୨୦୨୪ରେ ଜୟ ଜଗନ୍ନାଥ ନା ଜୟ ଶ୍ରୀରାମ …!


ପ୍ରସାଦ ରାଓ
ଡିସେମ୍ବର ୧୭
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ସରକାର ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା କାର୍ଯ୍ୟ ସମାପନ କରି ହିନ୍ଦୁତ୍ୱର ବାନା ଉଡାଇବାକୁ ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟ କରୁଛନ୍ତି । ରାମଲାଲା ବିଗ୍ରହ ପ୍ରତିଷ୍ଠାର ତାରିଖ ମଧ୍ୟ ଘୋଷଣା ସରିଛି । ଜାନୁୟାରୀ ୨୨ ତାରିଖରେ ଏହି ଭବ୍ୟ ସମାରୋହ ହେବ ଏବଂ ଏଥିରେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସମଗ୍ର ଦେଶରେ ନିମନ୍ତ୍ରଣପତ୍ର ବଂଟନ ଆରମ୍ଭ ହାଇସାରିଛି । ନିର୍ମାଣାଧୀନ ରାମ ମନ୍ଦିରରେ ଭଗବାନ ଶ୍ରୀରାମଙ୍କ ବିଗ୍ରହକୁ ଗର୍ଭଗୃହରେ ସ୍ଥାପନ କରାଯିବା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ମନ୍ତ୍ରୀ, ସାଂସଦ ଓ ବିଜେପିର ବରିଷ୍ଠ ନେତାମାନେ ଯୋଗ ଦେବା ନିଶ୍ଚିତ । ଦେଶ ବିଦେଶରୁ ସାଧୁସନ୍ଥମାନେ ମଧ୍ୟ ଏଥିରେ ଯୋଗ ଦେବେ । ସମାରୋହରେ ଲକ୍ଷାଧିକ ଜନସମାଗମ ହେବାକୁ ଥିବାରୁ ଟ୍ରଷ୍ଟ ପକ୍ଷରୁ ଏକ ବାର୍ତ୍ତା ଦିଆଯାଇ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପନ ହେବାକୁ ଆହୁରି ଦୁଇ ବର୍ଷ ଲାଗିବ, ତେଣୁ ଶ୍ରଦ୍ଧାଳୁମାନେ ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ଯିବା ବଦଳରେ ନିଜ ନିଜ ଅଂଚଳରେ ସେଦିନ ‘ଆନନ୍ଦ ମହୋତ୍ସବ’ରେ ସାମିଲ ହେବାକୁ ନିବେଦନ କରାଯାଇଛି ।
ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ସମାରୋହ ହେବାକୁ ଥିବା ବେଳେ କିଛି ଦିନ ପୂର୍ବରୁ ଅର୍ଥାତ ଜାନୁୟାରୀ ୧୭ ତାରିଖ ଦିନ ପୁରୀ (ଓଡ଼ିଶା)ରେ ହେରିଟେଜ କରିଡର ପ୍ରେଜେକ୍ଟ ବା ପୁରୀ ଶ୍ରୀଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ହେବାକୁ ଯାଉଛି । ଓଡ଼ିଶା ସରକାର ପୂର୍ଣ୍ଣପ୍ରାଣରେ ଧାର୍ଯ୍ୟ ତାରିଖ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଦିନ ରାତି ଏକାଠି କରିଛନ୍ତି । ଆଇଏଏସ୍ ଭି.କାର୍ତ୍ତିକେୟନ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ସରକାରଙ୍କ ୫-ଟି ସିଚିବ ଭାବେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସହ ରାଜ୍ୟର ବିଭିନ୍ନ ଅଂଚଳରେ ଥିବା ପ୍ରମୁଖ ମନ୍ଦିର ସବୁର କାୟାକଳ୍ପ ପରିବର୍ତ୍ତନ କାର୍ଯ୍ୟ ତଦାରଖ କରୁଥିଲେ । ନିକଟରେ ସରକାରୀ ଚାକିରୀରୁ ସ୍ୱଇଚ୍ଛାରେ ଅବସର ନେଇ ସେ ଶାସକ ଦଳରେ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ତାଙ୍କୁ କ୍ୟାବିନେଟ ପାହ୍ୟା ଦିଆଯାଇଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଯେଭଳି ଚଳିତ ଡିସେମ୍ବର ମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ ସେହି ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ହୋଇଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ଶ୍ରୀରାମ ମନ୍ଦିର ପ୍ରକଳ୍ପ ଏବଂ ଓଡ଼ିଶା ସରକାରଙ୍କ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ସଂପୂର୍ଣ୍ଣ ଭାବେ ଦୁଇଟି ଭିନ୍ନ ପ୍ରକଳ୍ପ । ଏହି ଦୁଇ ପ୍ରକଳ୍ପ ଭିନ୍ନ ଏବଂ ଅତୁଳନୀୟ । ଗୋଟିଏ କେନ୍ଦ୍ର ସରକାରଙ୍କ ପ୍ରକଳ୍ପ ଥିବା ବେଳେ ଅନ୍ୟଟି ରାଜ୍ୟ ସରକାରଙ୍କ । ଦୁଇଟି ଯାକ ପ୍ରକଳ୍ପ ଭଗବାନଙ୍କ ପ୍ରତି ‘ଆସ୍ଥା’କୁ ନେଇ ପର୍ଯ୍ୟବସିତ । ଏଥିରେ ରାଜନୀତି ରହିଲା କେଉଁଠି ? ପାଠକ ଏହି ପ୍ରଶ୍ନ କରି ପାରନ୍ତି । ତେବେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କ ପ୍ରକଳ୍ପର ଲୋକାର୍ପଣ ପାଇଁ ଯେଭଳି ପ୍ରତିଯୋଗିତା ଚଳାଇଛନ୍ତି ତାହା ହିଁ ରାଜନୀତିକୁ ଟାଣି ଆଣୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୯ରେ ଲଗାତର ଦ୍ୱିତୀୟ ଥର ପାଇଁ କ୍ଷମତାସୀନ ହେବା ପରେ ଅଯୋଧ୍ୟାରେ ରାମଲାଲା ମନ୍ଦିର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ୨୦୧୯ରେ ଲଗାତର ପଂଚମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ପରିକଳ୍ପନା କରି ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦୁଇ ମନ୍ଦିର ପ୍ରକଳ୍ପର ନିର୍ମାଣ ସରୁଛି ଓ ଜାନୁୟରୀ ମାସରେ ଲୋକାର୍ପଣ ହେବାକୁ ଯାଉଛି । ଏଥିରେ ରାଜନୀତି ନାହିଁ କହିଲେ କିଏ ବିଶ୍ୱାସ କରିବ ?
କେନ୍ଦ୍ରରେ କ୍ଷମତାରେ ଥିବା ମୋଦୀ ସରକାର ୧୦ ବର୍ଷ ହେଲା ନିର୍ବାଚନରେ ‘ହିନ୍ଦୁତ୍ୱ’ କାର୍ଡ ଖେଳି ଆସୁଛନ୍ତି । ହିନ୍ଦୁବାଦୀ ଭୋଟର ଧ୍ରୁବୀକରଣ ପାଇଁ ବିଜେପି ସର୍ବଦା ଉଦ୍ୟମ କରୁଛି । ସେ ରାଜ୍ୟ ବିଧାନସଭା ନିର୍ବାଚନ ହେଉ ବା ସାଧାରଣ ନିର୍ବାଚନ । ଦାରିଦ୍ର୍ୟ, ବେରୋଜଗାରୀ, ଦରଦାମ ବୃଦ୍ଧି କାରଣରୁ ମୁଦ୍ରସ୍ଫୀତି ବୃଦ୍ଧି ପ୍ରଭୃତି ମୌଳିକ ସମସ୍ୟା ଭୋଟ ସମୟରେ ‘ହିନ୍ଦୁତ୍ୱ’ କାର୍ଡ ଆଗରେ ହାର ମାନି ଯାଉଛି । ନିର୍ବାଚନରେ ବିକାଶ କଥା ଉଠୁନି । ହିନ୍ଦୁ-ଅଣହିନ୍ଦୁ ରାଜନୀତି ସଂପୂର୍ଣ୍ଣ ନିର୍ବାଚନକୁ ଛାଇ ଯାଉଛି ଓ ରାଜନୈତିକ ଧ୍ରୁବୀକରଣ ମଧ୍ୟରେ ନିର୍ବାଚନ ସରୁଛି । ବିଜେପିର ଏହି କୌଶଳ ବିରୋଧୀ ଦଳଙ୍କୁ ମଧ୍ୟ ବହୁମାତ୍ରାରେ ପ୍ରଭାବିତ କରୁଥିବା ଦେଖିବାକୁ ମିଳୁଛି । ସେ ରହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ହୁଅନ୍ତୁ ବା ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ ସମୟରେ ହିନ୍ଦୁ ମନ୍ଦିରକୁ ଧାଇଁ ଧର୍ମନିରପେକ୍ଷ ଛାପକୁ ଧୋଇବାକୁ ଉଦ୍ୟମ କରୁଛନ୍ତି । ଏଥିରୁ ‘ହିନ୍ଦୁତ୍ୱ କାର୍ଡ’ କେତେ ପ୍ରଭାବୀ, ତାହା ଅନୁମାନ କରାଯାଇପାରେ । ୨୦୨୪ ସାଧାରଣ ନିର୍ବାଚନର କିଛି ମାସ ଆଗରୁ ଅଯୋଧ୍ୟାର ରାମଲାଲା ମନ୍ଦିର ଲୋକାର୍ପଣ ହେଉ ଥିବାରୁ ବିଜେପି ତାହାକୁ ହିନ୍ଦୁ ଭୋଟ ଧ୍ରୁବୀକରଣରେ ବ୍ୟବହାର କରିବା ନିଶ୍ଚିତ ।
୨୦୨୪ ଏପ୍ରିଲ/ମେ’ ଆଡକୁ ଓଡ଼ିଶାରେ ଲୋକସଭା ସହ ବିଧାନସଭା ନିର୍ବାଚନ ହେବ । ବିଜେଡ଼ି ଲଗାତର ଷଷ୍ଠ ଥର ପାଇଁ କ୍ଷମତାକୁ ଫେରିବାକୁ ଚାହୁଁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ସାଧାରଣ ନିର୍ବାଚନରେ ଭୋଟ ଅମଳ ପାଇଁ ‘କାଳିଆ’ ଯୋଜନା ଘୋଷଣା କରିଥିଲେ । ଗ୍ରାମାଂଚଳ କୃଷକ ଓ କୃଷି ଶ୍ରମିକଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଥିଲା ଏକ ଫୁଲପ୍ରୁଫ୍ ଯୋଜନା । ନିର୍ବାଚନରେ ତାହାର ସୁଫଳ ମିଳିଥିଲା । ସରକାର ବିରୋଧୀ ଜନଅସନ୍ତୋଷ କାରଣୁ ବିରୋଧୀ ଫାଇଦା ନେବା ଆଶା ରଖିଥିବା ବେଳେ ନବୀନ ସେମାନଙ୍କୁ ଚକମା ଦେଇ ରାଜ୍ୟ ବିଧାନସଭାର ୧୪୭ ଆସନରୁ ୧୧୨ଟିରେ ବିଜୟୀ ହୋଇଥିଲେ । ୧୨୦ ଆସନ ପାଇବ ବୋଲି ଦାମ୍ଭ ଦେଖାଉଥିବା ବିଜେପି ୨୨ ଆସନରୁ ସନ୍ତୁଷ୍ଟ ରହିବାକୁ ବାଧ୍ୟ ହୋଇଥିଲା । ତେବେ, ଲୋକସଭା ନିର୍ବାଚନରେ ବିଜେପି ଓଡ଼ିଶାର ୨୧ରୁ ୨୦୧୪ରେ ମାତ୍ର ଗୋଟିଏ ଆସନ ପାଇଥିବା ବେଳେ ୨୦୧୯ରେ ୦୮ଟି ଆସନ ପାଇ ସମସ୍ତଙ୍କୁ ଚକିତ କରିଛି । ୨୦୨୪ ନିର୍ବାଚନରେ ମଧ୍ୟ ବିଜେପି ୧୫ ଲୋକସଭା ଓ ସେହି ଅନୁପାତରେ ବିଧାନସଭା ଆସନରେ ବିଜୟୀ ହେବ ବୋଲି କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ଜାତୀୟ ଗଣମାଧ୍ୟମରେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ବିଭିନ୍ନ କାରଣରୁ ୨୦୨୪ ନିର୍ବାଚନ ବିଜେଡ଼ି ପାଇଁ ବଡ ଚ୍ୟାଲେଂଜ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ପରେ ପାଣ୍ଡିଆନଙ୍କୁ ବିଜେଡ଼ିରେ ଦୁଇ ନମ୍ବର ନେତାର ମାନ୍ୟତା ଦିଆଯିବା କାରଣରୁ ଦଳ ଭିତରେ ଉତ୍ସାହ ବଢିଥିବା ବାହାରକୁ ଦିଶୁଥିଲେ ମଧ୍ୟ ଭିତରେ କଣ ଚାଲିଛି (?) ବୋଲି ବିରୋଧୀଙ୍କ ଭିତରେ ଆଲୋଚନା ହେଉଛି । ପାଣ୍ଡିଆନ ୨୦୨୪ରେ ନିର୍ବାଚନ ଲଢିବେ ନାହିଁ, ୧୪୭ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କ ପଛରେ ରହିବେ ବୋଲି ଘୋଷଣା କରି ଦଳର ନେତୃବର୍ଗଙ୍କୁ ଆଶ୍ୱସ୍ତ କରିଛନ୍ତି ସତ, କିନ୍ତୁ ଓଡ଼ିଶାବାସୀ ତାହାକୁ କିପରି ଗ୍ରହଣ କରୁଛନ୍ତି ଦେଖିବା ସମୟ ଆସୁଛି ।
ଲଗାତର ଷଷ୍ଠ ଥର ପାଇଁ କ୍ଷମତାକୁ ଫେରିବାକୁ ଯୋଜନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଅଂଚଳ ପାଇଁ କୋଟି କୋଟି ଟଙ୍କାର ‘ଯୋଜନା’ ଘୋଷଣା କରୁଛନ୍ତି । ଜାନୁୟାରୀ ୨୨ରେ ଅଯୋଧ୍ୟା ରାମଲାଲ ମନ୍ଦିରର ଲୋକାର୍ପଣ ପରେ ବିଜେପି ଓଡ଼ିଶାରେ ମଧ୍ୟ ‘ହିନ୍ଦୁତ୍ୱ କାର୍ଡ’ ଖେଳିବା ନିଶ୍ଚିତ ଥିବାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଜାନୁୟାରୀ ୧୭ରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ନିଷ୍ପତ୍ତି ନେଇ ବିଜେପିକୁ ମାତ୍ ଦେବାକୁ ଚାହୁଁଛନ୍ତି । ବିଜେପି ଭଳି ବିଜେଡ଼ି ମଧ୍ୟ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର କରିଡର ପ୍ରକଳ୍ପର ଲୋକାର୍ପଣକୁ ଭବ୍ୟ ସମାରୋହରେ ପରିଣତ କରିବାକୁ ପ୍ରସ୍ତୁତି ଚଳାଇଛି । ଗୋଟିଏ ପଟେ ଅଯୋଧ୍ୟାର ରାମଲାଲା ଓ ଅନ୍ୟପଟେ ପୁରୀ ଶ୍ରୀଜଗନ୍ନାଥ । ୨୦୨୪ ନିର୍ବାଚନରେ ଯଦି ଓଡ଼ିଶାରେ ‘ହିନ୍ଦୁତ୍ୱ’ର ଖେଳ ହୁଏ ତେବେ ନବୀନ ନା ମୋଦୀ – କାହା ‘କାର୍ଡ’ର ପ୍ରଭାବ ଅଧିକ ରହିବ ତାହା ଭୋଟ ଫଳାଫଳରୁ ସ୍ପଷ୍ଟ ହେବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS