ମଂଗଳବାର ୪୯ ସାଂସଦ ନିଲମ୍ବିତ, ସଂଖ୍ୟା ହେଲା ୧୪୧
ପ୍ରସାଦ ରାଓ
ଡିସେମ୍ବର ୧୯
ଡିସେମ୍ବର ୧୩ ତାରିଖ ଅପରାହ୍ନରେ ଲୋକସଭାରେ ଯେଉଁ ସୁରକ୍ଷା ବିଭ୍ରାଟ ଘଟିଲା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସଂସଦକୁ ଆସି ତାହା ଉପରେ ବିବୃତି ରଖନ୍ତୁ ବୋଲି ବିରୋଧୀ ଦଳ ସାଂସଦଙ୍କ ଦାବି ଓ ହଟ୍ଟଗୋଳ ଆଜି ମଧ୍ୟ ଜାରି ରହିଛି । ସରକାର ବିରୋଧୀ ଦଳ ସାଂସଦମାନଙ୍କ ଦାବିକୁ ଏଡାଇ ଚାଲିଥିବା ବେଳେ ସଂସଦର ଉଭୟ ଗୃହରେ ହଟ୍ଟଗୋଳ କରୁଥିବା ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିଛି । ଆଜି ୪୯ ଜଣ ସାଂସଦଙ୍କୁ ନିଲମ୍ବିତ କରାଯିବା ପରେ ଗତ ଗୁରୁବାରରୁ ଆଜି ସୁଦ୍ଧା ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୧ରେ ପହଂଚିଛି ।
ସଂସଦର ଶୀତ ଅଧିବେଶ ସୁରୁଖୁରେ ଚାଲିଥିବା ବେଳେ ଗତ ୧୩ ତାରିଖ ଦିନ ଲୋକସଭାରେ ଶୂନ୍ୟକାଳରେ ସୁରକ୍ଷା ବିଭ୍ରାଟ ଘଟିଲା । ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଥିବା ଦୁଇ ଜଣ ଯୁବକ ଅଚାନକ ଲୋକସଭାରେ ହଳଦିଆ ଧୂଆଁ ଛାଡିବା ସହ ସାଂସଦମାନେ ବସୁଥିବା କ୍ୟାବିନେଟ ହଲକୁ ଡିଆଁ ମାରି ଆତଙ୍କର ବାତାବରଣ ସୃଷ୍ଟି କରିଥିଲେ । ସେଦିନ ସଂସଦ ଭିତରେ ଓ ବାହାରେ ହଂଗାମା କରିଥିବା ୪ ଯୁବକ, ଯୁବତୀଙ୍କ ସମେତ ଏହି ଷଡଯନ୍ତ୍ରରେ ସାମିଲ ଥିବା ମୋଟ ୦୭ ଜଣଙ୍କୁ ଦିଲ୍ଲୀ ପୁଲିସ ଗିରଫ କରି ଅଦାଲତରେ ହାଜର କରାଇବା ପରେ ରିମାଣ୍ଡରେ ଆଣି ଜେରା କରୁଛନ୍ତି । ଆତଙ୍କବାଦ ନିରୋଧ ଆଇନରେ ସେମାନଙ୍କ ବିରୋଧରେ ମାମଲା ହୋଇଛି ।
ତେବେ, ଲୋକସଭାରେ ଘଟିଥିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସଂସଦ ବାହାରେ ବିବୃତି ରଖୁଥିବା ବେଳେ ସଂସଦର ଶୀତ ଅଧିବେଶନ ଚାଲିଥିବା ମଧ୍ୟ ଗୃହକୁ ଆସି ବିବୃତି ରଖୁନଥିବାରୁ ବିରୋଧୀ ଦଳ ସାଂସଦମାନେ ତାହା ବିରୋଧ କରୁଛନ୍ତି । ବୁଧବାର ଏହି ଘଟଣା ଘଟି ଥିବା ବେଳେ ଗୁରୁବାର ବିରୋଧୀ ଦଳ ସାଂସଦମାନେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଶାହା ସଂସଦକୁ ଆସି ଉଭୟ ଗୃହରେ ବୟାନ ରଖିବାକୁ ଦାବି କରିଥିଲେ । ଗୁରୁବାର ସଂସଦରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ୧୩ ଜଣ ଲୋକସଭା ସାଂସଦଙ୍କୁ ବାଚସ୍ପତି ନିଲମ୍ବନ କରିଥିବା ବେଳେ ରାଜ୍ୟସଭା ଅଧ୍ୟକ୍ଷ ଜଣେ ସାଂସଦଙ୍କୁ ନିଲମ୍ବିତ କରିଥିଲେ । ସୋମବାର ଯାଏଁ ସଂସଦ ଅଧିବେଶନ ମୁଲତବୀ ରହିଥିଲା ।
ଗତକାଲି ଅଧିବେଶନ ଆରମ୍ଭରୁ ବିରୋଧୀ ଦଳ ସାଂସଦମାନେ ଗୃହ ମନ୍ତ୍ରୀଙ୍କ ବିବୃତି ଦାବିରେ ଅଡି ରହି ହଟ୍ଟଗୋଳ କରିବାରୁ ଲୋକସଭା ବାଚସ୍ପତି ଓମ୍ ବିରଳା ୩୩ ଜଣ ସାଂସଦଙ୍କୁ ଓ ରାଜ୍ୟସଭା ଅଧ୍ୟକ୍ଷ ୪୫ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ଗୋଟିଏ ଦିନରେ ସଂସଦର ଉଭୟ ଗୃହରୁ ଏତେ ସଂଖ୍ୟାରେ ବିରୋଧୀ ଦଳ ସାଂସଦ ନିଲମ୍ବିତ ହେବା ବିରଳ ଘଟଣା ବୋଲି ଆଲୋଚନା ହେଉଛି । ଆଜି (ମଂଗଳବାର) ମଧ୍ୟ ବିରୋଧୀ ଦଳ ସାଂସଦମାନେ ଦାବିରେ ଅଡି ରହି ହଟ୍ଟଗୋଳ କରିବାରୁ ଲୋକସଭାରୁ ୪୯ ସାଂସଦ ନଲମ୍ବିତ ହାଇଛନ୍ତି । ଆଜି ନିଲମ୍ବିତ ହୋଇଥିବା ସାଂସଦଙ୍କ ମଧ୍ୟରେ ଅଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର, କୀର୍ତ୍ତି ଚିଦାମ୍ବରମ, ଜାତୀୟ କନଫରେନ୍ସ (ଏନସି) ନେତା ଫରୁକ ଅବଦୁଲ୍ଲା, ଏନସିପିର ସୁପ୍ରିୟା ସୁଲେ ଏବଂ ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ ।
ସଂସଦର ସୁରକ୍ଷା ଦାୟିତ୍ୱ ସଂସଦୀୟ ସଚିବାଳୟର । ଏଥିରେ ସରକାରୀ ହସ୍ତକ୍ଷେପର ସୁଯୋଗ ନାହିଁ ବୋଲି ଲୋକସଭା ବାଚସ୍ପତି ଓମ୍ ବିରଳା ସ୍ପଷ୍ଟ କରିବା ସତ୍ତ୍ୱେ ବିରୋଧୀ ଦଳ ସାଂସଦମାନେ ଗୃହ ମନ୍ତ୍ରୀ ବିବୃତି ଦାବିରେ ହଟ୍ଟଗୋଳ ଓ ବିରୋଧୀ ସାଂସଦଙ୍କୁ ଗୃହରୁ ନିଲମ୍ବନ କରାଯିବା ବିରୋଧରେ ପ୍ରତିବାଦ ଜାରି ରଖିଛନ୍ତି । ଆଜି ଲୋକସଭାରୁ ୪୯ ଜଣ ସାଂସଦ ନିଲମ୍ବନ କରାଯିବା ପରେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ‘ଏକ୍ସ’ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି, ସରକାର ସଂସଦରୁୁ ବିରୋଧୀ ସାସଦଙ୍କୁ ତଡି ଏକପାଖିଆ ଭାବେ ବିଭିନ୍ନ ଜନବିରୋଧୀ ବିଲ୍ ପାସ୍ କରାଇ ନେବା ଯେଜନାରେ ଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ଚଳାଇଛନ୍ତି । ଅପରପକ୍ଷରେ, ଯେଉଁ ବିଜେପି ସାଂସଦଙ୍କ ପାସ୍ ରେ ଦୁଇ ଦୁର୍ବୁତ୍ତ ଲୋକସଭାରେ ପ୍ରବେଶ କରି ହାଂଗାମା କରିଥିଲେ ସଂପୃକ୍ତ ସାଂସଦଙ୍କ ବିରୋଧରେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି ।
ଆଜି ବିରୋଧୀ ସାଂସଦମାନେ ଲୋକସଭାରେ ଗୃହ ମନ୍ତ୍ରୀଙ୍କ ବିବୃତି ଦାବି କରି ହଟ୍ଟଗୋଳକ୍ରରିବା ସମୟରେ ସେମାନଙ୍କ ମଧ୍ୟରୁ କିଛି ଗୃହର ମଧ୍ୟଭାଗରେ ପ୍ଲାକାର୍ଡ ଓ ପୋଷ୍ଟର ଦେଖାଇ ପ୍ରଦର୍ଶନ କରିଥିଲେ । କିଛି ସାଂସଦଙ୍କ ହାତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମର୍ଫ ହୋଇଥିବା ଫଟୋ ଥିଲା । ଅଧିବେଶନ ସମୟରେ କେହି ସଂସଦକୁ ପ୍ଲାକାର୍ଡ, ପୋଷ୍ଟର ନେବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ, ବିରୋଧୀ ଦଳ ସାଂସଦମାନେ ଆଜି ଗୃହକୁ ପ୍ଲାକାର୍ଡ, ପୋଷ୍ଟର ନେଇ ଯିବା ଓ ତାହାର ପ୍ରଦର୍ଶନ କରିବା, କିଛି ସାଂସଦ ପୋଡିୟମ ପର୍ଯ୍ୟନ୍ତ ପହଂଚି ଯାଇ ହଟ୍ଟଗୋଳ କରିବା ହେଉଛି ଚରମ ବିଶୃଙ୍ଖଳା ବୋଲି ଲୋକସଭା ବାଚସ୍ପତି ବିରଳା ପ୍ରତିକ୍ରିୟା ରଖିଛନ୍ତି । ଗୃହର ମଧ୍ୟଭାଗରେ ପ୍ରଦର୍ଶନ କରୁଥିବା ବିରୋଧୀ ସାଂସଦଙ୍କୁ ନିଜ ନିଜ ଆସନକୁ ଫେରି ଯିବାକୁ ସେ ଚେତାବନୀ ଦେଇଥିଲେ ମଧ୍ୟ ନଶୁଣିବାରୁ ୪୯ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିବା ସେ କହିଛନ୍ତି ।
ଚଳିତ ଶୀତ ଅଧିବେଶନରେ ସଂସଦର ସୁରକ୍ଷା ପ୍ରସଙ୍ଗରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ବେଳେ ଶାସକ ଦଳ ପକ୍ଷରୁ ୧୪୧ ଜଣ ସାଂସଦଙ୍କୁ ନିଲମ୍ବନ କରାଯାଇଥିବା ମୋଦୀଙ୍କ ସରକାରଙ୍କ ଏକଛତ୍ରବାଦର ନମୂନା ବୋଲି ବୋଲି ବିରୋଧୀ ଅଭିଯୋଗ କରୁଥିବା ବେଳେ ଶାସକ ଦଳ ୧୯୮୯ରେ କଂଗ୍ରେସ ସରକାର ଅମଳରେ ଗୋଟିଏ ଦିନରେ ୬୩ ଜଣ ସାଂସଦ ନିଲମ୍ବିତ ହୋଇଥିବା କଥା ମନେ ପକାଇ ଦେଇଛି । ୧୯୮୯ରେ ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲେ ଓ ଲୋକସଭାରେ କଂଗ୍ରେସର ୪୦୦ରୁ ଅଧିକ ସଦସ୍ୟ ଥିଲେ । ୧୯୮୯ ମାର୍ଚ୍ଚ ୧୫ ତାରିଖରେ ସଂସଦର ବଜେଟ ଅଧିବେଶନ ଚାଲିଥିବା ବେଳେ ଲୋକସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିର ଗାନ୍ଧୀଙ୍କ ହତ୍ୟା ସଂପର୍କିତ ଠକ୍କର କମିଶନ ରିପୋର୍ଟ ଉପସ୍ଥାପିତ ହୋଇଥିଲା । ରିପୋର୍ଟକୁ ନେଇ ବିରୋଧୀ ଗୃହରେ ତୁମ୍ବିତୋଫାନ କରିବାରୁ ବାଚସ୍ପତି ୬୩ ଜଣ ସାଂସଦଙ୍କୁ ନିଲମ୍ବିତ କରିଥିଲେ ।
ଅବଶ୍ୟ, ନିଲମ୍ବିତ ହୋଇଥିବା ସାଂସଦମାନେ ଦିନକ ପରେ ବାଚସ୍ପତିଙ୍କ ନିକଟରେ କ୍ଷମା ମାଗିବା ପରେ ସେମାନଙ୍କ ବିରୋଧରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଥିଲା । କିନ୍ତୁ, ୨୦୧୪ରେ ଦେଶରେ ବିଜେପି ସରକାର ପ୍ରତିଷ୍ଠା ହେବା ପରଠାରୁ ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିତିଦିନିଆ ହୋଇଛି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ପାଲଟା ଅଭିଯୋଗ କରିଛନ୍ତି । ସଂସଦରୁ ଏତେ ସଂଖ୍ୟାରେ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯିବା ଯଥାର୍ଥ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି । ନୂତନ ସଂସଦ ଭବନ ଉଦ୍ଘାଟନ ଦିନ ସାଂସଦମାନେ ଗୃହର ମଧ୍ୟଭାଗକୁ ପ୍ରଦର୍ଶନ କରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ବିରୋଧୀ ସାଂସଦମାନେ ତାହାର ଉଲଂଘନ କରିଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଛି । ରାଜ୍ୟସଭାରେ ଶାସକ ଦଳ ନେତା ପିୟୂଷ ଗୋୟେଲ କହିଛନ୍ତି, ବାଚସ୍ପତିଙ୍କୁ ଅପମାନିତ କରିବା ବିରୋଧୀ ଦଳଙ୍କ ଏକ ସୁଚିନ୍ତିତ ଯୋଜନା ରହିଛି । ତେଣୁ, ଏଭଳି ବିରୋଧ ପ୍ରଦର୍ଶନ ହେଉଛି । ସରକାର ଓ ବିରୋଧୀଙ୍କ ମଧ୍ୟରେ ଏଭଳି ଆରୋପ, ଦୋଷାରୋପ ଚାଲିଥିବା ବେଳେ ସଂସଦର ଉଭୟ ଗୃହରୁ ଆଜି ସୁଦ୍ଧା ୧୪୧ ବିରୋଧୀ ସାଂସଦଙ୍କୁ ନିଲମ୍ବିତ କରାଯାଇଥିବାରୁ ଆଉ କେତେ ବଳକା ରହିଲେ (?) ବୋଲି ଏବେ ପ୍ରଶ୍ନ ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS