ବେରୋଜଗାରୀ ଦେଶର ସବୁଠୁ ବଡ ସମସ୍ୟା: ରାହୁଲ ଗାନ୍ଧୀ
ପ୍ରସାଦ ରାଓ
ନୂଆଦିଲ୍ଲୀ
ଡିସେମ୍ବର ୧୬
କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବୁଧବାର ଲୋକସଭାରେ ଘଟିଥିବା ଘଟଣାକୁ ନେଇ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ବେକାରୀ ଓ ମୁଦ୍ରାସ୍ଫୀତି ଦେଶର ସବୁଠାରୁ ବଡ ସମସ୍ୟା । ଏଥିସକାଶେ ବୁଧବାର ଲୋକସଭାରେ ସୁରକ୍ଷା ଭଂଗ ଭଳି ଘଟଣା ଘଟିଛି । ରାହୁଲ ଗଣମାଧ୍ୟମକୁ ଭେଟି ଏହା କହିଥିବା ବେଳେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ ତୁରନ୍ତ ଏହାର ଜବାବ ଦେଇ ରାହୁଲ ଗାନ୍ଧୀ ସର୍ବଦା ଫାଲତୁ କଥା କହିଥାନ୍ତି ବୋଲି ମନ୍ତବ୍ୟ ରଖିଛନ୍ତି । ରାହୁଲ ଗଣମଧ୍ୟମ ପ୍ରତିନିଧିଙ୍କ ନିକଟରେ ବୁଧବାର ଘଟଣାକୁ ନେଇ ପ୍ରତିକ୍ରିୟା ରଖିବା ପରେ ସାମାଜିକ ଗଣମାଧ୍ୟମରେ ‘ଏକ୍ସ’ରେ ଏକ ପୋଷ୍ଟରେ ପ୍ରଶ୍ନ କରିଛନ୍ତି, ଦେଶରେ ଚାକିରୀ କାହିଁ ? ନିଯୁକ୍ତି ଅଭାବରୁ ଯୁବ ସମାଜ ବିବ୍ରତ । ଆମକୁ ଏହି ପ୍ରସଙ୍ଗ ଉପରେ ଫେକସ୍ କରିବାକୁ ପଡିବ ଏବଂ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଯୋଗାଇବାକୁ ପଡିବ । ବୁଧବାର ଲୋକସଭାରେ ଯାହା ଘଟିଲା ତାହା ସୁରକ୍ଷା ଭଂଗ । ତେବେ, ଏହାର ପ୍ରମୁଖ କାରଣ ହେଉଛି ଦେଶରେ ଶିକ୍ଷିତ ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତିର ଅଭାବ । ରାହୁଲଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ବିଜେପିର ଅମିତ ମାଲବ୍ୟ କହିଛନ୍ତି, ରାହୁଲ ଗାନ୍ଧୀ କେବେ କାହାରିକୁ ନିରାଶ କରି ନଥା’ନ୍ତି, ବାଜେ କଥା କହିଥା’ନ୍ତି । ଦେଶରେ ବେକାରୀ ୩.୨ ପ୍ରତିଶତ ରହିଛି, ଯାହାକି ଗତ ଛଅ ବର୍ଷରେ ସର୍ବନିମ୍ନ । ରାହୁଲ ଓ ଆଇ.ଏନ.ଡି.ଆଇ.ଏ ନେତାମାନେ ବେକାର ସମସ୍ୟା କଥା କହିବା ବଦଳରେ ପାର୍ଲାମେଂଟରେ ସୁରକ୍ଷା ଭଂଗ ସହ ଯେଉଁମାନେ ସଂପୃକ୍ତ ସେମାନଙ୍କ ସହ କଂଗ୍ରେସ, ଟିଏମସି ଓ ସିପିଏମର ସଂପର୍କ କଣ ସ୍ପଷ୍ଟ କରିବା ଅଧିକ ସମୀଚିନ ହେବ । ରାହୁଲଙ୍କ ଗଣମାଧ୍ୟମରେ ମନ୍ତବ୍ୟ ରଖିବା ପୂର୍ବରୁ ବରିଷ୍ଠ କଂଗ୍ରେସର ନେତା କେସି ବେଣୁଗୋପାଳ ଦିଲ୍ଲୀ ଏଆଇସିସି ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ବୁଧବାର ଘଟଣାକୁ ବିରୋଧୀ ଦଳମାନେ ନୁହେଁ, ଦିଲ୍ଲୀ ପୁଲିସ ହିଁ ଏକ ଆତଙ୍କୀ ଆକ୍ରମଣ କହି ରାଜନୀତିକରଣ କରିଛି ବୋଲି ସେ ଅଭିଯୋଗ କରିଥିଲେ । ବେଣୁଗୋପାଳ କହିଲେ, କଂଗ୍ରେସ ଓ ବିରୋଧୀ ଦଳର ସାଂସଦମାନେ ବୁଧବାର (ଡିସେମ୍ବର ୧୩) ଘଟିଥିବା ଘଟଣାକୁ କେବେ ସଂସଦ ଉପରେ ଆତଙ୍କୀ ଆକ୍ରମଣ ବୋଲି କହି ନାହାନ୍ତି । ‘ଆମେ କେବଳ ସଂସଦର ସୁରକ୍ଷାରେ ସରକାରୀ ଅବହେଳାକୁ ନେଇ ଉଦ୍ବେଗ ପ୍ରକାଶ କରିଛୁ । କିନ୍ତୁ, ଦିଲ୍ଲୀ ପୁଲିସ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ନିକଟରେ ଉପସ୍ଥାପନ କରିଥିବା ରିପୋର୍ଟରେ ବୁଧବାର ଘଟଣାକୁ ସଂସଦ ଉପରେ ଆତଙ୍କୀ ଆକ୍ରମଣ ବୋଲି ଉଲ୍ଳେଖ କରିଛି’ । ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ସଂସଦରୁ ୧୪ ଜଣ ସାଂସଦଙ୍କୁ ନିଲମ୍ବିତ କରାଯିବା ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, ‘ନୂତନ ସଂସଦ ଭବନ ବିଶ୍ୱର ସବୁଠାରୁ ସୁରକ୍ଷିତ କୋଠା ବୋଲି ଆପଣମାନେ କହୁଥିଲେ, ବୁଧବାର ଯାହା ଘଟିଲା ତାହା ସୁରକ୍ଷା ବ୍ୟବସ୍ଥାରେ ତୃଟିରୁ ଘଟିଲା । ବିରୋଧୀ ଦଳ ସାଂସଦମାନେ ସରକାରଙ୍କ ତୃଟି ବିରୋଧରେ ସ୍ୱର ଉତ୍ତୋଳନ କରି ଦଣ୍ଡିତ ହୋଇଛନ୍ତି’ । ଏଠାରେ ସୂଚନାଯୋଗ୍ୟରେ, ବୁଧବାର ଲୋକସଭାରେ ଘଟିଥିବା ସୁରକ୍ଷା ଭଂଗ ଘଟଣା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସଂସଦରେ ଉପସ୍ଥିତ ରହି ବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ବିରୋଧୀ ଦଳ ସାଂସଦମାନେ ଗୁରୁବାର ଦିନ ଦାବି କରିଥିଲେ । ଏହାକୁ ବିଶୃଙ୍ଖଳ ଆଚରଣ ଦର୍ଶାଇ ଲୋକସଭା ବାଚସ୍ପତି ୧୩ ଜଣ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ବନ କରିଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ଟିଏମସି ସାଂସଦ ଡେରେକ ଓ’ବ୍ରେନଙ୍କୁ ନିଲମ୍ବିତ କରିଛନ୍ତି । ଗୃହରୁ ନିଲମ୍ବିତ ସଂସଦମାନେ ସଂସଦ ଭବନ ପରିସରରେ ସେମାନଙ୍କ ପ୍ରତିବାଦ ଜାରି ରଖିଛନ୍ତି । ଇତିମଧ୍ୟରେ, ଲୋକସଭାରୁ ନିଲମ୍ବିତ ଡିଏମକେ ସାଂସଦ କେ.କାନିମୋଝୀ ବୁଧବାର ଘଟଣାକୁ ଏକ ‘ଗୁରୁତର ସୁରକ୍ଷା ବିଭ୍ରାଟ’ ବୋଲି କେନ୍ଦ୍ର ସରକାରଙ୍କଠାରୁ ଏକ ବିବୃତି ଦାବି କରିଛନ୍ତି । ଦୁଇ ଜଣ ଯୁବକ ବୁଧବାର ଲୋକସଭାରେ ପହଂଚି ସାଂସଦଙ୍କୁ ଆତଙ୍କିତ କରିଥିବ ବେଳେ ଅନ୍ୟ ଦୁଇ ଜଣ ସଂସଦ ବାହାରେ ରହି ଯେଭଳି ପ୍ରଦର୍ଶନ କଲେ ତାହା ଏକ ଗୁରୁତର ସୁରକ୍ଷା ବିଭ୍ରଟକୁ ସୂଚାଉଛି । ଗଣତନ୍ତ୍ରର ମନ୍ଦିର ସଂସଦ ଭିତରେ ସାଂସଦମାନେ ସୁରକ୍ଷିତ ନୁହନ୍ତି । ଯେକୌଣସି ସମୟରେ ସଂସଦରେ ଆକ୍ରମଣ ସମ୍ଭାବନା ସୃଷ୍ଟି ହୋଇଛି । ଅଭିଯୁକ୍ତମାନେ ‘ସ୍ମୋକ ବମ୍’ ବଦଳରେ ପିସ୍ତଲ ବା ବିଷାକ୍ତ ଗ୍ୟାସ୍ ଧରି ସଂସଦରେ ପ୍ରବେଶ କରିଥିଲେ କଣ ହୋଇଥା’ନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର ବୁଧବାର ଘଟଣାର ଗୁରୁତ୍ୱକୁ ଉପଲବ୍ଧୀ କରି ଗୃହରେ ବୟାନ ରଖିବା ଆବଶ୍ୟକ ବୋଲି କାନିମୋଝୀ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS