ଅଯୋଧ୍ୟାରେ ପାଂଚ ବର୍ଷର ଶିଶୁ ଆକୃତିରେ ପୂଜା ପାଇବେ ରାମଲାଲା !


ପ୍ରସାଦ ରାଓ
ଡିସେମ୍ବର ୨୭
ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ର ବା ରାମଲାଲା ପାଂଚ ବର୍ଷ ବୟସର ଶିଶୁ ଆକାରରେ ପୂଜା ପାଇବେ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୪ ଜାନୁୟାରୀ ୨୨ ତାରିଖରେ ମନ୍ଦିର ଗର୍ଭଗୃହରେ ରାମଲାଲାଙ୍କ ମୂର୍ତ୍ତିୀର ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ ଟ୍ରଷ୍ଟର ସଚିବ ଚଂପତ ରାୟ ଆଜି ଏହି ସୂଚନା ଦେଇଛନ୍ତି । ମନ୍ଦିର ଗର୍ଭଗୃହରେ ସ୍ଥାପନା ହେବାକୁ ଥିବା ରାମଲାଲାଙ୍କ ମୂର୍ତ୍ତୀର ଉଚ୍ଚତା ୫୧ ଇଂଚ ରହିବ । ମନ୍ଦିର ଗର୍ଭଗୃହରେ ରାମଲାଲା ପାଂଚ ବର୍ଷ ଶିଶୁ ଆକାରରେ ସ୍ଥାପିତ ହେବାକୁ ଥିବାରୁ ଯେଉଁ ମୂର୍ତ୍ତୀଟି ପ୍ରତିଷ୍ଠା ହେବ ସେଥିରେ ସେହି ଭବ୍ୟତା ଓ ଶୁଶୁସୁଲଭ ଚପଳତା ପରିଲକ୍ଷିତ ହେବାର ଆବଶ୍ୟକତା ରହିଛି । ତେଣୁ, ରାମଲାଲାଙ୍କ ମୂର୍ତ୍ତୀ ପାଇଁ ଯେଉଁ ତିନିଟି ଡିଜାଇନ ଆସିଛି ସେଥିରୁ ଯେଉଁ ଡିଜାଇଇନରେ ରାମଲାଲା ଅଧିକ ଭବ୍ୟ ଓ ଶିଶୁସୁଲଭ ଦିଶୁଥିବେ ତାହାକୁ ଚୂଡାନ୍ତ କରାଯିବ ବୋଲି ଟ୍ରଷ୍ଟ ସଚିବ ରାୟ କହିଛନ୍ତି ।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭଳି ଦେଖା ଯାଉଥିବା (ପଛପଟୁ) ଜଣେ ଶିଶୁର ହାତ ଧରି ମନ୍ଦିର ଅଭିମୁଖେ ଯାଉଥିବାର ଏକ ଫଟୋ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇ ଦେଶରେ ରାଜନୈତିକ ଝଡ ସୃଷ୍ଟି କରିଥିଲା । କଂଗ୍ରେସ ଏହି ଫଟୋକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । ଫଟୋଟି ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ରାମଭକ୍ତଙ୍କୁ ଅପମାନିତ କଲା ଭଳି ହୋଇଛି ଦର୍ଶାଇ କଂଗ୍ରେସ ନେତାମାନେ ତାହାର କଟୁ ସମାଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କଣ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କଠାରୁ ଉଚ୍ଚରେ (?) ବୋଲି ମଧ୍ୟ ପ୍ରଶ୍ନ ଉଠିଥିଲା । ବିବାଦ ଅଧିକ ଘନିଭୂତ ହେବାରୁ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଆଜି ସ୍ପଷ୍ଟ କରିଛନ୍ତି ଅଯୋଧ୍ୟାରେ ପ୍ରଭୁ ରାମଚନ୍ଦ୍ର ପାଂଚ ବର୍ଷର ଶିଶୁ ଆକାରରେ ପୂଜା ପାଇବାକୁ ଯାଉଛନ୍ତି ବୋଲି ।
ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମ ମନ୍ଦିରକୁ ନେଇ ଟ୍ରଷ୍ଟ ସଚିବ ରାୟ ଆଉ କିଛି ରୋଚକ ତଥ୍ୟ ଦେଇଛନ୍ତି । ଏହି ଭବ୍ୟ ମନ୍ଦିରର ଢାଂଚା ନିର୍ମାଣରେ ୨୧-୨୨ ଲକ୍ଷ ଘନ ଫୁଟ (କ୍ୟୁବିକ ଫିଟ) ପଥର ବ୍ୟବହାର ହୋଇଛି । ବିଗତ ଶହେ-ଦୁଇ ଶହ ବର୍ଷ ମଧ୍ୟରେ ଉତ୍ତର ବା ଦକ୍ଷିଣ ଭାରତରେ କୌଣସି ମନ୍ଦିର ନିର୍ମାଣରେ ଏତେମାତ୍ରାରେ ପଥରର ବ୍ୟବହାର ହୋଇନାହିଁ । ମନ୍ଦିରର ଫାଉଣ୍ଡେସନ ନିର୍ମାଣ ପାଇଁ ମାଟି ଖୋଳିବା ସମୟରେ ମାଟି ତଳେ କେବଳ ବାଲିର ଶଯ୍ୟା ଥିବା ଦେଖିବାକୁ ମିଳିଥିଲା । ବାଲିଶଯ୍ୟା ଉପରେ କେମିତି ମନ୍ଦିରର ଏତେବଡ ଢାଂଚା ନିର୍ମାଣ ହେବ, ସେନେଇ ସମସ୍ତେ ଚିନ୍ତିତ ଥିଲେ ଏବଂ ଆଇଆଇଟି ଦିଲ୍ଲୀ, ଆଇଆଇଟି ଗୌହାଟୀ, ଏନଆଇଟି ସୁରତ, ଆଇଆଇଟି ଚେନ୍ନାଇ, ଆଇଆଇଟି ମୁମ୍ବାଇ, ସିବିଆରଆଇ ରୁରକି, ଏନଜିଆରଆଇ ହାଇଦ୍ରବାଦ ଇଂଜିନିୟରିଂ ବିଶେଷଜ୍ଞମାନଙ୍କ ସହ ପରାମର୍ଶ କରିଥିଲେ ।
ଇଂଜିନିୟରମାନଙ୍କ ପରାମର୍ଶ ଅନୁଯାୟୀ ମୁଖ୍ୟ ମନ୍ଦିର ନିର୍ମାଣ ସ୍ଥଳରେ ୧୪ ମିଟର ଏବଂ ଅନ୍ୟ ସ୍ଥାନରେ ୧୨ ମିଟର ତଳ ପର୍ଯ୍ୟନ୍ତ ମାଟି ଖୋଳାଯାଇ ବାଲିଶଯ୍ୟାକୁ କାଢି ବାହାର କରାଯିବା ସହ ପଥର ଗୁଣ୍ଡ, ପ୍ଲାଏ ଆସ୍, କେମିକାଲ ମିଶ୍ରିତ ୨.୫ ଦଶମିକ କଂକ୍ରିଟରେ ୫୬ ପରସ୍ତ କୃତ୍ରିମ ପଥର ଶଯ୍ୟା ସୃଷ୍ଟି କରାଯାଇଛି । ହଜାର ବର୍ଷରେ କୃତ୍ରିମ ପଥର ନଷ୍ଟ ହେଉଥିବାରୁ କୃତ୍ରିମ ଶଯ୍ୟାକୁ ସୁରକ୍ଷିତ ରଖିବା ପାଇଁ ମଝିରେ ବାଲି, ପଥର ଭଳି ମନ୍ଦିର ଢାଂଚା ନିର୍ମାଣ ହୋଇଛି । ଭୂମି ଉପରକୁ ୨୧ ଫୁଟ ଉଚ୍ଚ ପର୍ଯ୍ୟନ୍ତ ପ୍ଲୁନ୍ଥ ନିର୍ମାଣ ହୋଇଛି, ଯେଉଁଥିରେ କି କର୍ଣ୍ଣାଟକ ଓ ତେଲେଂଗାନାରୁ ଆସିଥିବା ୧୭,୦୦୦ ଗ୍ରାନାଇଟ ବ୍ଲକ୍ ବ୍ୟବହୃତ ହୋଇଛି । ମନ୍ଦିରର ଢାଂଚା ନିର୍ମାଣରେ ରାଜସ୍ଥାନର ଭରତପୁରରୁ ଆସିଥିବା ପ୍ରାୟ ପାଂଚ ଲକ୍ଷ କ୍ୟୁବିକ ଫିଟ୍ ପିଂକ୍ ସାଣ୍ଡଷ୍ଟୋନ ବ୍ୟବହାର କରାଯାଇଛି । ମନ୍ଦିରର ଗର୍ଭଗୃହ ବିଶୁଦ୍ଧ ମାକ୍ରାନାକ୍ ଧଳା ମାର୍ବଲରେ ନିର୍ମିତ ହୋଇଛି ।
ଅଯୋଧ୍ୟା ରାମ ମନ୍ଦିରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପରକୋଟାର ଚାରି କୋଣରେ ଚାରିଟି ମନ୍ଦିର – ସୂର୍ଯ୍ୟ ମନ୍ଦିର, ଭଗବତୀଙ୍କ ମନ୍ଦିର, ଗଣପତିଙ୍କ ମନ୍ଦିର ଓ ଶିବ ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ସହ ମହର୍ଷି ବାଲ୍ମିକୀ, ମହର୍ଷି ବଶିଷ୍ଟ, ମହର୍ଷି ବିଶ୍ୱାମିତ୍ର, ମହର୍ଷି ଅଗସ୍ତ୍ୟ, ନାସାଦ ରାଜା, ମାତା ଶବରୀ ଓ ଋଷିପତ୍ନୀ ଅହଲ୍ୟାଙ୍କ ମନ୍ଦିର ମଧ୍ୟ ନିର୍ମାଣ ହେଉଛି । ସେହିଭଳି, ମନ୍ଦିର ଭିତରେ ନୃତ୍ୟ ମଣ୍ଡପ, ରଂଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଓ କୀର୍ତ୍ତନ ମଣ୍ଡପ ରହିବ ବୋଲି ଜଣାପଡିଛି । ଜାନୁୟାରୀ ୨୨ରେ ମନ୍ଦିର ଗର୍ଭଗୃହରେ ହେବାକୁ ଥିବା ରାମଲାଲାଙ୍କ ବିଗ୍ରହର ପ୍ରାଣପ୍ରତିଷ୍ଠା ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେବେ । ତେଣୁ, ପ୍ରସ୍ତୁତି କାର୍ଯ୍ୟ ଦୃତ ଗତିରେ ଚାଲିଛି ।
୨୦୧୯ରେ ସୁପ୍ରିମ କୋର୍ଟ ଅଯୋଧ୍ୟର ରାମ ମନ୍ଦିର-ବାବରୀ ମସଜିଦ ବିବାଦ ପୂର୍ଣ୍ଣଛେଦ ପକାଇ ରାମ ମନ୍ଦିର ସପକ୍ଷରେ ଏକ ଐତିହାସିକ ରାୟ ଦେଇଥିଲେ । ତାହା ପରେ କେନ୍ଦ୍ର ସରକାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ କରି ମନ୍ଦିର ନିର୍ମାଣ ଦାୟିତ୍ୱ ଟ୍ରଷ୍ଟ ହାତରେ ସମର୍ପି ଦେଇଥିଲେ । ଏହି ତିିନି ମହଲା ବିଶିଷ୍ଟ ମନ୍ଦିରର ଗ୍ରାଉଣ୍ଡଫ୍ଲୋର କାମ ସଂପୂର୍ଣ୍ଣ ହୋଇ ପ୍ରଥମ ମହଲା କାମ ଚାଲିଛି । ମନ୍ଦିର ସହ ସଂଲଗ୍ନ ହୋଇ ଚତୁଃପାଶ୍ୱର୍ରେ ୧୪ ଫୁଟ ଚଉଡା ଓ ପାଖାପାଖି ୭୫୦ ମିଟର ଲମ୍ବ ଏକ ପ୍ରକାରା ନିର୍ମାଣାଧୀନ ରହିଛି । ଏହା ପ୍ରକାରା ଦୁଇ ମହଲା ବିଶିଷ୍ଟ ହେବ ଏବଂ ଭକ୍ତମାନଙ୍କୁ ପ୍ରଥମ ମହଲାକୁ ଯାଇ ମନ୍ଦିର ପରିକ୍ରମା ପାଇଁ ଅନୁମତି ମିଳିବ । ପ୍ରକାରା ନିର୍ମାଣା ସରିବାକୁ ଆଉ ୬ରୁ ୮ ମାସ ସମୟ ଲାଗିବ ବୋଲି ଟ୍ରଷ୍ଟର ସଚିବ ରାୟ କହିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS