ବୁଧବାର ଆଉ ଦୁଇ ସାଂସଦ ନିଲମ୍ବିତ, ସଂଖ୍ୟା ୧୪୩ରେ ପହଂଚିଲା
ପ୍ରସାଦ ରାଓ
ଡିସେମ୍ବର ୨୦
ସଂସଦରେ ସୁରକ୍ଷା ପ୍ରସଙ୍ଗ ଉପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କଠାରୁ ବିବୃତି ଦାବି କରି ଆଜି ଆଉ ଦୁଇ ଜଣ ସାଂସଦ ଗୃହରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ସୁଦ୍ଧା ଲୋକସଭା ଓ ରାଜ୍ୟସଭାରୁ ୧୪୧ ବିରୋଧୀ ସାଂସଦ ନିଲମ୍ବିତ ହୋଇଥିଲେ । ଆଜିର ନିଲମ୍ବନକୁ ମିଶାଇ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୩ରେ ପହଂଚିଛି । କେବଳ ଲେକସଭାରୁ ୯୭ ସାଂସଦ ନିଲମ୍ବିତ ହେଲେଣି । ଆଜି ଲୋକସଭାରୁ ନିଲମ୍ବିତ ହୋଇଥିବା ଦୁଇ ସାଂସଦ ହେଉଛନ୍ତି କେରଳ କଂଗ୍ରେସ (ମଣି)ର ଥୋମାସ ଛାଜିକଦନ ଓ ସିପିଆଇ(ଏମ)ର ଏ.ଏମ.ଅରିଫ । ଗୃହରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରିଥିବା ଅଭିଯୋଗରେ ଚଳିତ ଶୀତ ଅଧିବେଶନ ସରିବା ଯାଏଁ ସେମାନଙ୍କୁ ନିଲମ୍ବନ କରାଯାଇଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏନେଇ ଆଜି ଲୋକସଭାରେ ଏକ ପ୍ରସ୍ତାବ ଆଗତ କରିବା ପରେ ସେମାନଙ୍କୁ ନିଲମ୍ବନ କରାଯାଇଛି । ଲୋକସଭାରେ ବିରୋଧୀ ସାଂସଦଙ୍କ ସଂଖ୍ୟା ୧୪୨ ଥିବା ବେଳେ ସେଥିରୁ ୯୭ଜଣ ନିଲମ୍ବିତ ହୋଇଛନ୍ତି ଯାହାକି ମୋଟ ବିରୋଧୀ ସାଂସଦଙ୍କ ୬୮ ପ୍ରତିଶତ । ରାଜ୍ୟସଭାରେ ମଧ୍ୟ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯିବା ପରେ ୧୦୦ରୁ କମ୍ ବିରୋଧୀ ସାଂସଦ ରହିଛନ୍ତି । ତେଣୁ, ସରକାର ଉଭୟ ଲୋକସଭା ଓ ରାଜ୍ୟସଭାରେ ଯେକୌଣସି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରାଇବା ପାଇଁ ଆଉ କିଛି ପ୍ରତିବନ୍ଧକ ନାହିଁ । ଚଳିତ ଶୀତ ଅଧିବେଶନ ହେଉଛି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣକାଳୀନ ଅଧିବେଶନ । ଏହି ଅଧିବେଶନ ସରିବାକୁ ମାତ୍ର ଦୁଇ ଦିନ ରହିଛି । ଡିସେମ୍ବର ୧୩ ତାରିଖ ଦିନ ଲୋକସଭାର ଶୂନ୍ୟକାଳ ଚାଲିଥିବା ସମୟରେ ଦୁଇ ଜଣ ଅନୁପ୍ରବେଶକାରୀ ଦର୍ଶକ ଗ୍ୟାଲେରୀରେ ପହଂଚି ସାଂଗରେ ନେଇଥିବା କେନଷ୍ଟରରୁ ହଳଦିଆ ରଂଗର ଧୂଆଁ ଛାଡିଥିଲେ ଏବଂ ସାଂସଦମାନେ ବସୁଥିବା କ୍ୟାବିନେଟରେ ହାଂଗାମା କରିଥିଲେ । ଏହାକୁ ସଂସଦର ସୁରକ୍ଷା କ୍ଷେତ୍ରରେ ଗୁରୁତର ତୃଟି ଦର୍ଶାଇ ବିରୋଧୀ ଦଳ ସାଂସଦମାନେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ବିବୃତି ଦାବି କରୁଛନ୍ତି ଏବଂ ସରକାର ଅମଂଗ ହେୁଥିବାରୁ ଡିସେମ୍ବର ୧୪ ତାରିଖରୁ ସଂସଦର ଉଭୟ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଚାଲିଛି । ସଂସଦରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କରୁଥିବା ଅଭିଯୋଗରେ ୧୪ ତାରିଖ ଉଭୟ ଗୃହରୁ ୧୪ ବିରୋଧୀ ସାଂସଦ ନିଲମ୍ବିତ ହୋଇଥିବା ବେଳେ ୧୮ ତାରିଖ ଦିନ ୯୨ ଜଣ ଓ ୧୯ ତାରିଖରେ ୪୯ ଜଣ ବିରୋଧୀ ସାଂସଦ ନିଲମ୍ବିତ ହୋଇଥିଲେ । ଆଜି ଦୁଇ ଜଣ ସାଂସଦ ନିଲମ୍ବିତ ହେବାରୁ ମୋଟ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୩ରେ ପହଂଚିଛି । ସଂସଦରୁ ବିରୋଧୀ ଦଳ ସାଂସଦମାନଙ୍କ ନିଲମ୍ବନ ଜାରି ଥିବାରୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ଏହା ‘ଗଣତନ୍ତ୍ରର ହତ୍ୟା’ ଦର୍ଶାଇ ଶ୍ରୀମତୀ ଗାନ୍ଧୀ କହିଛନ୍ତି, ଗତ ୧୩ ତାରିଖ ଦିନ ଲୋକସଭାରେ ଯାହା ଘଟିଲା ତାହା ଏକ ଅସାଧାରଣ ସୁରକ୍ଷା ବିଚ୍ୟୁତି ଘଟଣା । ସଂସଦର ଶୀତ ଅଧିବେଶନ ଚାଲି ଥିବାରୁ ବିରୋଧୀ ସାଂସଦମାନେ ସଂସଦର ସୁରକ୍ଷାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀଙ୍କଠାରୁ କେବଳ ଏକ ବିବୃତି ଦାବି କରୁଛନ୍ତି । ସରକାର ସେହି ଅନୁରୋଧ ରକ୍ଷା ନକରି ଯେଭଳି ଅହମିକା ଦେଖାଉଛନ୍ତି ତାହା ବର୍ଣ୍ଣନା କରିବାକୁ ତାଙ୍କ ପାଖରେ ଶବ୍ଦର ଅଭାବ ରହିଛି । ଏଠାରେ ସୂଚନାଯୋଗ୍ୟ, ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ବିରୋଧୀ ମେଂଟ ‘ଇଣ୍ଡିଆ’ର ବୈଠକରେ ସଂସଦରେ ଚାଲିଥିବା ବିରୋଧୀ ସାଂସଦଙ୍କ ନିଲମ୍ବନ ଅଭିଯାନକୁ ନିନ୍ଦା କରାଯାଇ ଏକ ପ୍ରସ୍ତାବ ଗୃହୀତ କରାଯାଇଛି । ଏହି ବୈଠକରେ କଂଗ୍ରେସ, ଟିଏମସି, ସମାଜବାଦୀ ପାର୍ଟି, ଆପ୍,ଏନସିପି (ଶରଦ ପାୱାର), ଶିବସେନା (ଉଦ୍ଧବ ଠାକରେ), ଆରଜେଡି, ସିପିଆଇ, ସିପିଏମ୍ ସମେତ ୨୮ଟି ବିରୋଧୀ ଦଳର ଶୀର୍ଷ ନେତମାନେ ଯୋଗ ଦେଇଥିଲେ । ଇତିମଧ୍ୟରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ ଏକ ବିବୃତି ଦେଇ କହଛନ୍ତି, ଡିସେମ୍ବର ୧୩ ତାରିଖ ଦିନ ଲୋକସଭାରେ ଯାହା ଘଟିଲା ତାହା ସରକାରଙ୍କ ଗୁଇନ୍ଦା ସଂସ୍ଥାର ବିଫଳତାକୁ ସୂଚାଉଥିବା ବେଳେ ସରକାର କାହାକୁ ଉତ୍ତରଦାୟୀ କରିଛନ୍ତି ତାହା ବିରୋଧୀ ଦଳର ସାଂସଦମାନେ ଜାଣିବାକୁ ଚାହୁଁଛନ୍ତି । ତେଣୁ, ଗୃହ ମନ୍ତ୍ରୀ ଶାହା ସଂସଦରେ ବିବୃତି ରଖିବାକୁ ଦାବି କରୁଛନ୍ତି । ଏହି ଦାବି ଉଠାଇ ସଂସଦର ଉଭୟ ଗୃହରେ ବିରୋଧ ପ୍ରଦର୍ଶନ କରୁଥିବା ବିରୋଧୀ ସାଂସଦଙ୍କୁ ନିଲମ୍ବନ କରାଯାଉଥିବା ବେଳେ ଲୋକସଭାରେ ଅନୁପ୍ରବେଶକାରୀଙ୍କୁ ପ୍ରବେଶପତ୍ର ଯୋଗାଇ ଦେଇଥିବା ବିଜେପି ସାଂସଦ ପ୍ରତାପ ସିଂହ୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନି କାହିଁକି ? ସେହିପରି, ସଂସଦରେ ଆମରୋହି ସାଂସଦ ଡାନିଶ ଅଲ୍ଲୀଙ୍କ ପ୍ରତି ଅସଭ୍ୟ ଭାଷା ପ୍ରୟୋଗ କରିଥିବା ବିଜେପି ସାଂସଦ ରମେଶ ବିଧୁରୀଙ୍କ ବିରୋଧରେ ମଧ୍ୟ ଗୃହର ଅଧ୍ୟକ୍ଷଙ୍କ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । ସେମାନଙ୍କୁ ଘଂଟ ଘୋଡାଉଛି କିଏ (?) ବୋଲି ସେ ପ୍ରଶ୍ନ କରିଛନ୍ତି । ବିରୋଧୀ ସାଂସଦ ଡାନିଶ ଅଲ୍ଲୀ ମଧ୍ୟ ଚଳିତ ଶୀତ ଅଧିବେଶନରେ ଗୃହରୁ ନିଲମ୍ବିତ ହୋଇଛନ୍ତି । ଅଲ୍ଲୀ ଏକ ବିବୃତିରେ କହିଛନ୍ତି, ଯେଉଁମାନେ ସଂସଦରେ ଅସଭ୍ୟ ଭାଷା ପ୍ରୟୋଗ କରିବେ ସେମାନେ ପାର୍ଲାମେଂଟରେ ବସି ରହିବେ । ଯେଉଁମାନେ ସରକାରଙ୍କୁ ପ୍ରଶ୍ନ କରିବେ ସେମାନେ ନିଲମ୍ବିତ ହେବେ । ଏହା ହେଉଛି ନୂତନ ଭାରତର ସଂଜ୍ଞା । ସେ ସଂସଦ ଅଧିବେଶନରେ ଉପସ୍ଥିତ ନଥିଲେ ମଧ୍ୟ ନିଲମ୍ବିତ ସାଂସଦଙ୍କ ଚିଠାରେ ତାଙ୍କ ନାମ ଥିଲା ବୋଲି ଡାନିଶ ଅଲ୍ଲୀ କହିଛନ୍ତି । ବିଜେପି ସାଂସଦ ସିହ୍ମାଙ୍କୁ କାହିଁକି ନିଲମ୍ବନ କରାଯାଉନାହିଁ ବୋଲି ଟିଏମସି ସାଂସଦ ସୌଗତ ରାୟ ପ୍ରଶ୍ନ କରିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS