ସଂସଦର ସୁରକ୍ଷା ଭଂଗ ଘଟଣାରେ ଆଉ ଜଣେ ଗିରଫ
ନୂଆଦିଲ୍ଲୀ
ଡିସେମ୍ବର ୧୬
ବୁଧବାର ଅପରାହ୍ନରେ ସଂସଦରେ ଯେଉଁ ସୁରକ୍ଷା ଭଂଗ ଘଟଣା ଘଟିଲା ସେହି ଷଡଯନ୍ତ୍ରରେ ସଂପୃକ୍ତ ଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଆଜି ଆଉ ଜଣକୁ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତିଙ୍କ ନାମ ମହେଶ କୁମାୱତ । ମହେଶ ଘଟଣା ଦିନ ଦିଲ୍ଲୀରେ ଥିଲେ ଏବଂ ଘଟଣା ଘଟିବା ପରେ ଏହାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ବିହାରର ଲଲିତ ଝା (କୋଲକାତାରେ ଶିକ୍ଷକତା କରୁଛନ୍ତି) ଅଭିଯୁକ୍ତମାନଙ୍କ ମୋବାଇଲଗୁଡିକୁ ଧରି ଚଂପଟ ମାରିଥିଲେ । ଲଲିତ ଦିଲ୍ଲୀରୁ ପଳାଇ ରାଜସ୍ଥାନରେ ଥିବା କୁମାୱତର ଗୋପନ ଆଶ୍ରୟସ୍ଥଳରେ ଲୁଚି ରହିଥିଲେ । ଲୋକସଭା ଭିତରେ ଓ ସଂସଦ ବାହାରେ ହାଂଗାମା କରି ଗିରଫ ହୋଇଥିବା ଚାରି ଯୁବକ, ଯୁବତୀଙ୍କ ମୋବାଇଲ ଫୋନକୁ କୁମାୱତ ଭାଂଗି ନଷ୍ଟ କରି ଦେଇଥିବା ଦିଲ୍ଲୀ ପୁଲିସ କହିଛନ୍ତି । କୁମାୱତକୁ ଖୋଜି ବାହାର କରିବା ପରେ ପୁଲିସ ଜେରା କରିଥିଲେ । ପରେ ତାଙ୍କୁ ଗିରଫ କରାଯାଇଛି । ସେ ମଧ୍ୟ ଏହି ଷଡଯନ୍ତ୍ରରେ ସାମିଲ ଥିବା ସ୍ପଷ୍ଟ ହୋଇଛି । ଘଟଣାରେ ସଂପୃକ୍ତ ଦୁଇ ଜଣ ଅଭିଯୁକ୍ତ ବୁଧବାର ଦିନ ଲୋକସଭାର ଦର୍ଶକ ଗ୍ୟାଲେରୀରୁ ସ୍ମୋକ୍ ବମ୍ ଫୁଟାଇ ସାଂସଦମାନଙ୍କୁ ଆତଙ୍କିତ କରିବା ଅବସ୍ଥାରେ ଧରା ପଡିଥିବା ବେଳେ ଅନ୍ୟ ଦୁଇ ଜଣ ସଂସଦ ବାହାରେ ସ୍ମୋକ ବମ୍ ଫୁଟାଇ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ଅବସ୍ଥାରେ ଧରା ପଡିଥିଲେ । ପୁଲିସ ଏହି ଚାରି ଜଣଙ୍କ ସହ ଷଡଯନ୍ତ୍ର କାର୍ଯ୍ୟକାରୀ କରିବା ପୂର୍ବରୁ ସେମାନଙ୍କୁ ଗୁରୁଗ୍ରାମସ୍ଥିତ ବାସଭବନରେ ଆଶ୍ରୟ ଦେଇଥିବା ବିଶାଳ ଶର୍ମା ନାମକ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଥିଲେ । ପରେ, ମାଷ୍ଟରମାଇଣ୍ଡ ଲଲିଳତ ଝା ଆତ୍ମସମର୍ପଣ କରିଥିଲା । ଏହି ଛଅ ଅଭିଯୁକ୍ତଙ୍କୁ ଦିଲ୍ଲୀ ପୁଲିସ ସ୍ଥାନୀୟ ରୋଜ ଏଭିନ୍ୟୁ କୋର୍ଟରେ ହାଜର କରିବା ପରେ ସାତ ଦିନ ପାଇଁ ରିମାଣ୍ଡରେ ନେଇ ଜେରା କରୁଛି । ପରେ, ଆଜି ମହେଶ କୁମାୱତ ଗିରଫ ହୋଇଛି । ସଂସଦ ବାହାରେ ସରକାର ବିରୋଧୀ ପ୍ରଦର୍ଶନ କରୁଥିବା ଅବସ୍ଥାରେ ଗିରଫ ହୋଇଥିବା ଏକମାତ୍ର ମହିଳା ଅଭିଯୁକ୍ତ ନୀଲମ ଦେବୀ (୪୬)ଙ୍କ ସହ କୁମାୱତ ଯୋଗଯୋଗରେ ଥିଲା ବୋଲି ପୁଲିସ କହିଛି । ମହେଶର ସଂପର୍କିୟ କୈଳାଶ ନାମକ ଅନ୍ୟ ଜଣକୁ ମଧ୍ୟ ପୁଲିସ ଉଠାଇ ଆଣି ଜେରା କରିଛନ୍ତି । କିନ୍ତୁ, କୈଳାଶକୁ ଗିରଫ କରାଯାଇନି । ବୁଧବାର ଅପରାହ୍ନରେ ଲୋକସଭାର ଦର୍ଶକ ଗ୍ୟାଲେରୀରୁ ହାଂଗାମା ଆରମ୍ଭ କରିଥିବା ସାଗର ଶର୍ମା ଓ ଡି.ମନୋରଂଜନ ମହିଶୂରର ବିଜେପି ସାଂସଦ ପ୍ରତାପ ସିହ୍ମାଙ୍କ କାର୍ଯ୍ୟାଳୟରୁ ପାସ୍ ସଂଗ୍ରହ କରି ସେଦିନ ସଂସଦ ଭିତରେ ପ୍ରବେଶ କରିଥିଲେ । ସେଭଳି, ଅମୋଲ ସିନ୍ଧେ ଓ ନିଲମ ଦେବୀ ନାମ ଅନ୍ୟ ଦୁଇ ଜଣ ସଂସଦ ବାହାରେ ପ୍ରଦର୍ଶନ କରିଥିଲେ । ଅଭିଯୁକ୍ତମାନେ ଆତଙ୍କର ବାତାବରଣ ସୃଷ୍ଟି କରି ସରକାରଙ୍କୁ ସେମାନଙ୍କ ଦାବି ମାନିବାକୁ ବାଧ୍ୟ କରିବା ସକାଶେ ଏହି ଷଡଯନ୍ତ୍ର ରଚିଥିଲେ ବୋଲି ଦିଲ୍ଲୀ ପୁଲିସ ଆଜି କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS