ଆଉ ତିନି ସାଂସଦ ନିଲମ୍ବିତ, ସଂଖ୍ୟା ହେଲା ୧୪୬
ପ୍ରସାଦ ରାଓ
ଡିସେମ୍ବର ୨୧
ଲୋକସଭାରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ ଅଭିଯୋଗରେ ଆଜି ଆଉ ତିନି ସାଂସଦ ନିଲମ୍ବିତ ହୋଇଛନ୍ତି । ସେମାନେ ହେଉଛନ୍ତି, କଂଗ୍ରେସ ସାଂସଦ ଦୀପକ ବୈଜ, ଡି.କେ.ସୁରେଶ ଓ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳ ନାଥଙ୍କ ପୁଅ ନକୁଳ ନାଥ । ସଂସଦର ସୁରକ୍ଷାରେ ବିଭ୍ରାଟ ପ୍ରସଙ୍ଗରେ ସେମାନେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ବିବୃତି ଦାବି କରି ଲୋକସଭା ବାଚସ୍ପତିଙ୍କ ଦ୍ୱାରା ଗୃହରୁ ନିଲମ୍ବିତ ହୋଇଛନ୍ତି । ଏହି ଦାବି ଉଠାଇ ଗତକାଲି ସୁଦ୍ଧା ସଂସଦର ଉଭୟ ଗୃହର ୧୪୩ ଜଣ ବିରୋଧୀ ସାଂସଦ ନିଲମ୍ବିତ ହୋଇଥିଲେ । ଆଜିର ତିନି ଜଣ ମିଶି ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୧୪୬ ହୋଇଛି । ଏଥିରୁ ଲୋକସଭାରୁ ନିଲମ୍ବିତ ହୋଇଥିବା ବିରୋଧୀ ସାଂସଦ ହେଉଛନ୍ତି ୧୦୦ । ଆଜି ବିରୋଧୀ ଦଳ ସାଂସଦମାନେ ସଂସଦରେ ଚାଲିଥିବା ନିଲମ୍ବନର ବିରୋଧ କରି ଦିଲ୍ଲୀରେ ସଂସଦ ଭବନରୁ ବିଜୟ ଚୌକ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଛନ୍ତି । ସରକାରଙ୍କ ପଦକ୍ଷେପକୁ ସେମାନେ ସଂସଦୀୟ ଗଣତନ୍ତ୍ରର ହତ୍ୟା ବୋଲି ଦର୍ଶାଇଛନ୍ତି । ସଂସଦରେ ବିରୋଧୀ ଦଳ ସଦସ୍ୟଙ୍କ ଅନୁପସ୍ଥିତିରେ ସରକାରଙ୍କ ପକ୍ଷରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାଶ୍ କରାଇ ନିଆଯାଇଛି । ଏହି ବିଲ୍ ଗୁଡିକ ମଧ୍ୟରେ ଟେଲି ଯୋଗାଯୋଗ ବିଲ୍, ମୁଖ୍ୟ ନିର୍ବାଚନ ଆୟୁକ୍ତ ନିଯୁକ୍ତ ବିଲ୍ ଓ ଆପରାଧିକ ଆଇନ ସଂଶୋଧନ ବିଲ୍ ପ୍ରଭୃତି ଅନ୍ତର୍ଭୁକ୍ତ । ଲୋକସଭାରେ ଗତ୧୩ ତାରିଖ ଦିନ ଯେଉଁ ସୁରକ୍ଷା ବିଚ୍ୟୁତ ଘଟିଲା ତାହାକୁ ନେଇ ସଂସଦର ସୁରକ୍ଷା ବଦଳାଇବାକୁ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ପୁଲିସ ସ୍ଥାନରେ ସିଆଇଏସଏଫ (କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ) ଏଥର ସଂସଦର ସୁରକ୍ଷା ଦାୟିତ୍ୱ ତୁଲାଇବେ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଗତକାଲି ଏକ ବିଜ୍ଞପ୍ତି ଜାରି କରିଛି । ସିଆଇଏସଏଫ ଅତ୍ୟନ୍ତ ସ୍ପର୍ଶକାତର ସରକାରୀ ଉଦ୍ୟୋଗ, ବିମାନ ବନ୍ଦର, ବନ୍ଦର, ଆଣବିକ ପ୍ରତିଷ୍ଠାନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନର ସମନ୍ୱିତ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ଅଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS