ଓଡ଼ିଶା ରାଜନୀତି: ନେତା ଚୁପଚାପ, ଉତ୍ତରାଧିକାରୀ ମୁଖର !

ପ୍ରସାଦ ରାଓ
ଭୁବନେଶ୍ୱର/ଡିସେମ୍ବର ୩୦
୨୦୨୩ ଶେଷ ଭାଗରେ ଓଡ଼ିଶା ରାଜନୀତିରେ ଏକ ବଡ ପରିବର୍ତ୍ତନ ଆସିଛି । ବିଶେଷକରି, ମୁଖ୍ୟମନ୍ତ୍ରୀଙ୍କ ପ୍ରାକ୍ତନ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କାର୍ତ୍ତିକୟନ ପାଣ୍ଡିଆନ ସ୍ୱଇଚ୍ଛାରେ ଆଇଏଏସ୍ ଚାକିରୀ ଛାଡି ଶାସକ ବିଜେଡ଼ିରେ ଯୋଗ ଦେବା ପରେ । ପାଣ୍ଡିଆନ ଚାକିରୀରେ ଥିବା ସମୟରେ ପ୍ରଥମେ ପରଦା ଆଢୁଆଳରୁ ଓ ପରେ ସିଏମଓର ଟୋପି ପିନ୍ଧି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ କାମ କରୁଥିଲେ । ବିରୋଧୀ ତାହାର କଡା ସମାଲୋଚନା କରୁଥିଲେ । ରାଜ୍ୟ ପ୍ରଶାସନରେ ଜଣେ ମୁଖିଆ ଥାଉ ଥାଉ ଜଣେ କନିଷ୍ଠ ସଚିବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସି କେମିତି ଶାସକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିବା ସହ ଭାରତୀୟ ପ୍ରଶାସନିକ ସେବା ରୁଲ୍ସର ଏହା ଖୋଲା ଉଲଂଘନ ବୋଲି ଅଭିଯୋଗ କରୁଥିଲେ । କେନ୍ଦ୍ର ସରକାରଙ୍କ ନିକଟରେ ଏନେଇ ଫେରାଦ ହେବା ସହ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଚାହୁଁଥିଲେ । ତେବେ, କେନ୍ଦ୍ର ସରକାରଙ୍କ ରହସ୍ୟମୟ ନୀରବତା ବିରୋଧୀଙ୍କୁ ଆଚମ୍ବିତ କରିଥିଲା । ପାଣ୍ଡିଆନ ମହାଶୟ ସିଏମଓର ଅଧିବକ୍ତା ଭାବେ ଓଡ଼ିଶା ସାରା ବୁଲି ଖୋଲାମେଲା ସଭା କରୁଥିଲେ ଏବଂ ରାଜ୍ୟର ବିଜେଡ଼ି ନେତା ଓ ନିର୍ବାଚିତ ପ୍ରତିନିଧିମାନେ ସେସବୁର ଆୟୋଜନ କରିବା ସହ ମଂଚ ତଳେ ରହି ଭିଡ଼କୁ ଏକାତ୍ରିତ କରିବା ଓ କରତାଳୀ ଦେବାରେ ସୀମିତ ରହି ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଆଜ୍ଞାମାଳ ନଥିଲେ କଣ ସଚିବ ମହାଶୟ ସରକାରୀ ଖର୍ଚ୍ଚରେ ବିମାନରେ ଜିଲ୍ଲା ଜିଲ୍ଲା ଉଡି ବୁଲିଥା’ନ୍ତେ ନା ବର୍ଷ ବର୍ଷ ଧରି ବିଜୁ ଜନତା ଦଳ (ବିଜେଡ଼ି)ର ଖିଦମତ କରି ଆସୁଥିବା ନେତାମାନେ ନୀରବରେ ସଭା ସମିତି ଆୟୋଜନ କରିଥା’ନ୍ତେ ?
୨୦୨୪ରେ ଦେଶରେ ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପ୍ରଥମେ ପାଣ୍ଡିଆନଙ୍କୁ ରାଜ୍ୟସାରା ପଠାଇ ବିଜେଡି ସପକ୍ଷରେ ଏକ ଅନୁକୂଳ ବାତାବରଣ ସୃଷ୍ଟି କଲେ । ପାଣ୍ଡିଆନ ହିଁ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି ବୋଲି ସମଗ୍ର ରାଜ୍ୟର ଜନତା ଓ ରାଜନେତାଙ୍କ ନିକଟରେ ବାର୍ତ୍ତା ପହଂଚିଲା । ସଭା ସମିତିରେ ବିପୁଳ ଜନସମାଗମ ହେଲା । ନେତା ଓ ଜନତା ଫୁଳମାଳ ଧରି ପାଣ୍ଡିଆନଙ୍କୁ ସ୍ୱାଗତ ସମ୍ଭାଷଣ ଜଣାଇଲେ । ପାଣ୍ଡିଆନ ଏକା ସଭାମଂଚରେ ରହି ସମ୍ବର୍ଦ୍ଧନା ଗ୍ରହଣ କଲେ ଓ ଲୋକଙ୍କ ଅଭିଯୋଗ ଶୁଣିଲେ । ସେମାନଙ୍କ ଅଭିଯୋଗପତ୍ରକୁ ଏକାଠି କରି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଂଚାଇଲେ । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଘୋଷଣା କଲେ । ସେସବୁ ପ୍ରକଳ୍ପ କେମିତି କାର୍ଯ୍ୟକାରୀ ହୋଇ ନିର୍ଦ୍ଧାରିତ ସମୟରେ ସରିବ ସେଦିଗରେ ମଧ୍ୟ କାର୍ଯ୍ୟ କଲେ । କୁହାଗଲା, ନିର୍ବାଚନ ବର୍ଷରେ ମୁଖ୍ୟମନ୍ତ୍ରୀ (ଅସୁସ୍ଥତା କାରଣରୁ ହେଉ ବା ଅନ୍ୟ କୌଣସି କାରଣରୁ) ସବୁଠି ପହଂଚି ପାରୁନଥିବାରୁ ସିଏମଓ ତାଙ୍କର ଏହି ଦାୟିତ୍ୱକୁ ତୁଲାଉଛି । ସିଏମଓ ରାଜ୍ୟବାସୀଙ୍କ ନିକଟରେ ପହଂଚି ସେମାନଙ୍କ ଅଭିଯୋଗ ଶୁଣିବା ଓ ସେସବୁର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ନେବା କଣ ଅପରାଧ ? ଶାସକ ଦଳର ଏହି ପ୍ରଶ୍ନ ବିରୋଧୀଙ୍କୁ ନିର୍ବାକ କରିଥିବା ବେଳେ ପାଣ୍ଡିଆନ ମହାଶୟ ଆଇଏଏସ୍ ଚାକିରୀରୁ ସ୍ୱଇଚ୍ଛାରେ ଅବସର ଗ୍ରହଣ କରି ଶାସକ ଦଳରେ ଯୋଗ ଦେଲେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟର ୫-ଟି ଅଧ୍ୟକ୍ଷ ଭାବେ ଯୋଗ ଦେଲେ ।
ତାଙ୍କ ପାଇଁ ‘ନବୀନ ଓଡ଼ିଶା’ ନାମରେ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ ହେଲା ଏବଂ ସେ ତାହାର ମଧ୍ୟ ଅଧ୍ୟକ୍ଷ ରହିଲେ । କ୍ୟାବିନେଟ ପାହ୍ୟା ମନ୍ତ୍ରୀଙ୍କୁ ମିଳୁଥିବା ସୁବିଧା ସୁଯୋଗ ଏହି ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଖଂଜି ଦିଆଯାଇଛି । ଏବେ ସେ ଓଡ଼ିଶା ରାଜନୀତିରେ ଏକ ମୁକ୍ତ ବିହଙ୍ଗ । ଆଉ ସିଏମଓ ଟୋପିର ଆବଶ୍ୟକତା ନାହିଁ । ୫-ଟି ଏବଂ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ ଭାବେ ସେ ରାଜ୍ୟସାରା ଗସ୍ତ କରି ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ଆସନ୍ତା ଲୋକସଭା ବା ବିଧାନସଭା ନିର୍ବାଚନରେ ସେ ପ୍ରାର୍ଥୀ ହେଉନଥିବା ପାଣ୍ଡିଆନ ଘୋଷଣା କରିବା ସହ କହିଛନ୍ତି ରାଜ୍ୟର ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେ ମୁଖ୍ୟମନ୍ତ୍ରୀଙ୍କ ପଛରେ ରହିବେ ଏବଂ ବିଜେଡ଼ିକୁ କ୍ରମାଗତ ଷଷ୍ଠ ଥର ପାଇଁ କ୍ଷମତାକୁ ଆଣିବାରେ ସାହାଯ୍ୟ କରିବେ । ବିରୋଧୀଙ୍କ ସମାଲୋଚନା ଶିଥିଳ ପଡି ଯାଇଛି । କେବଳ ଏତିକି କହୁଛନ୍ତି, ସରକାରୀ ଅଧିକାରୀ ଥାଇ ପାଣ୍ଡିଆନ ମହାଶୟ ଓଡ଼ିଶାବାସୀଙ୍କ ଅର୍ଥରେ ନିଜର ଭାବମୂର୍ତ୍ତୀ ଚମକାଇଲେ । ଏବେ ଶାସକ ଦଳରେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ହେବାର ପ୍ରସ୍ତୁତି ଚଳାଇଛନ୍ତି । ଏହାଠାରୁ ବଡ ଇଭେଂଟ ମ୍ୟାନେଜମେଂଟ କଣ ବା ହୋଇଥା’ନ୍ତା ! ଆଜି ଦିନରେ ଆଉ ଗୋଟିଏ କଥା ଦେଖିବାକୁ ମିଳୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ଧରି ବିରୋଧୀଙ୍କ ସମାଲୋଚନା ଶୁଣୁଥିଲେ ସିନା ପ୍ରତ୍ୟୁତ୍ତର ଦେଉନଥିଲେ । ଯାହା କହୁଥିଲେ ପଦେ ଦୁଇ ପଦ, ତାହା ମଧ୍ୟ ଶାଳୀନତା ରକ୍ଷା କରି । ମୁଖ୍ୟମନ୍ତ୍ରୀଙ୍କ ପାଇଁ ଦଳର ପ୍ରବକ୍ତାମାନେ ବିରୋଧୀଙ୍କୁ ଉତ୍ତର ଦେଉଥିଲେ । ପ୍ରବକ୍ତାଙ୍କ ଭାଷା କଡା ରହୁଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାଷା କେବେ ସେମିତି କଠୋର ହେବା ଦେଖିବାକୁ ମିଳି ନାହିଁ । କିନ୍ତୁ, ପୂର୍ବ ଆଇଏଏସ ଅଧିକାରୀ ପାଣ୍ଡିଆନ ବିଜେଡ଼ି ମଂଗ ଧରିବା ପରେ ବିରୋଧୀଙ୍କୁ କଡା ଭାଷାରେ ସମାଲୋଚନା କରିବା ଆରମ୍ଭ କରିଛନ୍ତି ।
ନବୀନଙ୍କ ଶାସନରେ ଓଡ଼ିଶାରେ ହୋଇଥିବା ରୂପାନ୍ତରୀକରଣ କଥା କହୁଥିବା ବେଳେ ବିରୋଧୀ ନେତାଙ୍କୁ ପ୍ରଶ୍ନ କରୁଛନ୍ତି, ତୁମେ କ୍ଷମତାରେ ଥାଇ କଣ କରିଛ ? ଓଡ଼ିଶାର ଦୀର୍ଘ ବର୍ଷ ଧରି କଂଗ୍ରେସ ଦଳ କ୍ଷମତାରେ ଥିଲା । ବିଜେପି ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେଡ଼ି ସହ ମିଶି ଓଡ଼ିଶାରେ ଶାସନ କରିଥିଲେ ମଧ୍ୟ ଏକାକୀ କ୍ଷମତା ଦଖଲର ସୁଯୋଗ ପାଇନି । ତେବେ, ୨୦୧୪ରୁ ଦୀର୍ଘ ୧୦ ବର୍ଷ ହେଲା କେନ୍ଦ୍ରରେ ବିଜେପି ସରକାର ରହିଛି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଓଡ଼ିଶାର କିଛି ନେତା କେନ୍ଦ୍ର ମନ୍ତ୍ରୀ ପରିଷଦରେ ସ୍ଥାନ ପାଇଛନ୍ତି । ଧର୍ମେନ୍ଦ୍ର ଦୀର୍ଘ ବର୍ଷ କେନ୍ଦ୍ର ସରକାରରେ ପେଟ୍ରୋଲିୟମ ଓ ରସାୟନ ମନ୍ତ୍ରୀ ରହବି ପରେ ଏବେ ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ରହିଛନ୍ତି । ବିଜେଡ଼ି ସହାୟତାରେ ବିଜେପିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରରେ ରେଳବାଇ ଓ ଆଇଟି ମନ୍ତ୍ରୀ ଥିବା ବେଳେ ଓଡ଼ିଶାର ବିଜେପି ନେତା ବିଶ୍ୱେଶ୍ୱର ଟୁଡୁ ମଧ୍ୟ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି । ଓଡ଼ିଶାର ଏହି କେନ୍ଦ୍ର ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ସହ ଗଲା ୨୩ ବର୍ଷରେ ଓଡ଼ିଶାର କି ବିକାଶ ହୋଇଛି (?) ବୋଲି ପ୍ରଶ୍ନ କରୁଛନ୍ତି । ତେବେ, କେନ୍ଦ୍ର ମନ୍ତ୍ରୀ ଥାଇ ସେମାନେ ନିଜ ଅଂଚଳର ବିକାଶ ପାଇଁ କଣ କରିଛନ୍ତି (?) ବୋଲି ଏବେ ପାଣ୍ଡିଆନ ପାଲଟା ପ୍ରଶ୍ନ କଲେଣି, ଯାହାକି ଓଡ଼ିଶା ବିଜେଡ଼ିରେ ଆସିଥିବା ପରିବର୍ତ୍ତନର ସୂଚନା ଦେଉଛି । ନିକଟରେ, ପାଣ୍ଡିଆନ ଅନୁଗୁଳ ଜିଲ୍ଲା ଗସ୍ତରେ ଯାଇଥିଲେ ଓ ଏକ ଜନସଭାରୁ କେନ୍ଦ୍ର ମନ୍ତ୍ରୀ ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ । କେନ୍ଦ୍ରରେ ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଥାଇ ଧମେନ୍ଦ୍ର ବାବୁ ନିଜ ଅଂଚଳ ଅନୁଗୁଳ ଜିଲ୍ଲା ପାଇଁ କଣ କରିଛନ୍ତି (?) ବୋଲି ସେ ପ୍ରଶ୍ନ କରିଥିଲେ ।
ପ୍ରଧାନ ଇଚ୍ଛା କରିଥିଲେ ନିଜ ଜିଲ୍ଲାର ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ଦକ୍ଷତା ବିକାଶ କେନ୍ଦ୍ର ଖୋଲି ଅଂଚଳବାସୀଙ୍କ ଶିକ୍ଷା ଓ ଦକ୍ଷତାର ବିକାଶ କରାଇ ପାରିଥା’ନ୍ତେ । କିନ୍ତୁ, ଜିଲ୍ଲାରେ ଗୋଟିଏ ବି କେନ୍ଦ୍ରୀୟ ବିଦ୍ୟାଳୟ ହୋଇ ନାହିଁ ବା ଦକ୍ଷତା ବିକାଶ କେନ୍ଦ୍ର ଖୋଲି ନାହିଁ । ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅନୁଗୁଳ ଜିଲ୍ଲା ପାଇଁ ବହୁ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ବୋଲି ପାଣ୍ଡିଆନ ଘୋଷଣା କରିବା ସହ ପ୍ରକଳ୍ପଗୁଡିକର ନାମ ଏବଂ ହୋଇଥିବା ବ୍ୟୟବରାଦ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । କେବଳ ବିରୋଧୀଙ୍କୁ ଉଚିତ ଜବାବ ଦେବାରେ ନୁହେଁ, ଓଡ଼ିଶାରେ ଗଣମାଧ୍ୟମକୁ ନିଜ ସପକ୍ଷରେ ପରିଚାଳିତ କରିବାରେ ମଧ୍ୟ ପାଣ୍ଡିଆନ ସଫଳ ହୋଇଥିବା ୨୦୨୩ ବର୍ଷ ଦେଖିବାକୁ ମିଳିଛି । ଗଲା ଏକ ବର୍ଷ ଧରି ପାଣ୍ଡିଆନ ଓଡ଼ିଶାର ଗଣମାଧ୍ୟମରେ ସର୍ବାଧିକ ଚର୍ଚ୍ଚିତ ଚେହେରା ରହିଥିବା ବେଳେ ତାଙ୍କ ପଛକୁ ରହିଛନ୍ତି ଭୁବନେଶ୍ୱର ସାଂସଦ (ବିଜେପି) ଅପରାଜିତା ଷଡଙ୍ଗୀ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଚର୍ଚ୍ଚିତ ଚେହେରା ଅଛନ୍ତି ସତ, କିନ୍ତୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଶାସକ ବିଜେଡ଼ିକୁ ଘେରିବାରେ ଅପରାଜିତା ଧର୍ମେନ୍ଦ୍ରଙ୍କଠାରୁ ବହୁ ଆଗରେ ରହିଛନ୍ତି ।
ଦିନକ ପରେ ୨୦୨୩ ବର୍ଷ ଶେଷ ହୋଇ ୨୦୨୪ର ପଦାର୍ପଣ ହୋଇଯିବ । ଏପ୍ରିଲ/ମେ’ରେ ଓଡ଼ିଶାବାସୀ ଲୋକସଭା ଓ ବିଧାନସଭା ନିର୍ବାଚନ । ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡ଼ିର ଏକମାତ୍ର ଶୀର୍ଷ ନେତା ଥିଲେ ଓ ନିର୍ବାଚନ ପରିଚାଳନା କରିଥିଲ । କିନ୍ତୁ, ୨୦୨୪ରେ ନବୀନଙ୍କ ସହ ପାଣ୍ଡିଆନ ଶୀର୍ଷ ନେତା ଭୂମିକାରେ ରହିଛନ୍ତି ଏବଂ ନିର୍ବାଚନ ପରିଚାଳନା କରିବାକୁ ଯାଉଛନ୍ତି । ନବୀନ ଚୁପଚାପ ବିରୋଧୀଙ୍କ ମୁକାବିଲା କରନ୍ତି । କିନ୍ତୁ, ପାଣ୍ଡିଆନ ସମାଲୋଚନାର ଜବାବ ସମାଲୋଚନାରେ ଦେଇ ବିରୋଧୀଙ୍କ ମୁକାବିଲା କରୁଛନ୍ତି । ବିଜେଡ଼ିରେ ‘ନେତା ଚୁପଚାପ, ଉତ୍ତରାଧିକାରୀ ମୁଖର’ ବୋଲି ଏବେ ସବୁଠି ଆଲୋଚନା ହେଉଛି । ଦୀର୍ଘ ୨୩ ବର୍ଷ ହେଲା ଓଡ଼ିଶାବାସୀ ନବୀନଙ୍କୁ ମୁଣ୍ଡରେ ବସାଇଛନ୍ତି । ପାଣ୍ଡିଆନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପରେ ବିଜେପିର ଦ୍ୱିତୀୟ ନେତା ଭାବେ ରାଜ୍ୟବାସୀ ଗ୍ରହଣ କରି ନେଇଥିବା ବିଜେଡି ବିଶ୍ୱାସ କରୁଛି । ତେବେ, ବାସ୍ତବରେ ସେ କେତେଦୂର ଗ୍ରହଣ ହୋଇପାରିଛନ୍ତି ତାହା ୨୦୨୪ ନିର୍ବାଚନ ଫଳାଫଳ ହିଁ କହିବ ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:








LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS