ସଂସଦରେ ସୁରକ୍ଷା ବିଭ୍ରାଟ, ଗୃହ ମନ୍ତ୍ରୀଙ୍କ ବୟାନ ଦାବିରେ ୯୨ ବିରୋଧୀ ସାଂସଦ ନିଲମ୍ବିତ


ପ୍ରସାଦ ରାଓ
ଡିସେମ୍ବର ୧୮
ସଂସଦର ଚଳିତ ଶୀତ ଅଧିବେଶନରେ ଲୋକସଭାରୁ ୪୬ ଜଣ ବିରୋଧୀ ସାଂସଦ ନିଲମ୍ବିତ ହୋଇଥିବା ବେଳେ ରାଜ୍ୟସଭାରୁ ୪୬ ଜଣ ସାଂସଦ ନିଲମ୍ବିତ ହେଲେଣି । ଡିସେମ୍ବର ୧୩ ତାରିଖରେ ଲୋକସଭାରେ ଘଟିଥିବା ସୁରକ୍ଷା ବିଭ୍ରାଟକୁ ନେଇ ସଂସଦର ଉଭୟ ସଦନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ବିବୃତି ରଖନ୍ତୁ ବୋଲି ଦାବି କରି ଗତ ସପ୍ତାହରେ ଲୋକସଭାରୁ ୧୩ ଜଣ ବିରୋଧୀ ଦଳ ସାଂସଦ ନିଲମ୍ବିତ ହୋଇଥିବା ବେଳେ ରାଜ୍ୟସଭାରୁ ଜଣେ ସାଂସଦ ନିଲମ୍ବିତ ହୋଇଥିଲେ । ଆଜି ଲୋକସଭାରୁ ଆଉ ୩୦ ଜଣ ସାଂସଦ ନିଲମ୍ବିତ ହୋଇଥିବା ସମୟରେ ରାଜ୍ୟସଭାରୁ ୪୫ ଜଣ ବିରୋଧୀ ସାଂସଦ ନିଲମ୍ବିତ ହୋଇଛନ୍ତି । ଏହାଛଡା, ସଂସଦରେ ବିଚାରଧୀନ ଥିବା ଏକ ସ୍ୱାଧୀକାର ଭଂଗ ମାମଲାରେ ୦୩ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଛି ।
ଆଜି ଲୋକସଭାରୁ ନିଲମ୍ବିତ ୩୦ ବିରୋଧୀ ସାଂସଦଙ୍କ ମଧ୍ୟରେ ଅଛନ୍ତି ଲୋକସଭାରେ କଂଗ୍ରେସର ସଂସଦୀୟ ଦଳ ନେତା ଥିବା ଅଧିର ରଂଜନ ଚୌଧୁରୀ ଓ ଉପ ନେତା ଗୌରବ ଗୋଗୋଇ । ଏହାଛଡା, ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ, କାକଳୀ ଘୋଷ ଦସ୍ତିଦାର, ସୌଗତ ରାୟ, ଡିଏମକେ ସାଂସଦ ଏ.ରାଜା ଓ ଦୟାନିଧି ମାରନଙ୍କ ନାମ ନିଲମ୍ବନ ତାଲିକାରେ ରହିଛି । ଗତ ବୁଧବାର ଲୋକସଭାରେ ସୁରକ୍ଷା ଭଂଗ ହୋଇଥିବା ବେଳେ ବିରୋଧୀ ସାଂସଦମାନେ ଗୁରୁବାରରୁ ସଂସଦରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ବିବୃତି ଦାବି କରି ହାଂଗାମା ଚଳାଇଛନ୍ତି । ଗୁରୁବାର ଲୋକସଭାରୁ ନିଲମ୍ବିତ ହୋଇଥିବା ୧୩ ସାଂସଦଙ୍କ ମଧ୍ୟରେ ୦୯ ଜଣ କଂଗ୍ରେସ ସାଂସଦ ଅଛନ୍ତି । ଲୋକସଭା ବାଚସ୍ପତିଙ୍କ ଦ୍ୱାରା ସେମାନେ ନିଲମ୍ବିତ ହୋଇଥିଲେ । ରାଜ୍ୟସଭାରେ ମଧ୍ୟ ଅନୁରୂପ ଦାବି କରି ଟିଏମସି ସାଂସଦ ଡେରେକ ଓ’ବ୍ରେନ୍ ରାଜ୍ୟସଭା ଅଧ୍ୟକ୍ଷଙ୍କ ଦ୍ୱାରା ସେଦିନ ନିଲମ୍ବିତ ହୋଇଥିଲେ । ଗୁରୁବାର ନିଲମ୍ବିତ ହୋଇଥିବା ସାଂସଦମାନେ ସଂସଦ ଭବନ ବାହାରେ ସେମାନଙ୍କ ଦାବି ଓ ପ୍ରତିବାଦ ଜାରି ରଖିଥିବା ବେଳେ ଆଜି ଲୋକସଭାରୁ ଆଉ ୩୦ ଜଣ ଓ ରାଜ୍ୟସଭାରୁ ୪୫ ଜଣ ବିରୋଧୀ ସାଂସଦ ନିଲମ୍ବିତ ହେବା ସରକାରଙ୍କ ଏକଛତ୍ରବାଦର ନିଦର୍ଶନ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।
ଆଜି ରାଜ୍ୟସଭାରୁ ନିଲମ୍ବିତ ୪୫ ସାଂସଦଙ୍କ ମଧ୍ୟରୁ ୩୪ ଜଣଙ୍କୁ ଚଳିତ ଅଧିବେଶନ ସରିବା ଯାଏଁ ନିଲମ୍ବନ କରାଯାଇଥିବା ବେଳେ ୧୧ ଜଣ ସାାଂସଦଙ୍କ ନିଲମ୍ବନ ଅବଧି ଜଣାପଡିନାହିଁ । କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଂଜନ ଚୌଧୁରୀ ଆଜି ଲୋକସଭାରୁ ନିଲମ୍ବିତ ହେବା ପରେ ଗଣମାଧ୍ୟମକୁ କହିଛନ୍ତି, ସରକାର ଏକଛତ୍ରବାଦୀଙ୍କ ଭଳି ବ୍ୟବହାର କରୁଛନ୍ତି ଏବଂ ସଂସଦକୁ ବିଜେପିର ମୁଖ୍ୟାଳୟରେ ପରିଣତ କରିଛନ୍ତି । ଶୀତ ଅଧିବେଶନ ପ୍ରାରମ୍ଭରୁ ବିରୋଧୀ ଦଳମାନେ ସହଯୋଗର ହାତ ବଢାଇ ଆସୁଥିବା ବେଳେ ସରକାରଙ୍କ ଏକଛତ୍ରବାଦ ଚରମରେ ପହଂଚିଛି । ଲୋକସଭାରେ ଶାସକ ବିଜେପିର ଯଥେଷ୍ଟ ସଂଖ୍ୟା ଥିବାରୁ ସରକାର ତାହାର ସୁଯୋଗ ନେଇ ବିରୋଧୀଙ୍କୁ କ୍ଷମତାର ନାଲିଆଖି ଦେଖାଉଛନ୍ତି । ସେମାନେ ପାର୍ଲାମେଂଟକୁ ପାର୍ଟି ଅଫିସ ଭାବେ ଚଳାଇବାକୁ ଚାହିଁଛନ୍ତି, ଯାହାକି ଗ୍ରହଣୀୟ ନୁହେଁ । ଡିସେମ୍ବର ୧୩ ତାରିଖ ପୂର୍ବରୁ ସଂସଦ ସୁରୁଖୁରରେ ଚାଲିଥିଲା । ସରକାର ଗଣମାଧମକୁ ଯାଇ ବିବୃତି ଦେବା ସହଜ ଭାବୁଛନ୍ତି ଏବଂ ସଂସଦରେ ବୟାନ ରଖିବାକୁ ଭୟ କରୁଛନ୍ତି ବୋଲି ଚୌଧୁରୀ କହିଛନ୍ତି ।
କଂଗ୍ରେସ ସଂସଦୀୟ ଦଳର ଉପନେତା ଗୋଗୋଇ ମଧ୍ୟ ଏକା କଥା କହିଛନ୍ତି । ସରକାର ବିରୋଧୀ ସାଂସଦମାନଙ୍କୁ ଜବରଦସ୍ତ ସଦନରୁୁ ବାହାରକୁ ରାସ୍ତା ଦେଖାଉଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଡିସେମ୍ବର ୧୩ ତାରିଖରେ ହୋଇଥିବା ଗୁରୁତର ସୁରକ୍ଷା ତୃଟିର ଦାୟିତ୍ୱ ମୁଣ୍ଡାଇବାକୁ ଭୟ କରୁଛନ୍ତି ବୋଲି ଗେଗୋଇ ଅଭିଯୋଗ କରିଛନ୍ତି । ସଂସଦ ବାହାରେ ବିରୋଧୀଙ୍କ ପ୍ରତିବାଦ ଜାରି ରହିବ ବୋଲି ଗୋଗୋଇ ସ୍ପଷ୍ଟ କରି ଦେଇଛନ୍ତି । ଏହା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରୀ ସଂସଦକୁ ଆସି ଡିସେମ୍ବର ୧୩ ତାରିଖ ଘଟଣା ଉପରେ ବିବୃତି ରଖିବା ବିରୋଧୀ ଦଳ ସାଂସଦଙ୍କ ଦାବିକୁ ସରକାର ଅଗ୍ରାହ୍ୟ କରୁଥିବାରୁ ସଂସଦରେ ତାହାର ପ୍ରତିବାଦ କରାଯାଉଛି ।
ଡିସେମ୍ବର ୧୩ ଅପରାହ୍ନରେ ଲୋକସଭାରେ ଘଟିଥିବା ଗୁରୁତର ସୁରକ୍ଷା ବିଭ୍ରାଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଗଣମାଧ୍ୟମରେ ବୟାନ ରଖୁଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିକଟରେ ଏକ ଟିଭି ଚ୍ୟାନେଲରେ ସୁରକ୍ଷା ବିଭ୍ରାଟକୁ ନେଇ ବୟାନ ଦେଇଛନ୍ତି । ତେବେ, ସଂସଦର ଶୀତ ଅଧିବେଶନ ଚାଲି ଥିବା ଦୃଷ୍ଟିରୁ ଡିସେମ୍ବର ୧୩ ତାରିଖ ଘଟଣା ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ସଂସଦରେ ବୟାନ ରଖିବାକୁ ବିରୋଧୀ ମେଂଟ ‘ଇଣ୍ଡିଆ’ ଦାବି କରୁଥିବା ବେଳେ ସରକାର ମନା କରୁଛନ୍ତି । ବିରୋଧୀ ମେଂଟର ଦାବି ଅତି ସାଧାରଣ, ଆଇନସମ୍ମତ ଓ ଯଥାର୍ଥ ବୋଲି ରମେଶ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୧୩ ତାରିଖ ଘଟଣା ଉପରେ ‘ଦୈନିକ ଜାଗରଣ’କୁ ଏକ ସାକ୍ଷାତକାର ଦେଇ ତାହା ‘ଅତ୍ୟନ୍ତ ଗୁରୁତର’ ବୋଲି କହିଥିଲେ । ତେବେ, ଘଟଣାକୁ ନେଇ ଆଲୋଚନାର କିଛି ଆବଶ୍ୟକତା ନାହିଁ, ଏହାର ବିସ୍ତୃତ ତଦନ୍ତର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସଂସଦରେ ସୁରକ୍ଷା ବିଭ୍ରାଟକୁ ନେଇ ସରକାର ଓ ବିରୋଧୀ ଗଲା ପାଂଚ ଦିନ ହେଲା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ବିରୋଧୀ ସାଂସଦମାନେ କେନ୍ଦ୍ର ଗୃହ ମନ୍ତ୍ରୀ ସଂସଦରେ ଉପସ୍ଥିତ ରହି ସେଦିନ ହୋଇଥିବା ସୁରକ୍ଷା ଭଂଗ ଉପରେ ବୟାନ ଦିଅନ୍ତୁ ବୋଲି ଦାବିରେ ଅଟଳ ଥିବା ବେଳେ ପ୍ରଧାନମନ୍ତ୍ରୀ ବା କେନ୍ଦ୍ର ଗୃହ ମନ୍ତ୍ରୀ ଧରାଛୁଆଁ ଦେଉ ନାହାନ୍ତି । ତେଣୁ, ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ନିଲମ୍ବନ ଚାଲିଛି । ଲୋକସଭା ବାଚସ୍ପତି ଓମ୍ ବିରଳା ସ୍ପଷ୍ଟ କରିଛନ୍ତି, ସଂସଦ ଭିତରର ସୁରକ୍ଷା ଦାୟିତ୍ୱ ସଂସଦୀୟ ସଚିବାଳୟର । ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ଦିଆଯିବ ନାହିଁ । ମଣିପୁର ହିଂସା ଭଳି ସଂସଦ ସୁରକ୍ଷା ଭଂଗ ପ୍ରସଙ୍ଗକୁ ଉଭୟ ଶାସକ ବିଜେପି ଓ ବିରୋଧୀ ଦଳ ମେଂଟ ଆତ୍ମସମ୍ମାନ ଓ ଅହଂକାରର ପ୍ରଶ୍ନ କରିଛନ୍ତି । ମଣିପୁର ପ୍ରସଙ୍ଗରେ ଗୃହ ମନ୍ତ୍ରୀ ସଂସଦରେ ବୟାନ ରଖିବା ସତ୍ତ୍ୱେ ବିରୋଧୀ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବିରେ ଅଡି ରହିଲେ । ଶେଷରେ ପ୍ରଧାନମନ୍ତ୍ରୀ ସଂସଦରେ ବୟାନ ରଖିବାକୁ ବାଧ୍ୟ ହୋଇଥିଲେ । ତେବେ, ସଂସଦର ସୁରକ୍ଷା ପ୍ରସଙ୍ଗରେ ସରକାର ବିରୋଧୀଙ୍କ ନିକଟରେ ନଇଁଳା ଭଳି ଦିଶୁ ନାହିଁ ।
ଏଠାରେ ସୂଚନାଯୋଗ୍ୟ, ଡିସେମ୍ବର ୧୩ ତାରିଖ ଅପରାହ୍ନରେ ଲୋକସଭାରେ ଶୂନ୍ୟକାଳ ଚାଲିଥିବା ସମୟରେ ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିବା ଦୁଇ ଜଣ ଯୁବକ ସାଂଗରେ ନେଇଥିବା କେନେଷ୍ଟରରୁ ହଳଦିଆ ରଂଗର ଧୂଆଁ ଛାଡି ଆତଙ୍କ ସୃଷ୍ଟି କରିବା ସହ ସେଥିରୁ ଜଣେ ସାଂସଦମାନେ ବସୁଥିବା କ୍ୟାବିନେଟ ହଲକୁ ଡେଇଁ ଦୌଡା ଧାପଡା କରିଥିଲେ । ଉପସ୍ଥିତ ସାଂସଦ ଓ ସୁରକ୍ଷା କର୍ମୀ ଆତଙ୍କି ଥିଲେ ସୁଦ୍ଧା ଦୁଇ ଯୁବକଙ୍କୁ କାବୁ କରି ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରିଥିଲେ । ସେହିଭଳି, ସେଦିନ ସଂସଦ ବାହାରେ ଜଣେ ଯୁବକ ଓ ଜଣେ ଯୁବତୀ ହାତରେ ଧରିଥିବା କେନେଷ୍ଟରରୁ ହଳଦିଆ ଓ ନାଲି ରଂଗର ଧୂଆଁ ଛାଡିବା ସହ ସରକାର ବିରୋଧୀ ସ୍ଲୋଗାନ ଦେଉଥିବା ଅବସ୍ଥାରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଅଟକ ରହିଥିଲେ । ୨୦୦୧ ଡିସେମ୍ବର ୧୩ ତାରିଖରେ ପାକ୍ ସମର୍ଥିତ ଆତଙ୍କବାଦୀମାନେ ପୁରୁଣା ସଂସଦ ଭବନ ପରିସରରେ ଆଖିବୁଜା ଗୁଳି ଚଳାଇ ଆତଙ୍କ ସୃଷ୍ଟି କରିଥିଲେ । ସେଥିରେ ୦୯ ଜଣଙ୍କ ପ୍ରାଣହାନୀ ଘଟି ଥିଲା । ତେଣୁ, ୨୦୨୩ ଡିସେମ୍ବର ୧୩ ତାରିଖ ଲୋକସଭାରେ ଘଟିଥିବା ଘଟଣାକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି ।
୨୦୦୧ ଘଟଣାର ୨୨ ବର୍ଷ ପୂର୍ତ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୩ ତାରିଖ ସକାଳେ ୦୯ ଜଣ ସହିଦଙ୍କ ପ୍ରତି ଶ୍ରଦ୍ଧାଂଜଳୀ ଅର୍ପଣ କରିବା ପରେ ଅପରାହ୍ନରେ ଲୋକସଭାରେ ଉପରୋକ୍ତ ଘଟଣା ଘଟିଥିଲା । ସରକାର ଏହାକୁ ଆତଙ୍କୀ ଆକ୍ରମଣ ଭାବେ ନେଇଛନ୍ତି ଏବଂ ଦିଲ୍ଲୀ ପୁଲିସ ଇତିମଧ୍ୟରେ ୦୭ ଜଣଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ଆତଙ୍କବାଦ ନିରୋଧ ଆଇନ ୟୁଏପିଏ ଓ ଆଇପିସିର ବିଭିନ୍ନ ଦଫା ଲଗାଇ ମାମଲା ରୁଜୁ କରିଛନ୍ତି । ପୁଲିସ ତଦନ୍ତ ଜାରି ରହିଛି । ଘଟଣା ସହ ସଂସଦ ଓ ସାଂସଦଙ୍କ ସୁରକ୍ଷା ଜଡିତ ଥିବାରୁ ବିରୋଧୀ ସେଦିନର ଘଟଣାକୁ ନେଇ ସଦନରେ ଗୃହ ମନ୍ତ୍ରୀଙ୍କ ବିବୃତି ଦାବି କରୁଛନ୍ତି । ସରକାର ଏହି ଦାବିକୁ ଏଡାଇ ଯାଉଥିବା ସଂସଦରେ ବିରୋଧୀଙ୍କ ହଟ୍ଟଗୋଳର କାରଣ ହୋଇଛି । ସରକାରୀ ପକ୍ଷ ବିରୋଧୀଙ୍କୁ ଦାୟି କରି ବିଶୃଙ୍ଖଳ ଆଚରଣ ନାମରେ ନିଲମ୍ବନ ଜାରି ରଖିବା ପରିସ୍ଥିତିକୁ ଅଧିକ ଗମ୍ଭୀର କରିଛି । ନିଲମ୍ବିତ ସାଂସଦଙ୍କ ସଂଖ୍ୟା ଶହେ ପାଖାପାଖି ପହଂଚି ଥିବାରୁ ଗତ ମୌସୁମୀ ଅଧିବେଶନ ଭଳି ଚଳିତ ଶୀତ ଅଧିବେଶନ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଏବଂ ସରକାରଙ୍କ ଅଡିଅଳ ପଣରେ ଧୋଇଯିବ ବୋଲି ତଥ୍ୟାଭିଜ୍ଞ ମହଲ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS