ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଗୋଡରେ ବେଡି ଲାଗିଲା ?
ପ୍ରସାଦ ରାଓ
ଡିସେମ୍ବର ୨୪
କେନ୍ଦ୍ର ସରକାର ଆଜି ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫଆଇ)ର ନବ ନିର୍ବାଚିତ ପରିଚାଳନା ପରିଷଦକୁ ସସ୍ପେଣ୍ଡ କରାଯାଇଥିବା ଘୋଷଣା କରିଛନ୍ତି । ୨୧ ତାରିଖ ଗୁରୁବାର ଦିନ ମହାସଂଘର କର୍ମକର୍ତ୍ତା ନିର୍ବାଚନ ହୋଇଥିଲା । ଡବ୍ଲୁଏଫଆଇର ପୂର୍ବତନ ସଭାପତି (ବିଜେପି ସାଂସଦ) ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଟ ସହଯୋଗୀ ସଂଜୟ କୁମାର ସିଂହ ଗୁରୁବାର ମହାସଂଘର ନୂତନ ସଭାପତି ନିର୍ବାଚିତ ହୋଇଥିଲେ । ମହାସଂଘର ମୋଟ ୧୫ ପଦବୀରୁ ବ୍ରିଜ ଭୂଷଣଙ୍କ ଗୋଷ୍ଠୀ ହାତକୁ ୧୩ଟି ପଦବୀ ଯାଇଛି । ସଂଜୟ ସିଂହଙ୍କୁ ସଭାପତି ନିର୍ବାଚିତ କରାଇ ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହ ମହାସଂଘର ସମସ୍ତ ପରିଚାଳନା କ୍ଷମତା ନିଜ ହାତରେ ଠୁଳ କରିଥିବା ତାଙ୍କ ବିରୋଧୀ ଗୋଷ୍ଠୀକୁ କ୍ଷୁବ୍ଧ କରିଛି । ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି ତାଙ୍କୁ ସଭାପତି ପଦରୁ ହଟାଇଥିବା କୁସ୍ତିଯୋଦ୍ଧାମାନେ ସଂଜୟ ସିଂହଙ୍କ ମାଧ୍ୟମରେ ବ୍ରିଜ ଭୂଷଣ ପୁନର୍ବାର ଶକ୍ତିଶାଳୀ ହୋଇଥିବା ଦେଖି ଦୁଇ ଦିନ ହେଲା କ୍ଷୋଭ ପ୍ରକାଶ କରୁଥିଲେ । ରିଓ ଅଲିଂପିକ୍ସରେ ବ୍ରୋଂଜ ପଦକ ବିଜେତା ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ଗୁରୁବାର ଦିନ ଦିଲ୍ଲୀସ୍ଥିତ ପ୍ରେସ କ୍ଲବ ଅଫ୍ ଇଣ୍ଡିଆ (ପିସିଆଇ)ରେ ସାମ୍ବାଦିକ ସମ୍ମିଳନୀ କରି ସାମ୍ବାଦିକଙ୍କ ଆଗରେ କାନ୍ଦିବା ସହ କୁସ୍ତିରୁ ଅବସର ନେଉଛନ୍ତି ବୋଲି ଘୋଷଣା କରିଥିଲେ । ସାକ୍ଷୀଙ୍କ ସହ ପିସିଆଇରେ ଉପସ୍ଥିତ ଥିବା ଅନ୍ୟତମ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କୁସ୍ତିଯୋଦ୍ଧା ବଜରଂଗ ପୁନିଆ ଓ ଭିନେଶ ଫୋଗଟ ମଧ୍ୟ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ସଂଜୟ ସିଂହଙ୍କ ବିଜୟକୁ ନେଇ ଗଣମାଧ୍ୟମ ପ୍ରତିନିଧି ଭିନେଶଙ୍କୁ ପ୍ରଶ୍ନ କରିବାରୁ ତାଙ୍କ ଉତ୍ତର ଥିଲା – ଏନେଇ ତାଙ୍କର କିଛି କରିବାର ନାହିଁ । ତେବେ, ଦେଶର ମହିଳା କୁସ୍ତିଯୋଦ୍ଧାଙ୍କ ପ୍ରତି ପୁନର୍ବାର ନିର୍ଯାତନା ଜାରି ରହିବା ନିଶ୍ଚିତ । ଦେଶରେ ନ୍ୟାୟ ମିଳିବା କଷ୍ଟକର । କୁସ୍ତିଯୋଦ୍ଧାଙ୍କ ଖେଳ ଜୀବନ ଅନ୍ଧକାର ଆଡକୁ ଯାଉଛି ବୋଲି ଦର୍ଶାଇ ‘କୁଆଡେ ଯିବୁ ଜାଣିପାରୁନୁ’ ବୋଲି ସେ କହିଥିଲେ । ଦିଗ୍ଗଜ କୁସ୍ତିଯୋଦ୍ଧା ପଦ୍ମଶ୍ରୀ ବଜରଂଗ ପୁନିଆ ଏହି ନିର୍ବାଚନକୁ ବିରୋଧ କରି ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ମଧ୍ୟ ଆଗୁଆ ଅନୁମତି ନେଇ ନଥିବା ଦର୍ଶାଇ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରବେଶ ଅନୁମତି ଦିଆନଯିବାରୁ ସେ ତାଙ୍କ ପଦ୍ମଶ୍ରୀ ପଦକ ପ୍ରଧାନମନ୍ତ୍ରୀ ବାସଭବନ ନିକଟ ରାସ୍ତାରେ ଥୋଇ ଫେରି ଯାଇଥିଲେ । ଏହାପରେ, କୁସ୍ତଯୋଦ୍ଧା ପଦ୍ମଶ୍ରୀ ବିରେନ୍ଦ୍ର ସିଂହ ଯାଦବ (ଗୁଂଗା ପହିଲମାନ) ମଧ୍ୟ ତାଙ୍କ ପଦ୍ମଶ୍ରୀ ପଦକ ସରକାରଙ୍କୁ ଫେରାଇ ଦେବେ ବୋଲି ଗତକାଲି ଘୋଷଣା କରିଥିଲେ । ବକ୍ସିଂରେ ଭାରତର ପ୍ରଥମ ଅଲିଂପିକ ସ୍ୱର୍ଣ୍ଣ ବିଜେତା ବି୍ରଜେନ୍ଦ୍ର ସିଂହ ମଧ୍ୟ ଗତକାଲି ସାକ୍ଷୀ ମଲ୍ଲିକଙ୍କୁ ସମର୍ଥନ ଜଣାଇ କୁସ୍ତି ମହାସଂଘ ନିର୍ବାଚନ ଫଳାଫଳ ସମଗ୍ର ବିଶ୍ୱ ସମ୍ମୁଖରେ ଭାରତର ଭାବମୂର୍ତ୍ତି ବଢାଇଲା ନା କମାଇଲା (?) ବୋଲି ପ୍ରଶ୍ନ ଉଠାଇଛନ୍ତି । ହରିୟାଣାର ଖୁବ୍ କମ ଝିଅ କୁସ୍ତି ଖେଳିବାକୁ ଆସୁଥିବା ଦର୍ଶାଇ ସଂଜୟ ସିଂହ କୁସ୍ତି ମହାସଂଘ ସଭାପତି ହେବା ଦ୍ୱାରା କେଉଁ ପରିବାର ନିଜ ଝିଅକୁ କୁସ୍ତି ଖେଳିବାକୁ ଛାଡିବ ବୋଲି ବ୍ୟଂଗ କରିଛନ୍ତି । ବ୍ରିଜେନ୍ଦ୍ର ୨୦୦୮ ବୈଜିଂ ଅଲିଂପିକ୍ସରେ ବ୍ରୋଂଜ ମେଡାଲ ବିଜେତା ହେବା ପରେ କଂଗ୍ରେସ ଦଳରେ ଅଛନ୍ତି । କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଗତକାଲି ଅଲିଂପିକ୍ ବିଜେତା କୁସ୍ତିଯୋଦ୍ଧା ସାୟୀ ମଲ୍ଲିକଙ୍କୁ ଭେଟି ସମର୍ଥନ ଜଣାଇଛନ୍ତି । ଏତେସବୁ ପରେ କେନ୍ଦ୍ର ସରକାର ଆଜି ଡବ୍ଲୁଏଫଆଇର ନବ ନିର୍ବାଚିତ ପରିଷଦକୁ ସସ୍ପେଣ୍ଡ କରାଗଲା ବୋଲି ଘୋଷଣା କରିଛନ୍ତି । ତେବେ, କୁସ୍ତିଯୋଦ୍ଧାଙ୍କ ଅସନ୍ତୋଷ କଥା ନ ଉଠାଇ ୧୫ ବର୍ଷରୁ କମ୍ ଓ ୨୦ ବର୍ଷରୁ କମ୍ ରେସଲିଂ ଜାତୀୟ ଟୁର୍ଣ୍ଣାମେଂଟ ତାରିଖ ଓ ସ୍ଥାନ ଘୋଷଣାରେ ବିଧି ବ୍ୟବସ୍ଥା ଏବଂ ମହାସଂଘ ସମ୍ବିଧାନର ବ୍ୟାପକ ଉଲଂଘନ ହୋଇଥିବା ଦର୍ଶାଇ ନବ ନିର୍ବାଚିତ ପରିଚାଳନା ପରିଷଦକୁ ସସପେଣ୍ଡ କରାଗଲା ବୋଲି କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଗୁରୁବାର ଅନୁଷ୍ଠିତ ନିର୍ବାଚନରେ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଟ ସହଯୋଗୀ ସଂଜୟ ସିଂହ ଭାରତୀୟ କୁସ୍ତି ମହାସଂଘର ସଭାପତି ନିର୍ବାଚିତ ହୋଇଥିବା ଘୋଷଣା ହେବା ପରେ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ସାମ୍ବାଦିକ ସମ୍ମଳନୀ କରି କୁସ୍ତିରୁ ସେ ଅବସର ନେଉଥିବା ଘୋଷଣା କରିଥିଲେ । ସାକ୍ଷୀଙ୍କ ଘୋଷଣାରେ ତାଙ୍କର କିଛି କରିବାର ନାହିଁ ବୋଲି ମହାସଂଘର ପୂର୍ବତନ ସଭାପତି ସିଂହ ବୟାନ ଦେବା ସହ ୧୫ ବର୍ଷରୁ କମ୍ ଓ ୨୦ ବର୍ଷରୁ କମ୍ ରେସଲିଂ ଜାତୀୟ ଟୁର୍ଣ୍ଣାମେଂଟ ଡିସେମ୍ବର ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ୟୁପିର ଗୋଣ୍ଡାରେ ଅନୁଷ୍ଠିତ ହେବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ଘୋଷଣା ଯେଭଳି ଭାବେ ହେଲା ତାହାକୁ ନେଇ ଆଜି କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ପ୍ରଶ୍ନ ଉଠାଇଛି । ଜାତୀୟ କୁସ୍ତି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା କୁସ୍ତିଯୋଦ୍ଧାଙ୍କୁ ଯଥେଷ୍ଟ ସମୟ ଦିଆନଯାଇ ତରବରିଆ ଭାବେ ଜାତୀୟ ପ୍ରତିଯୋଗିତାର ତାରିଖ ଓ ସ୍ଥାନ ଘୋଷଣା କରାଯିବା ଡବ୍ଲୁଏଫଆଇର ସମ୍ବିଧାନରେ ଥିବା ବିଧି ବିଧାନକୁ ଉଲଂଘନ କରୁଛି । ଆଗୁଆ ନୋଟିସ ଦିଆନଯାଇ କୁସ୍ତି ମହାସଂଘ ପରିଚାଳନା ପରିଷଦ ବୈଠକ ବସିବା, ସେକ୍ରେଟେରୀ ଜେନେରାଲଙ୍କୁ ସଂପୃକ୍ତ କରାନଯାଇ ଇସି ବୈଠକ ହେବା, ଆବଶ୍ୟକ କୋରମ ନଥାଇ ଜାତୀୟ ଟୁର୍ଣ୍ଣମେଂଟ ନେଇ ନିଷ୍ପତ୍ତି ନିଆଯିବା ପ୍ରଭୃତି ଭାରତୀୟ କୁସ୍ତି ମହାସଂଘ ସମ୍ବିଧାନର ଖୋଲା ଉଲଂଘନ ବୋଲି କ୍ରୀଡା ମନ୍ତ୍ରଣାଳୟ କହିଛି । ନବ ନିର୍ବାଚିତ ପରିଚାଳନା ପରିଷଦ ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ଏବଂ ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ନିୟନ୍ତ୍ରଣରେ ଥିବା କାର୍ଯ୍ୟାଳୟରୁ ପରିଚାଳିତ ହେଉଥିବା ଏଥିରୁ ସ୍ପଷ୍ଟ ହେଉଛି ଏବଂ ଏହା ସ୍ପୋର୍ଟସ କୋଡର ଉଲଂଘନ ବୋଲି ମଧ୍ୟ କ୍ରୀଡା ମନ୍ତ୍ରଣାଳୟ ଟିପ୍ପଣୀ ଦେଇଥିବା ସୂଚନା ମିଳିଛି । କେନ୍ଦ୍ର ସରକାର ଭାରତୀୟ କୁସ୍ତି ମହାସଂଘର ନବ ନିର୍ବାଚିତ ପରିଚାଳନା ପରିଷଦକୁ ଆଜି ସସ୍ପେଣ୍ଡ କରିବା ପରେ ଦେଶର ପ୍ରମୁଖ କୁସ୍ତିଯୋଦ୍ଧା ତାହାକୁ ସ୍ୱାଗତ କରିଛନ୍ତି । ତେବେ, ସରକାର ପଦକ୍ଷେପ ନେବାରେ ବିଳମ୍ବ କରି ଦେଲେ, ବହୁ ପୂର୍ବରୁ ଏହା ହେବାର ଥିଲା ବୋଲି ସେମାନେ କହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ପ୍ରାରମ୍ଭରେ ଅନ୍ୟୁନ ୧୯ ଜଣ ମହିଳା କୁସ୍ତିଯୋଦ୍ଧା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରିଥିଲେ । ୨୦୨୩ ଜାନୁୟାରୀ ମାସରେ ବଜରଂଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗଟଙ୍କ ନେତୃତ୍ୱରେ କୁସ୍ତିଯୋଦ୍ଧାମାନେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣି ଦିଲ୍ଲୀ ପୁଲିସରେ ଏତଲା ଦେବା ସହ ସରକାରଙ୍କ ଦୃଷ୍ଟି ଆକର୍ଶଣ କରିବା ପାଇଁ ଦିଲ୍ଲୀର ‘ଯନ୍ତ୍ରର ମନ୍ତ୍ରର’ଠାରେ ଧାରଣାରେ ବସିଥିଲେ । ସରକାରଙ୍କ ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲେ ମଧ୍ୟ ଦୀର୍ଘ ତିନି ମାସ ପରେ ମଧ୍ୟ ବ୍ରିଜ ଭୂଷଣଙ୍କ ବିରୋଧରେ ସରକାର ବା ଦିଲ୍ଲୀ ପୁଲିସ ଆଡୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମହିଳା କୁସ୍ତିଯୋଦ୍ଧାମାନେ ପୁନର୍ବାର ପ୍ରତିବାଦ ଓ ଧାରଣାର ଆଶ୍ରୟ ନେଇଥିଲେ । ବିଜେପି ସାଂସଦ ବ୍ରିଜ ଭୂଷଣଙ୍କୁ ଗିରଫ କରାଯିବା ସେମାନଙ୍କ ମୁଖ୍ୟ ଦାବି ଥିଲା । କୁସ୍ତିଯୋଦ୍ଧା ଦିଲ୍ଲୀର ନୂତନ ସଂସଦ ଭବନ ପର୍ଯ୍ୟନ୍ତ ଶୋଭାଯାତ୍ରାରେଯାଇ ପୁଲିସ କାର୍ଯ୍ୟାନୁଷ୍ଠାନ ସମ୍ମୁଖୀନ ହୋଇଥିଲେ । ସେମାନେ ବିଭିନ୍ନ ପ୍ରତିଯୋଗିତାରେ ଜିତି ଥିବା ପଦକ ସବୁ ଗଂଗାରେ ବିସର୍ଜନ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ଏତେସବୁ ପରେ ଦିଲ୍ଲୀ ପୁଲିସ ସେମାନଙ୍କ ଏତଲାକୁ ପଂଜୀକୃତ କରି ଯୌନ ନିର୍ଯ୍ୟାତନା ଅଭିଯୋଗର ତଦନ୍ତ କରିବା ସହ ଦିଲ୍ଲୀର ଏକ ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛି । ମହିଳା କୁସ୍ତିଯୋଦ୍ଧାଙ୍କ ଅଭିଯୋଗର ପ୍ରମାଣ ରହିଥିବା ପୁଲିସ ଚାର୍ଜସଟରେ ଦର୍ଶାଇଥିଲେ ମଧ୍ୟ ଆଜି ସୁଦ୍ଧା ସାଂସଦ ବ୍ରିଜ ଭୂଷଣଙ୍କୁ ଗିରଫ କରାଯାଇନାହିଁ । ସାଂସଦ ଅବାଧରେ ବିଚରଣ କରୁଥିବାରୁ ଯୌନ ଉତ୍ପୀଡନ ଅଭିଯୋଗ କରିଥିବା ମହିଳା କୁସ୍ତଯୋଦ୍ଧାଙ୍କ ସଂଖ୍ୟା ୧୯ରୁ ୦୭କୁ ଖସିଗଲା ଏବଂ ଏଭଳି ଅଭିଯୋଗ କରିଥିବା ଜଣେ ନାବାଳିକା ଅଭିଯୋଗ ପ୍ରତ୍ୟାହାର କରି ନେବାକୁ ବାଧ୍ୟ ହେଲେ ବୋଲି ବିରୋଧୀ ଗୋଷ୍ଠୀ ଅଭିଯୋଗ କରିଛନ୍ତି । ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ଗୁରୁବାର ହୋଇଥିବା ମହାସଂଘ ପରିଚାଳନା ପରିଷଦ ନିର୍ବାଚନରେ ନିଜ ସମର୍ଥକମାନଙ୍କୁ ଅଧିକାଂଶ ପଦବୀରେ ଜିତାଇବାରେ ସକ୍ଷମ ହେଲେ ଏବଂ ମହାସଂଘ ପୁଣି ଥରେ ତାଙ୍କ କବ୍ଚାକୁ ଚାଲି ଗଲା ବୋଲି ଅଭିଯୋଗ ହେଉଥିବା ବେଳେ ଆଜି କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ନବ ନିର୍ବାଚିତ ପରିଚାଳନା ପରିଷଦକୁ ସସ୍ପେଣ୍ଡ କରି ଏଥିରେ ରୋକ୍ ଲଗାଇଛି ବୋଲି ଆଲୋଚନା ହେଉଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS