ଲଲ୍ଲନଙ୍କୁ ବିଦା କରି ନୀତୀଶ ହେଲେ ଜେଡିୟୁ ସଭାପତି


ପ୍ରସାଦ ରାଓ
ଡିସେମ୍ବର ୨୯
କିଛି ଦିନ ଧରି ଯାହା ଚର୍ଚ୍ଚାରେ ଥିଲା ଆଜି ତାହା ସତ୍ୟ ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ‘ଇଣ୍ଡିଆ’ ମେଂଟର ଅନ୍ୟତମ ପ୍ରମୁଖ ଅଂଶୀଦାର ଜେଡିୟୁ ବା ଜନତା ଦଳ (ୟୁନାଇଟେଡ) ନେତୃତ୍ୱରେ ପରିବର୍ତ୍ତନ ଘଟିଛି । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜେଡ଼ିୟୁ ସଭାପତି ରାଜୀବ ରଂଜନ ସିଂହ ଓରଫ ଲଲ୍ଲନ ସିଂହଙ୍କ ହଟାଇ ନିଜେ ସଭାପତି ହୋଇଛନ୍ତି । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଜେଡିୟୁ ଜାତୀୟ କାର୍ଯ୍ୟକାରୀଣୀ ବୈଠକରେ ଲଲ୍ଲନ ସିଂହ ଜେଡିୟୁ ସଭାପତି ପଦରୁ ହଟିଯାଇ ନୀତୀଶଙ୍କ ନାମ ସଭାପତି ପଦ ପାଇଁ ପ୍ରସ୍ତାବ ରଖିଥିଲେ । ଜେଡିୟୁ ଜାତୀୟ କାର୍ଯ୍ୟକାରୀଣୀ ତାହାକୁ ଗ୍ରହଣ କରି ନେଇ ନୀତୀଶଙ୍କୁ ଦଳର ସଭାପତି ନିର୍ବାଚିତ କରିଛନ୍ତି । ଦଳର ଜାତୀୟ ପରିଷଦ ବୈଠକରେ ତାହା ଅନୁମୋଦନ ଲାଭ କରି କାର୍ଯ୍ୟକାରୀ ହେବାକୁ ଯାଉଛି ।
ଜେଡିୟୁ ସଭାପତି ଲଲ୍ଲନ ସିଂହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମଧ୍ୟରେ ଗଲା କିଛି ଦିନ ହେଲା ସଂପର୍କ ତୀକ୍ତ ଥିବା ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା । ଜେଡିୟୁ ମୁଖ୍ୟ ଲଲ୍ଲନ ସିଂହ ଆରଜେଡି (ରାଷ୍ଟ୍ରୀୟ ଜନତା ଦଳ) ପ୍ରତିଷ୍ଠାତା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ହୋଇ ତାଙ୍କ ଇସାରାରେ ଦଳକୁ ପରିଚାଳିତ କରୁଥିବା ଓ ରାଜ୍ୟରେ ଜେଡିୟୁକୁ ଦୁର୍ବଳ କରୁଥିବା ଜେଡିୟୁର କିଛି ନେତା ନୀତୀଶଙ୍କ ନିକଟରେ ଅଭିଯୋଗ କରି ଲଲ୍ଲନ ଓ ନୀତୀଶଙ୍କ ସଂପର୍କରେ ଫାଟ ସୃଷ୍ଟି କରିଥିଲେ । ଲଲ୍ଲନଙ୍କୁ ନେଇ ନୀତୀଶ କ୍ଷୁବ୍ଧ ଥିବାରୁ ଅତିଶୀଘ୍ର ଜେଡିୟୁର ସର୍ବେଚ୍ଚ ନେତୃତ୍ୱରେ ପରିବର୍ତ୍ତନ ବୋଲି ଚର୍ଚ୍ଚା ଚାଲିଥିଲା । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦ୍ୱତୀୟ ଥର ପାଇଁ ଜେଡିୟୁର ସଭାପତି ପଦରେ ଅଧିଷ୍ଠିତ ହୋଇ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ସତ୍ୟ କରିଛନ୍ତି ।
ଲଲ୍ଲନ ଦଳ ଭିତରେ ବିରୋଧର ସମ୍ମୁଖୀନ ହେବା ପରେ ସଭାପତି ପଦରୁ ଇସ୍ତଫା ଦେବାକୁ ଚାହୁଁଥିବା ସୂଚନା ମିଳିଥିଲା । ଲଲ୍ଲନ ମଧ୍ୟ ୨୦୨୪ ଲୋକସଭା ନିର୍ବାଚନ ଲଢିବାକୁ ଥିବାରୁ ସେ ଦଳର ଶୀର୍ଷ ନେତୃତ୍ୱରୁ ହଟି ଯିବାକୁ ଚାହୁଁଥିବା ଜଣାଇ ଦେଇଥିଲେ । ସଭିଙ୍କ ନଜର ଜେଡିୟୁର ଆଜିର ଜାତୀୟ କାର୍ଯ୍ୟକାରୀଣୀ ବୈଠକ ଉପରେ ଥିଲା । ୨୦୨୪ ସାଧାରଣ ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ନୀତୀଶଙ୍କ ଭଳି ଜଣେ ଅଭିଜ୍ଞ ନେତାଙ୍କ ନିୟନ୍ତ୍ରଣରେ ଦଳ ରହିବା ଆବଶ୍ୟକ ବୋଲି ଜେଡିୟୁ ବିଧାୟକ ଓ ନେତାମାନେ ଚାହୁଁଥିଲେ । ତେଣୁ, ଶୀର୍ଷ ନେତୃତ୍ୱରେ ପରିବର୍ତ୍ତନ ହୋଇଛି ବୋଲି ଦଳ ପକ୍ଷରୁ କୁହାଯାଇଛି । ନୀତୀଶ କୁମାର ୨୦୧୬ରେ ପ୍ରଥମ ଥର ପାଇଁ ଶରଦ ଯାଦବଙ୍କୁ ହଟାଇ ଜେଡିୟୁ ସଭାପତି ହୋଇଥିଲେ । ୨୦୨୦ରେ ସଭାପତି ପଦ ଛାଡି ଆରସିପି ସିଂହଙ୍କୁ ସଭାପତି କରିଥିଲେ । ଏବେ ସେ ଦ୍ୱିତୀୟ ଥର ପାଇଁ ଜେଡିୟୁ ସଭାପତି ହୋଇଛନ୍ତି ।
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଗଣମାଧ୍ୟମରେ ଭିନ୍ନ ଏକ ଚର୍ଚ୍ଚା ମଧ୍ୟ ଚାଲିଛି । ସେ ବିରୋଧୀ ମେଂଟର ‘ପ୍ରଧାନମନ୍ତ୍ରୀ ଚେହେରା’ କିମ୍ବା ଜାତୀୟ ସଂଯୋଜକ ହେବାକୁ ଆଗ୍ରହୀ ଥିବା ବେଳେ ମେଂଟ ଅଂଶୀଦାରମାନେ ଏପର୍ଯ୍ୟନ୍ତ ତାଙ୍କୁ ନେଇ ଏପର୍ଯ୍ୟନ୍ତ କିଛି ଘୋଷଣା କରିନାହାନ୍ତି । ଅପରପକ୍ଷରେ, ମେଂଟର ଅନ୍ୟ ଦୁଇ ଅଂଶୀଦାର ଟିଏମସି ଓ ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ମମତା ବାନାର୍ଜୀ ଓ ଅରବିନ୍ଦ କେଜରୀୱାଲ ଦିଲ୍ଲୀରେ ଅନୁଷ୍ଠିତ ଚତୁର୍ଥ ନେତୃସ୍ତରରେ ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେଙ୍କୁ ବିରୋଧୀ ମେଂଟର ‘ପ୍ରଧାନମନ୍ତ୍ରୀ ଚେହେରା’ କରାଯିବା ପ୍ରସ୍ତାବ ରଖି ନୀତୀଶ କ୍ଷୁବ୍ଧ କରିଛନ୍ତି । ନୀତୀଶ ଅସନ୍ତୁଷ୍ଟ ରହି ପୁନର୍ବାର ବିଜେପି ଆଡକୁ ଢଳୁଥିବା ନେଇ ଚର୍ଚ୍ଚା ଚାଲିଛି । ନୀତୀଶ କୁମାର ଏଭଳି ସମ୍ଭାବନାକୁ ଅଗ୍ରାହ୍ୟ କରୁଥିଲେ ମଧ୍ୟ ତାଙ୍କ ଭଳି ଜଣେ ସୁବିଧାବାଦୀ ନେତା କେତେବେଳେ ଯେ କିପ୍ରକାର ରାଜନୈତିକ ରଂଗ ବଦଳାଇବେ କହିବା ମୁସ୍କିଲ ।
ଏଠାରେ ସୂଚନାଯୋଗ୍ୟ, ବିହାରରେ ବିଜେପି ସହ ସରକାର ପ୍ରତିଷ୍ଠା କରିଥିବା ନୀତୀଶ କୁମାର ବିଜେପି ନେତୃତ୍ୱ ରାଜ୍ୟରେ ଜେଡିୟୁ ସଂଗଠନକୁ ଦୁର୍ବଳ କରିବାରେ ଲାଗିଛନ୍ତି ବୋଲି ଅଭିଯୋଗ କରି ବିଜେପି ଓ ଏନଡ଼ିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ) ସହ ସଂପର୍କ ତୁଟାଇ ଥିଲେ ଏବଂ ଆରଜେଡ଼ି ଓ କଂଗ୍ରେସର ସହଯୋଗରେ ମହାଗଠନବନ୍ଧନ ସରକାର କରି ନିଜର ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିଲେ । ଲାଲୁ ଯାଦବଙ୍କ ସାନ ପୁଅ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ନୀତୀଶଙ୍କ ସରକାରରେ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି । ନୀତୀଶ ବିଜେପି ପ୍ରତି ଏତେଦୂର କ୍ଷୁବ୍ଧ ଯେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପିକୁ କ୍ଷମତାଚ୍ୟୁତ କରି କେନ୍ଦ୍ରରେ ବିରୋଧୀ ଦଳ ମେଂଟ ସରକାର ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରି ଆସୁଛନ୍ତି । ନୀତୀଶଙ୍କ ଉଦ୍ୟମରେ କଂଗ୍ରେସ ଓ ଅନ୍ୟ ବିରୋଧୀ ରାଜନୈତିକ ଦଳଙ୍କୁ ନେଇ ୨୦୨୨ରେ ‘ଇଣ୍ଡିଆ’ ମେଂଟ ଗଠନ ହୋଇଛି ।
‘ଇଣ୍ଡିଆ’ ମେଂଟ ପ୍ରତି ବିତୃଷ୍ଣ ନୀତୀଶ କୁମାର ପୁନର୍ବାର ବିଜେପି ଆଡକୁ ଢଳୁଥିବା ଆଲୋଚନା ହେଉଥିବା ବେଳେ ନୀତୀଶଙ୍କ ପାଇଁ ବିଜେପିର ଦ୍ୱାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି ବୋଲି ବିହାରର ବିଜେପି ନେତା ତଥା ସାଂସଦ ସୁଶିଲ ମୋଦୀ ବାରମ୍ବାର ବୟାନ ଦେଉଛନ୍ତି । ତେବେ, ବିରୋଧୀ ମେଂଟ ‘ଇଣ୍ଡିଆ’କୁ ଦୁର୍ବଳ କରିବାକୁ ବିଜେପି କେତେବେଳେ ଯେ କି ରଣନୀତି ଆପଣାଇବା କହିବା ସମ୍ଭବ ନୁହେଁ ବୋଲି ରାଜନୈତିକ ବିଶ୍ଳେଷକମାନେ କହୁଛନ୍ତି । ନୀତୀଶ କୁମାର ବିଜେପି ସହ ସଂପର୍କ ତୁଟାଇ ଜାତୀୟ ରାଜନୀତି ଆଡକୁ ମନ ବଳାଇଲା ସମୟରେ ବିହାରରେ ଉପ ମୁଖ୍ୟମନ୍ତ୍ରୀ ଥିବା ଆରଜେଡି ନେତା ତେଜସ୍ୱୀ ଯାଦବ ତାଙ୍କର ଉତ୍ତରାଧିକାରୀ ହେବାକୁ ଯାଉଥିବା କହୁଥିଲେ । ଏବେ, ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଘନିଷ୍ଟତା କାରଣରୁ ଲଲ୍ଲନ ସିଂହ ଜେଡିୟୁ ସଭାପତି ପଦରୁ ବିଦାୟ ହେବା ନୀତୀଶଙ୍କ ପରିବର୍ତ୍ତିତ ରୂପକୁ ପଦାରେ ପକାଇଛି । ଆରଜେଡି ହେଉଛି ‘ଇଣ୍ଡିଆ’ ମେଂଟର ଅନ୍ୟତମ ବୃହତ୍ତ ଅଂଶୀଦାର ।
ନୀତୀଶଙ୍କୁ ନେଇ ଗଣମାଧ୍ୟମରେ ବିଭିନ୍ନ ଚର୍ଚ୍ଚା ଚାଲିଥିବା ବେଳେ ବିହାର ଶାଖା ଜେଡିୟୁ ସଭାପତି ଉମେଶ କୁଶୱା କହିଛନ୍ତି, ୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ଦଳ ତଥା ଦେଶର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜେଡିୟୁ ଜାତୀୟ କାର୍ଯ୍ୟକାରୀଣୀ ଦଳର ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଦଳର ନେତୃତ୍ୱ ନିଜ ହାତକୁ ନେବା ଚାହୁଁଥିଲା । ଆଜିର କାର୍ଯ୍ୟକାରୀଣୀ ବୈଠକରେ ହୋଇଥିବା ନିଷ୍ପତ୍ତି ହେଉଛି ଦଳର ‘ସମୂହ ନିଷ୍ପତ୍ତି’ । ଜେଡିୟୁର ନିଷ୍ପତ୍ତି ଆଗାମୀ ଦିନରେ ବିରୋଧୀ ‘ଇଣ୍ଡିଆ’ ମେଂଟକୁ କେତେଦୂର ପ୍ରଭାବିତ କରିବ, ତାହା ଆଗକୁ ଜଣାପଡିବ । ତେବେ, ଇଣ୍ଡିଆ ମେଂଟ ଦଳଙ୍କ ଭିତରେ ଚାଲିଥିବା ରାଜନୈତିକ ହଟ୍ଟଚମଟ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉତ୍ସାହ ବଢାଇବାରେ ଲାଗିଛି । ୨୦୨୪ରେ ଦେଶରେ ପୁନର୍ବାର ବିଜେପି ସରକାର ବୋଲି ପ୍ରଧାନମନ୍ତ୍ରୀ ମୋଦୀ ସଭା ସମିତିରେ ଘୋଷଣା କରିବା ଏହି ଉତ୍ସାହର ପ୍ରତିଫଳନ ବୋଲି କୁହାଯାଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS