ମଂଗୁଆଳ ନଥାଇ ନିର୍ବାଚନ ଲଢିବା କଥା କିଭଳି ଚିନ୍ତା କରୁଛନ୍ତି ବିରାଧୀ ?


ପ୍ରସାଦ ରାଓ
ଡିସେମ୍ବର ୨୬
୨୦୨୩ ସରିବାକୁ ମାତ୍ର ପାଂଚ ଦିନ ବାକି ଅଛି । ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ବିଭିନ୍ନ ରାଜନୈତିକ ଦଳର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଓ ଏନଡିଏ ମେଂଟ ଏବଂ ଅନ୍ୟପଟେ ୨୮ ବିରୋଧୀ ଦଳଙ୍କ ‘ଇଣ୍ଡିଆ’ ମେଂଟ । ସାଧାରଣ ନିର୍ବାଚନ ସହ ଓଡିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ରାଜନୈତିକ ବାତାବରଣ ସରଗରମ ହେଲାଣି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ଲଗାତର ତୃତୀୟ ଥର ପାଇଁ ଦେଶରେ କ୍ଷମତା ଦଖଲ କରିବାକୁ ଯାଉଛି ବୋଲି ବିଜେପି ଜନମାନସରେ ଧାରଣା ସୃଷ୍ଟି କରିବାରେ ଏକପ୍ରକାର ସଫଳ ହୋଇଥିବା ବେଳେ ଏଥର ବିଜେପିକୁ କ୍ଷମତାଚ୍ୟୁତ କରି ଦେଶରେ ଏକ ମେଂଟ ସରକାର ପ୍ରତିଷ୍ଠା କରିବ ବୋଲି କଂଗ୍ରେସ ସମେତ ବିରୋଧୀ ମେଂଟରେ ଥିବା ଅନ୍ୟ ରାଜନୈତିକ ଦଳମାନେ ଆଶା ବାନ୍ଧିଛନ୍ତି । ବିଜେପିକୁ ପରାଜିତ କରିବା ବିରୋଧୀ ମେଂଟର ଏକମାତ୍ର ଲକ୍ଷ୍ୟ ରହିଛି । ଦେଶରେ ଗଣତନ୍ତ୍ର ବିପନ୍ନ ହୋଇପଡିଥିବା ଦେଖି ଯେଉଁମାନେ ଚିନ୍ତିତ ସେମାନେ ‘ଇଣ୍ଡିଆ’ ମେଂଟର ବିଜୟ ସପକ୍ଷରେ ମତ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଷ୍ଟ୍ରବାଦୀ ନୀତିର ପ୍ରଶଂସକମାନେ ଲଗାତର ତୃତୀୟ ଥର ପାଇଁ ମୋଦୀ କ୍ଷମତାକୁ ଆସନ୍ତୁ ବୋଲି ଚାହୁଁଛନ୍ତି ।
ତେଣୁ, ଆସନ୍ତା ସାଧାରଣ ନିର୍ବାଚନ ଗଣତନ୍ତ୍ରର ସୁରକ୍ଷା ଏବଂ ରାଷ୍ଟ୍ରବାଦ ମଧ୍ୟରେ ଏକ ନିର୍ଣ୍ଣାୟକ ଲଢେଇ ହେବାକୁ ଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ଲଢେଇରେ ଆଜି ସୁଦ୍ଧା ରାଷ୍ଟ୍ରବାଦୀଙ୍କ ପଲ୍ଲା ଭାରି ରହିଥିବା ବେଳେ ଅପର ଗୋଷ୍ଠୀକୁ ବିଭିନ୍ନ କାରଣରୁ ନିରାଶା ହିଁ ମିଳିଛି । ୨୦୨୩ ବର୍ଷ ମଧ୍ୟଭାଗରେ ୨୮ ବିରୋଧୀ ଦଳ ଏକାଠି ହୋଇ ମେଂଟ ଗଠନ କରିଥିଲେ ମଧ୍ୟ ମେଂଟର କିଏ ନେତୃତ୍ୱ ନେବ ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇପାରି ନାହିଁ । ବିଭିନ୍ନ କାରଣରୁ ବିରୋଧୀ ମେଂଟ ଅଂଶୀଦାରଙ୍କ ମଧ୍ୟରେ ମତପାର୍ଥକ୍ୟ ରହିଛି । ପରସ୍ପର ବିରୋଧୀ ଟିକା-ଟିପ୍ପଣୀ ଚାଲିଛି । ମେଂଟ ନେତାଙ୍କ ମଧ୍ୟରେ ସମନ୍ୱୟ ଓ ମିଳିତ ନିଷ୍ପତ୍ତିର ଅଭାବ ଗଣତନ୍ତ୍ରକୁ ସମର୍ଥନ କରୁଥିବା ଭାରତୀୟଙ୍କୁ ନିରାଶ କରିଛି ।
ଅନ୍ୟପକ୍ଷରେ, ବିଜେପି ନିକଟରେ ତୃଣମୂଳ ସଂଗଠନ ସହ ‘ନରେନ୍ଦ୍ର ମୋଦୀ’ ନାମକ ଏକ ବଳିଷ୍ଠ ଚେହେରା ରହିଛି, ଯାହାକି ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ଜନମତର ମୋଡ ବଦଳାଇ ଦେଇ ପାରିବ ବୋଲି ବିଜେପି ଓ ତାହାର ସହଯୋଗ ଦଳମାନେ ବିଶ୍ୱାସ କରନ୍ତି । ବିଜେପି ସହ ରାଷ୍ଟ୍ରବାଦୀ ଚିନ୍ତନ, ଆରଏସଏସ ଭଳି ସଂଗଠନ, ନିର୍ବାଚନ ଜିତିବାର ସଂକଳ୍ପ ଓ ଅଭିଜ୍ଞତା ରହିଛି । ଯାହାକି କଂଗ୍ରେସ ବା ବିରୋଧୀ ମେଂଟ ନିକଟରେ ନାହିଁ । ନାନା ମୁନିଙ୍କ ନାନା ମତ ଭଳି ବିରୋଧୀ ମେଂଟର ନେତାମାନେ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ପୋଷଣ କରନ୍ତି । ଚିତ୍ତରେ ସ୍ଥିରତାର ଅଭାବ ସେମାନଙ୍କ ନିର୍ବାଚନ ପରାଜୟର ବଡ କାରଣ ହୋଇଥାଏ । ଯାହା ଦେଖିବାକୁ ମିଳିଛି ନିକଟରେ ସରିଥିବା ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ।
ଗତ ନଭେମ୍ବରରେ ଅନୁଷ୍ଠିତ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ମେଂଟ ସହଯୋଗୀ ସମାଜବାଦୀ ପାର୍ଟିର ମାତ୍ର ୪ରୁ୫ଟି (୨୩୦ରୁ) ଆସନ ଦାବିକୁ ଗ୍ରହଣ ନକରି ସବୁ ଆସନରୁ ପ୍ରାର୍ଥୀ ଦେଲା । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ (ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ) ଏଥିରେ ଅପମାନିତ ହୋଇ କଂଗ୍ରେସ ବିରୋଧରେ ଖୋଲାଖୋଲି ବୟାନ ଦେଲେ ଏବଂ ୫୦ରୁ ଅଧିକ ଆସନରେ ନିଜ ଦଳର ପ୍ରାର୍ଥୀ ଦେଲେ । ଫଳାଫଳ ଯାହା ହେଲା ସମଗ୍ର ଦେଶ ଦେଖିଲା । ମଧ୍ୟ ପ୍ରଦେଶରେ ଜିତିବା ସମ୍ଭାବନା ଦେଖୁଥିବା କଂଗ୍ରେସ ଚିତପଟାଙ୍ଗ ମାରିଲା । ବିଜେପି ୧୬୩ ଆସନ ଅକ୍ତିଆର କରି କ୍ଷମତା ବଜାୟ ରଖିଲା । ରାଜସ୍ଥାନ ଓ ଛତିଶଗଡରେ କଂଗ୍ରେସର ପରାଜୟ ଏବଂ ବିଜେପିର ଆଶାତୀତ ବିଜୟ କେବଳ କଂଗ୍ରେସକୁ ନୁହେଁ, ବିରୋଧୀ ମେଂଟକୁ ହତାଶ କରିଛି । ବିରୋଧୀ ମେଂଟରେ ବଡ ଭାଇ ହେବାକୁ ବସିଥିବା କଂଗ୍ରେସ ଏବେ ସେହି ହକ୍ ହରାଇ ବସିଛି ।
ହିନ୍ଦିଭାଷୀ ତିନି ରାଜ୍ୟରେ କଂଗ୍ରେସର ବିଫଳତା ପାଇଁ ଦଳର କେନ୍ଦ୍ରୀୟ ନେତୃତ୍ୱ ରାଜ୍ୟ ନେତୃତ୍ୱକୁ ଦାୟି କରିଛନ୍ତି । ମାତ୍ରାଧିକ ଆତ୍ମବିଶ୍ୱାସ ଓ ବିରୋଧୀ ମେଂଟ ସହଯୋଗୀଙ୍କ ପ୍ରତି ହେୟଜ୍ଞାନରୁ ଏଭଳି ଘଟଲା ବୋଲି ନିକଟରେ ଅନୁଷ୍ଠିତ କଂଗ୍ରେସ ଜାତୀୟ କାର୍ଯ୍ୟକାରୀଣୀରେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଖୋଲାଖୋଲି ମତ ରଖିଥିବା ବେଳେ ମଧ୍ୟ ପ୍ରଦେଶ ନିର୍ବାଚନରେ ପରାଜୟ ପାଇଁ ଦଳର ନେତୃତ୍ୱ ରାଜ୍ୟ କଂଗ୍ରେସ ସଭାପତି ପଦରୁ କମଳନାଥଙ୍କୁ ଅବ୍ୟାହତି ଦେଇ ନୂଆ ସଭାପତି ନିଯୁକ୍ତ କରିଛନ୍ତି । ରାଜସ୍ଥାନ ଓ ଛତିଶଗଡରେ ମଧ୍ୟ କିଛିଟା ସାଂଗଠନିକ ପରିବର୍ତ୍ତନ ହୋଇଛି । ୨୦୨୪ରେ ଅନ୍ତତଃ କଂଗ୍ରେସ ‘ଇଣ୍ଡିଆ’ ମେଂଟର ଅନ୍ୟ ସହଯୋଗୀଙ୍କୁ ସାଂଗରେ ନେଇ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି ।
ତେବେ, ମେଂଟର ‘ପ୍ରଧାନମନ୍ତ୍ରୀ ମୁହଁ’ କିଏ ହେବ ସେନେଇ ମେଂଟରେ ଦ୍ୱନ୍ଦ୍ୱ ଜାରି ରହିଥିବା ଏବିଭିନ୍ନ ମେଂଟ ନେତାଙ୍କ ବୟାନରୁ ସ୍ପଷ୍ଟ ହେଉଛି । କଗ୍ରେସ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ଦୀର୍ଘ ବର୍ଷ ହେଲା ଯୋଜନାରେ ଥିବା ବେଳେ ଟିଏମସି ନେତ୍ରୀ (ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ) ମମତା ବାନାଜୀ ଓ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ (ଦିଲ୍ଲୀ ମୁଖ୍ୟମନ୍ତ୍ରୀ) ଅରବିନ୍ଦ କେଜରୀୱାଲ ନିକଟରେ ଦିଲ୍ଲୀରେ ଅନୁଷ୍ଠିତ ‘ଇଣ୍ଡିଆ’ ମେଂଟ ନେତୃସ୍ତରୀୟ ବୈଠକରେ ବ୍ରେକ୍ ଲାଗାଇବା ଉଦ୍ୟମ କରିଛନ୍ତି । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ବିରୋଧୀ ମେଂଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବାକୁ ମମତା ଓ କେଜରୀୱାଲ ଦିଲ୍ଲୀ ବୈଠକରେ ପ୍ରସ୍ତାବ ରଖିଥିଲେ । ଯାହାକି କଂଗ୍ରେସ ଦଳକୁ ଅପ୍ରସ୍ତୁତ କରିବା ସହ ମେଂଟରେ ଥିବା ଅନ୍ୟ ରାଜନୈତିକ ଦଳର ନେତାଙ୍କୁ କ୍ଷୁବ୍ଧ କରିଛି ।
ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷୁବ୍ଧ ହୋଇଥିବା ତାଙ୍କ ହାବଭାବରୁ ସ୍ପଷ୍ଟ ଥିଲା । ସେ ପ୍ରଧାନମନ୍ତ୍ରୀ ଦୌଡରେ ନାହାନ୍ତି ବୋଲି ବାରମ୍ବାର କହୁଥିଲେ ମଧ୍ୟ ତାଙ୍କ ଦଳର ନେତାମାନେ ଅଭିଜ୍ଞତା ଦୃଷ୍ଟିରୁ ସେ ହିଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ବୋଲି ଦାବି କରୁଛନ୍ତି ଓ ଖୋଲା ପ୍ରଚାର ଅଭିଯାନ ଚଳାଇଛନ୍ତି । ନୀତୀଶଙ୍କ ମାନସିକ ସ୍ଥିତିକୁ ଅନୁଭବ କରି କଂଗ୍ରେସ ସଭାପତି ଖାର୍ଗେ ମମତା ଓ କେଜରୀୱାଲଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିବା ସହ ୨୦୨୪ ନିର୍ବାଚନରେ ଆଗେ ମେଂଟ ବହୁମତ ପାଉ, ତାହାପରେ ମେଂଟ ସାଂସଦମାନେ ସେମାନଙ୍କ ନେତା ନିର୍ବାଚନ କରିବେ ବୋଲି ପ୍ରସ୍ତାବ ଦେଇ ନୀତୀଶଙ୍କୁ ଶାନ୍ତ କରିବା ଉଦ୍ୟମ କରିଛନ୍ତି । ଖାର୍ଗେ ନୀତୀଶଙ୍କୁ ଭେଟି ମନାିବାକୁ ଉଦ୍ୟମ କରିଥିବା କଂଗ୍ରେସର ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି ।
ନୀତୀଶ କୁମାର କ୍ଷୁବ୍ଧ ହେବା କାରଣ ହେଉଛି, ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ପରାଜିତ କରି ଜାତୀୟସ୍ତରରେ ଏକ ବିରୋଧୀ ବେଂଟ ସରକାର ପ୍ରତିଷ୍ଠା କରିବାକୁ ନୀତୀଶ କୁମାର କାମ କରୁଥିଲେ । କିଛି ବିରୋଧୀ ଦଳ ଉଭୟ କଂଗ୍ରେସ ଓ ବିଜେପିଠାରୁ ଦୂରତ୍ୱ ବଜାୟ ରଖି ମେଂଟ ଗଠନ ସପକ୍ଷରେ ଥିବା ବେଳେ ନୀତୀଶ କଂଗ୍ରେସକୁ ନେଇ ବିରୋଧୀଙ୍କୁ ଏକାଠି କରିବା ଉଦ୍ୟମରେ ରହିଥିଲେ । କରିଥିଲେ । କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ବିପୁଳ ବିଜୟ ପରେ ଦଳ ପ୍ରତି ବିରୋଧୀଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଥିଲା । ‘ଇଣ୍ଡିଆ’ ମେଂଟର ନାମକରଣ ସମୟରେ ନୀତୀଶ ଦ୍ୱିମତ ପ୍ରକାଶ କରିଥିଲେ ମଧ୍ୟ ପରେ ଗ୍ରହଣ କରିଥିଲେ । ତାଙ୍କ ଅଭିଳାଷ ରହିଛି ‘ଇଣ୍ଡିଆ’ ମେଂଟର ଜାତୀୟ ସଂଯୋଜକ ହେବାକୁ । କିନ୍ତୁ, ଆଜି ସୁଦ୍ଧା ତାହା ଘୋଷଣା ହୋଇନାହିଁ । ମେଂଟ ନେତାଙ୍କ ଦିଲ୍ଲୀ ବୈଠକରେ ତାହା ଘୋଷଣା ହେବା ବଦଳରେ ଖାର୍ଗେଙ୍କୁ ନେତା କରିବାକୁ ପ୍ରସ୍ତାବ ଆସିବା ନୀତୀଶଙ୍କୁ କ୍ଷୁବ୍ଧ କରିଛି ।
ଅପରପକ୍ଷରେ, ଟିଏମସି ନେତ୍ରୀ ମମତା ବାନାର୍ଜୀ ଓ ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଖାର୍ଗେଙ୍କୁ ସାମ୍ନାକୁ ଆଣି ରାହୁଲଙ୍କୁ ଏଡାଇ ଯିବାରୁ କଂଗ୍ରେସ ଅପ୍ରସ୍ତୁତ ଥିଲେ ମଧ୍ୟ ତାହା ଜାହିର ନକରି ଆଉ ଏକ ‘ଭାରତ ଯୋଡୋ’ ଯାତ୍ରା କାର୍ଯ୍ୟକ୍ରମ ଘୋଷଣା କରିଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଏହି ଯାତ୍ରା ସମାପନ କରି ରାହୁଲଙ୍କ ଦାବିଦାରୀକୁ ସାବ୍ୟସ୍ତ କରିବାକୁ କଂଗ୍ରେସ ଚାହୁଁଛି । ଏପ୍ରକାର ଛକାପଂଝା ଭିତରେ ବିରୋଧୀ ମେଂଟର ଅନ୍ୟତମ ବରିଷ୍ଠ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାର ପୁନେରେ ଦେଇଥିବା ଏକ ବିବୃତି ବିଶେଷ ମହତ୍ତ୍ୱ ରଖୁଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ମେଂଟ ତାହାର ‘ପ୍ରଧାନମନ୍ତ୍ରୀ ମୁହଁ’ ଘୋଷଣା କରିବା ଜରୁରୀ ନୁହେଁ ବୋଲି ପାୱା କହିଛନ୍ତି ।
ସେ କହିଛନ୍ତି, ଦେଶରେ ୧୯୭୫ରେ ଜାରି ଜରୁରୀ ପରିସ୍ଥିତି ଉଠିବା ପରେ ୧୯୭୭ରେ ଲୋକସଭା ନିର୍ବାଚନ ହୋଇଥିଲା ଏବଂ ବିରୋଧୀ ଦଳମାନେତ୍ତତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଏକଛତ୍ରବାଦ ବିରୋଧରେ ଏକାଠି ନିର୍ବାଚନ ଲଢିଥିଲେ । ନିର୍ବାଚନ ପୂର୍ବରୁ ବା ପରେ ବିରୋଧୀଙ୍କ କେହି ପ୍ରଧାନମନ୍ତ୍ରୀ ମୁହଁ ନଥିଲେ । ନିର୍ବାଚିତ ହୋଇଥିବା ଜନତା ପାର୍ଟି ସାଂସଦମାନେ ବରିଷ୍ଠ ରାଜନେତା ମୋରାରଜୀ ଭାଇ ଦେଶାଇଙ୍କୁ ନେତା ନିର୍ବାଚିତ କରି ପ୍ରଧାନମନ୍ତ୍ରୀ କରିଥିଲେ । ତେଣୁ, ୨୦୨୪ ପାଇଁ ବିରୋଧୀ ମେଂଟ କାହାରିକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ଅନାବଶ୍ୟକ । ଦେଶବାସୀ ଯଦି ଶାସନରେ ପରିବର୍ତ୍ତନ ଚାହୁଁଥିବେ ସ୍ୱତଃ ପରିବର୍ତ୍ତନ ଆସିବ । ପାୱାର ପୁନେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ଉତ୍ତରରେ ଏହା କହିଛନ୍ତି ।
ତେବେ, ୧୯୭୭ର ପରିସ୍ଥିତି ସଂପୂର୍ଣ୍ଣ ଭିନ୍ନ ଥିଲା । ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି ଜରୁରୀ ପରିସ୍ଥିିତିକୁ ବିରୋଧ କରି ଅଧିକଂଶ ବିରୋଧୀ ଦଳ ନେତା ଓ କର୍ମୀ ବର୍ଷାଧିକ ସମୟ ଜେଲରେ କଟାଇଥିଲେ । ଜରୁରୀ ପରିସ୍ଥିତି ପ୍ରତ୍ୟାହାର ପରେ ବିରୋଧୀ ଦଳମାନେ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଗଠିତ ଭାବେ ଏକଛତ୍ରବାଦ ବିରୋଧରେ ନିର୍ବାଚନ ଲଢିଥିଲେ ଓ ଜନତା ପାର୍ଟିର ବିପୁଳ ବିଜୟ ହୋଇଥିଲା । ସେତେବେଳେ ଇନ୍ଦିରାଙ୍କ ବିକଳ୍ପ ଭାବେ ଜୟପ୍ରକାଶ ନାରାୟଣଙ୍କୁ ଗ୍ରହଣ କରି ଦେଶବାସୀ ପରିବର୍ତ୍ତନ ସପକ୍ଷରେ ମତଦାନ କରିଥିଲେ । ଆଜି ଦିନରେ ମୋଦୀ ସରକାର ବିରୋଧରେ ସେଭଳି କିଛି ହାୱା ନାହିଁ । ଲୋକଙ୍କ ସମ୍ମୁଖରେ ଜୟପ୍ରକାଶ ନାରାୟଣଙ୍କ ଭଳି ଆଦର୍ଶ ନେତୃତ୍ୱର ମଧ୍ୟ ଅଭାବ ରହିଛି । ତେଣୁ, ମୁଣ୍ଡିଆଳବିହୀନ ବିରୋଧୀ ଦଳ ୨୦୨୪ରେ ୧୯୭୭ର ଫଳ ପାଇବେ ବୋଲି ଆଶା କରିବା ବୃଥା ଆସ୍ଫାଳନ ହିଁ କୁହାଯିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS