ଲୋକସଭାରେ ଗୁରୁତର ସୁରକ୍ଷା ବିଭ୍ରାଟ, ଚାରି ଜଣ ଅଟକ


ନୂଆଦିଲ୍ଲୀ
ଡିସେମ୍ବର ୧୩
ସଂସଦର ଶୀତ ଅଧିବେଶନ ଚାଲି ଥିବାରୁ ସଂସଦ ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ଆଜି ଦିନ ଗୋଟାଏ ସମୟରେ ଲୋକସଭାରୁ ବଡ ଧରଣର ସୁରକ୍ଷା ଭଂଗ ଖବର ଆସିଛି । ଲୋକସଭାରେ ଶୂନ୍ୟକାଳ ଚାଲିଥିବା ସମୟରେ ଦିନ ଗୋଟାଏ ବାଜି ଦୁଇ ମିନିଟ ସମୟରେ ହଠାତ୍ ଦୁଇ ଜଣ ବ୍ୟକ୍ତି ହାତରେ ଧରି ଥିବା ଧାତବ ‘କେନ୍’ରୁ ଅଜ୍ଞାତ ହଳଦିଆ ରଂଗର ଧୂଆଁ ଛାଡିବା ସହ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚ୍ୟାମ୍ବର ଆଡକୁ ଡିଆଁ ମାରିଥିଲେ । ଦୁହିଁଙ୍କ ମଧ୍ୟରୁ ଗାଢ ନୀଳ ରଂଗର ଅଂଗି (ସାଟ) ପିନ୍ଧିଥିବା ଜଣେ ବ୍ୟକ୍ତି ସୁରକ୍ଷା କର୍ମୀଙ୍କ ହାତରେ ଧରା ନପଡିବା ପାଇଁ ଲୋକସଭା ଚ୍ୟାମ୍ବରରେ ଧାଉଁଥିବା ବେଳେ ଅନ୍ୟ ଜଣକ ଦର୍ଶକ ଗ୍ୟାଲେରୀରୁ ହଳଦିଆ ରଂଗର ଧୂଆଁ ଛାଡିବା ଜାରି ରଖିଥିବା ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି । ଲୋକସଭାରେ ଉପସ୍ଥିତ ସାଂସଦ ଓ ସୁରକ୍ଷା କର୍ମୀମାନେ ଏହି ଦୁଇ ଜଣଙ୍କୁ ମାଡି ବସିବାରେ ସଫଳ ହୋଇଛନ୍ତି । ଏହି ଘଟଣା ପରେ ଲୋକସଭାରେ ହୋହାଲ୍ଲା ଲାଗି ରହିଥିଲା । ଦିନ ଦୁଇଟାରେ ଲୋକସଭା ସ୍ୱାଭାବିକ ହେବା ପରେ ବାଚସ୍ପତି ଓମ୍ ବିରଳା ବିବୃତି ଦେଇ ଘଟଣାର ତଦନ୍ତ ଚାଲିଛି ଏବଂ ଦିଲ୍ଲୀ ପୁଲିସକୁ ତଦନ୍ତରେ ସହାୟତା କରିବାକୁ କୁହାଯାଇଛି ବୋଲି କହିଛନ୍ତି । ଘଟଣାରେ ସଂପୃକ୍ତ ଦୁଇ ଜଣ ଧରା ପଡିଛନ୍ତି ଏବଂ ସେମାନଙ୍କ ନିକଟରୁ ଅଜ୍ଞାତ ହଳଦିଆ ଧୂଆଁ ନିର୍ଗତ ହୋଇଥିବା କେନ୍ ଦୁଇଟି ଜବତ କରାଯାଇଛି । ଦୁର୍ବୁତ୍ତ ଦୁଇ ଜଣଙ୍କ ନାମ ସାଗର ଶର୍ମା ଓ ଡି.ମନୋରଂଜନ ବୋଲି ଜଣାପଡିଛି । ପାର୍ଲାମେଂଟ ବାହାରେ ସେମାନଙ୍କୁ ଗିରଫ କରାଯାଇଛି । ଧରା ପଡି ଥିବା ଦୁଇ ଜଣଙ୍କ ନିକଟରୁ ଗୋଟିଏ ଭିଜିଟର୍ସ ପାସ୍ ଜବତ କରାଯାଇଛି । ଯାହାକି କର୍ଣ୍ଣାଟକ ରାଜ୍ୟ ମହିଶୂରର ବିଜେପି ସାଂସଦ ପ୍ରତାପ ସିଂହାଙ୍କ କାର୍ଯ୍ୟାଳୟରୁ ଇସ୍ୟୁ ହୋଇଥିବା ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି । ଯେକୌଣସି ବାହାର ଲୋକଙ୍କୁ (ଭିଜିଟର) ପାର୍ଲାମେଂଟରେ ପ୍ରବେଶ ପାଇଁ ପାଂଚ ପର୍ଯ୍ୟାୟ ନିରାପତ୍ତା ବଳୟକୁ ଅତିକ୍ରମ କରିବାକୁ ପଡିଥାଏ । କଂଗ୍ରେସ ସାଂସଦ କୀର୍ତ୍ତି ଚିଦମ୍ବରମ ଏନଡିଟିଭିକୁ କହିଛନ୍ତି, ସେ ପ୍ରଥମେ ଭାବି ନେଇଥିଲେ କେହି ଜଣେ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚ୍ୟାମ୍ବରକୁ ଖସି ପଡିଲା । ପରେ, ଆଉ ଜଣେ ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚ୍ୟାମ୍ବରକୁ ଡେଇଁବାରୁ ତାହା ଲୋକସଭା ସୁରକ୍ଷା ଭଂଗ ହୋଇଥିବା ସ୍ପଷ୍ଟ କରିଥିଲା । ସେମାନେ ଧରିଥିବା କେନ୍ ରୁ ଯେଉଁ ହଳିଦିଆ ଧୂଆଁ ସ୍ପ୍ରେ ହୋଇଥିଲା ତାହା ଯଦି ବିଷାକ୍ତ ହୋଇଥା’ନ୍ତ ତେବେ କଣ ହୋଇଥା’ନ୍ତ ବୋଲି ଚିଦମ୍ବରମ ପ୍ରଶ୍ନ କରିଛନ୍ତି । ଦର୍ଶକ ଗ୍ୟାଲେରୀରୁ ଲୋକସଭା ଚ୍ୟାମ୍ବରକୁ ଡେଇଁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବାଚସ୍ପତିଙ୍କ ଚୌକି ଆଡକୁ ଧାଇଁବା ଘଟଣା ଆଜି ଦିନର ଗୁରୁତର ସୁରକ୍ଷା ବିଚ୍ୟୁତି ଥିଲା ବୋଲି କୀର୍ତ୍ତି କହିଛନ୍ତି । ଆଜିର ଅଭିଜ୍ଞତା ଏକ ‘ଭୟଙ୍କର ଅଭିଜ୍ଞତା ଥିଲା’ ବୋଲି ଟିଏମସି ସାଂସଦ ସୁଦୀପ ବନେ୍ଦାପାଧ୍ୟାୟ କହିଛନ୍ତି । ଇତିମଧ୍ୟରେ, ସଂସଦ ଭବନ ବାହାରେ ଅନ୍ୟ ଦୁଇ ଜଣ (ଜଣେ ପୁରୁଷ ଓ ଜଣେ ମହିଳା) ଧରା ପଡିଛନ୍ତି । ସେମାନଙ୍କ ହାତରେ ମଧ୍ୟ ଧାତବ କେନ୍ ଥିଲା ଏବଂ ସେଥିରୁ ନାଲି ଓ ହଳଦିଆ ଧୂଆଁ ନିର୍ଗତ ହୋଇଥିଲା । ସେମାନଙ୍କୁ ଅଟକ ରଖା ଯାଇଛି । ସଂସଦ ଭବନ ବାହାରେ ଧରା ପଡିଥିବା ଦୁଇ ଜଣ ହେଉଛନ୍ତି ଅମୋଲ ସିନ୍ଧେ (୨୫) ଓ ନୀଲମ (୪୨) । ଦୁଇଟି ଯାକ ଘଟଣା ମଧ୍ୟରେ ସଂପର୍କ ରହିଛି ବୋଲି ଦିଲ୍ଲୀ ପୁଲିସ ଅନୁମାନ କରୁଥିବା ଗଣମାଧ୍ୟମକୁ କହିଛି । ‘ଏକଛତ୍ରବାଦ ଚଳିବ ନାହିଁ’ ବୋଲି ଧରା ପଡିଥିବା ଦୁଇ ଜଣ ସ୍ଲୋଗାନ ଦେଉଥିବା ଭିଜୁଆଲ୍ସରୁ ଦେଖିବାକୁ ମିଳିଛି । ଏଠାରେ ସୂଚନାଯୋଗ୍ୟ କି, ୨୦୦୧ ଡିସେମ୍ବର ୧୩ ତାରିଖ ଦିନ ପୁରୁଣା ସଂସଦ ଭବନ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଆଜି ତାହାର ୨୨ତମ ବର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଅତଙ୍କୀ ଆକ୍ରମଣରେ ମୃତ ୦୯ ଜଣଙ୍କ ପ୍ରତି ସକାଳେ ଶ୍ରଦ୍ଧାଂଜଳୀ ଅର୍ପଣ କରିବାର କିଛି ଘଂଟା ପରେ ଲୋକସଭାର ଶୂନ୍ୟକାଳରେ ଓ ସଂସଦ ବାହାରେ ଏଭଳି ଗୁରୁତର ସୁରକ୍ଷା ଭଂଗ ଘଟଣା ଘଟିଛି । ଏହାକୁ ନେଇ ଆଜି ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୁ ତୁ…ମେଁ ମେଁ ଚାଲିଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଲୋକସଭାରେ ଆଜି ଯାହା ଘଟିଲା ତାହା ଗୁରୁତର ସୁରକ୍ଷା ବିଚ୍ୟୁତି ବୋଲି କହିବା ସହ ଗୃହର କାର୍ଯ୍ୟ ସ୍ଥଗିତ ରଖା ଯିବାକୁ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସଦନର ଉଭୟ ଗୃହରେ ଉପସ୍ଥିତ ହୋଇ ଏହା ଉପରେ ବିସ୍ତୃତ ବିବରଣୀ ରଖିବାକୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକରଙ୍କ ନିକଟରେ ଦାବି କରିଛନ୍ତି । ଅପରପକ୍ଷରେ, ଏଭଳି ଏକ ସମୟରେ ବରିଷ୍ଠମାନଙ୍କ ଗୃହ ରାଜ୍ୟସଭାରୁ ‘ଆମେ ସମସ୍ତେ ଏକାଠି ଅଛୁ ଓ ଦୃଢ ରହିଛୁ’ ବୋଲି ବାର୍ତ୍ତା ଯିବା ଉଚିତ ବୋଲି ରାଜ୍ୟସଭାରେ ଶାସକ ଦଳ ନେତା ଥିବା କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟେଲ କହିଛନ୍ତି । କଂଗ୍ରେସ ଘଟଣାର ରାଜନୀତିକରଣ କରୁଛି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ‘ଆମେ ସର୍ବଦା ଦେଶର ଏକତା ଓ ଅଖଣ୍ଡତା ସହିତ ରହିଛୁ’ ବୋଲି କଂଗ୍ରେସ ଜବାବ ଦେଇଛି । ସଂସଦରେ କଂଗ୍ରେସ ଓ ବିଜେପି ମଧ୍ୟମରେ ଏଭଳି ଆକ୍ଷେପ, ପ୍ରତ୍ୟାକ୍ଷେପ ଚାଲିଥିବା ସମୟରେ କଂଗ୍ରେସ ସଭାପତି ଖାର୍ଗେ ‘ଏକ୍ସ’ରେ ଏକ ପୋଷ୍ଟ କରି ଏକ ପୋଷ୍ଟ କରି ଦୁଇ ଜଣ ବ୍ୟକ୍ତି ଗ୍ୟାସ୍ ଭର୍ତ୍ତି ଧାତବ କେନ୍ ସହ କେମିତି ପାର୍ଲାମେଂଟରେ ପ୍ରବେଶ କଲେ ଏବଂ ଲୋକସଭା ଦର୍ଶକ ଗ୍ୟାଲେରୀ ପର୍ଯ୍ୟନ୍ତ ପହଂଚି ଶୂନ୍ୟକାଳରେ ତାହାର ପ୍ରୟୋଗ କଲେ କେନ୍ଦ୍ର ସରକାର ଉତ୍ତର ଦେବାକୁ ଦାବି କରିଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଘଟଣାରେ ସଂପୃକ୍ତ ଦୁଇ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଓ ତଦନ୍ତ ଚାଲିିଛି କହି ବିରୋଧୀଙ୍କୁ ଆଶ୍ୱସ୍ତ କରିବାକୁ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS