ସଂଜୟ ସିଂହ ଡବ୍ଲୁଏଫଆଇର ନୂତନ ସଭାପତି
ପ୍ରସାଦ ରାଓ
ଡିସେମ୍ବର ୨୧
ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ଜଣେ କାର୍ଯ୍ୟକର୍ତ୍ତା ସଂଜୟ ସିଂହ ଆଜି ମହାସଂଘର ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ହେଉଛନ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଟ ସହଯୋଗୀ । ତାଙ୍କ ବିପକ୍ଷରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ବିଜେତା ଅନିତା ସିଓରାନ ସଭାପତି ପ୍ରାର୍ଥୀ ଥିଲେ । ତେବେ, ସଂଜୟଙ୍କୁ ୪୭ରୁ ୪୦ ଭୋଟ ମିଳିଥିବା ବେଳେ ଅନିତାଙ୍କୁ ପରାଜିତ ହେବାକୁ ପଡିଛି । ଅନିତାଙ୍କୁ ପ୍ରାର୍ଥୀ କରିଥିବା ଗୋଷ୍ଠୀ ଡବ୍ଳୁଏଫଆଇ ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ଯୌନ ଉତ୍ପିଡନ ଅଭିଯୋଗ ଆଣିଥିଲେ । ଗତ ବର୍ଷ ଏହି ଗୋଷ୍ଠୀର ଏତଲା ଓ ଆନ୍ଦୋଳନ ଫଳରେ ସିଂହ ସଭାପତି ପଦରୁ ଓହରିବାକୁ ବାଧ୍ୟ ହୋଇଥିଲେ । ପରେ, ଏକ ଅସ୍ଥାୟୀ କମିଟି ଦ୍ୱାରା ମହାସଂଘର ପରିଚାଳିତ ହେଉଥିଲା । ବ୍ରିଜ ଭୂଷଣଙ୍କ ବିରୋଧରେ ହୋଇଥିବା ମହିଳା କୁସ୍ତିଯୋଦ୍ଧାଙ୍କୁ ଯୌନ ଉତ୍ପିଡନ ମାମଲା ଦିଲ୍ଲୀର ଏକ ଅଦାଲତରେ ବିଚାରାଧୀନ ରହିଛି । ଦିଲ୍ଲୀ ପୁଲିସ ଏହି ମାମଲାର ତଦନ୍ତ କରି କୋଟରେ ଚାର୍ଜିସିଟ ଦାଖଲ କରି ସାରିଛନ୍ତି । ଅଭିଯୋଗରେ ସତ୍ୟତା ଥିବା ପୁଲିସ ପ୍ରମାଣ ପାଇଥିବା କୋର୍ଟରେ ଦାଖଲ ଚାର୍ଜସିଟରେ ଦର୍ଶାଯାଇଛି । ବ୍ରିଜ ଭୂଷଣ ସଭାପତିରୁ ହଟିବା ପରେ ଅସ୍ଥାୟୀ ଭାବେ ମହାସଂଘର ଦାୟିତ୍ୱ ତୁଲାଉଥିବା କମିଟି ଗତ ଜୁଲାଇ ମାସରୁ ନୂତନ କାର୍ଯ୍ୟକର୍ତ୍ତା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ମଧ୍ୟ କୋର୍ଟ ମାମଲା ଓ ଅନ୍ୟାନ୍ୟ କାରଣରୁ ତାହା ବିଲମ୍ବିତ ହୋଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ନିର୍ବାଚନ ନହେବାରୁ ଡବ୍ଲୁଏଫଆଇ ଆନ୍ତର୍ଜାତିକ କୁସ୍ତି ମହାସଂଘ ଦ୍ୱାରା ସସ୍ପେଣ୍ଡ ହୋଇଥିଲା । ପଂଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ଜାରି ଏକ ସ୍ଥଗିତାଦେଶ ନିକଟରେ ସୁପ୍ରିମ କୋର୍ଟରେ ରଦ୍ଦ ହେବା ପରେ ଡବ୍ଲଏଫଆଇ ନିର୍ବାଚନ ପାଇଁ ବାଟ ଖୋଲିଥିଲା । ଆଜି ନିର୍ବାଚନ ପ୍ରକ୍ରିୟା ସରିଛି । ଡବ୍ଲୁଏଫଆଇ ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପିଡନ ଅଭିଯୋଗ ଆଣି ଗତ ଏକ ବର୍ଷ ହେଲା ତାଙ୍କ ଗିରଫ ଦାବିରେ ଅଭିଯାନ ଚଳାଇ ଥିବା ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କୁସ୍ତିଯୋଦ୍ଧା ବଜରଂଗ ପୁନିଆ, ସାକ୍ଷୀ ମଲ୍ଲିକ, ଭିନେଶ ଫୋଗଟ ପ୍ରମୁଖଙ୍କ ପ୍ରାର୍ଥୀ ଅନିତା ସଭାପତି ନିର୍ବାଚନରେ ପରାଜିତ ହେବା ବ୍ରିଜ ଭୂଷଣଙ୍କୁ ଆଶ୍ୱସ୍ତ କରିଛି । ବ୍ରିଜ ଭୂଷଣ କିମ୍ବା ତାଙ୍କ ପରିବାରରୁ କେହି ଡବ୍ଲୁଏଫଆଇ ନିର୍ବାଚନରେ ସାମିଲ ହୋଇପାରିବେ ନାହିଁ ବୋଲି ବିରୋଧୀ ଗୋଷ୍ଠୀ ଅଡି ରହିବାରୁ ତାଙ୍କ ପୁଅ ପ୍ରତୀକ ଓ ଜ୍ୱାଇ ବିଶାଳ ସିଂହ ନିର୍ବାଚ ଦୌଡରୁ ଦୂରେଇ ରହିଥିଲେ । ତେବେ, ନିଜର ଘନିଷ୍ଟ ସହଯୋଗୀ ସଂଜୟ ସିଂହଙ୍କୁ ବ୍ରିଜ ଭୂଷଣ ସଭାପତି ପ୍ରାର୍ଥୀ କରିଥିଲେ । ସଂଜୟ ସିଂହ ପୂର୍ବରୁ ୟୁପି ରେସଲିଂ ସଂଘ ଉପ ସଭାପତି, ଡବ୍ଲୁଏଫଆଇ କାର୍ଯ୍ୟକାରୀ ପରିଷଦ ସଦସ୍ୟ ଓ ୨୦୧୯ରୁ ମହାସଂଘର ଯୁଗ୍ମ ସଂପାଦକ ଥିଲେ । ସଂଜୟ ସିଂହ ଆଜି ରେସଲିଂ ଫେଡେରେସନ ଅଫ ଇଣ୍ଡିଆ ସଭାପତି ନିର୍ବାଚିତ ହୋଇଥିବା ବେଳେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଉପ ସଭାପତି ଦୌଡରେ ପରାଜିତ ହୋଇଛନ୍ତି । ଡବ୍ଲୁଏଫଆଇ ସଭାପତି ପଦ ସହ ଗୋଟିଏ ବରିଷ୍ଠ ଉପ ସଭାପତି, ଚାରିଟି ଉପ ସଭାପତି, ଗୋଟିଏ ସାଧାରର ସଂପାଦକ, ଗୋଟିଏ କୋଷାଧ୍ୟକ୍ଷ, ଦୁଇଟି ଯୁଗ୍ମ ସଂପାଦକ ଓ ପାଂଚଟି କାର୍ଯ୍ୟକାରୀ କମିଟି ସଦସ୍ୟ ପାଇଁ ଏହି ନିର୍ବାଚନ ହୋଇଥିଲା । ସଭାପତି ନିର୍ବାଚନରେ ତାଙ୍କ ବିଜୟ ‘ମିଥ୍ୟା ବିପକ୍ଷରେ ସତ୍ୟର ଜୟ’ ବୋଲି ନୂତନ ସଭାପତି ସଂଜୟ ସିଂହ କହିଛନ୍ତି । ମହାସଂଘର ପୂର୍ବତନ ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ସହ ତାଙ୍କର ଘନିଷ୍ଟତାକୁ ସଂଜୟ ସ୍ୱୀକାର କରିଛନ୍ତି । ଗୋଟିଏ ଗୋଷ୍ଠୀ କୁସ୍ତିଯୋଦ୍ଧା ଅସନ୍ତୁଷ୍ଟ ଥିବାରୁ ମହାସଂଘକୁ ସେ କିଭଳି ଭାବେ ଚଳାଇବେ ବୋଲି ଗଣମାଧ୍ୟମ ଆଡୁ ସଂଜୟଙ୍କୁ ପ୍ରଶ୍ନ ହେବାରୁ କୌଣସି ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ଅବିଚାର ହେବ ନାହିଁ ବୋଲି ସେ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS