ବର୍ଷ ଆରମ୍ଭରୁ ‘ଇଣ୍ଡିଆ’ ମେଂଟର ଦୁଇ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡରେ ଝୁଲିଛି ‘ଇଡି’ ଖଣ୍ଡା !


ପ୍ରସାଦ ରାଓ
ଜାନୁୟାରୀ ୦୧/୨୦୨୪
ନୂଆ ବର୍ଷ ଆସି ଯାଇଛି । ୨୦୨୪କୁ ନେଇ ସବୁଠି ଉତ୍ସାହ, ଉଦ୍ଦିପନା ରହିଥିବା ବେଳେ ଦୁଇ ଜଣ ମୁଖ୍ୟମନ୍ତ୍ରୀ ନୂଆ ବର୍ଷକୁ ନେଇ ଚିନ୍ତାରେ ଅଛନ୍ତି । ସେମାନଙ୍କ ଚିନ୍ତାର କାରଣ ହେଉଛି ‘ଇଡି’ ବା କେନ୍ଦ୍ର ସରକାରଙ୍କ ପ୍ରବତ୍ ର୍ତନ ନିର୍ଦେଶାଳୟ । ଦିଲ୍ଲୀର ବହୁ ଚର୍ଚ୍ଚିତ ଅବକାରୀ ଦୁର୍ନୀତି ମାମଲାରେ ଇଡି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ତୃତୀୟ ଥର ପାଇଁ ସମନ କରିଛି । ଜାନୁୟାରୀ ୦୩ ତାରିଖରେ ତାଙ୍କୁ ହାଜର ହେବାକୁ କୁହାଯାଇଛି । ଗତ ବର୍ଷ ନଭେମ୍ବର ଓ ଡିସେମ୍ବର ମାସରେ ଦୁଇ ଥର ସମନ ହୋଇଥିଲେ ମଧ୍ୟ କେଜରୀୱାଲଙ୍କୁ ବିଭିନ୍ନ କାର୍ଯ୍ୟ ରହିଥିବା ଦେଖାଇ ଇଡି ନୋଟିସକୁ ଏଡାଇ ଯାଇଥିଲେ । ତୃତୀୟ ଥର ପାଇଁ ତାଙ୍କୁ ହାଜିରା ନୋଟିସ ହୋଇଛି । ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ଦିଲ୍ଲୀ ସରକାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ପାଖାପାଖି ବର୍ଷେ ହେଲା ଜେଲରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଟ ସହଯୋଗୀ ରାଜ୍ୟସଭା ସାଂସଦ ସଂଜୟ ସିଂହ (ଆମ୍ ଆଦମୀ ପାର୍ଟି) ମଧ୍ୟ ଏହି ମାମଲାରେ ଜେଲରେ । ମୁଖ୍ୟମନ୍ତ୍ରୀ କେଜରୀୱାଲ ଦିଲ୍ଲୀ ଅବକାରୀ ଦୁର୍ନୀତି ସହ ସିଧାସଳଖ ସଂପୃକ୍ତ ଥିବାର କୌଣସି ପ୍ରମାଣ ଏଯାବତ୍ ଇଡି ହାତରେ ଲାଗି ନଥିଲେ ମଧ୍ୟ ଏହି ଷଡଯନ୍ତ୍ରରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ଇଡି ସନ୍ଦେହ କରୁଛି । ତେଣୁ, ଜେରା ପାଇଁ ଡକାଉଛି । ପୂର୍ବରୁ ଏହି ମାମଲାରେ ସିବିଆଇ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କୁ ଦୀର୍ଘ ସମୟ ଜେରା କରି ଛାଡିଛି । ତେବେ, ଇଡି ମାମଲାକୁ ଯେଭଳି ଭାବେ ପରିଚାଳନା କରୁଛି ତାଙ୍କୁ ଜେରା କରିବା ପରେ ଗିରଫ କରିପାରେ ବୋଲି ମୁଖ୍ୟମନ୍ତ୍ରୀ କେଜରୀୱାଲ ଆଶଙ୍କା କରୁଛନ୍ତି । ତେଣୁ, ପ୍ରଥମ ଥର ନିର୍ବାଚନ ପ୍ରଚାରରେ ଯାଉଥିବା ଏବଂ ଦ୍ୱିତୀୟ ଥର ପଂଜାବର ହୋସିଆରପୁରରେ ୧୦ ଦିନିଆ ବିପାସନା ଯୋଗ ଅଧିବେଶନରେ ଯୋଗ ଦେଉଥିବା ଦର୍ଶାଇ ଇହି ସମନକୁ ଏଡାଇ ଯାଇଥିଲେ । ଇଡିର ସମନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରି ସେ ତାହାକୁ ପ୍ରତ୍ୟାହାର କରି ନିଆଯିବାକୁ ଇଡିକୁ ଚିଠି ଲେଖି ଥିଲେ । ତେବେ, ଇଡି ତୃତୀୟ ଥର ପାଇଁ ସମନ କରି ତାଙ୍କ ଅଡୁଆ ବଢାଇଛି । ତେବେ, ଆସନ୍ତା ବୁଧବାର କେଜରୀୱାଲ ଇଡିରେ ହାଜର ହେବେ କି ନାହିଁ ସ୍ପଷ୍ଟ ହୋଇନି ବୋଲି ଦଳର ନେତାମାନେ କହୁଛନ୍ତି । କେଜରୀୱାଲ ଶନିବାର ଦିନ ପଂଜାବର ହୋସିଆରପୁରରୁ ଫେରିବା ପରେ ରବିବାର (ଡିସେମ୍ବର ୩୧ ତାରିଖ) ଦିନ ଦିଲ୍ଲୀରେ ‘ଆମ୍ ଆଦମୀ ପାର୍ଟି’ର ଜାତୀୟ କାର୍ଯ୍ୟକାରୀଣୀ ଓ ଜାତୀୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଆସନ୍ତା ଲୋକସଭା ଏବଂ ୨୦୨୪ ଅକ୍ଟୋବର-ନଭେମ୍ବର ଆଡକୁ ହେବାକୁ ଥିବା ହରିୟାଣା ବିଧାନସଭାକୁ ଦୃଷ୍ଟିରେ ରଖି ଦଳର ସଂଗଠନକୁ ଅଧିକ ସୁଦୃଢ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ‘ଆପ୍’ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ମୁକାବିଲା ପାଇଁ ଗଠିତ ବିରୋଧୀ ମେଂଟ ‘ଇଣ୍ଡିଆ’ର ଏକ ପ୍ରମୁଖ ଅଂଶୀଦାର ରହିଥିବା ବେଳେ ଗତକାଲି ଦଳର ଜାତୀୟ କାର୍ଯ୍ୟକାରୀଣୀ ଓ ଜାତୀୟ ପରିଷଦ ବୈଠକରେ ସେ ଉଭୟ ବିଜେପି ଓ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । ଏହି ଦୁଇ ଜାତୀୟ ରାଜନୈତିକ ଦଳ ଗତ ୭୫ ବର୍ଷ ଧରି ଦେଶକୁ ଶାସନ କରୁଛନ୍ତି ସିନା ଦେଶର ବିକାଶ ପାଇଁ କିଛି ଉଲ୍ଲେଖନୀୟ କାର୍ଯ୍ୟ କରି ନାହାନ୍ତି । ଏବେ ବିଜେପି ‘ମୋଦୀ ଗ୍ୟାରେଂଟି’ କଥା କହୁଥିବା ବେଳେ କଂଗ୍ରେସ ଦଳ ‘କଂଗ୍ରେସ ଗ୍ୟାରେଂଟି’ କଥା କହି ଭୋଟରଙ୍କୁ ଭ୍ରମିତ କରିବା ଉଦ୍ୟମରେ ଅଛି । ‘ଆପ୍’ ମାତ୍ର ୧୦ ବର୍ଷର ଦଳ ହୋଇ ଦିଲ୍ଲୀ ଓ ପଂଜାବରେ ଶାସନ କରୁଛି । ‘ଆପ୍’ ଏହି ଦୁଇ ରାଜ୍ୟରେ ବିକାଶର ଛାପ ଛାଡିବା ସହ ଭାରତୀୟ ନିର୍ବାଚନ ଆୟୋଗ ଦ୍ୱାରା ଦେଶର ତୃତୀୟ ପ୍ରମୁଖ ଜାତୀୟ ଦଳର ମାନ୍ୟତା ପାଇ ସାରିଛି । ଦଳ ‘କର୍ମ ସଂସ୍କୃତି’କୁ ପ୍ରଧାନ୍ୟ ଦେଉଥିବାରୁ କେନ୍ଦ୍ର ସରକାରଙ୍କ ଟାର୍ଗେଟ ହୋଇଛି । ବିଭିନ୍ନ ମିଥ୍ୟା ଆରୋପରେ ଦଳର ନେତାମାନଙ୍କୁ ଗିରଫ କରି ଜେଲରେ ପୁରାଇ ଦିଆଯାଇଛି । ଉନ୍ନତ ମାନର ଶିକ୍ଷା, ମାଗଣା ବିଦ୍ୟୁତ ଓ ସ୍ୱାସ୍ଥ୍ୟସେବା ଯୋଗାଣ ଦିଗରେ କାର୍ଯ୍ୟ କରି ‘ଆପ୍’ ନେତାମାନେ ଜେଲ ଯାଇଥିବାରୁ ଦଳ ସେମାନଙ୍କ ପାଇଁ ଗର୍ବିତ । ସେମାନେ ହେଉଛନ୍ତି ଦଳର ‘ହିରୋ’ । କିିଛି କାମ କରି ନଥିଲେ ‘ଆପ୍’ ନେତାମାନେ ନିଜ ପରିବାର ସହ ଘରେ ଶାନ୍ତିରେ ଥାଆନ୍ତେ ବୋଲି ଗତକାଲି କେଜରୀୱାଲ କହିଛନ୍ତି । ଦଳର ତିନି ରାଜ୍ୟସଭା ସାଂସଦ ସଂଜୟ ସିଂହ, ଏନ.ଡି.ଗୁପ୍ତା ଓ ସୁଶୀଲ ଗୁପ୍ତାଙ୍କ କାର୍ଯ୍ୟକାଳ ଅତିଶୀଘ୍ର ସରୁ ଥିବାରୁ ସେମାନଙ୍କ ସ୍ଥାନରେ କାହାକୁ ରାଜ୍ୟସଭାକୁ ମନୋନୀତି କରାଯିବ ସେନେଇ ଦଳ ଭିତରେ ବିଚାର ବିମର୍ଷ ଚାଲିଥିବା ବେଳେ ମନୀଷ ସିସୋଦିଆ, ସଂଜୟ ସିଂହ, ବିଜୟ ନାୟାର, ସତ୍ୟେନ୍ଦ୍ର ଜୈନଙ୍କ ଭଳି ଦଳର ତୁଂଗ ନେତାମାନେ ଏବେ ଜେଲରେ । କେଜରୀୱାଲ ଯଦି ଜେଲ ଯିବେ ତେବେ ଦିଲ୍ଲୀର ଶାସନ ବ୍ୟବସ୍ଥା କେଉଁଠୁ ପରିଚାଳିତ ହେବ, ତାହା ‘ଆପ୍’ ପାଇଁ ବଡ ପ୍ରଶ୍ନ ହୋଇଛି । ଏଠାରେ ସୂଚନାଯୋଗ୍ୟ, ୨୦୧୧ରେ ଦେଶରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୨ ସରକାର ଥିବା ସମୟରେ ବ୍ୟାପକ ଦୁର୍ନୀତି ଅଭିଯୋଗମାନ ରହିଥିଲା ଏବଂ ଗାନ୍ଧିବାଦୀ ନେତା ଆନ୍ନା ହଜାରେଙ୍କ ‘ଜନ ଲୋକପାଳ ବିଲ୍’ ଦାବିରେ ଅନଶନ କରି ୨୦୧୪ରେ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସରକାରର ପତନର କାରଣ ହୋଇଥିଲେ । ଏହି ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ କେଜରୀୱାଲ ରାଜନୀତିକୁ ଆସିଥିଲେ । ୨୦୧୨ ନଭେମ୍ବର ୨୬ ତାରିଖରେ କେଜରୀୱାଲ ‘ଆମ୍ ଆଦମୀ ପାର୍ଟି’ (ଆପ୍) ପ୍ରତିଷ୍ଠା କରିଥିଲେ । ୨୦୧୩ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳ ପ୍ରତିଦ୍ୱନ୍ଦ୍ୱିତା କରି ରାଜ୍ୟରେ ଦ୍ୱିତୀୟ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା ଓ କଂଗ୍ରେସ ସହଯୋଗରେ କେଜରୀୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ, ବିଧାନସଭାରେ ଜନ ଲୋକପାଳ ବିଲ୍ ପାରିତ କରାଇବାରେ କଂଗ୍ରେସର ସହଯୋଗ ନ ମିଳିବାରୁ ମାତ୍ର ୪୯ ଦିନ ମୁଖ୍ୟମନ୍ତ୍ରୀ ରହି କେଜରୀୱାଲ ଇସ୍ତଫା ଦେଇଥିଲେ । ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । କିନ୍ତୁ, ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ‘ଆପ୍’ ରାଜ୍ୟ ବିଧାନସଭାର ୭୦ ଆସନରୁ ଯଥାକ୍ରମେ ୬୭ ଓ ୬୨ଟି ଆସନରେ ବିଜୟୀ ହୋଇ ଏକାକୀ ସରକାର ଚଳାଇଛି । କେଜରୀୱାଲ ମୁଖ୍ୟମନ୍ତ୍ରୀ ରହିଛନ୍ତି । ୨୦୧୭ରେ ଦଳ ପଂଜାବ ବିଧାନସଭା ନିର୍ବାଚନ ଲଢି ମାତ୍ର ୨୦ଟି ଆସନ ପାଇଥିବା ବେଳେ ୨୦୨୨ ନିର୍ବାଚନରେ ୯୨ଟି ଆସନ ଦଖଲ କରି ସରକାର କରିଛି । ଭଗବନ୍ତ ମାନ ପଂଜାବ ମୁଖ୍ୟମନ୍ତ୍ରୀ ଅଛନ୍ତି । ୨୦୨୨ ଡିସେମ୍ବର ଗୁଜରାଟ ବିଧାନସଭା ନିର୍ବାଚନରେ ‘ଆପ୍’ ୧୨.୯୨ ପ୍ରତିଶତ ଭୋଟ ପାଇଛି ଏବଂ ଭାରତୀୟ ନିର୍ବାଚନ ଆୟୋଗ ୨୦୨୩ ଏପ୍ରିଲ ୧୦ ତାରିଖରେ ‘ଆପ୍’କୁ ଜାତୀୟ ରାଜନୈତିକ ଦଳର ଦଳର ମାନ୍ୟତା ଦେଇଛନ୍ତି । ଦଳ ବିରୋଧୀ ମେଂଟ ‘ଇଣ୍ଡିଆ’ରେ ପ୍ରମୁଖ ଭୂମିକାରେ ରହିଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନ ସହ ହରିୟାଣା ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରି ନିଜ ସ୍ଥିତିକୁ ସୁଦୃଢ କରିବା ଲକ୍ଷ୍ୟରେ ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଭଳି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ୨୦୨୩ ଡିସେମ୍ବର ଶେଷ ଆଡକୁ ‘ଇଡି’ର ସମନ ପାଇ ସାରିଛନ୍ତି । ରାଂଚି ଜମି ଦୁର୍ନୀତି ମାମଲାରେ ଇଡି ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ସମନ ଜାରି କରିଛି ଏବଂ ସପ୍ତାହକ ମଧ୍ୟରେ ଇଡି ନିକଟରେ ନିଜର ବୟାନ ରେକର୍ଡ କରାଇବାକୁ ନିର୍ଦେଶ ଦେଇଛି । ସୋରେନଙ୍କ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମଧ୍ୟ ବିରୋଧୀ ମେଂଟ ‘ଇଣ୍ଡିଆ’ର ଅନ୍ୟତମ ପ୍ରମୁଖ ଅଂଶୀଦାର ରହିଛି । ରାଂଚି ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଇଡି ପୂର୍ବରୁ ଛଅ ଥର ସମନ କରିଥିଲେ ମଧ୍ୟ ସେ ହାଜର ହୋଇ ନାହାନ୍ତି । ଏହା ହେଉଛି ସପ୍ତମ ସମନ । ଚିଠି ଆକାରରେ ପଠା ଯାଇଥିବା ସମନରେ ସେ ଯେଉଁଠି ଚାହିବେ ସେଠାରେ ତାଙ୍କ ବୟାନ ରେକର୍ଡ କରାଯିବ ବୋଲି ଇଡି ଜଣାଇ ଦେବା ସହ ସପ୍ତାହକ ମଧ୍ୟରେ ସୋରେନ ଇଡିରେ ନିଜର ବୟାନ ରେକର୍ଡ ନ କରାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିବାରୁ ସୋରେନଙ୍କ ଅଡୁଆ ବଢିଛି । ରାଂଚି ଜମି ଦୁର୍ନୀତି ମାମଲାରେ ‘ଇଡି’ ସମନ ରାଜନୈତିକ ଉଦେ୍ଦେଶ୍ୟମୂଲକ ବୋଲି ମୁଖ୍ୟମନ୍ତ୍ରୀ ସୋରେନ ଅଭିଯୋଗ କରିବା ସହ ବାରମ୍ବାର ସମନକୁ ଏଡାଇ ଆସୁଛନ୍ତି । ତେବେ, ଏଥର ଇଡି ସାତ ଦିନିଆ କଂଠ ଦେଇଥିବାରୁ ଜାନୁୟାର ପ୍ରଥମ ସପ୍ତାହରେ ସେ ଇଡିରେ ହାଜର ହେବାକୁ ବାଧ୍ୟ ହେବେ ବୋଲି ଅନୁମାନ କରାଯାଉଛି । ଇଡିରେ ହାଜର ହେଲେ ତାଙ୍କୁ ଜେରା ପରେ ଗିରଫ କରାଯାଇପାରେ ବୋଲି ସୋରେନ ଆଶଙ୍କା କରୁଛନ୍ତି । କେବଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ ନୁହନ୍ତି, କଂଗ୍ରେସର ପ୍ରମୁଖ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଇଡିର ଜାଲରେ ପଡିଛନ୍ତି । ହରିଆଣାର ଏକ ଜମିଜମା ମାମଲାକୁ ନେଇ ନିକଟରେ ଅଦାଲତରେ ଦାଖଲ ହୋଇଥିବା ଚାର୍ଜସିଟରେ ପ୍ରଥମ ଥର ପାଇଁ ଇଡି ପ୍ରିୟଙ୍କାଙ୍କ ନାମ ସାମିଲ କରିଛି । ତେବେ, ଅଭିଯୁକ୍ତ ତାଲିକାରେ ତାଙ୍କ ନାମ ନାହିଁ । ତଥାପି ଇଡି ତାଙ୍କୁ ଡାକି ଜେରା କରିବାର ରାସ୍ତା ଖୋଲି ଯାଇଛି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ମେଂଟର ବଡ ବଡ ନେତାଙ୍କୁ ଇଡି ଟାର୍ଗେଟ କରିଥିବାରୁ ଏହି ନିର୍ବାଚନ ବିଜେପି ବନାମ ବିରୋଧୀ ନୁହେଁ, ଇଡି ବନାମ ବିରୋଧୀ ହେବାକୁ ଯାଉଛି ବୋଲି ବିରୋଧୀ ରାଜନୈତିକ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS