାର ସପକ୍ଷବାଦୀ ହାୱା’ରେ ପରିବର୍ତ୍ତିତ କରି ଦେଲା । ୨୦୨୩ ନିର୍ବାଚନରେ ରାଜ୍ୟ ବିଧାନସଭାର ୨୩୦ ଆସନରୁ ୧୬୩ ଆସନ ବିଜେପି ଖାତାକୁ ଚାଲିଗଲା ।
ବିଜୟ ପର ବିଜେପି ମଧ୍ୟ ପ୍ରଦେଶରେ ଶିବରାଜ ସିଂହ ଚୌହାନଙ୍କୁ ମୁଖ୍ୟମନ୍ତ୍ରୀ ନକରି ଜଣେ ଓବିସି ବିଧାୟକ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିବା ମାଧ୍ୟମରେ ୨୦୨୪ ସାଧାରଣ ନିର୍ବାଚନ ଓବିସି ଭୋଟ ହାତେଇବାକୁ ମୂଳଦୁଆ ପକାଇଛି । ଗତକାଲି ଭୋପାଳରେ ହୋଇଥିବା ବିଧାୟକ ଦଳ ବୈଠକରେ ସମସ୍ତଙ୍କୁ ଚକିତ କଲା ଭଳି ମୋହନ ଯାଦବଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀ ହେବାକୁ ଲବିରେ ଥିବା ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିହ ତୋମରଙ୍କୁ ରାଜ୍ୟ ବିଧାନସଭା ବାଚସ୍ପତି କରାଯିବା ନିଷ୍ପତ୍ତି ହୋଇଥିଲେ । ୨୦୨୩ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ଆଶାତୀତ ବିଜୟ ପାଇଁ ତାଙ୍କ ମହିଳା ସପକ୍ଷବାଦୀ ନୀତିକୁ ଶ୍ରେୟ ଦେବା ସହ କେନ୍ଦ୍ରୀୟ ନେତୃତ୍ୱର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗତ ଏକ ସପ୍ତାହ ହେଲା ନାଟକବାଜୀ ଚଳାଇ ଥିବା ବିଦାୟୀ ମୁଖ୍ୟମନ୍ତ୍ରୀ ଚୌହାନ ଶେଷରେ ନରାଶ ହୋଇଥିଲେ ।
ଛତିଶଗଡ ଭଳି ମଧ୍ୟ ପ୍ରଦେଶରେ ମଧ୍ୟବିଜେପି ମୁଖ୍ୟମନ୍ତ୍ରୀ ସହ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରି ଅନ୍ୟ ଜାତିଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛି । ଛତିଶଗଡରେ ବିଜେପି ୨୦୨୩ ବିଧାନସଭା ନିର୍ବାଚନରେ ସର୍ବାଧିକ ୧୮ଟି ଆସନ ଆଦିବାସୀ ଅଂଚଳରୁ ପାଇଛି । ତେଣୁ, ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ସମେତ ସମସ୍ତ ଆଶାୟୀଙ୍କୁ ପଛକୁ ଠେଲି ଆଦିବାସୀ ବିଧାୟକ ବିଷ୍ଣୁ ଦେବ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ସାଏଙ୍କ ସହ ରାଜ୍ୟରେ ଦୁଇ ଜଣ ଉପ ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି । ଛତିଶଗଡରେ କଂଗ୍ରେସ ସରକାର ଥିଲା । ଭୂପେଶ ବାଘେଲା ମୁଖ୍ୟମନ୍ତ୍ରୀ ଥିଲେ । ୨୦୨୩ରେ ମଧ୍ୟ ସେ କ୍ଷମତାକୁ ଫେରୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ସର୍ଭେରେ ଆକଳନ କରାଯାଇଥିଲା । କିନ୍ତୁ, ସମସ୍ତଙ୍କୁ ଚକିତ କଲା ଭଳି ଏହି ଆଦିବାସୀ ବହୁଳ ରାଜ୍ୟର ଆଦିବାସୀ ମତଦାତାମାନେ ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସ ହାତ ଛାଡି ବିଜେପିକୁ ବିପୁଳ ସମର୍ଥନ ଦେଇଥିବାରୁ ବାଘେଲାଙ୍କ ଲଗାତର ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ଅଧୁରା ରହିଗଲା ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ହିନ୍ଦିଭାଷୀ ବହୁଳ ରାଜ୍ୟ ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ବିଜେପିକୁ ମିଳିଥିବା ବିପୁଳ ବିଜୟ ବିଜେପି ନେତୃତ୍ୱ ଓ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଭରି ଦେଇଛି । ମୋଦୀ ଲଗାତର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେଉଥିବାର ଏହା ଆଗୁଆ ସୂଚନା ବୋଲି ଦଳର ନେତାମାନେ ଦୃଢୋକ୍ତି ପ୍ରକାଶ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜ ଢୋଲ ନିଜେ ପିଟିବାକୁ ପଛାଉ ନାହାନ୍ତି । ଏହି ତିନି ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ‘ଇଣ୍ଡିଆ’ ମେଂଟ ଅଂଶୀଦାରଙ୍କ ମଧ୍ୟରେ ଥିବା ‘ଅହଂଯୁଦ୍ଧ’କୁ ମଧ୍ୟ ସାମ୍ନାକୁ ଆଣିଛି । ଯାହାକି ଆଗାମୀ ସାଧାରଣ ନିର୍ବାଚନରେ ମତଦାତାଙ୍କୁ ବିଜେପି ସପକ୍ଷରେ ମତଦାନ କରିବାକୁ ପ୍ରବର୍ତ୍ତାଇବ ବୋଲି ବିଜେପି ଆଶା କରୁଛି ।
ଇତିମଧ୍ୟରେ ସୁପ୍ରିମ କୋର୍ଟ ୨୦୧୯ ଅଗଷ୍ଟରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିବା ନିଷ୍ପତ୍ତି ବୈଧ ଥିଲା ବୋଲି ସୋମବାର (ଡିସେମ୍ବର ୧୧ରେ)ଏକ ଐତିହାସିକ ରାୟ ଦେଇ ବିଜେପି ନେତୃତ୍ୱର ଉତ୍ସାହ ବଢାଇ ଦେଇଛନ୍ତି । ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବା ସହ ରାଜ୍ୟର ପୁନର୍ଗଠନ କରାଯାଇ ଜମ୍ମୁ-କଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳ କରାଯିବା ପଛରେ ରାଷ୍ଟ୍ରପତିଙ୍କ କୌଣସି ମନ୍ଦ ଉଦ୍ଦେଶ୍ୟ ନଥିଲା ବୋଲି ସୁପ୍ରିମ କୋର୍ଟର ପାଂଚ ଜଣିଆ ସାମ୍ବିଧାନିକ ବେଂଚ ରାୟ ଦେବା ସହ ଜମ୍ମୁ-କଶ୍ମୀରକୁ ତୁରନ୍ତ ଏକ ପୂର୍ଣ୍ଣାଂଗ ରାଜ୍ୟର ମନ୍ୟତା ଦେବାକୁ ଓ ୨୦୨୪ ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ନିର୍ବାଚନ କରାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟଙ୍କ ରାୟକୁ ନେଇ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ, ବିଶେଷକରି ଜମ୍ମୁ-କଶ୍ମୀରର ରାଜନୈତିକ ଦଳମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ରାଜ୍ୟରେ ୩୭୦ ଧାରାର ପୁନଃ ପ୍ରତିଷ୍ଠା ପାଇଁ ଲମ୍ବା ଲଢେଇ ଜାରି ରହିବ ବୋଲି ଗତକାଲି କହିଥିବା ବେଳେ ଶାନ୍ତି, ସ୍ଥିରତା ଓ ବିକାଶମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟରେ ସମୃଦ୍ଧ ପାଇଁ ସୁପ୍ରିମ କୋର୍ଟଙ୍କ ରାୟ ସରକାରଙ୍କୁ ବଳ ଦେଇଛି ବୋଲି ବିଜେପି ନେତୃବର୍ଗ କହିଛନ୍ତି ।
ସିଲ୍କୟାରା ଟନେଲରୁ ଶ୍ରମିକ ଉଦ୍ଧାରରୁ ଆରମ୍ଭ କରି ଗତକାଲି ଜାମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ନେଇ ସୁପ୍ରିମ କୋର୍ଟ ସାମ୍ବିଧାନିକ ବେଂଚ ଦେଇଥିବା ରାୟ ପର୍ଯ୍ୟନ୍ତ ସବୁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର ଭାବମୂର୍ତ୍ତିକୁ ଉଜ୍ୱଳ କରିଥିବା ବେଳେ ବିରୋଧୀ କଂଗ୍ରେସ ଦଳ ଘୋର ଭାବମୂର୍ତ୍ତି ସଂକଟ ମଧ୍ୟରେ ଗତି କରୁଥିବାରୁ ୨୦୨୪ରେ କଣ ହେବ (?) – ଆଜି ଦିନରେ ତାହା ବଡ ପ୍ରଶ୍ନ ହୋଇଛି । ତେବେ, ଆସନ୍ତା ଏପ୍ରିଲ-ମେ’ରେ ସାଧାରଣ ନିର୍ବାଚନ ହେଲେ ପୁରୁଣା ପ୍ରସଙ୍ଗ ସବୁ ଧୋଇ ଯାଇଥିବ ନୂଆ ପ୍ରସଙ୍ଗ ଆସି ଯାଇଥିବ । ତେଣୁ, କଂଗ୍ରେସ ବା ଇଣ୍ଡିଆ ମେଂଟ ବ୍ୟତିବ୍ୟସ୍ତ ହେବାର କାରଣ ନାହିଁ ବୋଲି ମେଂଟ ଅଂଶୀଦାର କହୁଛନ୍ତି । ସେମାନେ ୨୦୨୪ରେ ବିଜେପିର ମୁକାବିଲା ପାଇଁ ସକ୍ଷମ ବୋଲି ମଧ୍ୟ ଦାବି କରୁଛନ୍ତି । ତେବେ, ୨୦୨୪ ନିର୍ବାଚନ ପୂର୍ବରୁ ୨୦୧୯ର ପୁଲୁୱାମା, ବାଲାକୋଟ ଭଳି କିଛି ଅଘଟଣା ଘଟିବନି, ଏକଥା କିଏ କହି ପାରିବ ?
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS