ପ୍ରବର୍ତ୍ତନ ନିର୍ଦେଶାଳୟ ଚାର୍ଜସିଟରେ ପ୍ରିୟଙ୍କାଙ୍କ ନାମ !


ପ୍ରସାଦ ରାଓ
ଡିସେମ୍ବର ୨୮
ଦେଶରେ ସାଧାରଣ ନିର୍ବାଚନ ଯେତିକି ପାଖୋଉଛି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀଙ୍କୁ ନେଇ ବିରୋଧୀଙ୍କ ଚିନ୍ତା ସେତିକି ବଢୁଥିବା ଦେଖିବାକୁ ମିଳୁଛି । ‘ନ୍ୟାସନାଲ ହେରାଲ୍ଡ’ ମାମଲାରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପୁଅ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସିବିଆଇ ଓ ଇଡି ଦ୍ୱାରା ଅଭିଯୁକ୍ତ ଥାଇ ଅଦାଲତରେ ମାମଲା ଚାଲିଛି । ଉଭୟ ଜାମିନରେ ଅଛନ୍ତି । ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରା ମଧ୍ୟ ହରିଆଣାରେ ଜମି କିଣାବିକାରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଗଲା କିଛି ବର୍ଷ ହେଲା କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀଙ୍କ ସ୍କାନରରେ ଅଛନ୍ତି । ଏବେ ପାଳି ପଡିଛି କଂଗ୍ରେସ ନେତ୍ରୀ ତଥା ରବର୍ଟ ଭଦ୍ରାଙ୍କ ପତ୍ନୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର । ହରିୟାଣାରେ ୫ ଏକର ଜମି କିଣାବିକାରେ ଦୁର୍ନୀତି ଓ ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗରେ ଏକ ପିଏମଏଲଏ ମାମଲାରେ ଗତ ନଭେମ୍ବର ମାସରେ ଇଡି ଦାଖଲ କରିଥିବା ଚାର୍ଜସିଟରେ ପ୍ରଥମ ଥର ପାଇଁ ପ୍ରିୟଙ୍କାଙ୍କ ନାମ ଆସିଥିବା ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । ଚାର୍ଜସିଟରେ ରବର୍ଟ ଭଦ୍ରାଙ୍କ ନାମ ମଧ୍ୟ ରହିଛି । ତେବେ, ଚାର୍ଜସିଟରେ ରବର୍ଟ ଓ ପ୍ରିୟଙ୍କାଙ୍କୁ ‘ଅଭିଯୁକ୍ତ’ ଭାବେ ଦର୍ଶାଯାଇ ନାହିଁ । କିନ୍ତୁ, ଅଭିଯୁକ୍ତଙ୍କ ସହ ରବର୍ଟ ଭଦ୍ରାଙ୍କ ଘନିଷ୍ଟତା ଓ ବ୍ୟବସାୟିକ ସଂପର୍କ ଥିବା ଚାର୍ଜସିଟରେ ଦର୍ଶାଯାଇଛି । ଏନଆରଆଇ ବ୍ୟବସାୟୀ ସି.ସି.ଥାଂପି ଓ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ନାଗରିକ ସୁମିତ ଚଢାଙ୍କ ବିରୋଧରେ ଇଡି ଅଦାଲତରେ ଏହି ଚାର୍ଜସିଟ ଦାଖଲ କରିଛି । ଦୁଇ ଅଭିଯୁକ୍ତ ପଳାତକ ଅସ୍ତ୍ର ବେପାରୀ ସଂଜୟ ଭଣ୍ଡାରୀଙ୍କୁ ସାହାଯ୍ୟ କରିଥିବା ଏବଂ ଭଣ୍ଡାରୀଙ୍କ ଦ୍ୱାରା ଦୁର୍ନୀତି ଉପାୟରେ ଅର୍ଜିତ ଧନକୁ ଲାଚାଇ ରଖିବାରେ ସହାୟତା କରିଥିବା ଅଭିଯୋଗ ରହିଛି । ସଂଜୟ ଭଣ୍ଡାରୀଙ୍କ ବିରୋଧରେ ଏକାଧିକ ଏଜେନ୍ସୀ ମନି ଲଂଡରିଂ, ବୈଦେଶିକ ମୁଦ୍ରା ବିନିମୟ ଆଇରେ ଉଲଂଘନ, କଳାଧନ ଠୁଳ କରିବା ଏବଂ ସରକାରୀ ଗୋପନୀୟତା ଉଲଂଘନ ଭଳି ଗୁରୁତର ଅଭିଯୋଗର ତଦନ୍ତ କରୁଛନ୍ତି । ୨୦୧୬ରେ ସଂଜୟ ଭଣ୍ଡାରୀ ଦେଶ ଛାଡି ୟୁକେ ପଳାଇଛି । ଭଣ୍ଡାରୀଙ୍କ ପଳାୟନରେ ଥାଂପି ଓ ସୁମିତା ଚଢା ସହାୟତା କରିଥିବା ଇଡି ବିଶ୍ୱାସ କରୁଛି । ଇଡି ପୂର୍ବରୁ ଦାଖଲ କରିଥିବା ବିଭନ୍ନ ଚାର୍ଜସିଟରେ ରବର୍ଟ ଭଦ୍ରାଙ୍କ ନାମ ଉଲ୍ଲେଖ ଥିଲେ ମଧ୍ୟ ପ୍ରଥମ ଥର ପାଇଁ ଗତ ନଭେମ୍ବର ମାସରେ ଅଦାଲତରେ ଦାଖଲ ହୋଇଥିବା ଚାର୍ଜସିଟରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ଉଲ୍ଲେଖ ରହିଛି । ଏଚ.ଏଲ. ପାହୱା ନାମକ ଜଣେ ଦିଲ୍ଲୀ ଭିତ୍ତିକ ରିଏଲ ଇଷ୍ଟେଟ ଏଜେଂଟଙ୍କ ସହ ପ୍ରୟିଙ୍କାଙ୍କ ସ୍ୱମୀ ରବର୍ଟ ଭଦ୍ରାଙ୍କ ଘନିଷ୍ଠତା ଓ ବ୍ୟବସାୟିକ ସଂପର୍କ ରହିଥିବା ରହିଥିବା ଇଡି ଅଭିଯୋଗ କରିଥିଲା । ୨୦୦୬ରେ ପାହୱା ଫରିଦାବାଦର ଏକ ଚାଷ ଜମି ପ୍ରିୟଙ୍କାଙ୍କୁ ବିକିଥିଲେ ଏବଂ ଚାରି ବର୍ଷ ପରେ ସେହି ସମାନ ଜମି କିଣି ନେଇଥିଲେ । ୨୦୦୬ ଏପ୍ରିଲରେ ଫରିଦାବାଦ ଅମିପୁର ଗ୍ରାମରେ ପ୍ରିୟଙ୍କାଙ୍କ ନାମରେ ଗୋଟିଏ ଘର କିଣା ଯାଇଥିଲା ଏବଂ ପରେ ପାହୱା ଜମି ସହ ଆମିପୁର ଘର ମଧ୍ୟ କିଣି ନେଇଥିଲେ । ପାହୱା ହେଉଛନ୍ତି ସେହି ରିଏଲଇଷ୍ଟେଟ ଏଜେଂଟ ଯାହାଙ୍କ ଠାରୁ ରବର୍ଟ ଭଦ୍ରା ୨୦୦୫ରୁ ୨୦୦୬ ମଧ୍ୟରେ ଆମିପୁର ଗ୍ରାମରେ ୪୦.୮ ଏକର ଜମି କିଣି ଥିବା ଏବଂ ପରେ ୨୦୧୦ ଡିସେମ୍ବରରେ ତାହା ଚଢା ମୂଲ୍ୟରେ ବିକ୍ରି କରିଥିବା ଅଭିଯୋଗ ରହିଛି । ପାହୱା ଉଭୟ ଭଦ୍ରା ଓ ଥାଂପିଙ୍କ ସହ ଜମି କାରବାର କରିଥିଲେ । ଥାଂପି ପାହୱାଙ୍କ ସହାୟତା ୨୦୦୫ରୁ ୨୦୦୮ ମଧ୍ୟରେ ହରିୟାଣାର ଫରିଦାବଦ ଆମିପୁର ଗ୍ରାମରେ ୪୮୬ ଏକର ଜମି କଣିଥିଲେ ବୋଲି ଇଡି ତାହାର ଚାର୍ଜସିଟରେ ଦର୍ଶାଇଛି । ଥାଂପି ୨୦୨୦ ଜାନୁଆରୀରେ ଗିରଫ ହୋଇ ଜାମିନରେ ଆସିଥିଲେ । ଇଡି ତାହାର ନଭେମ୍ବର ଚାର୍ଜସିଟରେ ପାହୱା, ରବର୍ଟ ଭଦ୍ରା ଓ ଥାଂପିଙ୍କ ମଧ୍ୟରେ ଥିବା ନିବିଡତା ଓ ବ୍ୟବସାୟିକ ସଂପର୍କକୁ ଚାର୍ଜସିଟରେ ଦର୍ଶାଇବାକୁ ଯାଇ ପ୍ରଥମ ଥର ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ଚାର୍ଜସିଟରେ ଉଲ୍ଲେଖ କରିଛି । ଇଡି ପୂର୍ବରୁ ଅନ୍ୟ ମାମଲାରେ ରବର୍ଟ ଭଦ୍ରାଙ୍କୁ ଡକାଇ ଜେରା କରିଥିଲା । ରବର୍ଟ ଜମି କିଣାବିକାରେ କୌଣସି ବେନିୟମ କାର୍ଯ୍ୟ ହୋଇନଥିବା ଜେରା ବେଳେ କହିଥିଲେ । ତେବେ, ଗତ ନଭେମ୍ବର ମାସରେ ଇଡି ଦାଖଲ କରିଥିବା ଚାର୍ଜସିଟକୁ ନେଇ ରବର୍ଟ ଓ ପ୍ରୟଙ୍କାଙ୍କ ପ୍ରତିକ୍ରିୟା ଜାଣିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି । ତେବେ, ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ବହୁ ବରିଷ୍ଠ କଂଗ୍ରେସ ନେତା କହିଛନ୍ତି । କହିଛନ୍ତି । ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ କହିଛନ୍ତି, ଆଗକୁ ଲୋକସଭା ନିର୍ବାଚନ ଥିବାରୁ ବହୁ ବିରୋଧୀ ନେତାଙ୍କ ନାମ ଇଡି ତାଲିକାରେ ରହିବ । ମହାରାଷ୍ଟର କଂଗ୍ରେସ ମୁଖ୍ୟ ନାନା ପାଟୋଲେ କହିଛନ୍ତି, ବିଜେପି କଂଗ୍ରେସକୁ ଭୟ କରୁଥିବାରୁ ଇଡି ମାମଲାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନାମ ଯୋଡୁଛି । ପୂର୍ବରୁ ବ୍ରିଟିଶା ଶାସକମାନେ ଗାନ୍ଧୀ ନାମକୁ ଭୟ କରୁଥିଲେ । ଏବେ କେନ୍ଦ୍ର ସରକାର ଗାନ୍ଧୀ ପରିବାକୁ ଭୟ କରୁଛନ୍ତି ବୋଲି ନାନା ପଟୋଲ ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ କହିଛନ୍ତି । ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଜାତୀୟ ମୁଖପାତ୍ର ପବନ ଖେରା ନାଗପୁରରୁ କହିଛନ୍ତି, ସାଧାରଣ ନିର୍ବାଚନ ପୂର୍ବରୁ ଇଡି ଚାର୍ଜସିଟରେ ପ୍ରିୟଙ୍କାଙ୍କ ନାମ ଆସିବା ଆରମ୍ଭ ମାତ୍ର । ପ୍ରଥମ ଥର ପାଇଁ ସେମାନେ ଏହା କରୁନାହାନ୍ତି । ଯେତେବେଳେ ନିର୍ବାଚନ ଆସିଥାଏ ସେମାନଙ୍କ ଆଡୁ ଏଭଳି ଷଡଯନ୍ତ୍ର ହୋଇଥାଏ । ଷଡଯନ୍ତ୍ର ଚାଲୁ ବୋଲି ସେ ଜାତୀୟ ଗଣାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS