ରାମଲାଲାଙ୍କ ବିଗ୍ରହ ପ୍ରତିଷ୍ଠା ଦିନ ଆଡଭାନୀଙ୍କୁ ଅଯୋଧ୍ୟା ଆଣିବା ବ୍ୟବସ୍ଥା କର – ପୂର୍ବତନ ବିଜେପି ସାଂସଦ


ପ୍ରସାଦ ରାଓ
ଡିସେମ୍ବର ୨୯
ଜାନୁଆରୀ ୨୨ରେ ଅଯୋଧ୍ୟାରେ ନିର୍ମିତ ଶ୍ରୀରାମଙ୍କ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବାକୁ ଥିବାରୁ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଉତ୍ସବକୁ ଆଣିବା ବ୍ୟବସ୍ଥା କରାଯିବାକୁ ପୂର୍ବତନ ବିଜେପି ସାଂସଦ ତଥା ରାମ ମନ୍ଦିର ପ୍ରତିଷ୍ଠା ଆନ୍ଦୋଳନର ଅନ୍ୟତମ ପୁରୋଧା ସନ୍ଥ ରାମ ବିଳାଶ ବେଦାନ୍ତୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଗୁରୁବାର ଦିନ ନିବେଦନ କରିଛନ୍ତି । ବୟସାଧିକ୍ୟ କାରଣରୁ ବିଜେପି ନେତା ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ୨୨ ତାରିଖ ଅଯୋଧ୍ୟାରେ ହେଉଥିବା ବିଗ୍ରହର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ନଦେବାକୁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଗତ ୧୮ ତାରିଖ ନିବେଦନ କରାଯାଇଥିଲା । ଏହା ଉପରେ ପୂର୍ବତନ ବିଜେପି ସାଂସଦ ବେଦାନ୍ତୀ ପ୍ରତିକ୍ରିୟା ରଖି ୟୁପି ସରକାର ଓ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଏଭଳି ନିବେଦନ କରିଛନ୍ତି । ଗଣମାଧ୍ୟମକୁ କହିଛନ୍ତି, ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ହୋଇଥିବା ଆନ୍ଦୋଳନରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀଙ୍କ ଅବଦାନ ଥିଲା ଅତୁଳନୀୟ । ତେଣୁ, ଯେହେତୁ ଜାନୁୟାରୀ ୨୨ରେ ଅଯୋଧ୍ୟାର ନବ ନିର୍ମିତ ରାମ ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି ଆଡଭାନୀ ସେଠାରେ ଉପସ୍ଥିତ ରହି ଚର୍ମ ଚକ୍ଷୁରେ ତାହା ଅନୁଭବ କରିବା ନିତାନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି । ଦେଶବାସୀ କେବଳ ନୁନ୍ତି, ସମଗ୍ର ବିଶ୍ୱର ହିନ୍ଦୁ ସମାଜ ଏହା ଚାହୁଁଛନ୍ତି ବୋଲି ବେଦାନ୍ତୀ ଦର୍ଶାଇ ଆଡଭାନୀଙ୍କୁ ସେଦିନ ଅଯୋଧ୍ୟା ଅଣାଯିବା ବ୍ୟବସ୍ଥା କରାଯିବାକୁ ୟୁପି ସରକାର, ବିଶେଷକରି ୟୁପି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ପୂର୍ବରୁ ରାମ ମନ୍ଦିର ଟ୍ରଷ୍ଟର ସାଧାରଣ ସଂପାଦକ ଚଂପତ ରାୟ ଆଡଭାନୀ ଓ ଯୋଶୀଙ୍କୁ ବୟସ ଦୃଷ୍ଟିରୁ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ନଦେବାକୁ ଅନୁରୋଧ କରିଥିଲେ । ଉଭୟ ନେତା ତାହା ଗ୍ରହଣ କରିଥିବା ମଧ୍ୟ ଚଂପତ ରାୟ ସୂଚନା ଦେଇଥିଲେ । ତେବେ, ଡିସେମ୍ବର ୧୯ ତାରିଖ ଦିନ ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ଏକ ବିବୃତି ଦେଇ ବିଜେପି ବରିଷ୍ଠ ନେତା ଆଡଭାନୀ ଓ ଯୋଶୀଙ୍କୁ ଜାନୁୟାରୀ ୨୨ ତାରିଖ ଉତ୍ସବକୁ ନିମନ୍ତ୍ରଣ କରାଯାଇଥିବା ଏବଂ ସେମାନେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗେ ଦବାକୁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ଦେଇଥିଲେ । ୨୦୧୪ରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଷ୍ଠା ହେବା ପରଠାରୁ ଦଳର ବୟୋଜ୍ୟେଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ ମୂରଲୀ ମନୋହର ଯୋଶୀ ଏକପ୍ରକାର କୋଣଠେସା ହୋଇ ରହିଛନ୍ତି । ବୟସାଧିକ୍ୟ କାରଣ ଦର୍ଶାଇ ସେମାନଙ୍କୁ ସକ୍ରିୟ ରାଜନୀତିରୁ ଦୂରେଇ ଦିଆଯାଇଥିବା ବେଳେ କୌଣସି ଧାର୍ମିକ ଉତ୍ସବକୁ ମଧ୍ୟ ନିମନ୍ତ୍ରଣ କରାଯାଉନାହିଁ । ଏବେ ୟୁପି ସରକାର ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବେଦାନ୍ତୀଙ୍କ ଦାବିକୁ କେତେଦୂର ଗୁରୁତ୍ୱ ଦେଉଛନ୍ତି ତାହା ଜାନୁୟାରୀ ୨୨ ତାରିଖ ଦିନ ଜଣାପଡିବ ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS