ବୁଧବାର ଘଟଣା ଷଡଯନ୍ତ୍ର ନା ସରକାର-ବିରୋଧୀ ଆକ୍ରୋଶର ପ୍ରତିଫଳନ ?
ପ୍ରସାଦ ରାଓ
ଡିସେମ୍ବର ୧୫
ବୁଧବାର ଅପରାହ୍ନରେ ଲୋକସଭାରେ ଯେଉଁ ଘଟଣା ଘଟିଲା ତାହା ପଛରେ କାହାରି ଷଡଯନ୍ତ୍ର ରହିଛି କି ସରକାର-ବିରୋଧୀ ଆକ୍ରୋଶ (?) ତାହା ଆଜି ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ଦିଲ୍ଲୀ ପୁଲିସ ଅଭିଯୁକ୍ତମାନଙ୍କୁ ଦିଲ୍ଲୀର ଏକ ଅଦାଲତରେ ପେସ୍ କରି ସାତ ଦିନିଆ ରିମାଣ୍ଡରେ ଆଣି ଜେରା କରୁଥିଲେ ମଧ୍ୟ କୌଣସି ସ୍ଥିର ସିଦ୍ଧାନ୍ତରେ ପହଂଚି ନାହାନ୍ତି । ଅଭିଯୁକ୍ତମାନେ ପୁଲିସ ଜେରା ସମୟରେ କହିଛନ୍ତି, ସେମାନେ ଚାଷୀ ଆନ୍ଦୋଳନ, ମଣିପୁର ପରିସ୍ଥିତି ଓ ବେକାର ସମସ୍ୟାକୁ ନେଇ ଚିନ୍ତିତ ଥଲେ । ତେଣୁ, ସରକାରଙ୍କ ନିକଟରେ ନିଜର ପ୍ରତିବାଦର ସ୍ୱର ପହଂଚାଇବା ପାଇଁ ଏଭଳି ଏକ ଅଭାବନୀୟ ଘଟଣା ଘଟାଇ ଥିଲେ । ଅନ୍ୟପକ୍ଷରେ, କେନ୍ଦ୍ର ସରକାର ଏହା ପଛରେ ଷଡଯନ୍ତ୍ରର ଗନ୍ଧ ବାରୁଥିବାରୁ ଦିଲ୍ଲୀ ପୁଲିସ ସେହି ଦୃଷ୍ଟିଭଂଗୀ ରଖି ତଦନ୍ତକୁ ଆଗକୁ ନେଉଥିବା ଦେଖିବାକୁ ମିଳୁଛି ।
ବୁଧବାର ସଂସଦରେ ଅଘଟଣ ଘଟାଇ ଥିବା ଦୁଇ ଯୁବକ ବିିଧିବଦ୍ଧ ଭାବେ ଶାସକ ଦଳର ଜଣେ ସାଂସଦଙ୍କ କାର୍ଯ୍ୟାଳୟରୁ ପ୍ରବେଶ ଅନୁମତିପତ୍ର ସଂଗ୍ରହ କରି ଚାରି ପର୍ଯ୍ୟାୟ ସୁରକ୍ଷା ବଳୟ ଭେଦ କରିବା ପରେ ଲୋକସଭା ଦର୍ଶକ ଗ୍ୟାଲେରୀରେ ପ୍ରବେଶ କରିଥିଲେ । ସେପର୍ଯ୍ୟନ୍ତ ସବୁ କିଛି ଆଇନ ସମ୍ମତ ଥିଲା । ତାହା ପରେ ଯାହା ଘଟିଲା ସେସବୁ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଫୁ’ କଲା ଭଳି । ସେମାନେ ଦର୍ଶକ ଗ୍ୟାଲେରୀରେ ଥାଇ ଜୋତାରେ ଲୁଚାଇ ନେଇଥିବା ଧୂଆଁ ନିର୍ଗତ କରୁଥିବା କେନଷ୍ଟର ଫୁଟାଇ ଥିଲେ । କେନଷ୍ଟରରୁ ହଳଦିଆ ରଂଗର ଧୂମ୍ର ନିର୍ଗତ କରି ଲୋକସଭାର ଶୂନ୍ୟକାଳ ଚାଲିଥିବା ବେଳେ ସାଂସଦମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଲୋକସଭା ଦର୍ଶକ ଗ୍ୟାଲେରୀରୁ ସାଂସଦମାନେ ବସୁଥିବା କକ୍ଷକୁ ଲଂପ ଦେଇ ଧରା ପଡିବା ଭୟରେ ଚଉକି, ବେଂଚ ଡେଇଁ ପଳାୟନ ଉଦ୍ୟମ କରିଥିଲେ । ତେବେ, ସାଂସଦମାନେ ତାଙ୍କୁ ମାଡି ବସିବା ସହ ଉତ୍ତମ ମଧ୍ୟମ ଦେଇ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ ।
ଏହା ଥିଲା ସଂପୂର୍ଣ୍ଣ ଭାବେ ଆଇନ ବହିର୍ଭୁତ କାର୍ଯ୍ୟ । ପ୍ରଥମତଃ, ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦର ନିଜସ୍ୱ ଗାରିମା ରହିଛି । ଦେଶର ୧୪୦ କୋଟି ଜନତାର ପ୍ରତିନିଧିତ୍ୱ କରୁଥିବା ସାଂସଦମାନଙ୍କୁ ସଂସଦ ଭବନ ଭିତରେ ସୁରକ୍ଷା ଯୋଗାଇ ଦେବାର ଗୁରୁଦାୟିତ୍ୱ ହେଉଛି ସରକାରଙ୍କର । ୨୦୦୧ ଡିସେମ୍ବର ୧୩ ତାରିଖରେ ପୁରୁଣା ସଂସଦ ଭବନ ଉପରେ ପାକ୍ ସମର୍ଥିତ ଏକ ଆତଙ୍କବାଦୀ ସଂଗଠନ ପକ୍ଷରୁ ଆକ୍ରମଣ ହୋଇ ଆଠ ଜଣ ସୁରକ୍ଷା କର୍ମୀଙ୍କ ସମେତ ମୋଟ ୯ ଜଣଙ୍କ ମୃତ୍ୟୁ ଘଟିବା ପରେ ସଂସଦ ଭବନର ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦିଆଯାଇଛି । ସଂସଦ ଭିତରେ ପ୍ରବେଶ କରୁଥିବା ସାଂସଦ, ସଂସଦ କର୍ମଚାରୀ, ସାମ୍ବାଦିକଙ୍କଠାରୁ ଆରମ୍ଭ କରି ସଂସଦ କାର୍ଯ୍ୟ ଦେଖିବାକୁ ଯାଉଥିବା ସାଧାରଣ ଦର୍ଶକ ମଧ୍ୟ ଏକାଧିକ ପର୍ଯ୍ୟାୟ ସୁରକ୍ଷା ବଳୟ ଅତିକ୍ରମ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ପରିସ୍ଥିତିରେ ସୁରକ୍ଷା କର୍ମଚାରୀଙ୍କ ଭ୍ରମିତ କରି ସଂସଦ ଭବନକୁ ଧୂମ୍ର ନିର୍ଗତ କରୁଥିବା କେନଷ୍ଟର ନେଇ ପ୍ରବେଶ କରିବା ଏବଂ ଲୋକସଭା ଗ୍ୟାଲରୀରୁ ସେହି ଧୂମ୍ର ନିର୍ଗତ କରି ସାଂସଦଙ୍କୁ ଆତଙ୍କି କରିବା ନିଶ୍ଚିତ ଭାବେ ଏକ ଗର୍ହିତ ବ୍ୟାପାର ।
ଏହାକୁ ସାଧାରଣ ପ୍ରତିବାଦ କହି ଆଖିବୁଜି ଦେବା ଅର୍ଥ ହେଉଛି ଆଗାମୀ ଦିନରେ ଆଉ ଏକ ବଡ ବିପଦକୁ ଡାକି ଆଣିବା । ତେଣୁ, ଦିଲ୍ଲୀ ପୁଲିସ ଏହାକୁ ସଂଜ୍ଞାନତାକୁ ନେଇ ଲୋକସଭା ଭିତରୁ ଧରା ପଡିଥିବା ଦୁଇ ଜଣଙ୍କ ସମେତ ସଂସଦ ଭବନ ବାହାରେ ଧରା ପଡିଥିବା ଅନ୍ୟ ଦୁଇ ଜଣ – ଏପରି ମୋଟ ଚାରି ଜଣଙ୍କୁ ଆତଙ୍କବାଦ-ନିରୋଧ ଆଇନ ୟୁଏପିଏ ଓ ଆଇପିସିର ବିଭିନ୍ନ ସଂଗୀନ ଦଫାରେ ଗିରଫ କରି କୋର୍ଟ ଚାଲାଣ କରିବା ସହ ସାତ ଦିନ ପାଇଁ ରିମାଣ୍ଡରେ ଆଣି ଜେରା କରୁଛନ୍ତି ଏବଂ ବୁଧବାର ଘଟଣା ପଛରେ ଅନ୍ୟ କିଛି ମନ୍ଦ ଉଦ୍ଦେଶ୍ୟ ଥିଲା କି ନାହିଁ ଜାଣିବା ଉଦ୍ୟମ କରୁଛନ୍ତି । ଦଳ, ମତ ନିର୍ବିଶେଷରେ ସାଂସଦମାନେ ମଧ୍ୟ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ଜଣେ ହେଲେ ସାଂସଦ ବୁଧବାର ଘଟଣାକୁ ଗୌଣ ଦୃଷ୍ଟିରେ ଦେଖି ନାହାନ୍ତି । ଗୁରୁବାର ଦିନ ବିରୋଧୀ ଦଳ ସାଂସଦଙ୍କ ପକ୍ଷରୁ ସଂସଦରେ ଯେଉଁ ହଟ୍ଟଗୋଳ ହୋଇଛି ତାହା ଏକମାତ୍ର ଦାବିକୁ ନେଇ – ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ସଂସଦର ଉଭୟ ସଦନରେ ଉପସ୍ଥିତ ହୋଇ ବୁଧବାର ଘଟଣାକୁ ନେଇ ବିସ୍ତୃତ ବିବରଣୀ ରଖନ୍ତୁ ।
ଲୋକସଭା ଭିତରେ ଓ ସଂସଦ ବାହାରେ ବୁଧବାର ଯେଉଁ ଘଟଣା ଘଟିଲା ତାହାର ସବୁ ଦିଗରୁ ତଦନ୍ତ ଚାଲିଛି ଏବଂ ଅଭିଯୁକ୍ତମାନେ ଗିରଫ ହୋଇ ତଦନ୍ତର ସାମ୍ନା କରୁଛନ୍ତି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଥିବା ବେଳେ ବିରୋଧୀ କଗ୍ରେସ ଓ ଅନ୍ୟ ଦଳମାନେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ସଂସଦର ଉଭୟ ସଦନରେ ଉପସ୍ଥିତ ହୋଇ ଘଟଣା ସଂପର୍କରେ ବିସ୍ତୃତ ବୟାନ ରଖିବାକୁ ଦାବି କରିବା ଏକ ରାଜନୈତିକ ପ୍ରକ୍ରିୟା ହୋଇଥିବା ବେଳେ ଗୃହ ମଧ୍ୟ ଭାଗକୁ ଯାଇ ହଟ୍ଟଗୋଳ କରିଥିବା ୧୪ ଜଣ ସାଂସଦଙ୍କୁ (ଲୋକସଭାର ୧୩ ଜଣ ଓ ରାଜ୍ୟସଭାର ଜଣେ) ଚଳିତ ମୌସୁମୀ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ନିଲମ୍ବିତ କରାଯିବା ଶାସକ ଦଳର ଏକଛତ୍ରବାଦର ଅନ୍ୟତମ ନମୂନା ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ସଂସଦରୁ ବିରୋଧୀ ସାଂସଦଙ୍କୁ ବିଭିନ୍ନ ଆଳରେ ନିଲମ୍ବନ କରାଯିବା ଏହା ପ୍ରଥମ ଘଟଣା ନୁହେଁ । ୨୦୧୪ ପରଠାରୁ ସଂସଦରେ ବିଭିନ୍ନ ସମୟରେ ପ୍ରତିବାଦର ସ୍ୱର ଉଠାଇ ଗୃହର ମଧ୍ୟ ଭାଗରେ ହଟ୍ଟଗାଳ କରିଥିବା ସାଂସଦଙ୍କୁ ନିଲମ୍ବନ କରାଯିବାର ଅନେକ ନଜରି ରହିଛି ।
କେବଳ ନିଲମ୍ବନ ନୁହେଁ, ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ବିରୋଧୀ ସାଂସଦଙ୍କୁ ଗୃହରୁ ବହିଷ୍କାର କରାଯିବା ମଧ୍ୟ ଗତ ଦଶ ବର୍ଷରେ ଏକ ଧାରାରେ ପରିଣତ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ସମୟରେ କର୍ଣ୍ଣାଟକର ଏକ ନିର୍ବାଚନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିବାକୁ ଯାଇ ‘ମୋଦୀ ସମାଜ’ ପ୍ରତି ଅପମାନସୂଚକ ଟିପ୍ପଣୀ ଦେଇଥିବା କାରଣରୁ ଗୁଜରାଟର ଏକ ନିମ୍ନ ଅଦାଲତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦଣ୍ଡିତ ହୋଇଥିବାରୁ ତାଙ୍କ ସାଂସଦ ପଦ ତୁରନ୍ତ ରଦ୍ଦ କରାଯାଇଥିଲା । ଦଣ୍ଡାଦେଶକୁ ସ୍ଥଗିତ ରଖାଯିବାକୁ ରାହୁଲ ଗୁଜରାଟ ହାଇକୋର୍ଟ ପର୍ଯ୍ୟନ୍ତ ଆବେଦନ କରି ଆଶ୍ୱସ୍ତ ପାଇନଥିଲେ । ସୁପ୍ରିମ କୋର୍ଟ ତାଙ୍କ ଦଣ୍ଡାଦେଶ ସ୍ଥଗିତ ରଖିବା ପରେ ସେ ସାଂସଦ ପଦ ଫେରି ପାଇଛନ୍ତି । ସେହିଭଳି, ପ୍ରଧାନମନ୍ତ୍ରୀ ମୋଦୀ ସରକାରଙ୍କ ଜଣେ କଟୁ ସମାଲୋଚକ ଭାବେ ପରିଚିତ ଟିଏମସି (ତୃଣମୂଳ କଂଗ୍ରେସ) ସାଂସଦ ମହୁଆ ମୈତ୍ର ଲୋକସଭାରେ ‘ପ୍ରଶ୍ନ ପଚାରିବା ପାଇଁ ଲାଂଚ’ ନେଇଥିବା ଅଭିଯୋଗରେ ଫସି ସଂସଦର ସଦାଚାର କମିଟି ଦେଇଥିବା ତଦନ୍ତ ରିପୋର୍ଟ ଭିତ୍ତିରେ ଲୋକସଭା ସଦସ୍ୟତାରୁ ବହିଷ୍କୃତ ହୋଇଛନ୍ତି ।
ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ସମୟରେ ସଦାଚାର କମିଟିର ଅଧ୍ୟକ୍ଷ ତାଙ୍କୁ ବ୍ୟକ୍ତିଗତ ପ୍ରଶ୍ନ କରି ଅପମାନିତ କରିବାକୁ ଉଦ୍ୟମ କରିବାରୁ ସେ ତାହାର ବିରୋଧ କରି ତଦନ୍ତକୁ ବର୍ଜନ କରିଥିଲେ । ସଦାଚାର କମିଟି ତାହାର ତଦନ୍ତ ରିପୋର୍ଟ ଓ ସୁପାରିଶ ଲୋକସଭାରେ ଉପସ୍ଥାପନ କରିବା ପରେ ହୋଇଥିବା ଆଲୋଚନାରେ ବାଚସ୍ପତି ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ନଦେଇ ଗଣତନ୍ତ୍ରର ହତ୍ୟା କରିଛନ୍ତି ବୋଲି ଅଭିଯୋଗ କରି ଲୋକସଭାରୁ ବହିଷ୍କୃତ ସାଂସଦ ମହୁଆ ମୈତ୍ର ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଡିସେମ୍ବର ୩ ତାରିଖରେ ଲୋକସଭା ଅଧ୍ୟକ୍ଷଙ୍କ ପକ୍ଷରୁ ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ଅବୈଧ କହି ମହୁଆ ତାଙ୍କ ସାଂସଦ ପଦ ବାହାଲ କରାଯିବାକୁ ସୁପ୍ରିମ କୋର୍ଟରେ ଆବେଦନ କରିଛନ୍ତି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଓ ଜଷ୍ଟିସ ଏସ.ଭି.ଭଟ୍ଟି ଜାନୁୟାରୀ ୩ ତାରିଖ ଏହାର ଶୁଣାଣୀ କରିବେ ।
ବୁଧବାର ଦିନ ଲୋକସଭାରେ ଘଟିଥିବା ଘଟଣା ଉପରେ ସରକାର ଜବାବ ଦିଅନ୍ତୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗୃହରେ ଉପସ୍ଥିତ ରହି ସରକାରଙ୍କ ଆଡୁ ଜବାବ ରଖନ୍ତୁ ବୋଲି ଗତକାଲି ସଂସଦର ଉଭୟ ଗୃହରେ ଦାବି କରି ବିଶୃଙ୍ଖଳା ଆଚରଣ ଅଭିଯୋଗରେ ଉଭୟ ଗୃହରୁ ନିଲମ୍ବିତ ହୋଇଥିବା ୧୪ ବିରୋଧୀ ଦଳ ସାଂସଦଙ୍କ ମଧ୍ୟରେ ଅଛନ୍ତି କଂଗ୍ରେସର ୦୯, ସିପିଏମ ଓ ଡିଏମକେର ଦୁଇ ଜଣ ଲେଖାଏଁ ଏବଂ ସିପିଆଇର ଜଣେ ସାଂସଦ । ରାଜ୍ୟସଭାରେ ମଧ୍ୟ ଟିଏମସି ସାଂସଦ ଡେରେକ ଓ’ବ୍ରେନଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ନିଲମ୍ବନ କରିଛନ୍ତି । ଏହା ‘ଗଣତନ୍ତ୍ରର ହତ୍ୟା’ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ୧୪ ସାଂସଦଙ୍କୁ ସଂସଦର ଶୀତ ଅଧିବେଶନ ସରିବା ପର୍ଯ୍ୟନ୍ତ ନିଲମ୍ବନ କରାଯିବା ‘ଜଘଣ୍ୟ ଓ ଅଗଣତାନ୍ତ୍ରିକ’ ବୋଲି କଂଗ୍ରେସ ରାଜ୍ୟସଭା ସାଂସଦ କେ.ସି.ବେଣୁଗୋପାଳ ଗତକାଲି ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି ।
ବେଣୁଗୋପାଳ ତାଙ୍କ ପୋଷ୍ଟରେ କହିଛନ୍ତି, ବୁଧବାର ଅପରାହ୍ନରେ ଲୋକସଭାରେ ଯାହା ଘଟିଲା ଦଳମତ ନିର୍ବିଶେଷରେ ସମସ୍ତ ସାଂସଦ ଚିନ୍ତିତ । କଂଗ୍ରେସ ସାଂସଦମାନେ ସରକାରଙ୍କୁ ଉତ୍ତରଦାୟୀ କରି ଜବାବ ମାଗିବାରୁ ସେମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ଅନ୍ୟପକ୍ଷରେ, ଯେଉଁ ବିଜେପି ସାଂସଦଙ୍କ ପାସ୍ ନେଇ ଅଭିଯୁକ୍ତମାନେ ସଂସଦରେ ପ୍ରବେଶ କରିବା ସହ ଲୋକସଭାରେ ବିଭ୍ରାଟ କରିଥିଲେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ଏହା ‘ଗଣତନ୍ତ୍ରର ହତ୍ୟା’ କହିବା ଠିକ ହେବ । ବିଜେପି ସରକାର ସଂସଦକୁ ‘ରବର ଷ୍ଟାଂପ’ରେ ପରିଣତ କରିଛନ୍ତି ବୋଲି ବେଣୁଗୋପାଳ ଅଭିଯୋଗ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ବୁଧବାର ଲୋକସଭାରେ ‘ସ୍ମୋକ୍ ବମ୍’ ଫୁଟାଇ ହାଂଗାମା କରିଥିବା ଦୁଇ ଯୁବକ ମହୀଶୂର (କର୍ଣ୍ଣାଟକ) ବିଜେପି ସାଂସଦ ପ୍ରତାପ ସିଂହ୍ମାଙ୍କ କାର୍ଯ୍ୟାଳୟରୁ ସଂସଦରେ ପ୍ରବେଶ ପାଇଁ ଅନୁମତିପତ୍ର ସଂଗ୍ରହ କରିଥିଲେ । ସେମାନେ ଧୂମ୍ର ନିଗତ କରିବାକୁ ଉଦ୍ଦିଷ୍ଟ ଥିବା କେନଷ୍ଟର ଯୋତା ଭିତରେ ଲୁଚାଇ ସଂସଦରେ ପ୍ରବେଶ କରିଥିଲେ ।
ଚାରି ପର୍ଯ୍ୟାୟ ସୁରକ୍ଷା ବାଡ ଡେଇଁ ଏହି ଦୁଇ ଯୁବକ ଲୋକସଭା ଦର୍ଶକ ଗ୍ୟାଲେରୀରେ ପହଂଚିବା ଏବଂ ଶୂନ୍ୟକାଳରେ ଲୋକସଭାରେ ଅଭାବନୀୟ ଘଟଣା ଘଟାଇବା ସଂସଦର ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଂଜ କଲା ଭଳି ଥିଲା । ଯାଂଚରେ ଅବହେଳା କରିଥିବା ଅଭିଯୋଗରେ ସଂସଦର ଆଠ ଜଣ ସୁରକ୍ଷା କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଲୋକସଭାରେ ହଳଦିଆ ରଂଗ ଧୂଆଁ ଛାଡିବା ଏବଂ ଦର୍ଶକ ଗ୍ୟାଲେରୀରୁ ସାଂସଦ କ୍ୟାବିନେଟକୁ ଡେଇଁ ଆତଙ୍କର ବାତାବରଣ ସୃଷ୍ଟି କରିବା ଅଭିଯୋଗରେ ସାଗର ଶର୍ମା ଓ ଡି.ମନୋରଂଜନ ନାମକ ଦୁଇ ଯୁବକ ସଂସଦ ଭିତରୁ ଗିରଫ ହୋଇଥିବା ବେଳେ ଏକାଭଳି ହଳଦିଆ ଓ ନାଲି ରଂଗର ଧୂଆଁ ଛାଡି ‘ଏକଛତ୍ରବାଦ ଚଳିବ ନାହିଁ’ ବୋଲି ସ୍ଲୋଗାନ ଦେଉଥିବା ଅମୋଲ ସିନ୍ଧେ (୨୫) ଓ ନୀଲମ (୪୨) ଆତଙ୍କବାଦ-ନିରୋଧ ଆଇନ ବଳରେ ସଂସଦ ଭବନ ବାହାରୁ ଗିରଫ ହୋଇଛନ୍ତି । ସେମାନଙ୍କୁ ଗୁରୁଗ୍ରାମରେ ନିଜ ଘରେ ଆଶ୍ରୟ ଦେଇଥିବା ଅଭିଯୋଗରେ ବିଶାଳ ଶର୍ମା ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଲଲିତ ଝା ନାମକ ଆଉ ଜଣେ ସନ୍ଦିଗ୍ଧ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି ।
ଲଳିତ କୋଲକତାରେ ଶିକ୍ଷକତା କରେ ଏବଂ କେତେକ ଏନଜିଓ ସହ ସଂପୃକ୍ତ । ବୁଧବାର ଘଟିଥିବା ଘଟଣାର ସେ ମାଷ୍ଟରମାଇଣ୍ଡ ବୋଲି ଦିଲ୍ଲୀ ପୁଲିସ କହୁଛି । ସମସ୍ତ ଅଭିଯୁକ୍ତ ଭିନ୍ନ ଭିନ୍ନ ରାଜ୍ୟର । ସାମାଜିକ ଗଣମାଧ୍ୟମରେ ସେମାନେ ନିଜ ଭିତରେ ଲଗାତର ସଂପର୍କରେ ଥିଲେ । ଲଳିତଙ୍କ ପ୍ରରୋଚନାରେ ସେମାନେ ୧୮ ମାସ ହେଲା ଏହି ପ୍ରଦର୍ଶନର ଯୋଜନା କରୁଥିଲେ ବୋଲି ଦିଲ୍ଲୀ ପୁଲିସ ତଦନ୍ତରୁ ଜଣାପଡିଛି । ଯୁବକମାନେ ଶିକ୍ଷିତ, କିନ୍ତୁ ବେକାର । ଚାଷୀ ଆନ୍ଦୋଳନ, ମଣିପୁର ସଂକଟ ଓ ବେକାର ସମସ୍ୟାକୁ ନେଇ ହତାଶାରେ ଥିବାରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଏଭଳି କାଣ୍ଡ ଘଟାଇଲେ ବୋଲି ଅଭିଯୁକ୍ତମାନେ କହୁଥିଲେ ମଧ୍ୟ ସେମାନେ ନିଜ ହତାଶା ଭାବ ପ୍ରଦର୍ଶନ ପାଇଁ ସଂସଦ ଭବନରେ ପ୍ରବେଶ କରିବାକୁ ୨୦୦୧ରେ ପୁରୁଣା ସଂସଦ ଭବନ ଉପରେ ହୋଇଥିବା ଆକ୍ରମଣ ଦିନକୁ (ଡିସେମ୍ବର ୧୩ ତାରିଖ) ହିଁ କାହିଁକି ବାଛିଲେ – ସେନେଇ ପ୍ରଶ୍ନ ହେଉଛି ।
ଦେଶରେ ଆକାଶଛୁଆଁ ଦରଦାମ ବୃଦ୍ଧି ସହ କର୍ମନିଯୁକ୍ତିର ଅଭାବ କାରଣରୁ ଶିକ୍ଷିତ ବେକାରଙ୍କ ମଧ୍ୟରେ ହତାଶା ବଢିବାରେ ଲାଗିଛି । ଚାଷୀମାନେ ସେମାନଙ୍କ ଉତ୍ପାଦନର ଉଚିତ ମୂଲ୍ୟ ପାଉନଥିବା ଦର୍ଶାଇ ଏମଏସପିକୁ ଆଇନଗତ ମାନ୍ୟତା ଦିଆଯିବାକୁ ଦାବି କରି ଆସୁୁଛନ୍ତି । ତିନି କୃଷି ଆଇନ ପ୍ରତ୍ୟାହାର କରିବା ସମୟରେ ସରକାର ଏମଏସପିକୁ ଆଇନଗତ ମାନ୍ୟତା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇ ନାହିଁ । ମଣିପୁରରେ ଗତ ମେ’ ମାସରୁ ଜାତିଗତ ହିଂସା ଲାଗି ରହିଥିଲେ ମଧ୍ୟ ସରକାର ସେଥିପ୍ରତି ଉଦାସୀନ । ଦେଶର ବିଭିନ୍ନ ଗଣତାନ୍ତ୍ରିକ ସଂସ୍ଥାକୁ ସରକାର କବଳିତ କରିଥିବା ଏବଂ ବିଭିନ୍ନ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ମାଧ୍ୟମରେ ବିରୋଧୀ ସ୍ୱରକୁ ଦମନ କରୁଥିବା ବିରୋଧୀ ଦଳମାନେ ଅଭିଯୋଗ କରିଆସୁଛନ୍ତି ।
ତେବେ, ଜନସାଧାରଣରେ ଯାହାବି ଅଶାନ୍ତି ଓ ଅସନ୍ତୋଷ ଥାଉ ଭୋଟରେ ତାହା ପ୍ରତିଫଳିତ ହେବା ଦେଖିବାକୁ ମିଳୁ ନାହିଁ । ନିକଟରେ ସରିଥିବା ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ବିଧାନସଭା ନିର୍ବାଚନ ଫଳାଫଳ ଏହାର ଜ୍ୱଳନ୍ତ ଉଦାହରଣ । ଏହି ତିନିଟି ରାଜ୍ୟରେ ବିଜେପି ବହୁମତ ପାଇ କ୍ଷମତାକୁ ଆସିଛି । ଅଗକୁ ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି । ଏଭଳି ସମୟରେ କିଛି ମୁଷ୍ଠିମେୟ ଯୁବକ ସଂସଦ ଭିତରେ ପ୍ରବେଶ କରି ଅଭାବନୀୟ ଘଟଣା ଘଟାଇବାକୁ ଦୁଃସାହସ କରିବା ଯୁବ ସମାଜ ଭିତରେ ରହିଥିବା ଚାପା ଅସନ୍ତୋଷର ପ୍ରତିଫଳନ କୁହାଯିବ ନା ଆତଙ୍କୀ ଷଡଯନ୍ତ୍ର କୁହାଯିବ – ଆଜି ଦିନରେ ତାହା ବଡ ପ୍ରଶ୍ନ ହୋଇଛି । ଅଭିଯୁକ୍ତ ଯୁବକ, ଯୁବତୀମାନେ ବେକାରୀ ସମେତ ଦେଶର ବିଭିନ୍ନ ସମସ୍ୟାକୁ ନେଇ ଅତିଷ୍ଟ ହୋଇ ସରକାରଙ୍କ ବିରୋଧରେ ଅସନ୍ତୋଷ ଜାହିର କରିବାକୁ ଯଦି ବୁଧବାର ଏହି ଘଟଣା ଘଟାଇଛନ୍ତି ତେବେ ସେମାନଙ୍କ ତରିକା ଠିକ୍ ନଥିଲା କହିବା ଭୁଲ ହେବ ନାହିଁ । କାରଣ, ସେମାନେ ଯାହା କଲେ ଦେଶବାସୀଙ୍କ ସମର୍ଥନ ଦୂରେ ଥାଉ, ନିଜ ପରିବାରର ସମର୍ଥନ ମଧ୍ୟ ପାଇବେ ନାହିଁ । ସେମାନଙ୍କ ବିରୋଧରେ ପୁଲିସ ଦେଶଦ୍ରୋହ ମାମଲା ରୁଜୁ କରିଥିବାରୁ କୌଣସି ରାଜନୈତିକ ଦଳ ମଧ୍ୟ ସମର୍ଥନ ଦେବାକୁ ଆଗକୁ ଆସିବେ ନାହିଁ । ଏଭଳି ସ୍ଥିତିରେ ଅନୁତାପ କରିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ ରାସ୍ତା ନାହିଁ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS